ରାୟପୁର ଉପକଣ୍ଠରେ ଥିବା ଏହି ଇଟା ଭାଟିରେ ମଧ୍ୟାହ୍ନ ଭୋଜନ ସମୟ ହୋଇଯାଇଛି । ଶ୍ରମିକମାନେ ତରବର ହୋଇ ଭୋଜନ କରୁଛନ୍ତି କିମ୍ବା ନିଜର ଅସ୍ଥାୟୀ ଆବାସରେ ବିଶ୍ରାମ ନେଉଛନ୍ତି ।
‘‘ଆମ ଘର ସତନାରେ,’’ ଜଣେ ମହିଳା ନିଜର ମାଟି କୁଡ଼ିଆରୁ ବାହାରି କୁହନ୍ତି। ଏଠାରେ କାମ କରୁଥିବା ଅଧିକାଂଶ ଶ୍ରମିକ ମଧ୍ୟପ୍ରଦେଶର ପ୍ରବାସୀ ଅଟନ୍ତି। ସେମାନେ ପ୍ରତିବର୍ଷ ନଭେମ୍ବର-ଡିସେମ୍ବରରେ ଫସଲ ଋତୁ ଶେଷ ହେବା ପରେ ଛତିଶଗଡ଼ର ରାଜଧାନୀକୁ ଆସନ୍ତି ଏବଂ ମଇ କିମ୍ବା ଜୁନ୍ ମାସ ପର୍ଯ୍ୟନ୍ତ ଛଅ ମାସ ଧରି ଏଠାରେ ରୁହନ୍ତି। ଭାରତର ବିଶାଳ ଇଟା-ଭାଟି ଉଦ୍ୟୋଗ ଆନୁମାନିକ ୧୦-୨୩ ନିୟୁତ ଶ୍ରମିକଙ୍କୁ ରୋଜଗାର ଦେଇଥାଏ (ଭାରତର ଇଟାଭାଟିରେ ଦାସତ୍ୱ, ୨୦୧୭)।
ଚଳିତ ବର୍ଷ ସେମାନେ ଘରକୁ ଫେରିବା ବେଳକୁ କେନ୍ଦ୍ରରେ ନୂଆ ସରକାର ଗଠନ ହୋଇସାରିଥିବ। କିନ୍ତୁ ନେତାମାନଙ୍କୁ ଚୟନ କରିବାରେ ଏଠାକାର ପ୍ରବାସୀ ଶ୍ରମିକଙ୍କର କୌଣସି ଭୂମିକା ରହିବ କି ନାହିଁ ତାହା ଅନିଶ୍ଚିତ ।
ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ମହିଳା ପରୀକୁ କହିଥିଲେ, ‘‘ଭୋଟ୍ ଦେବାର ସମୟ ଆସିଲେ ଆମକୁ ସୂଚନା ଦିଆଯିବ।’’
ସେମାନଙ୍କର ଶ୍ରମିକ ଠିକାଦାର ସଞ୍ଜୟ ପ୍ରଜାପତି ବୋଧହୁଏ ଏହି ସୂଚନା ଦେବେ । କୁଡ଼ିଆ ଗୁଡ଼ିକଠାରୁ କିଛି ଦୂରରେ ଛିଡ଼ା ହୋଇ ସେ ଆମକୁ କୁହନ୍ତି, ‘‘ସତନାରେ ମତଦାନ ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ନାହିଁ। ଯଦି ଆସିବ ତା’ହେଲେ ଆମେ ସେମାନଙ୍କୁ ସୂଚୀତ କରିବୁ।’’ ସଞ୍ଜୟ ଏବଂ ଏଠାକାର ଅଧିକାଂଶ ଶ୍ରମିକ ପ୍ରଜାପତି ସମ୍ପ୍ରଦାୟର (ମଧ୍ୟପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ) ଅଟନ୍ତି ।









