ସାରା ଜୀବନ ମୁଁ ପଶୁଙ୍କ ଦେଖାଶୁଣା କାମ କରି ଆସୁଛି। ରାଇକା ଭାବେ ଏହା ଆମର କାମ : ଆମେ ପଶୁ ପାଳନ କରିଥାଉ।
ମୋ ନାଁ ସୀତା ଦେବୀ ଏବଂ ମୋତେ ୪୦ ବର୍ଷ ବୟସ ହେଲାଣି। ଆମ ସମୁଦାୟ ଐତିହାସିକ ରୂପରେ ପଶୁପାଳନ କରି ଆସୁଛି। ଆମେ ମୁଖ୍ୟତଃ ଓଟ ପାଳନ କରିଥାଉ। ଏଇ କିଛି ବର୍ଷ ହେବ ମେଣ୍ଢା, ଛେଳି, ଗାଈ ଓ ମଇଁଷି ପାଳନ କରୁଛୁ। ରାଜସ୍ଥାନର ପାଲି ଜିଲ୍ଲା ଅନ୍ତର୍ଗତ ଜୈତାରଣ ବ୍ଲକରେ ଥିବା କୁଡ଼କୀ ଗ୍ରାମଠାରୁ ଗୋଟିଏ କିଲୋମିଟର ଦୂରରେ ଆମ ପଡ଼ା ତାରାମଗିରି ଅବସ୍ଥିତ।
ମୋ ସ୍ୱାମୀଙ୍କ ନାଁ ହରି ରାମ ଦେୱାସୀ (୪୬)। ଆମର ଦୁଇ ପୁଅ ସୱାଇ ରାମ ଦେୱାସୀ ଓ ଜାମତା ରାମ ଦେୱାସୀ ଏବଂ ସେମାନଙ୍କ ପତ୍ନୀ ଯଥାକ୍ରମେ ଆଚୁ ଦେବୀ ଓ ସଞ୍ଜୁ ଦେବୀଙ୍କ ସହିତ ରହିଥାଉ। ଆଚୁ ଓ ସୱାଇଙ୍କର ୧୦ ମାସର ଗୋଟିଏ ପୁଅ ଅଛି। ମୋ ମା’, ଶୟରୀ ଦେବୀ (୬୪) ମଧ୍ୟ ଆମ ସହ ରୁହନ୍ତି।
ସକାଳ ୬ଟାରେ ଛେଳି କ୍ଷୀରରେ ତିଆରି ଗୋଟିଏ କପ୍ ଚା’ ସହିତ ମୋର ଦିନ ଆରମ୍ଭ ହୋଇଥାଏ। ମୁଁ, ନହେଲେ ମୋ ବୋହୂମାନେ ଚା’ କରି ଦିଅନ୍ତି। ତା’ପରେ ଆମେ ରୋଷେଇ କରୁ ଏବଂ ବାଡ଼ା (ପଶୁଙ୍କ ଗୁହାଳ) ଆଡ଼କୁ ଯାଇଥାଉ। ସେଠାରେ ଆମ ମେଣ୍ଢା ଓ ଛେଳି ରୁହନ୍ତି। ସେଠି ମୁଁ କାଦୁଆ ଚଟାଣକୁ ଝାଡ଼ୁ ମାରି ସଫା କରିଥାଏ ଏବଂ ପଶୁଙ୍କ ମଳମୂତ୍ର ସଂଗ୍ରହ କରି ପରେ ବ୍ୟବହାର କରିବା ଲାଗି ସେଗୁଡ଼ିକୁ ସଂରକ୍ଷିତ ରଖିଥାଏ।
ଆମ ଘରର ଠିକ୍ ପଛପଟେ ବାଡ଼ା ଅଛି ଏବଂ ଏଠାରେ ଛେଳି ଓ ମେଣ୍ଢାଙ୍କୁ ମିଶାଇ ଆମର ୬୦ଟି ଗୃହପାଳିତ ପଶୁ ରୁହନ୍ତି। ଏହା ଭିତରେ ଏକ ଛୋଟ ବାଡ଼ ଘେରା ଆବଦ୍ଧ କ୍ଷେତ୍ର ରହିଛି ଯେଉଁଠାରେ ଆମେ ମେଣ୍ଢା ଛୁଆ ଓ ଛେଳି ଛୁଆଙ୍କୁ ରଖିଥାଉ। ବାଡ଼ା ର ଗୋଟିଏ ପଟେ ଆମେ ଶୁଖିଲା ପଶୁଖାଦ୍ୟ ରଖିଥାଉ, ଏହା ମୁଖ୍ୟତଃ ଗୁଆଁରର ଶୁଖିଲା ନଡ଼ା ହୋଇଥାଏ। ମେଣ୍ଢା ଓ ଛେଳିଙ୍କ ବ୍ୟତୀତ ଆମର ଦୁଇଟି ଗାଈ ମଧ୍ୟ ଅଛନ୍ତି ଏବଂ ସେମାନଙ୍କ ପାଇଁ ଘରର ମୁଖ୍ୟ ପ୍ରବେଶଦ୍ୱାର ନିକଟରେ ଅଲଗା ଗୁହାଳ ରହିଛି।
ଆମ ଆବଶ୍ୟକତାର ସବୁ ଜିନିଷ ଯଥା ସଉଦା, ଡାକ୍ତରଖାନା, ବ୍ୟାଙ୍କ, ସ୍କୁଲ୍ ଆଦି ପାଇଁ ଆମେ କୁଡ଼କୀ ଗାଁକୁ ଯାଇଥାଉ। ପୂର୍ବରୁ ଆମେ ଯମନା ଜୀ (ଯମୁନା ନଦୀ)କୁ ଆମ ପଶୁଙ୍କ ସହିତ ଯାଉଥିଲୁ ଏବଂ ବାଟରେ ତମ୍ବୁ ପକାଉଥିଲୁ। ଏବେ ଆମେ କମ୍ ପଶୁ ପାଳୁଛୁ ତେଣୁ ଏତେ ଦୂର ଯାତ୍ରା କରିବା ଲାଭଜନକ ହେଉ ନାହିଁ। ତା’ ଛଡ଼ା ଆମର ମଧ୍ୟ ବୟସ ହୋଇଗଲାଣି। ତେଣୁ ଆମେ ପାଖ ପାଖ ଅଞ୍ଚଳରେ ପଶୁ ଚରେଇବାକୁ ନେଉଛୁ।
ମୁଁ ବାଡ଼ା ସଫା କରିବା ପରେ, ମୋ ବୋହୂ ସଞ୍ଜୁ ଛେଳି ଦୁହିଁଥାଏ। କମ୍ ବୟସର ଲୋକମାନେ ଛେଳି ଦୁହିଁବା ସମୟରେ କେହି ଜଣେ ଛେଳିଙ୍କୁ ଧରିବା ଆବଶ୍ୟକ ହୋଇଥାଏ କାରଣ ଛେଳିଗୁଡ଼ିକ ଚାଲାକ ହୋଇଥାନ୍ତି ଏବଂ ସେମାନଙ୍କୁ କବ୍ଜାରୁ ଖସି ଯାଆନ୍ତି। ଛେଳି ଦୁହିଁବା ସମୟରେ ମୋ ସ୍ୱାମୀ କିମ୍ବା ମୁଁ ତାଙ୍କୁ ସାହାଯ୍ୟ କରିଥାଉ ନଚେତ୍ ଆମେ ଦୁହିଁ ଦେଇଥାଉ; ଆମକୁ ନେଇ ପ୍ରାଣୀମାନେ ସହଜ ହୋଇଥାନ୍ତି।
ମୋ ସ୍ୱାମୀ ପଶୁମାନଙ୍କୁ ଚରେଇବାକୁ ନେଇଯାଆନ୍ତି। ପାଖରେ ଆମେ ଖଣ୍ଡେ ଜମି ଭାଗକୁ ଆଣିଛୁ ଏବଂ କିଛି ଗଛ ମଧ୍ୟ କିଣିଛୁ, ଏହି ସ୍ଥାନରେ ହିଁ ଆମର ପଶୁପଲ ନଡ଼ା ଚରିବାକୁ ଯାଇଥାନ୍ତି। ମୋ ସ୍ୱାମୀ ମଧ୍ୟ ଗଛରୁ ଡାଳ କାଟି ପଶୁମାନଙ୍କୁ ଖାଇବାକୁ ଦିଅନ୍ତି। ସେମାନେ ଖେଜରୀ (ପ୍ରୋସପିସ ସିନେରାରିଆ ବା ଶମୀ) ଗଛର ପତ୍ର ଖାଇବାକୁ ଭଲ ପାଆନ୍ତି।
ଛୋଟ ପଶୁମାନେ ଯେମିତି ଅନ୍ୟ ପଶୁଙ୍କ ପଲ ସହିତ ନଯାଆନ୍ତି, ସେଥିପ୍ରତି ଆମକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଏହା ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ସେଥିପାଇଁ ବାଡ଼ା ଭିତରେ ଓ ବାହାରେ ପଶୁମାନଙ୍କକୁ ବାଟ ଦେଖାଇବା ପାଇଁ ଆମେ ବହୁତ ପାଟି କରିଥାଉ, ପଶୁମାନଙ୍କୁ ଘଉଡ଼ାଇବାକୁ ଶବ୍ଦ କରିଥାଉ, ହିସ୍ହିସ୍ କରିଥାଉ। ବେଳେବେଳେ ଯଦି କୌଣସି ଛୋଟ ପଶୁ ନିଜ ମା’କୁ ଅନୁସରଣ କରି ବାହାରକୁ ଚାଲି ଆସେ ତା’ହେଲେ ଆମେ ତା’କୁ ଧରି ଭିରତକୁ ନେଇ ଆସୁ। ଆମ ଭିତରୁ ଜଣେ ବାଡ଼ା ଦ୍ୱାର ପାଖରେ ଛିଡ଼ା ହୋଇଥାଏ ଏବଂ ହାତ ହଲାଇ ପଶୁମାନଙ୍କୁ ପୁଣିଥରେ ବାଡ଼ା ମଧ୍ୟକୁ ପଶିବାରୁ ରୋକିଥାଏ। ୧୦ ମିନିଟ୍ ପରେ, ପଶୁମାନେ ମୁଖ୍ୟ ଦ୍ୱାରରୁ ବାହାରକୁ ଆସି ଚରିବାକୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି।
କେବଳ ସେହି ଗୃହପାଳିତ ପଶୁଙ୍କୁ ବାଡ଼ାରେ ରଖି ଦିଆଯାଇଥାଏ ଯେଉଁମାନେ ନିକଟରେ ଛୁଆ ଜନ୍ମ ଦେଇଛନ୍ତି କିମ୍ବା ଯେଉଁମାନେ ଅସୁସ୍ଥ ଅଛନ୍ତି ଅଥବା ଖୁବ୍ ଛୋଟ ଅଛନ୍ତି। ଏହି ସମୟରେ ବାଡ଼ାର ପରିବେଶ ଅତି ଶାନ୍ତ ରହିଥାଏ। ମୁଁ ପୁଣିଥରେ ଗୃହପାଳିତ ପଶୁଙ୍କ ମଳମୂତ୍ର ଏକାଠି କରିଥାଏ ଏବଂ ସେଗୁଡ଼ିକୁ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ଛୋଟ ଜାଗାରେ ଏକତ୍ରିତ କରିଥାଏ। ଏଠାରେ ଆମେ ବିକ୍ରି କରିବା ଲାଗି ସେଗୁଡ଼ିକୁ ଏକତ୍ରିତ ରଖିଥାଉ। ଏହା ଅତି ମୂଲ୍ୟବାନ ଖତ ହୋଇଥାଏ। ଆମେ ବର୍ଷକୁ ପ୍ରାୟ ଦୁଇ ଟ୍ରକ ଖତ ବିକ୍ରୟ କରିଥାଉ। ଗୋଟିଏ ଟ୍ରକ ପାଇଁ ଆମକୁ ପ୍ରାୟ ୮,୦୦୦-୧୦,୦୦୦ ଟଙ୍କା ମିଳିଥାଏ।
ଆମ ଆୟର ଆଉ ଏକ ମୁଖ୍ୟ ସ୍ରୋତ ହେଉଛି ମେଣ୍ଢା ବିକ୍ରି। ଗୋଟିଏ ମେଣ୍ଢାକୁ ଆମେ ୧୨,୦୦୦ରୁ ୧୫,୦୦୦ ଟଙ୍କାରେ ବିକ୍ରି କରିଥାଉ। ଏହା ବ୍ୟତୀତ, ମେଣ୍ଢା ଛୁଆ ଓ ଛେଳି ଛୁଆଙ୍କ ଦାମ୍ ୬,୦୦୦ ଟଙ୍କା ହୋଇଥାଏ। ତତ୍କାଳ ଟଙ୍କା ଦରକାର ହେଲେ ଆମେ ସେମାନଙ୍କୁ ବିକ୍ରି କରିଥାଉ। ବ୍ୟବସାୟୀମାନେ ଏଗୁଡ଼ିକୁ ବିକିବା ପାଇଁ ଆଖପାଖ ବଜାର ବ୍ୟତୀତ ଦିଲ୍ଲୀର ପଶୁ ବଜାରକୁ ମଧ୍ୟ ନେଇଯାଆନ୍ତି।
ମେଣ୍ଢା ଲୋମ ମଧ୍ୟ ଆମ ପାଇଁ ଏକଦା ମୁଖ୍ୟ ରୋଜଗାର ଉତ୍ସ ଥିଲା, କିନ୍ତୁ ଏବେ ପ୍ରାୟ ସ୍ଥାନରେ ମେଣ୍ଢା ଲୋମ ଦାମ୍ ହ୍ରାସ ପାଇ କିଲୋ ପ୍ରତି ଦୁଇ ଟଙ୍କା ହୋଇଗଲାଣି। ତା’ ଛଡ଼ା ଏବେ କ୍ରେତା ମିଳିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
ଯେତେବେଳେ ମୁଁ ମୀନଗାନି (ମଳମୂତ୍ର) ଗଦା କରି ଫେରି ଆସେ, ବାଡ଼ା ଭିତରେ କିଛି ଭୋକିଲା ଓ ଆଶାବାଦୀ ମୁଖମଣ୍ଡଳରେ ଥିବା ପଶୁମାନଙ୍କୁ ଦେଖିଥାଏ। ମୁଁ ସେମାନଙ୍କ ପାଇଁ ଡାଲି (ଡାଳ) ଆଣି ଦେଇଥାଏ। ଶୀତ ଋତୁରେ, ନିମଦା (ନିମ୍ବ, ଆଜାଦିରାଚତା ଇଣ୍ଡିକା) ଏବଂ ଅନ୍ୟ ଦିନେ ବୋର୍ଦି (କୋଳି, ଜିଜିଫସ ନ୍ୟୁମ୍ମୁଲାରିଆ)ର ଡାଳ ଦେଇଥାଏ। ଏହାବ୍ୟତୀତ, ମୁଁ କ୍ଷେତକୁ ଯାଇ ଜାଳେଣି କାଠ ସଂଗ୍ରହ କରିଥାଏ।
ମୋ ସ୍ୱାମୀ କିମ୍ବା ପୁଅମାନେ ଯାଇ ଡାଲି (ଡାଳଗୁଡ଼ିକ) କାଟି ଆଣନ୍ତି, କିନ୍ତୁ ମୁଁ ଯାଇ ବେଳେବେଳେ ନେଇ ଆସେ। ଘର ବାହାରେ ହେଉଥିବା ଅଧିକାଂଶ କାମ ପୁରୁଷମାନେ କରନ୍ତି। ସେମାନେ ଗଛ କିଣିବା, ଚାଷ ଜମି ଭାଗରେ ଦେବା, ଖତ ମୂଲ୍ୟ ନିର୍ଦ୍ଧାରଣ କରିବା ଏବଂ ଔଷଧ ଆଣିବା ଭଳି କାମର ଦାୟିତ୍ୱ ନେଇଥାନ୍ତି। ଚାରଣ ଭୂମିରେ ସେମାନଙ୍କୁ ଡାଳ କାଟି ପଶୁପଲଙ୍କୁ ଖାଇବାକୁ ଦେବା ଏବଂ ଅସୁସ୍ଥ ପଶୁଙ୍କୁ ଯତ୍ନ ନେବା କାମ ମଧ୍ୟ କରିବାକୁ ହୁଏ।
କୌଣସି ଅସୁସ୍ଥ ପଶୁ ଥିଲେ, ମୁଁ ସେମାନଙ୍କ ଯତ୍ନ ନେଇଥାଏ। ମୁଁ ଗାଈମାନଙ୍କୁ ଶୁଖିଲା ଗୋଖାଦ୍ୟ ଦିଏ। ଆମେ ମଧ୍ୟ ସେମାନଙ୍କୁ ରୋଷେଇ ଘରେ ବଳକା ଖାଦ୍ୟ ଦେଇଥାଉ। ଏହି କାମରେ ମୋ ମା’ ମୋତେ ମଧ୍ୟ ସାହାଯ୍ୟ କରନ୍ତି। ଗାଁରେ ଥିବା ଦୋକାନରୁ ରାସନ ଆଣିବାରେ ମଧ୍ୟ ସେ ସହାୟତା କରିଥାନ୍ତି।
ଥରେ ପଶୁମାନଙ୍କୁ ଖାଇବାକୁ ଦିଆସରିବା ପରେ, ଆମେ ଅଧିକାଂଶ ସମୟରେ ବାଜରାରେ ପ୍ରସ୍ତୁତ କୌଣସି ଖାଦ୍ୟ, କିମ୍ବା ଗହମ (ରାସନ ଦୋକାନରୁ ମିଳିଥିବା), ମୁଗ କିମ୍ବା ଅନ୍ୟ ଡାଲି କିମ୍ବା ଋତୁକାଳୀନ ପନିପରିବା ଏବଂ ବକରୀ କେ ଦୁଧ୍ କା ଦହି (ଛେଳି କ୍ଷୀରେ ପ୍ରସ୍ତୁତ ଦହି) ଖାଇବା ଲାଗି ବସିଥାଉ। ଆମର ଦୁଇ ବିଘା ଜମି ଅଛି ସେଠି ଆମେ ନିଜ ଖାଇବା ପାଇଁ ମୁଗ କିମ୍ବା ବାଜରା ଚାଷ କରିଥାଉ।
କୁରକୀ ଓ ଅନ୍ୟ ଶିବିରର ମହିଳାଙ୍କ ଭଳି ମୁଁ ମଧ୍ୟ ଏନଆରଇଜିଏ କାମକୁ ଯାଇଥାଏ। ଏନଆରଇଜିଏରୁ ଆମକୁ ଗୋଟିଏ ସପ୍ତାହରେ ଦୁଇ ହଜାର ଟଙ୍କା ମିଳିଥାଏ, ଏହା ଘର ଖର୍ଚ୍ଚ ତୁଲାଇବାରେ ସହାୟକ ହୁଏ।
ଏହି ସମୟରେ ମୋତେ ବିଶ୍ରାମ ମିଳେ ଏବଂ ଅନ୍ୟ ଘରକରଣା କାମ - କପଡ଼ା ସଫା ଓ ବାସନକୁସନ ମାଜିବା ଆଦି ସାରି ଦେଇଥାଏ। ଅଧିକାଂଶ ସମୟରେ ପାଖ ଘରୁ ମହିଳାମାନେ ଆସନ୍ତି ଏବଂ ଆମେ ଏକାଠି ବସି କାମ କରିଥାଉ। ଶୀତ ଦିନେ, ବେଳେ ବେଳେ ଆମେ ଖିଚିୟା ଓ ରାବୋଡି (ମକା ଅଟାକୁ ଘୋଳ ଦହିରେ ରାନ୍ଧି ପ୍ରସ୍ତୁତ ହୋଇଥିବା ପାମ୍ପଡ଼) ତିଆରି କରିଥାଉ।
ଅଧିକାଂଶ ପିଲା ଏହି କାମ (ପଶୁପାଳନ)କୁ ଆଗେଇ ନେବା ପାଇଁ ଆବଶ୍ୟକ କୌଶଳ ଜାଣି ନାହାନ୍ତି। ଛୋଟ ପିଲାମାନଙ୍କୁ ଭଲ ପଢ଼ିବା ପାଇଁ ମୁଁ ବାରମ୍ବାର ପରାମର୍ଶ ଦେଇଥାଏ। ଶେଷରେ, ଆମକୁ ହୁଏତ’ ନିଜ ପଶୁମାନଙ୍କୁ ବିକ୍ରି କରିବାକୁ ପଡ଼ିବ ଏବଂ ତା’ପରେ ସେମାନଙ୍କୁ କାମ ଖୋଜିବାକୁ ହେବ। ବର୍ତ୍ତମାନ ସମୟ ବଦଳିଯାଇଛି।
ସନ୍ଧ୍ୟାରେ ମୁଁ ସମସ୍ତଙ୍କୁ ଖୋଜିଥାଏ ଏବଂ ଆମ ପଶୁଙ୍କ ଫେରିବା ବାଟକୁ ଚାହିଁ ରହିଥାଏ। ଗୋଧୂଳି ବେଳା ପରେ ଆମର ପଶୁପଲ ଘରକୁ ଫେରନ୍ତି ଓ ବାଡ଼ା ପୁଣିଥରେ ଚଳଚଞ୍ଚଳ ହୋଇଉଠେ। ଦିନରେ ଶେଷ ଥର ପାଇଁ ମୁଁ ପଶୁମାନଙ୍କୁ ଦୁହିଁଥାଏ, ସେମାନଙ୍କୁ ଶୁଖିଲା ଗୋଖାଦ୍ୟ ଦେଇଥାଏ। ତା’ପରେ ମୋ ଦିନର କାମ ଶେଷ ହୁଏ।
ଅନୁବାଦ : ଓଡ଼ିଶାଲାଇଭ୍