ତାମିଲନାଡୁର ବାଡ଼ାନାମେଲି ଗାଁରେ ବିଳମ୍ବିତ ସଞ୍ଜବୁଡ଼। କାରିଅକୋତୁ ପରିବେଷଣ ଲାଗି ପ୍ରସ୍ତୁତ ହେଉଥାଆନ୍ତି ଶ୍ରୀ ପୋନ୍ନିଆମ୍ମାମ ତେରୁକୁତୁ ମଣ୍ଡ୍ରମର ସଦସ୍ୟମାନେ। ସବୁ ଥର ଭଳି, ଏଥର ବି ଏହା ପ୍ରତ୍ୟୁଷରୁ ଗୋଧୂଳି ପର୍ଯ୍ୟନ୍ତ ପରିବେଷଣ କରାଯିବ ଏବଂ ଏଥିରେ ରହିବେ ଅନେକ ଚରିତ୍ର ଓ ସେମାନଙ୍କ ପୋଷାକ ପରିଚ୍ଛଦରେ ବାରମ୍ବାର ପରିବର୍ତ୍ତନ ହେବ।
ନେପଥ୍ୟରେ ପ୍ରସାଧନ ଆରମ୍ଭ କରିସାରିଛନ୍ତି ୩୩ ବର୍ଷୀୟା ଶାର୍ମି। ଲାଲ ପାଉଡ଼ର ସହିତ ତେଲ ମିଶାଇ ନିଜ ପାଇଁ ଲିପଷ୍ଟିକ୍ ତିଆରି କରୁ କରୁ ସେ ଏହି ପ୍ରସାଧନର କେତେକ ମୌଳିକ ନୀତି ସଂପର୍କରେ ବୁଝାଇ ଦିଅନ୍ତି। “ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଅରିଦାରମ ରହିଛି। ଚରିତ୍ର ଓ ଭୂମିକାର ଅବଧି ଅନୁସାରେ ମଧ୍ୟ ଏହା ଭିନ୍ନ ଭିନ୍ନ ହୋଇଥାଏ।’’
ବିଶ୍ୱାସ କରାଯାଏ ଯେ, ଏହା ତାମିଲନାଡୁର ସର୍ବପୁରାତନ କଳା ପରିବେଷଣ ଶୈଳୀ ଏବଂ ଏଥିପ୍ରତି ଉତ୍ସର୍ଗୀକୃତ ଏକ ନାଟକ କମ୍ପାନୀ- ଶ୍ରୀ ପୋନ୍ନିଆମ୍ମାନ ତେରୁକୁତୁ ମଣ୍ଡ୍ରମର ୧୭ ଜଣିଆ କଳାକାର ମଣ୍ଡଳୀର ଚାରି ଜଣ ଭିନ୍ନଲିଙ୍ଗୀ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଶାର୍ମି। “ଆମ ପିଢ଼ି ପୂର୍ବରୁ ମଧ୍ୟ ଲୋକେ ତେରୁକୁତୁ ପରିବେଷଣ କରୁଥିଲେ,” ଶାର୍ମି କହନ୍ତି। “ଏହା ଠିକ୍ କେତେ ବର୍ଷ ପୁରୁଣା ତାହା ମୁଁ କହିପାରିବିନି।”
ତେରୁକୁତୁ, କିମ୍ବା ପଥପ୍ରାନ୍ତ ଥିଏଟର, ସାଧାରଣତଃ ମହାଭାରତ ଏବଂ ରାମାୟଣ ଭଳି ମହାକାବ୍ୟର କାହାଣୀ ଉପରେ ପର୍ଯ୍ୟବସିତ ଏବଂ ଏହା ସାରା ରାତି ପରିବେଷଣ କରାଯାଏ। ସ୍ୱାଭାବିକ ଭାବରେ ପଙ୍ଗୁଣି (ଏପ୍ରିଲ) ଏବଂ ପୁରଟ୍ଟାସି (ସେପ୍ଟେମ୍ବର) ମାସ ମଧ୍ୟରେ ପଡ଼େ ତେରୁକୁତୁ ଋତୁ। ଏହି ସମୟରେ ଶାର୍ମି ଏବଂ ତାଙ୍କ କଳାକାର ଦଳ ସପ୍ତାହର ପ୍ରାୟ ସବୁ କାର୍ଯ୍ୟଦିବସରେ କଳା ପରିବେଷଣ କରନ୍ତି, ଅର୍ଥାତ୍ ମାସକରେ ମୋଟାମୋଟି ୧୫ରୁ ୨୦ ଥର ପରିବେଷଣ। ପ୍ରତି ପରିବେଷଣ ପିଛା ୭୦୦-୮୦୦ ଟଙ୍କା ହିସାବରେ ଜଣେ କଳାକାର ମାସକୁ ପ୍ରାୟ ୧୦,୦୦୦ରୁ ୧୫,୦୦୦ ଟଙ୍କା ରୋଜଗାର କରନ୍ତି।
ହେଲେ, ଥରେ ଏହି ଲୋକନାଟକ ଋତୁ ଶେଷ ହୋଇଗଲେ କଳାକାରମାନେ ରୋଜଗାରର ବିକଳ୍ପ ପନ୍ଥା ଖୋଜିବାକୁ ବାଧ୍ୟ ହୁଅନ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ସହିତ କେବଳ ଅନ୍ତିମ ସଂସ୍କାର ସମୟରେ ପରିବେଷିତ ତେରୁକୁତୁର ଏକ ପ୍ରଥା ଭିତ୍ତିକ ରୂପ, କାରିଅକୁତୁ ବି ପରିବେଷଣ କରନ୍ତି। ତାଙ୍କ ନାଟକ କମ୍ପାନୀର ମୁଖ୍ୟାଳୟ ତିରୁବାଲୁର ଜିଲ୍ଲାର ପଟ୍ଟାରାଇପେରୁମ୍ବୁଦୁରଠାରୁ ପାଖାପାଖି ୬୦ କିଲୋମିଟର ଦୂର ବଡ଼ାନାମେଲିରେ କାରିଅକୁତୁ ପରିବେଷଣ ଲାଗି ସଜବାଜ ହେଉ ହେଉ ଶାର୍ମି କହନ୍ତି, “କାହାରି ମୃତ୍ୟୁ ହେଲେ ଆମକୁ ସପ୍ତାହରେ ଥରେ କି ଦୁଇ ଥର କଳା ପରିବେଷଣର ଅବସର ମିଳେ।”
























