ସରସ୍ଵତୀ ବାଉରୀର ବୁଦ୍ଧି ହଜିଗଲା।
ଯେବେଠାରୁ ତା’ର ସବୁଜ ସାଥୀ ସାଇକେଲ୍ ଚୋରି ହେଇଗଲା, ସ୍କୁଲ ଯିବା ତା’ ପାଇଁ କାଠିକର ପାଠ ହେଇଯାଇଛି। ସରସ୍ଵତୀର ମନେପଡ଼େ ଯେଉଁ ଦିନ ତାଙ୍କ ସରକାରୀ ସ୍କୁଲରେ ରାଜ୍ୟର ଗୋଟିଏ ଯୋଜନା ଅନୁଯାୟୀ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ଦିଆ ଯାଉଥିବା ସେହି ଭବ୍ୟ ଯନ୍ତ୍ରଟି ତାକୁ ମିଳିଥିଲା। ଓଃ! କି ଉଜ୍ଜ୍ଵଳ ଦିଶୁଥିଲା ସେଇଟି ପୋଡ଼ାମାଟିଆ ସୂର୍ଯ୍ୟ ଆଲୁଅରେ!
ଆଜି ସେ ବହୁତ ଆଶା ରଖି ଗାଁ ମୁଖିଆଙ୍କ ପାଖକୁ ନୂଆ ସାଇକେଲଟିଏ ପାଇଁ ଦରଖାସ୍ତ ନେଇ ଆସିଛି। “ସାଇକେଲ ତୋ ଦେୟେ ଜାବେରେ ଛୁରି, କିନ୍ତୁ ତୋର ଇସ୍କୁଲ-ଟା ଆର କୋଦିନ ଥାକବେ ସେଟା ଦାଖ ଆଗେ” [“ସାଇକେଲ ତ ଦିଆଯିବରେ ଛୁଆ, କିନ୍ତୁ ତୋର ଇସ୍କୁଲଟା ଆଉ କେତେ ଦିନ ଏଠି ରହିବ ଆଗକୁ ଦେଖାଯାଉ”], କାନ୍ଧକୁ ନଚେଇ କହିଲେ ସରପଞ୍ଚ। ସରସ୍ଵତୀକୁ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ଗାଁ ମୁଖିଆଙ୍କ କଥାର ଅର୍ଥ କ’ଣ? ଏମିତି ତ ତାକୁ ସ୍କୁଲରେ ପହଞ୍ଚିବାକୁ ପାଞ୍ଚ କିଲୋମିଟର ସାଇକେଲ ଚଲେଇବାକୁ ପଡ଼େ। ଏବେ ଯଦି ତାକୁ ୧୦ କି ୨୦ କିଲୋମିଟର କି ତା’ଠୁ ଅଧିକ ରାସ୍ତା ଯିବାକୁ ପଡ଼ିବ, ତେବେ ତା’ ଅବସ୍ଥା କ’ଣ ହେବ! ତାକୁ ବାହା କରିଦେବାକୁ ବସିଥିବା ତା’ ବାପା ସହ ଲଢ଼ିବାକୁ କନ୍ୟାଶ୍ରୀ ଯୋଜନାରେ ମିଳୁଥିବା ବର୍ଷକୁ ହଜାରେ ଟଙ୍କା ତାକୁ ଜମା ସାହାଯ୍ୟ କରିବନି।
ସାଇକେଲ
କୁନି ଝିଅ, କୁନି ଝିଅ, ଇସ୍କୁଲ ଯିବାକୁ ଗଲ କି ବାହାରି
ସରକାରୀ ସାଇକେଲରେ ବସି ମହୁଲ ବଣ ଆରପାରି...
ଲଙ୍ଗଳର ଲୁହା ପରି ଶକ୍ତ,
ବାବୁଙ୍କର ଏବେ ଦରକାର ଜମି ସମସ୍ତ,
ସ୍କୁଲ ବନ୍ଦ ହେଇଗଲେ କ’ଣ ଆଉ ହେବ?
କୁନି ଝିଅ, କୁନି ଝିଅ, ତୁମେ କାହିଁକି ରାଗୁଛ?


