ଧୀରେ ଧୀରେ ତାଙ୍କ ଦେଶିଆ ବିହନକୁ ଫେରି ପାଉଛନ୍ତି ତେଜଲିବାଇ ଧେଡ଼ିୟା ।
ପାଖାପାଖି ୧୫ ବର୍ଷ ତଳେ, ମଧ୍ୟ ପ୍ରଦେଶର ଅଲିରାଜପୁର ଓ ଦେୱାସ ଜିଲ୍ଲାରେ ଚାଷବାସ କରୁଥିବା ତେଜଲିବାଇଙ୍କ ଭଳି ଭିଲ ଆଦିବାସୀମାନେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଦେଶୀ ବିହନ ବଦଳରେ ରାସାୟନିକ ପଦାର୍ଥ ପ୍ରୟୋଗ କରି ସଙ୍କର ଜାତୀୟ ବିହନ ଚାଷକୁ ଆପଣେଇ ନେଇଥିଲେ । ଏହା ଫଳରେ ପାରମ୍ପରିକ ବିହନ ଉଭେଇ ଯିବାରେ ଲାଗିଲା ବୋଲି କହନ୍ତି ତେଜଲିବାଇ ଏବଂ ଚାଷ ପ୍ରଣାଳୀରେ ସେହି ପରିବର୍ତ୍ତନ ସଂପର୍କରେ ବୁଝାଇ ଦିଅନ୍ତି “ଆମର ପାରମ୍ପରିକ ଚାଷରେ ଖୁବ୍ ଅଧିକ ପରିଶ୍ରମ କରିବା ଦରକାର ହୁଏ ଏବଂ ବଜାରରେ ଏହାର ଉଚିତ ମୂଲ୍ୟ ମିଳେ ନାହିଁ ।” ଏହି ୭୧ ବର୍ଷୀୟା ମହିଳା ଜଣକ ଆହୁରି କହନ୍ତି, “ଅଳ୍ପ ପରିଶ୍ରମ ଯୋଗୁଁ ଯେଉଁ ସମୟ ବଞ୍ଚିଯାଏ, ସେହି ସମୟରେ ପ୍ରବାସୀ ଶ୍ରମିକ ଭାବରେ ଦିନ ମଜୁରିଆ କାମରୁ ଅଧିକ ରୋଜଗାର କରିବା ଲାଗି ଆମେ ଗୁଜରାଟକୁ ଚାଲିଯାଉଥିଲୁ ।”
କିନ୍ତୁ ଏବେ, ଏହି ଜିଲ୍ଲାଗୁଡ଼ିକର ୨୦ଟି ଗାଁରେ ରହୁଥିବା ପ୍ରାୟ ୫୦୦ ମହିଳା ସେମାନଙ୍କର ପାରମ୍ପରିକ ବିହନକୁ ସଂରକ୍ଷଣ କରିବା ସହିତ ‘କନସାରି ନୁ ବଡ଼ାୱନୁ’ (କେଏନ୍ଭି)ଙ୍କ ମାର୍ଗଦର୍ଶନରେ ପୁଣି ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଛନ୍ତି । ଭିଲ୍ ଭାଷାରେ (ସ୍ଥାନୀୟ ଅଞ୍ଚଳରେ ଭିଲାଲି ନାଁରେ ପରିଚିତ) ‘କନସାରି ନୁ ବଡ଼ାୱନୁ’ ଅର୍ଥ ‘ଦେବୀ କନ୍ସାରିଙ୍କୁ ଅଭିନନ୍ଦନ’ । ମହିଳାମାନଙ୍କ ଅଧିକାର ଲାଗି ସଂଘର୍ଷ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲକ୍ଷ୍ୟ ନେଇ ୧୯୯୭ରେ ଗଠିତ ହୋଇଥିଲା ଭିଲ ମହିଳାମାନଙ୍କର ସାମୂହିକ ସଂଗଠନ ‘କେଏନ୍ଭି’ । ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଏକ ଦଶନ୍ଧିରୁ ଅଧିକ ସମୟ କାମ କରିବା ପରେ, ‘କେଏନ୍ଭି’ ଗଠନରେ ସାମିଲ ହୋଇଥିବା ଆଦିବାସୀ ମହିଳାମାନଙ୍କର ହୃଦ୍ବୋଧ ହେଲା ଯେ, ନିଜର ପାରମ୍ପରିକ ଚାଷ ପଦ୍ଧତିକୁ ପ୍ରତ୍ୟାବର୍ତ୍ତନ ହିଁ ସେମାନଙ୍କର ଖାଦ୍ୟ ସଂପର୍କିତ ସମସ୍ୟା ସମାଧାନରେ ସହାୟକ ହେବ ।
ସାରା ଦେଶରେ ଜୈବ ବିବିଧତା ଦୃଷ୍ଟିରୁ ଜୈବିକ ଚାଷ ପଦ୍ଧତିର ପ୍ରସାର ନିମନ୍ତେ, ଅନ୍ୟ ଚାଷୀମାନଙ୍କୁ ବିକ୍ରି ଓ ବିତରଣ ପାଇଁ ‘କେଏନ୍ଭି’ରେ ବଛାବଛା ବିହନକୁ ପୃଥକ୍ ପୃଥକ୍ ଭାବରେ ସଂରକ୍ଷଣ କରାଗଲା ଏବଂ ଅବଶିଷ୍ଟ ଫସଲକୁ ଖାଇବା ପାଇଁ ରଖାଗଲା ବୋଲି କହନ୍ତି କାୱଡ଼ା ଗାଁର ରିଙ୍କୁ ଅଲାୱା । “ଅମଳ ପରେ, ଆମକୁ ସବୁଠାରୁ ଭଲ ବିହନ ବାଛିବାକୁ ପଡ଼େ,” ୩୯ ବର୍ଷୀୟା ରିଙ୍କୁ କହନ୍ତି ।
ତାଙ୍କ କଥାରେ ସମ୍ମତ ହୁଅନ୍ତି କକରାନା ଗାଁର ଚାଷୀ ଓ ‘କେଏନ୍ଭି’ ସଦସ୍ୟା ରାୟତିବାଇ ସୋଲାଙ୍କି: “ବିହନର ଗୁଣବତ୍ତା ଏବଂ ସେଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି ବିହନ ଚୟନ ହେଉଛି ସର୍ବୋତ୍ତମ ଉପାୟ ।”
ତାଙ୍କ କଥା ଆଗକୁ ବଢ଼ାଇ ୪୦ ବର୍ଷୀୟା ରାୟତିବାଇ କହନ୍ତି, “ବାଜରା ଏବଂ ସୋରଘମ (ଯଅ) ଭଳି ଶସ୍ୟ ଆମ ଭିଲ ଆଦିବାସୀମାନଙ୍କର ପ୍ରଧାନ ଖାଦ୍ୟ । ସବୁ ଶସ୍ୟ ମଧ୍ୟରେ ବାଜରାଜାତୀୟ ଶସ୍ୟ ଲାଗି ସ୍ୱଳ୍ପ ପାଣି ଦରକାର ହୁଏ ଏବଂ ଏଗୁଡ଼ିକ ପୁଷ୍ଟିକାରକ । ଧାନ ଓ ଗହମ ଭଳି ଅନ୍ୟ ଶସ୍ୟ ତୁଳନାରେ ଏହା ଚାଷ କରିବା ସହଜ ।” ସେ ବିଭିନ୍ନ ବାଜରା ଜାତୀୟ ଶସ୍ୟଗୁଡ଼ିକର ତାଲିକା ଦେବା ଆରମ୍ଭ କରନ୍ତି: ବଟ୍ଟି (ସୁଆଁ), ଭାଦି, ରାଲା (କାଙ୍ଗୁ, ଟାଙ୍ଗଣା) ରାଗି (ମାଣ୍ଡିଆ), ବାଜ୍ରା (ବାଜରା), କୋଦୋ, କୁଟ୍କି, ସାଙ୍ଗରି (ସୁଆଁ, କୋଶଲା, କୁଇରି) । “ଜୈବ ବିବିଧତା ସଂପନ୍ନ ଚାଷ କ୍ଷେତ୍ରରେ ମାଟିର ଉର୍ବରତା ଏବଂ ପ୍ରାକୃତିକ ଗୁଣ ବଜାୟ ରଖିବା ଲାଗି ବିନ୍ସ, ଡାଲି ଏବଂ ତୈଳବୀଜ ଭଳି ଶିମ୍ବ ବା ଛୁଇଁ ଜାତୀୟ ଫସଲ ସହିତ ଅଦଳବଦଳ କରି ଏଗୁଡ଼ିକୁ ଚାଷ କରାଯାଏ,” ସେ କହନ୍ତି ।
































