‘‘ଆମ ଶରୀରକୁ ରଙ୍ଗେଇବା କଷ୍ଟ କାମ। ଏହାକୁ କରିବା ଲାଗି ଆମେ ରାତି ଅନିଦ୍ରା ହୋଇଥାଉ,’’ ଆୟୁଷ ନାୟକ (୧୭) କୁହନ୍ତି। ପ୍ରଥମ ଥର ପାଇଁ ସେ ନିଜ ଶରୀରରେ ଅଏଲ ପେଣ୍ଟ୍ ଲଗାଉଛନ୍ତି। ‘‘ମୋ ଶରୀର ଜଳିବା ଭଳି ଅନୁଭବ ହେଉଛି। ଯଥାଶୀଘ୍ର ଆମକୁ ଏହି ରଙ୍ଗ ଶୁଖାଇବାକୁ ପଡ଼ିବ,’’ ସେ କୁହନ୍ତି।
ଉପକୂଳ କର୍ଣ୍ଣାଟକର ଅନେକ ଯୁବକ ଯୁବତୀ ପିଲି ବେଶ (ଯାହାକୁ ହୁଲି ବେଶ ମଧ୍ୟ କୁହାଯାଏ)ର ପ୍ରସ୍ତୁତି ପାଇଁ ନିଜ ଶରୀରକୁ ଉଜ୍ଜ୍ୱଳ ରଙ୍ଗର ଗାରରେ ସଜେଇଥାନ୍ତି, ଏମାନଙ୍କ ମଧ୍ୟରୁ ଆୟୁଷ ଅନ୍ୟତମ। ଦଶହରା ଓ ଜନ୍ମାଷ୍ଟମୀ ସମୟରେ ଏହି ଲୋକନୃତ୍ୟ ପରିବେଷଣ କରାଯାଇଥାଏ। ପ୍ରସ୍ତୁତି ସମୟରେ କଳାକାରମାନେ ଢୋଲର ଉଚ୍ଚ ସ୍ୱର ମଧ୍ୟରେ ବାଘ ମୁଖା ଲଗାଇ ଗର୍ଜନ କରି ନାଚିଥା’ନ୍ତି।
କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ କଥିତ ତୁଳୁ ଭାଷାରେ ପିଲି ର ଅର୍ଥ ହେଉଛି ବାଘ ଏବଂ ବେଶ ର ଅର୍ଥ ହେଉଛି ରୂପସଜ୍ଜା। ‘‘ଆପଣଙ୍କୁ କାହାଠାରୁ କିଛି ଶିଖିବାର ଆବଶ୍ୟକତା ନାହିଁ। ଏହା ଆମ ଆତ୍ମାରେ ରହିଛି,’’ ବୀରେନ୍ଦ୍ର ଶେଟ୍ଟିଗାର୍ କୁହନ୍ତି। ସେ ଗତ ୨୨ ବର୍ଷ ଧରି ପିଲି ବେଶ ପରିବେଷଣ କରି ଆସୁଛନ୍ତି। ‘‘ଢୋଲର ଶବ୍ଦ ଏବଂ ଆଖପାଖର ଉର୍ଜା ମିଶି ଏପରି ଏକ ପରିବେଶ ସୃଷ୍ଟି କରିଥାଏ ଯେ ଆପଣ ନାଚିବା ବିନା ରହିପାରିବେ ନାହିଁ, ’’ ସେ କହିଥାନ୍ତି। ୩୦ ବର୍ଷ ବୟସ୍କ ବୀରେନ୍ଦ୍ର ଆମାଜନ୍ର ବିତରକ ଭାବେ କାମ କରିଥାନ୍ତି ଏବଂ ନିଜ ଗାଁର ଯୁବକମାନଙ୍କୁ ଏହି ନୃତ୍ୟ କରିବା ଲାଗି ପ୍ରୋତ୍ସାହିତ କରିଥାନ୍ତି।
ନାଚୁଥିବା କଳାକାରମାନେ ବାଘ, କଲରାପତରିଆ ଓ ଚିତା ଭଳି ଦେଖାଯିବା ପାଇଁ ନିଜର ସମ୍ପୂର୍ଣ୍ଣ ଶରୀରକୁ ଏକ୍ରିଲିକ୍ ରଙ୍ଗରେ ହଳଦିଆ ଓ ଧୂସର ଗାର ଟାଣି ରଙ୍ଗେଇ ଦେଇଥାନ୍ତି। ପୂର୍ବରୁ ବାଘ ଭଳି ଦେଖିବା ଲାଗି ଏହି କଳାକାରମାନେ ରଙ୍ଗ ପାଇଁ କୋଇଲା, କାଦୁଅ, ଚେର ଏବଂ କବକର ଉପଯୋଗ କରୁଥିଲେ।
ସମୟ ବଦଳିବା ସହିତ ନୃତ୍ୟରେ ଗ୍ରହଣ କରାଯାଉଥିବା ପାରମ୍ପରିକ ଭଙ୍ଗିବା ସ୍ଥାନରେ ଭିନ୍ନ ଭିନ୍ନ ଦୁଃସାହିକ କୌଶଳ ପ୍ରଦର୍ଶନ କରାଯାଉଛି। ଆଗକୁ ଓ ପଛକୁ ଲେଉଟିବା, ମୁଣ୍ଡରେ ନଡ଼ିଆ ଭାଙ୍ଗିବା, ମୁହଁରେ ନିଆଁ ଫୁଙ୍କିବା ଓ ଅନ୍ୟାନ୍ୟ ଦୁଃସାହସିକ କୌଶଳ ନର୍ତ୍ତକମାନେ ପ୍ରଦର୍ଶନ କରିଥାନ୍ତି । ଏବେ ନୃତ୍ୟ ସଂଯୋଜନା ପାଇଁ ଏତେ ଅଧିକ ଶାରୀରିକ ଶ୍ରମ ଆବଶ୍ୟକ ହେଉଛି ଯେ ବୃଦ୍ଧ କଳାକାରମାନେ ଏହି ପାରମ୍ପରିକ ନୃତ୍ୟକୁ ଆଗକୁ ବଢ଼ାଇବାର ଉତ୍ତରଦାୟିତ୍ୱ ଯୁବକମାନଙ୍କ କାନ୍ଧରେ ନ୍ୟସ୍ତ କରି ଦେଇଛନ୍ତି।
ଏହି ପାରମ୍ପରିକ ନୃତ୍ୟର ପ୍ରସ୍ତୁତି କାର୍ଯ୍ୟକ୍ରମ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଯାଏ। ଶରୀର ଓ ମୁହଁକୁ ରଙ୍ଗେଇବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥାଏ ଏବଂ ଏହି ରଙ୍ଗ ଯେପର୍ଯ୍ୟନ୍ତ ଉତ୍ସବ ଶେଷ ନହୋଇଛି ସେ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୨ ଦିନ ପର୍ଯ୍ୟନ୍ତ ରହିଥାଏ। ‘‘ଆରମ୍ଭରୁ ଏହି କାମ କଷ୍ଟ ଲାଗିଥାଏ, କିନ୍ତୁ ଢୋଲର ଶବ୍ଦ କାନରେ ଗୁଞ୍ଜରିତ ହେବା ମାତ୍ରେ ଆପଣଙ୍କ ପାଦ ଆପେ ଆପେ ନାଚି ଉଠିଥାଏ,’’ ଆୟୁଷ କହିଥାନ୍ତି। ସେ ଏବେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି।
ତାସେ (ଢୋଲ)ର ତାଳରେ ନାଚୁଥିବା ପିଲି ବେଶଧାରୀ କଳାକାରମାନେ ନିଜ ଶ୍ରଦ୍ଧା ପ୍ରଦର୍ଶନ କରିବା ସହିତ ଲୋକମାନଙ୍କ ମନୋରଞ୍ଜନ ମଧ୍ୟ କରିଥାନ୍ତି। ପୁଅମାନେ ବାଘ ଭଳି ଦେଖାଯିବା ପାଇଁ ସାରା ଶରୀରକୁ ରଙ୍ଗେଇ ଦେଇଥାନ୍ତି। ଝିଅମାନେ କେବଳ ନିଜ ମୁହଁକୁ ରଙ୍ଗେଇଥା’ନ୍ତି ଏବଂ ବାଘ ଭଳି ପୋଷାକ ପିନ୍ଧନ୍ତି। ଏଇ କିଛି ବର୍ଷ ହେବ ପିଲି ବେଶ ରେ ଝିଅମାନଙ୍କର ଅଂଶଗ୍ରହଣ ବଢ଼ିଛି।
ପୂର୍ବରୁ ନୃତ୍ୟ ପରିବେଷଣ କରୁଥିବା କଳାକାର ଦଳଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଧାନ ଓ ଚାଉଳ କିମ୍ବା ଉପକୂଳ କର୍ଣ୍ଣାଟକରେ ଅମଳ ହେଉଥିବା ଶସ୍ୟ ପ୍ରଦାନ କରାଯାଉଥିଲା। ଏବେ ଖାଦ୍ୟଶସ୍ୟ ସ୍ଥାନରେ ଟଙ୍କା ଦିଆଯାଉଛି। ପ୍ରତ୍ୟେକ କଳାକାର ଦୁଇ ଦିନ ଧରି କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ୨,୫୦୦ ଟଙ୍କା ଆୟ କରିଥାନ୍ତି। ଷ୍ଟଣ୍ଟ ବା ଦୁଃସାହସିକ କୌଶଳ ପ୍ରଦର୍ଶନ କରୁଥିବା କଳାକାର ଉତ୍ସବର ଦୁଇ ଦିନ ପାଇଁ ଅତିରିକ୍ତ ୬,୦୦୦ ଟଙ୍କା ପାଇଥାନ୍ତି। ‘‘ଏତେ ଲୋକଙ୍କୁ ଏକସଙ୍ଗେ ନାଚୁଥିବା ଦେଖିବା ପରେ ଆପଣଙ୍କ ମନରେ ଆପେ ଆପେ ପିଲି ବେଶ ରେ ନାଚିବା ପାଇଁ ଇଚ୍ଛା ଜାଗ୍ରତ ହୋଇପାରେ,’’ ଆୟୁଷ କହିଥାନ୍ତି।
ସାଧାରଣତଃ ଆବାସିକ କଲୋନୀଗୁଡ଼ିକ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଆୟୁଷ ଓ ତାଙ୍କର ସହଯୋଗୀମାନେ ୟୁବା ଟାଇଗର୍ସ ମଞ୍ଚି ଗ୍ରୁପ୍ର ସଦସ୍ୟ, ଏହି ସଂସ୍ଥା ମଣିପାଲ, ଉଡ଼ୁପିରେ ବର୍ଷ ସାରା ପିଲି ବେଶ ଉତ୍ସବ ପାଇଁ ସହାୟତା ଯୋଗାଇ ଦେଇଥାଏ। ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଦୁଇ ଲକ୍ଷ ଟଙ୍କା ଦରକାର। ଏହି ଟଙ୍କା ରଙ୍ଗ କରୁଥିବା ଲୋକ ଏବଂ ନର୍ତ୍ତକମାନଙ୍କୁ ପ୍ରଦାନ କରାଯାଇଥାଏ। ଏହି ଅର୍ଥରେ ଯାତ୍ରା ଖର୍ଚ୍ଚ, ଖାଇବା, ରଙ୍ଗ ଓ ବେଶଭୂଷା ବ୍ୟବସ୍ଥା ମଧ୍ୟ କରାଯାଏ।
ଯଦିଓ ଲୋକମାନଙ୍କ ମନୋରଞ୍ଜନ କରିବା କଳାକାରଙ୍କ ସର୍ବୋଚ୍ଚ ପ୍ରାଥମିକତା, କିନ୍ତୁ ଏହି କ୍ରମରେ ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ପ୍ରତି ସମ୍ମାନ ଓ ଶୃଙ୍ଖଳା ଭାବନାକୁ ମଧ୍ୟ ସୁରକ୍ଷିତ ରଖିବା ପ୍ରତି ବିଶେଷ ଧ୍ୟାନ ଦିଆଯାଏ। ଗୋଟିଏ ଦିନର କାର୍ଯ୍ୟକ୍ରମ ଶେଷ ହେବା ପରେ, ‘‘ଆମ ଶରୀର ସମ୍ପୂର୍ଣ୍ଣ ଭାବେ ଥକି ସାରିଥାଏ, କିନ୍ତୁ ଲୋକମାନଙ୍କ ମନୋରଞ୍ଜନ କରିବା ଏବଂ ପରମ୍ପରାକୁ ଜୀବିତ ରଖିବା ପାଇଁ ଆମେ ଏହାକୁ କରିଥାଉ,’’ ଆୟୁଷ କୁହନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍