ଖାଉଟି ସାମଗ୍ରୀ ବଣ୍ଟନ ପ୍ରକ୍ରିୟାରୁ ଆରମ୍ଭ କରି ସରକାରୀ ପାଣ୍ଠି ଉପଯୋଗରେ ସ୍ବଚ୍ଛତାର ଅଭାବ ପର୍ଯ୍ୟନ୍ତ, ବିଭିନ୍ନ ପ୍ରସଙ୍ଗରେ ସୂଚନା ଅଧିକାର ଆଇନ (RTI) ବଳରେ ଆବେଦନ ଦାଖଲ କରିଆସୁଛନ୍ତି ଗୁଜ୍ଜର ସଂପ୍ରଦାୟର ପଶୁପାଳକ ଅବଦୁଲ ରଶିଦ ଶେଖ। ନିଜର ୫୦ରୁ ଅଧିକ ମେଣ୍ଢା ଓ ପ୍ରାୟ ୨୦ଟି ଛେଳିଙ୍କୁ ସାଙ୍ଗରେ ନେଇ ପ୍ରତି ବର୍ଷ କାଶ୍ମୀର ଅନ୍ତର୍ଗତ ହିମାଳୟ ପାର୍ବତ୍ୟାଞ୍ଚଳ ସାରା ଘୂରି ବୁଲୁଥିବା ଏହି ୫୦ ବର୍ଷୀୟ ପଶୁପାଳକ ଜଣକ ଗତ ଦଶ ବର୍ଷ ମଧ୍ୟରେ ଦୁଇ ଡଜନରୁ ଅଧିକ ‘ଆରଟିଆଇ’ ଆବେଦନ ଦାଖଲ କରିସାରିଛନ୍ତି।

“ଆଗରୁ, ବିଭିନ୍ନ ସରକାରୀ ଯୋଜନା ଆରମ୍ଭ ହେବା ସଂପର୍କରେ (ସରକାରୀ) ଲୋକେ ଜାଣିପାରୁ ନଥିଲେ ଏବଂ ଆମେମାନେ ଆମ ଅଧିକାର ସଂପର୍କରେ ସଚେତନ ନ ଥିଲୁ,” ତାଙ୍କ କୋଠା (ମାଟି, ପଥର ଏବଂ କାଠରେ ତିଆରି ପାରମ୍ପରିକ ଘର) ଆଗରେ ଠିଆ ହୋଇ ଅବଦୁଲ କହନ୍ତି। ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ସେ ଓ ତାଙ୍କ ପରିବାର ଦୁଧପଥରି ଗାଁର ଏହି ଘରକୁ ଚାଲି ଆସନ୍ତି। ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ଖାନସାହିବ ବ୍ଲକର ମୁଜପଥରି ଗାଁରେ ଥିବା ସେମାନଙ୍କ ଘରୁ ସେମାନେ ଏଠାକୁ ଆସିଥାଆନ୍ତି।

ଅବଦୁଲ ଆହୁରି କହନ୍ତି, “ଲୋକଙ୍କୁ ଆଇନ ଓ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରାଇବା ଦିଗରେ ଆରଟିଆଇ ଦାଖଲର ଗୁରୁ ଭୂମିକା ରହିଛି; ଏହା ଫଳରେ ସରକାରୀ କର୍ମଚାରୀଙ୍କ ସହିତ କେମିତି କଥାବାର୍ତ୍ତା କରିବାକୁ ହୁଏ ତାହା ବି ଆମେ ଶିଖିଥାଉ।” ଆରମ୍ଭରୁ, ନିଜେ ସରକାରୀ ବାବୁମାନେ ବି ସୂଚନା ଅଧିକାର ଆଇନ ସଂପର୍କରେ ଜାଣି ନଥିଲେ ଏବଂ “କୌଣସି ପ୍ରାସଙ୍ଗିକ ସରକାରୀ ଯୋଜନା ଏବଂ ସେଥିରେ ପାଣ୍ଠି ବିନିଯୋଗ ସଂପର୍କରେ ତଥ୍ୟ ମାଗିଲେ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ।”

ସରକାରୀ ବ୍ୟବସ୍ଥା ସହିତ ମୁକାବିଲା କାରଣରୁ ଗାଁ ଲୋକଙ୍କୁ ହଇରାଣ କରାଗଲା – ବ୍ଲକ୍ ଅଧିକାରୀମାନଙ୍କ ପ୍ରରୋଚନାରେ ପୋଲିସ ସେମାନଙ୍କ ବିରୋଧରେ ମିଥ୍ୟା ଏଫଆଇଆର (ଏତଲା) ଦାୟର କରୁଥିଲା। ଅବଦୁଲଙ୍କ ଭଳି ତଥ୍ୟାଭିଜ୍ଞ ନାଗରିକମାନେ, ଯେଉଁମାନେ ଏଠାରେ ଆରଟିଆଇ ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ, ସେମାନେ ହିଁ ଆକ୍ରୋଶର ସମ୍ମୁଖୀନ ହେଲେ।

“ସରକାରୀ କର୍ମଚାରୀମାନେ ହିଁ ଦୁର୍ନୀତିଗ୍ରସ୍ତ। ଏବେ ସେମାନଙ୍କ ସଂପତ୍ତି ଦେଖନ୍ତୁ.” ତାଙ୍କ କଥାର ସତ୍ୟତା ପ୍ରତିପାଦନ କରିବା ଲାଗି ସେ କହନ୍ତି। ସୂଚନା ଅଧିକାର ଆଇନ ବଳରେ ଆବେଦନ ଦାଖଲ କରିବା ସହିତ ଖାଦ୍ୟ, ବେସାମରିକ ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ମୁଜପଥରି ଗାଁର ପ୍ରାୟ ୫୦ ଜଣ ଲୋକଙ୍କୁ ଖାଉଟି କାର୍ଡ ପ୍ରଦାନ ନିମନ୍ତେ ସେ ଦାବି ମଧ୍ୟ ଜଣାଇଲେ।

Traditional Kashmiri mud houses in Doodhpathri. Popularly known as kotha or doko , these houses are built using wood, mud, stones, tarpaulin and leaves. This is one of the bigger kothas that takes around 10–15 days to build.
PHOTO • Rudrath Avinashi
A chopan whistles and moves the herd of sheep towards the higher mountains for fresh pastures
PHOTO • Rudrath Avinashi

ବାମ: ଦୁଧପଥରିରେ ପାରମ୍ପରିକ କାଶ୍ମିରୀ ମାଟିଘର। କୋଠା ବା ଡୋକା ନାମରେ ପରିଚିତ ଏହି ଘରଗୁଡ଼ିକ କାଠ, ମାଟି, ପଥର, ତାରପୁଲିନ ଓ ପତ୍ର ଉପଯୋଗ କରି ନିର୍ମାଣ କରାଯାଇଥାଏ। ଏହା ସେହି ବଡ଼ ବଡ଼ କୋଠା ଭିତରୁ ଗୋଟିଏ, ଯାହାକୁ ନିର୍ମାଣ କରିବା ଲାଗି ୧୦-୧୫ ଦିନ ଲାଗିଯାଏ ଡାହାଣ : ଜଣେ ଚୋପନ ହୁଇସିଲ ମାରି ମାରି ମେଣ୍ଢା ପଲକୁ ଉଚ୍ଚ ପାହାଡ଼ ଉପରେ ଥିବା ତାଜା ଘାସର ଚାରଣଭୂମି ଆଡ଼କୁ ନେଇଯାଉଛନ୍ତି

Abdul Rashid Sheikh outside his house in Doodhpathri: 'To build our kotha , we don't cut trees. We only use those that have fallen down during storms'
PHOTO • Rudrath Avinashi

ଦୁଧପଥରି ଗାଁରେ ତାଙ୍କ ଘର ବାହାରେ ଅବଦୁଲ ରଶିଦ : ଆମ କୋଠା ତିଆରି ପାଇଁ ଆମେ ଗଛ କାଟୁନାହିଁ ଆମେ କେବଳ ଝଡ଼ରେ ପଡ଼ିଯାଇଥିବା ଗଛ ବ୍ୟବହାର କରୁ

ପହଞ୍ଚି ପାରିବା ଭଳି ଦୂରତାରେ ରହିଥିବା ଚାରଣଭୂମି ଉପରେ ନିର୍ଭରଶୀଳ ଜଣେ ପଶୁପାଳକ ହିସାବରେ ଅବଦୁଲ, ବିଶେଷତଃ ଅଧିସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ବନବାସୀ (ଜଙ୍ଗଲ ଉପରେ ଅଧିକାରକୁ ସ୍ବୀକୃତି) ଆଇନ, ୨୦୦୬ ଉପରେ ଧ୍ୟାନ ଦିଅନ୍ତି। ସେ କହନ୍ତି, “ଜଙ୍ଗଲକୁ ଯଦି ଆମେ ଜଙ୍ଗଲ ବିଭାଗ ହାତରେ ଛାଡ଼ି ଦେବୁ, ତେବେ ସୁରକ୍ଷିତ ରଖିବା ଲାଗି ଆଉ ଜଙ୍ଗଲ ରହିବ ନାହିଁ।” ଜଙ୍ଗଲ ଅଧିକାର ଆଇନ (FRA) ଅନୁସାରେ ଜଙ୍ଗଲ ଉପରେ ଭିନ୍ନ ଭିନ୍ନ ସଂପ୍ରଦାୟର ଅଧିକାର ସାବ୍ୟସ୍ତ କରିବା ଦିଗରେ କାର୍ଯ୍ୟରତ ‘ଜାମ୍ମୁ ଆଣ୍ଡ କାଶ୍ମୀର ଫରେଷ୍ଟ ରାଇଟସ କୋଆଲିସନ୍’ ନାମକ ସ୍ଥାନୀୟ ଏକ ସଂଗଠନ ସହଯୋଗରେ, ଜଙ୍ଗଲ ଜମି ଉପରେ ଗୁଜ୍ଜର ଓ ବକରୱାଲ ପଶୁପାଳକ ସଂପ୍ରଦାୟର ଅଧିକାରକୁ ନେଇ ସୂଚନା ଅଧିକାର ଆଇନ ବଳରେ ଅବଦୁଲ ଅନେକ ଆବେଦନ ଦାଖଲ କରିଛନ୍ତି।

ମୁଜପଥରି ଗାଁର ଗ୍ରାମ ସଭା ପକ୍ଷରୁ ୨୦୨୨ ମସିହାରେ ଏକ ଜଙ୍ଗଲ ସୁରକ୍ଷା କମିଟି (FRC) ଗଠନ କରାଯିବା ସହିତ ପଶୁ ଚରାଇବା ଲାଗି ଚାରଣଭୂମି ଚିହ୍ନଟ କରିବା ଏବଂ ବ୍ୟକ୍ତିଗତ ଜମିକୁ ଚାରଣଭୂମିରୁ ଅଲଗା କରି ପ୍ରତି ବର୍ଷ ସମୀକ୍ଷାଯୋଗ୍ୟ ସୀମା ନିର୍ଦ୍ଧାରଣ କରିବା ଲାଗି ଏକ ବ୍ୟବସ୍ଥା ପରିଚାଳିତ ହେଉଛି। ଜଙ୍ଗଲ ଅଧିକାର ଆଇନ (୨୦୦୬) ଅନୁସାରେ ସେମାନଙ୍କର ୧୦୦୦ ବର୍ଗ କିଲୋମିଟର ଜଙ୍ଗଲକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ (CFR) ଭାବରେ ଘୋଷଣା କରାଯାଇ ୨୦୨୩ ମସିହା ଏପ୍ରିଲ ୨୮ରେ ଗ୍ରାମ ସଭାରେ ଏକ ପ୍ରସ୍ତାବ ଗୃହୀତ ହେଲା।

“ଜଙ୍ଗଲ ସମସ୍ତଙ୍କ ପାଇଁ। ମୁଁ, ମୋ ପିଲାମାନେ ଏବଂ ଆପଣଙ୍କ ପାଇଁ। ଆମେ ଯଦି ଜୀବିକା ଅର୍ଜନକୁ ଜଙ୍ଗଲ ସଂରକ୍ଷଣ ସହିତ ସଂଯୋଗ କରିଦେଉ, ତେବେ ନୂତନ ପିଢ଼ି ଏଥିରୁ ଫାଇଦା ପାଇବେ। ଆଉ ଆମେ ଯଦି ଜଙ୍ଗଲ ନଷ୍ଟ କରିଚାଲୁ, ତେବେ ଆମେ ଭବିଷ୍ୟତ ପାଇଁ ପଛରେ ଆଉ କ’ଣ ଛାଡ଼ିଯିବା !” ମୁଜପଥରି ପାଇଁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ମାନ୍ୟତା ହାସଲରେ ମନ୍ଥର ଅଗ୍ରଗତି ଯୋଗୁଁ ଅସନ୍ତୁଷ୍ଟ ଅବଦୁଲ କହନ୍ତି।

୨୦୦୬ରେ ପ୍ରଣୀତ ଜଙ୍ଗଲ ଅଧିକାର ଆଇନ(FRA) ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାମ୍ମୁ ଓ କାଶ୍ମୀର ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିଲା।

ଅବଦୁଲ କହନ୍ତି, “ସେ ପର୍ଯ୍ୟନ୍ତ କେହି ହେଲେ ଜଙ୍ଗଲ ଅଧିକାର ଆଇନ ସଂପର୍କରେ ଜାଣି ନଥିଲେ।” ଇଣ୍ଟରନେଟର ପ୍ରସାର ବଢ଼ିବା ସହିତ ଉପତ୍ୟକାରେ ରହୁଥିବା ଲୋକଙ୍କ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନା ଏବଂ ଆଇନ ସଂପର୍କିତ ସଚେତନତା ମଧ୍ୟ ବଢ଼ିଲା। ଅବଦୁଲ ବୁଝାଇ ଦିଅନ୍ତି, “ଦିଲ୍ଲୀରେ ଆରମ୍ଭ ହେଉଥିବା ଅନେକ ସରକାରୀ ଯୋଜନା ଓ ନୀତି ସଂପର୍କରେ ଆମର ସଚେତନତା ବୃଦ୍ଧି କ୍ଷେତ୍ରରେ ଇଣ୍ଟରନେଟ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହା ପୂର୍ବରୁ, ଆମେ କିଛି ହେଲେ ଜାଣିପାରୁ ନଥିଲୁ।”

Nazir Ahmed Dinda is the current sarpanch of Mujpathri. He has filed several RTIs to learn about the distribution of funds for health, water, construction of houses and more.
PHOTO • Rudrath Avinashi
Dr. Shaikh Ghulam Rasool (left) and a resident of Mujpathri (right) discussing their claim submitted by the Forest Rights Committee (FRC) of the village
PHOTO • Rudrath Avinashi

ବାମ: ମୁଜପଥରିର ବର୍ତ୍ତମାନ ସରପଞ୍ଚ ନାଜିର ଅହମଦ ଡିଣ୍ଡା। ସ୍ବାସ୍ଥ୍ୟସେବା, ଜଳ ଯୋଗାଣ, ଗୃହ ନିର୍ମାଣ ଏବଂ ଆହୁରି କେତେକ ପ୍ରସଙ୍ଗରେ ସୂଚନା ଅଧିକାର ଆଇନ (RTI) ବଳରେ ସେ ଅନେକ ଆବେଦନ ଦାଖଲ କରିଛନ୍ତି। ଡାହାଣ: ଗାଁର ଜଙ୍ଗଲ ସୁରକ୍ଷା କମିଟି (FRC) ପକ୍ଷରୁ ଦାଖଲ କରାଯାଇଥିବା ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଶେଖ ଗୁଲାମ ରସୁଲ (ବାମ) ଏବଂ ମୁଜପଥରି ଗାଁର ଜଣେ ବାସିନ୍ଦା (ଡାହାଣ)

୨୦୦୬ ମସିହାରେ, ଅବଦୁଲ ଏବଂ ମୁଜପଥରିର ବର୍ତ୍ତମାନ ସରପଞ୍ଚ ନାଜିର ଅହମଦ ଡିଣ୍ଡାଙ୍କ ସମେତ ଗାଁର ଅନ୍ୟ କେତେକ ବାସିନ୍ଦା, ସେ ସମୟରେ ବଡ଼ଗାମର ଏରିଆ ମେଡିକାଲ ଅଫିସର ରୂପେ କାର୍ଯ୍ୟରତ ‘ଜାମ୍ମୁ ଓ କାଶ୍ମୀର ଫରେଷ୍ଟ ରାଇଟସ କୋଆଲିସନ’ର ଅଧ୍ୟକ୍ଷ ଡକ୍ଟର ଶେଖ ଗୁଲାମ ରସୁଲଙ୍କୁ ସାକ୍ଷାତ କଲେ। ସେ ଅନେକ ସମୟରେ ଗାଁକୁ ଆସନ୍ତି ଏବଂ ଏ ଅଞ୍ଚଳରେ ସୂଚନା ଅଧିକାର ଆଇନ ଅଭିଯାନର ସୂତ୍ରପାତ କରିବାରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଅବଦୁଲ କହନ୍ତି, “ଡକ୍ଟର ଶେଖ ସରକାରୀ ଆଇନ ଓ ନୀତି ସଂପର୍କରେ ଏବଂ (ସେ ସଂପର୍କରେ) ଆମର ଆହୁରି ଅଧିକ ଜାଣିବାର ଆବଶ୍ୟକତା ଉପରେ ଆଲୋଚନା କଲେ।”

ଏହା ଫଳରେ ଗାଁ ଲୋକେ ଅନ୍ୟାନ୍ୟ ଯୋଜନା ସଂପର୍କରେ ଅଧିକ ଅନୁସନ୍ଧାନ କରିବାରେ ଲାଗିଲେ। “ଧୀରେ ଧୀରେ ଆମେ ସୂଚନା ଅଧିକାର ଆଇନ ସଂପର୍କରେ ଏବଂ ତଦନୁସାରେ ଆବେଦନ ଦାଖଲ କରିବା ଦିଗରେ ସଚେତନ ହେଲୁ। ଆମ ଗାଁର ବହୁତ ଲୋକ ସୂଚନା ଅଧିକାର ଆଇନ ବଳରେ ଆବେଦନ ଦାଖଲ କରିବା ଆରମ୍ଭ କରିଦେଲେ ଏବଂ ଏହା ଏକ ଅଭିଯାନର ରୂପ ନେଲା,” ଘଟଣାକ୍ରମ ବୁଝାଇବାକୁ ଯାଇ ଅବଦୁଲ କହନ୍ତି।

ମୁଜପଥରିରେ ତାଙ୍କ ସହିତ କଥାବାର୍ତ୍ତା ଅବସରରେ, ପ୍ରାରମ୍ଭିକ ଦିନଗୁଡ଼ିକରେ ଗାଁ ଲୋକଙ୍କ ସହିତ ବୈଠକ କରିବା ଏବଂ ଭବିଷ୍ୟତ ପଦକ୍ଷେପ ସଂପର୍କରେ ଯୋଜନା କରିବା କଥା ମନେ ପକାନ୍ତି ଡକ୍ଟର ଶେଖ। “କ୍ଷମତାରେ ଥିବା ବିଧାୟକ ଦୁର୍ନୀତିଗ୍ରସ୍ତ ଥିଲେ ଏବଂ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁ ନଥିଲା,” ସେ କହନ୍ତି। “ଅନେକ ସମୟରେ ପୋଲିସ ଲୋକଙ୍କୁ ହଇରାଣ କରୁଥିଲା ଏବଂ ସେମାନଙ୍କ ଅଧିକାର ସଂପର୍କରେ ସେମାନେ ଆଦୌ ସଚେତନ ନଥିଲେ।”

ସୂଚନା ଅଧିକାର ଆଇନ ବଳରେ ପ୍ରଥମ ଆବେଦନ ଦାଖଲ କରାଯାଇଥିଲା ୨୦୦୬ ମସିହାରେ। ମୁଜପଥରି ବାସିନ୍ଦା ପୀର ଜି.ଏଚ୍. ମୋହିଦିନ ଦାଖଲ କରିଥିବା ଏହି ଆବେଦନରେ, ଗୋଟିଏ ଥର ଆର୍ଥିକ ସହାୟତା ପ୍ରଦାନ କରି ଐତିହାସିକ ଭାବେ ନିଷ୍ପେଷିତ ଲୋକଙ୍କ ପାଇଁ ପ୍ରଣୀତ ଇନ୍ଦିରା ଆବାସ ଯୋଜନା (IAY) ଶୀର୍ଷକ ସାଧାରଣ ଗୃହ ଯୋଗାଣ ଯୋଜନା ସଂପର୍କରେ ତଥ୍ୟ ମଗାଯାଇଥିଲା। ଏହି ପ୍ରସଙ୍ଗର ଅନୁସରଣ କରି ୨୦୧୩ରେ ସରପଞ୍ଚ ନାଜିର ଆଉ ଏକ ସୂଚନା ଅଧିକାର ଆଇନ ବଳରେ ଆବେଦନ ଦାଖଲ କରି ଇନ୍ଦିରା ଆବାସ ଯୋଜନାର ହିତାଧିକାରୀମାନଙ୍କ ସଂପର୍କରେ ତଥ୍ୟ ମାଗିଥିଲେ।

Nazir and Salima Sheikh light up the chulha (stove) and prepare for dinner inside their kotha
PHOTO • Rudrath Avinashi
Salima Sheikh preparing noon chai (a traditional Kashmiri drink of green tea leaves, baking soda and salt) and rotis
PHOTO • Rudrath Avinashi

ବାମ: ରାତ୍ରୀଭୋଜନ ପ୍ରସ୍ତୁତ କରିବା ଲାଗି ନାଜିର ଓ ସଲିମା ଶେଖ ସେମାନଙ୍କ କୋଠା ଭିତରେ  ଚୁଲ୍ହା (ଚୁଲି) ଜଳାଉଛନ୍ତି। ଡାହାଣ: ସଲିମା ଶେଖ ନୁନ୍ ଚାଇ ( ସବୁଜ ଚା’ ପତ୍ର, ଖାଇବା ସୋଡ଼ା ଏବଂ ଲୁଣରେ ତିଆରି ଏକ ପାରମ୍ପରିକ କାଶ୍ମିରୀ ପାନୀୟ) ଏବଂ ରୋଟି ପ୍ରସ୍ତୁତ କରୁଛନ୍ତି

ଗାଁରେ କଥାବାର୍ତ୍ତା ଓ ଆଲୋଚନା କରିବା ପରେ, ଜଙ୍ଗଲ ସଂରକ୍ଷଣ କରିବା ଏବଂ ସରକାରୀ ଯୋଜନାରେ ସ୍ବଚ୍ଛତାର ଆବଶ୍ୟକତାକୁ ନାଜିର ହୃଦୟଙ୍ଗମ କଲେ ଏବଂ ତେଣୁ ସେ ସୂଚନା ଅଧିକାର ଆଇନ ବଳରେ ଆବେଦନ ଦାଖଲ କରିବାରେ ଲାଗିଲେ। “ଆମ ପାଇଁ ସରକାର ପ୍ରଣୟନ କରୁଥିବା ନୀତି ଏବଂ ଏହାକୁ ଆମେ କିଭଳି ହାସଲ କରିପାରିବୁ ତାହା ଜାଣିବାର ଆବଶ୍ୟକତା ଥିଲା,” ସେ କହନ୍ତି, “୨୦୦୬ ମସିହା ପର୍ଯ୍ୟନ୍ତ ଆମେ ଜଙ୍ଗଲରୁ କାଠ ଏବଂ ଗୁଚ୍ଛି ଧୂପ ଭଳି ଅଣ-କାଠ ଜଙ୍ଗଲଜାତ ସାମଗ୍ରୀ (NTFP) ସହିତ ଔଷଧୀୟ ଜଡ଼ିବୁଟି, ଚେରମୂଳି ଓ କନ୍ଦ ପ୍ରଭୃତି ଲୁଚାଇ କରି ଆଣୁଥିଲୁ। କାରଣ, ଆମ ପାଖରେ ଜୀବିକା ଅର୍ଜନର ଅନ୍ୟ କୌଣସି ବିକଳ୍ପ ନଥିଲା,” କହନ୍ତି ଏହି ୪୫ ବର୍ଷୀୟ ଗୁଜ୍ଜର ଜଣକ। “ଜଙ୍ଗଲ ଉପରେ ନିର୍ଭରଶୀଳତା କମ କରିବା ଲାଗି ୨୦୦୯ ପାଖାପାଖି, ମୁଁ ଦୁଧପଥରି ଗାଁରେ ଗୋଟିଏ ଦୋକାନ ଖୋଲି ଚା ଓ କୁଲଚା ବିକ୍ରି କରିବା ଆରମ୍ଭ କଲି,” ସେ କହି ଚାଲନ୍ତି। ଶାଲିଗଙ୍ଗା ନଦୀ କୂଳେ କୂଳେ ତାଙ୍କ ସହିତ ଆମେ ଉଚ୍ଚ ଚାରଣଭୂମି ଆଡ଼କୁ ଚାଲି ଚାଲି ଯିବା ଅବସରରେ, ଗତ କିଛି ବର୍ଷ ଧରି ସୂଚନା ଅଧିକାର ଆଇନ ବଳରେ ସେ ଦାଖଲ କରିଥିବା ଭିନ୍ନ ଭିନ୍ନ ଆବେଦନ ସଂପର୍କରେ ବିସ୍ତୃତ ଭାବରେ କହନ୍ତି।

୨୦୧୩ରେ, ନାଜିର ସୂଚନା ଅଧିକାର ଆଇନ ବଳରେ ଏକ ଆବେଦନ ଦାଖଲ କରି ଖାଦ୍ୟ, ବେସାମରିକ ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସାଧାରଣ ବଣ୍ଟନ ପ୍ରଣାଳୀ (PDS) ଅନୁସାରେ ଆବଣ୍ଟିତ ଚାଉଳର ଭିନ୍ନ ଭିନ୍ନ ପରିମାଣ ସଂପର୍କରେ ଜାଣିବାକୁ ଚାହିଁଥିଲେ। ଏହା ସହିତ, କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ସମଗ୍ର ଶିକ୍ଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିଥିବା ଛାତ୍ରବୃତ୍ତି ସଂପର୍କରେ ଜାଣିବା ଲାଗି ସେ ୨୦୧୮ରେ ସୂଚନା ଅଧିକାର ଆଇନ ବଳରେ କେତେକ ଆବେଦନ କରିଥିଲେ।

ଶାଲିଗଙ୍ଗା ନଦୀ କୂଳେ କୂଳେ ଆମେ ନାଜିରଙ୍କ ସହିତ ଯିବା ବାଟରେ କିଛି ଦୂରରେ କେତେକ ତମ୍ବୁ ପଡ଼ିଥିବା ଦେଖିଲୁ ଏବଂ ସେମାନେ ଆମକୁ ନୁନ୍ ଚାଇ ପାଇଁ ଡାକିଲେ। ସେଠାରେ, ଆମେ ମହମ୍ମଦ ୟୁନୁସଙ୍କୁ ଭେଟିଲୁ। ସେ ବକରୱାଲ ସଂପ୍ରଦାୟର ଏବଂ ଜାମ୍ମୁ ଡିଭିଜନର ରାଜୌରି ଜିଲ୍ଲା ଅନ୍ତର୍ଗତ ଦୁଧପତରି ଗାଁରୁ ଏପ୍ରିଲ ମାସରେ ଏଠାକୁ ଆସିଛନ୍ତି। ତାଙ୍କର ୪୦ରୁ ଅଧିକ ମେଣ୍ଢା ଓ ପ୍ରାୟ ୩୦ଟି ଛେଳି ସମେତ ପାଳିତ ପ୍ରାଣୀମାନଙ୍କୁ ଘାସ ଚରିବାକୁ ଦେବା ପାଇଁ ସେ ଅକ୍ଟୋବର ଯାଏଁ ଏଠାରେ ରହିବେ।

“ଆଜି ଆମେ ଏଠି ଅଛୁ,” ସେ କହନ୍ତି, “ହେଲେ ୧୦ ଦିନ ପରେ ଆମକୁ ଆହୁରି ଉପରକୁ ଯିବାକୁ ପଡ଼ିବ, ଯେଉଁଠି ତାଜା ଘାସର ଚାରଣଭୂମି ଥିବ।” ବକରୱାଲ ସଂପ୍ରଦାୟର ଏହି ୫୦ ବର୍ଷୀୟ ବ୍ୟକ୍ତି ଜଣକ ପିଲାଦିନରୁ କାଶ୍ମୀରର ବିଭିନ୍ନ ସ୍ଥାନକୁ ଯାଇ ଆସୁଛନ୍ତି।

Mohammed Younus (left) on the banks of the Shaliganga river in Doodhpathri where he and his family have come with their livestock. They will continue to move upstream till the source of the river in search of fresh pastures. Inside their tent, (in the front) his spouse Zubeda Begam and his brother (with the hookah)
PHOTO • Rudrath Avinashi
Mohammed Younus (left) on the banks of the Shaliganga river in Doodhpathri where he and his family have come with their livestock. They will continue to move upstream till the source of the river in search of fresh pastures. Inside their tent, (in the front) his spouse Zubeda Begam and his brother (with the hookah)
PHOTO • Rudrath Avinashi

ଦୁଧପତରିର ଶାଲିଗଙ୍ଗା ନଦୀ କୂଳରେ ମହମ୍ମଦ ୟୁନୁସ (ବାମ), ସେ ଓ ତାଙ୍କ ପରିବାର ସେମାନଙ୍କ ପାଳିତ ପଶୁମାନଙ୍କ ସହ ଏଠାକୁ ଆସିଛନ୍ତି। ତାଜା ଚାରଣଭୂମି ସନ୍ଧାନରେ ସେମାନେ ଏଠାରୁ ନଦୀ ଉପରମୁଣ୍ଡ ଆଡ଼କୁ ଯାତ୍ରା କରି ନଦୀର ଉତ୍ପତ୍ତି ସ୍ଥଳରେ ପହଞ୍ଚିବେ। ସେମାନଙ୍କ ତମ୍ବୁ ଭିତରେ, (ସାମନାରେ) ତାଙ୍କ ସ୍ତ୍ରୀ ଜୁବେଦା ବେଗମ ଏବଂ ତାଙ୍କ ଭାଇ (ହୁକ୍କା ସହିତ)

“ଗୋଟିଏ ଛେଳି କି ମେଣ୍ଢା ବିକିଲେ ହାରାହାରି ୮,୦୦୦ରୁ ୧୦,୦୦୦ (ଟଙ୍କା) ମିଳିବ। ଏତିକିରେ ଆମେ ପୂରା ମାସଟିଏ କେମିତି ଚଳିବୁ?” ଜାମ୍ମୁ ଓ କାଶ୍ମୀରରେ ଚା’ ଓ ତେଲ ଦର ଯଥାକ୍ରମେ କିଲୋ ପିଛା ପ୍ରାୟ ୬୦୦-୭୦୦ ଟଙ୍କା  ଏବଂ ଲିଟର ପିଛା ୧୨୫ ଟଙ୍କା ହୋଇଥିବା କଥାକୁ ଉପଲକ୍ଷ୍ୟ କରି ୟୁନୁସ ପଚାରନ୍ତି।

ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତାରେ ଅପାରଗତା ଯୋଗୁଁ ୟୁନୁସ ଓ ତାଙ୍କ ସଂପ୍ରଦାୟର ଅନ୍ୟ ସଦସ୍ୟମାନଙ୍କୁ କେତେକ ଖାଉଟି ସାମଗ୍ରୀ ମିଳୁନାହିଁ। “ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାର ଆମକୁ ଚାଉଳ, ଗହମ ଓ ଚିନି ଦେବା କଥା, କିନ୍ତୁ ଆମେ କିଛି ହେଲେ ପାଉନାହୁଁ,” ୟୁନୁସ କହନ୍ତି।

“ପ୍ରଥମ ଥର ପାଇଁ ଆମେ ଏ ବର୍ଷ ଟ୍ୟାକ୍ସି ସେବା ପାଇଲୁ ଏବଂ ସେଥିରେ ଆମେ ୟୁସମାର୍ଗରେ ପହଞ୍ଚିଲୁ ଏବଂ ଆମ ପିଲାମାନେ ଆମର ଗୃହପାଳିତ ପ୍ରାଣୀମାନଙ୍କୁ ନେଇ ସେଠାକୁ ଆସିଲେ,” ୟୁନୁସ କହନ୍ତି। ତାଙ୍କ କହିବା ଅନୁସାରେ ଏହି ଯୋଜନା ୨୦୧୯ରୁ କାର୍ଯ୍ୟକାରୀ ହୋଇଥିଲେ ହେଁ ରାଜୌରିର ବକରୱାଲମାନଙ୍କ ପାଖରେ ପହଞ୍ଚିବା ପାଇଁ ଚାରି ବର୍ଷ ଲାଗିଗଲା। ସେହିଭଳି ଭ୍ରାମ୍ୟମାଣ ସ୍କୁଲ ବ୍ୟବସ୍ଥା ବି ରହିଛି କିନ୍ତୁ ସେ ସବୁ ସ୍କୁଲ ପ୍ରାୟ ଚାଲୁନାହିଁ। “ସେମାନେ ଆମକୁ ମୋବାଇଲ ସ୍କୁଲ ଦେଇଛନ୍ତି ସତ, ହେଲେ ଅତି କମରେ ୧୦-୧୫ଟି ଚୁଲ୍ହା (ପରିବାର) ହେଲେ ଯାଇ ଜଣେ (ସ୍କୁଲ) ମାଷ୍ଟର ଆସିବେ,” ୟୁନୁସ କହନ୍ତି।

“ଏଠି କାଗଜପତ୍ରରେ ସବୁ ଯୋଜନା ରହିଛି, କିନ୍ତୁ ଆମ ପାଖରେ କିଛି ହେଲେ ପହଞ୍ଚୁ ନାହିଁ,” ତାଙ୍କ କଣ୍ଠରୁ ବାହାରି ଆସେ ହତାଶ ଓ ବିସ୍ମୟର ମିଶ୍ରିତ ସ୍ବର।

ଅନୁବାଦ : ଓଡ଼ିଶାଲାଇଭ୍‍

Rudrath Avinashi

ਰੁਦਰਥ ਅਵਿਨਾਸ਼ੀ ਖੋਜ ਅਤੇ ਦਸਤਾਵੇਜ਼ੀਕਰਨ ਜ਼ਰੀਏ ਸਾਂਝੇ ਸੁਰੱਖਿਅਤ ਇਲਾਕਿਆਂ ਦੇ ਮੁੱਦਿਆਂ ’ਤੇ ਕੰਮ ਕਰਦੇ ਹਨ। ਉਹ ਕਲਪਵਰਿਕਸ਼ ਦੇ ਮੈਂਬਰ ਹਨ।

Other stories by Rudrath Avinashi
Editor : Sarbajaya Bhattacharya

ਸਰਬਜਯਾ ਭੱਟਾਚਾਰਿਆ, ਪਾਰੀ ਦੀ ਸੀਨੀਅਰ ਸਹਾਇਕ ਸੰਪਾਦਕ ਹਨ। ਉਹ ਬੰਗਾਲੀ ਭਾਸ਼ਾ ਦੀ ਮਾਹਰ ਅਨੁਵਾਦਕ ਵੀ ਹਨ। ਕੋਲਕਾਤਾ ਵਿਖੇ ਰਹਿੰਦਿਆਂ ਉਹਨਾਂ ਨੂੰ ਸ਼ਹਿਰ ਦੇ ਇਤਿਹਾਸ ਤੇ ਘੁਮੱਕੜ ਸਾਹਿਤ ਬਾਰੇ ਜਾਣਨ 'ਚ ਰੁਚੀ ਹੈ।

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE