‘‘ଆମ ଶରୀରକୁ ରଙ୍ଗେଇବା କଷ୍ଟ କାମ। ଏହାକୁ କରିବା ଲାଗି ଆମେ ରାତି ଅନିଦ୍ରା ହୋଇଥାଉ,’’ ଆୟୁଷ ନାୟକ (୧୭) କୁହନ୍ତି। ପ୍ରଥମ ଥର ପାଇଁ ସେ ନିଜ ଶରୀରରେ ଅଏଲ ପେଣ୍ଟ୍ ଲଗାଉଛନ୍ତି। ‘‘ମୋ ଶରୀର ଜଳିବା ଭଳି ଅନୁଭବ ହେଉଛି। ଯଥାଶୀଘ୍ର ଆମକୁ ଏହି ରଙ୍ଗ ଶୁଖାଇବାକୁ ପଡ଼ିବ,’’ ସେ କୁହନ୍ତି।
ଉପକୂଳ କର୍ଣ୍ଣାଟକର ଅନେକ ଯୁବକ ଯୁବତୀ ପିଲି ବେଶ (ଯାହାକୁ ହୁଲି ବେଶ ମଧ୍ୟ କୁହାଯାଏ)ର ପ୍ରସ୍ତୁତି ପାଇଁ ନିଜ ଶରୀରକୁ ଉଜ୍ଜ୍ୱଳ ରଙ୍ଗର ଗାରରେ ସଜେଇଥାନ୍ତି, ଏମାନଙ୍କ ମଧ୍ୟରୁ ଆୟୁଷ ଅନ୍ୟତମ। ଦଶହରା ଓ ଜନ୍ମାଷ୍ଟମୀ ସମୟରେ ଏହି ଲୋକନୃତ୍ୟ ପରିବେଷଣ କରାଯାଇଥାଏ। ପ୍ରସ୍ତୁତି ସମୟରେ କଳାକାରମାନେ ଢୋଲର ଉଚ୍ଚ ସ୍ୱର ମଧ୍ୟରେ ବାଘ ମୁଖା ଲଗାଇ ଗର୍ଜନ କରି ନାଚିଥା’ନ୍ତି।
କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ କଥିତ ତୁଳୁ ଭାଷାରେ ପିଲି ର ଅର୍ଥ ହେଉଛି ବାଘ ଏବଂ ବେଶ ର ଅର୍ଥ ହେଉଛି ରୂପସଜ୍ଜା। ‘‘ଆପଣଙ୍କୁ କାହାଠାରୁ କିଛି ଶିଖିବାର ଆବଶ୍ୟକତା ନାହିଁ। ଏହା ଆମ ଆତ୍ମାରେ ରହିଛି,’’ ବୀରେନ୍ଦ୍ର ଶେଟ୍ଟିଗାର୍ କୁହନ୍ତି। ସେ ଗତ ୨୨ ବର୍ଷ ଧରି ପିଲି ବେଶ ପରିବେଷଣ କରି ଆସୁଛନ୍ତି। ‘‘ଢୋଲର ଶବ୍ଦ ଏବଂ ଆଖପାଖର ଉର୍ଜା ମିଶି ଏପରି ଏକ ପରିବେଶ ସୃଷ୍ଟି କରିଥାଏ ଯେ ଆପଣ ନାଚିବା ବିନା ରହିପାରିବେ ନାହିଁ, ’’ ସେ କହିଥାନ୍ତି। ୩୦ ବର୍ଷ ବୟସ୍କ ବୀରେନ୍ଦ୍ର ଆମାଜନ୍ର ବିତରକ ଭାବେ କାମ କରିଥାନ୍ତି ଏବଂ ନିଜ ଗାଁର ଯୁବକମାନଙ୍କୁ ଏହି ନୃତ୍ୟ କରିବା ଲାଗି ପ୍ରୋତ୍ସାହିତ କରିଥାନ୍ତି।
ନାଚୁଥିବା କଳାକାରମାନେ ବାଘ, କଲରାପତରିଆ ଓ ଚିତା ଭଳି ଦେଖାଯିବା ପାଇଁ ନିଜର ସମ୍ପୂର୍ଣ୍ଣ ଶରୀରକୁ ଏକ୍ରିଲିକ୍ ରଙ୍ଗରେ ହଳଦିଆ ଓ ଧୂସର ଗାର ଟାଣି ରଙ୍ଗେଇ ଦେଇଥାନ୍ତି। ପୂର୍ବରୁ ବାଘ ଭଳି ଦେଖିବା ଲାଗି ଏହି କଳାକାରମାନେ ରଙ୍ଗ ପାଇଁ କୋଇଲା, କାଦୁଅ, ଚେର ଏବଂ କବକର ଉପଯୋଗ କରୁଥିଲେ।
ସମୟ ବଦଳିବା ସହିତ ନୃତ୍ୟରେ ଗ୍ରହଣ କରାଯାଉଥିବା ପାରମ୍ପରିକ ଭଙ୍ଗିବା ସ୍ଥାନରେ ଭିନ୍ନ ଭିନ୍ନ ଦୁଃସାହିକ କୌଶଳ ପ୍ରଦର୍ଶନ କରାଯାଉଛି। ଆଗକୁ ଓ ପଛକୁ ଲେଉଟିବା, ମୁଣ୍ଡରେ ନଡ଼ିଆ ଭାଙ୍ଗିବା, ମୁହଁରେ ନିଆଁ ଫୁଙ୍କିବା ଓ ଅନ୍ୟାନ୍ୟ ଦୁଃସାହସିକ କୌଶଳ ନର୍ତ୍ତକମାନେ ପ୍ରଦର୍ଶନ କରିଥାନ୍ତି । ଏବେ ନୃତ୍ୟ ସଂଯୋଜନା ପାଇଁ ଏତେ ଅଧିକ ଶାରୀରିକ ଶ୍ରମ ଆବଶ୍ୟକ ହେଉଛି ଯେ ବୃଦ୍ଧ କଳାକାରମାନେ ଏହି ପାରମ୍ପରିକ ନୃତ୍ୟକୁ ଆଗକୁ ବଢ଼ାଇବାର ଉତ୍ତରଦାୟିତ୍ୱ ଯୁବକମାନଙ୍କ କାନ୍ଧରେ ନ୍ୟସ୍ତ କରି ଦେଇଛନ୍ତି।






























