ଆଜିକୁ ୩୦ ବର୍ଷ ତଳେ ଶେଷ ଥର ପାଇଁ ପଟ୍ଟୁ ବୁଣିଥିଲେ ଅବଦୁଲ କୁମାର ମାଗ୍ରେ। ଶେଷ ପିଢ଼ିର ଏହି ଉଲ୍ କପଡ଼ା ବୁଣାକାରମାନଙ୍କ ମଧ୍ୟରୁ ସେ ଜଣେ। କାଶ୍ମୀରର ହାଡ଼ଥରା ଶୀତ ଋତୁରେ, ତାପମାତ୍ରା ଯେତେବେଳେ ମାଇନସ୍ ୨୦ ଡିଗ୍ରୀରୁ ବି ତଳକୁ ଖସିଯାଏ, ସେତେବେଳେ ଏହି ଉଲ୍ ପୋଷାକ ହିଁ ସେଠାକାର ପ୍ରବଳ ଥଣ୍ଡାର ମୁକାବିଲା କରିଥାଏ।
ଏହି ୮୨ ବର୍ଷୀୟ ବୁଣାକାର କହନ୍ତି, “ଗୋଟିଏ ଦିନରେ ମୁଁ ୧୧ ମିଟର କପଡ଼ା ବୁଣୁଥିଲି।” ଏବେ ତାଙ୍କ ଆଖିକୁ ଭଲ ଭାବରେ ଦିଶୁନାହିଁ। ରାସ୍ତା ଖୋଜିବା ଲାଗି ଗୋଟିଏ ହାତରେ କାନ୍ଥରେ ଭରା ଦେଇ ସାବଧାନତାର ସହିତ କୋଠରି ଭିତରେ ଧୀରେ ଧୀରେ ଆଗକୁ ବଢ଼ନ୍ତି ସେ। “ମୋତେ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ ଅତ୍ୟଧିକ ବୁଣାକାମର ଚାପରେ ମୋର ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିଲା।”
ଅବଦୁଲ ବାନ୍ଦିପୁର ଜିଲ୍ଲାର ଦାୱର ଗାଁରେ ରହନ୍ତି। ହାବ୍ବା ଖାତୁନ ପାହାଡ଼ ଶିଖରରୁ ଦେଖାଯାଏ ଏହି ଗାଁ। ବାନ୍ଦିପୁର ଜିଲ୍ଲାର ଲୋକସଂଖ୍ୟା ୪,୨୫୩ (୨୦୧୧ ଜନଗଣନା)। ସେ ଆମକୁ କହନ୍ତି ଯେ, ଆଜିକାଲି ଆଉ ସକ୍ରିୟ ପଟ୍ଟୁ କାରିଗର ନାହାନ୍ତି, କିନ୍ତୁ, “ପ୍ରାୟ ଗୋଟିଏ ଦଶନ୍ଧି ତଳେ ଗାଁର ସବୁ ପରିବାରରେ ପୋଷାକପତ୍ର ବୁଣା ହେଉଥିଲା, ଯାହାକୁ ସେମାନେ ଗ୍ରୀଷ୍ମ ଓ ବସନ୍ତ ଋତୁରେ ବିକୁଥିଲେ।”
ଶ୍ରୀନଗର ଏବଂ ଅନ୍ୟାନ୍ୟ କେତେକ ରାଜ୍ୟରେ ବିକ୍ରି କରିବା ପାଇଁ ଅବଦୁଲ ଓ ତାଙ୍କ ପରିବାର ଯେଉଁ ସବୁ ପୋଷାକ ତିଆରି କରୁଥିଲେ ସେଥିରେ ଥିଲା ଫେରାନ୍ (ପାରମ୍ପରିକ ଗାଉନ୍ ଭଳି ଶରୀରର ଉପର ଭାଗରେ ପିନ୍ଧାଯାଉଥିବା ପୋଷାକ), ଦୁପଥି (କମ୍ବଳ), ମୋଜା ଓ ଗ୍ଲୋଭ୍ସ।
କିନ୍ତୁ, ନିଜ କାରିଗରୀ ପ୍ରତି ଅବଦୁଲଙ୍କ ଅନୁରାଗ ସତ୍ତ୍ୱେ, ଆଜିକାଲି ଏଥିରୁ ଜୀବନଯାପନ କରିବା ସହଜ ନୁହେଁ। କାରଣ ଏଥିପାଇଁ ଆବଶ୍ୟକ କଞ୍ଚାମାଲ, ଉଲ୍ ସହଜରେ ମିଳୁନାହିଁ। ଆଗରୁ ଅବଦୁଲଙ୍କ ଭଳି ବୁଣାକାରମାନେ ମେଣ୍ଢା ପାଳୁଥିଲେ ଏବଂ ସେମାନଙ୍କ ଶରୀରରୁ ପଟ୍ଟୁ ବୁଣା ପାଇଁ ଉଲ ପାଇଯାଉଥିଲେ। ତାଙ୍କ କହିବା ଅନୁସାରେ, ପ୍ରାୟ ୨୦ ବର୍ଷ ତଳେ, ଶସ୍ତାରେ ଓ ସହଜରେ ଉଲ୍ ମିଳିଯାଉଥିଲା। କାରଣ, ତାଙ୍କ ପରିବାର ୪୦ରୁ ୪୫ଟି ମେଣ୍ଢା ପାଳିଥିଲେ। ସେଦିନର କଥାକୁ ମନେ ପକାଇ ସେ କହନ୍ତି, “ଆମେ ସେତେବେଳେ ଭଲ ଲାଭ କରୁଥିଲୁ।” ଏବେ ତାଙ୍କ ପରିବାର ପାଖରେ ମାତ୍ର ଛଅଟି ମେଣ୍ଢା ଅଛନ୍ତି।


















