୨୦ ଡିସେମ୍ବର, ୨୦୧୪ରେ ‘ପରୀ’ର ଆନୁଷ୍ଠାନିକ ଶୁଭାରମ୍ଭ ପରେ ଦଶ ବର୍ଷ ବିତିଗଲାଣି ।
ଆମର ସବୁଠାରୁ ବଡ଼ ସଫଳତା ? ଏ ପର୍ଯ୍ୟନ୍ତ ଆମେ ଏଇଠି ରହିଛୁ । ସ୍ୱାବଲମ୍ବୀ ସାମ୍ବାଦିକତାର ଏକ ୱେବସାଇଟ୍, ଯେ କି ବଞ୍ଚି ରହିଛି, ଏବଂ ଏମିତି ଏକ ପରିବେଶରେ ତିଷ୍ଠି ରହିଛି, ଯେଉଁଠି କର୍ପୋରେଟ୍ ଶକ୍ତି ହିଁ ଗଣମାଧ୍ୟମର ସର୍ବେସର୍ବା । ଏବେ ‘ପରୀ’ ଦୈନିକ ୧୫ଟି ଭାଷାରେ ପ୍ରକାଶିତ ହେଉଛି । ଏହା ହିଁ ହାତପାଣ୍ଠିରେ ଶୂନ ଜମା ନେଇ- ଲୋଡ଼ା ଯାଇ ନଥିବା କି ଦିଆଯାଇ ନଥିବା- ସରକାରୀ ପାଣ୍ଠି ବିନା ଗଠିତ ଗୋଟିଏ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟଧାରା । କୌଣସି ପ୍ରକାର ପ୍ରତ୍ୟକ୍ଷ କର୍ପୋରେଟ ଅନୁଦାନ କି ନିବେଶ ନାହିଁ, ବିଜ୍ଞାପନ ବାବଦ ରାଜସ୍ୱ (ଇଚ୍ଛାକୃତ ଭାବରେ) ନାହିଁ ଏବଂ ଏମିତି କୌଣସି ସଦସ୍ୟତା ଦେୟ ନାହିଁ ଯାହା କି ଅଧିକ ସଂଖ୍ୟକ ସେହି ବ୍ୟକ୍ତିମାନଙ୍କ ପାଖରୁ ଆଦାୟ କରାଯାଇଥାଆନ୍ତା, ଯେଉଁମାନେ ‘ପରୀ’କୁ ପଢ଼ନ୍ତୁ, ଦେଖନ୍ତୁ ଏବଂ ଶୁଣନ୍ତୁ ବୋଲି ଆମେ ଚାହୁଁଛୁ । କିନ୍ତୁ, ସାମ୍ବାଦିକ, ବୈଷୟିକ ବିଶେଷଜ୍ଞ, କଳାକାର, ଶିକ୍ଷାବିତ୍, ଏବଂ ଆହୁରି ଅନେକ ଅଙ୍ଗୀକାରବଦ୍ଧ ସ୍ୱେଚ୍ଛାସେବୀ ଏବଂ ସେମାନଙ୍କର ସ୍ୱେଚ୍ଛାକୃତ ତଥା ଦେୟମୁକ୍ତ ପରିଶ୍ରମ ବଳରେ ଗଠିତ ଏକ ବିଶାଳ ନେଟୱର୍କ । ଏବଂ ‘ପରୀ’ର ସ୍ୱାଧୀନତାକୁ ହ୍ରାସ କରିବାକୁ ଆଦୌ ଚାହୁଁ ନଥିବା ସାଧାରଣ ଲୋକ, ବିଭିନ୍ନ ଟ୍ରଷ୍ଟି ଏବଂ ସଂସ୍ଥାର ଉଦାରତାପୂର୍ଣ୍ଣ ଅବଦାନରେ ଏହା ଗଠିତ ।
ନିଷ୍ଠାପର ଏବଂ ବହୁ ପରିଶ୍ରମୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ପିପୁଲ୍’ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ’ ଏବେ ଏକମାତ୍ର ୱେବସାଇଟ୍, ଯାହା ଭାରତର ପ୍ରାକୃତିକ-ଭୌଗୋଳିକ କିମ୍ବା ଐତିହାସିକ ଭାବେ ବିବର୍ତ୍ତିତ ପ୍ରାୟ ୯୫ଟି କ୍ଷେତ୍ରରୁ ସୁବ୍ୟବସ୍ଥିତ ଢଙ୍ଗରେ ଖବର ସଂଗ୍ରହ କରିବାରେ ଅହରହ ଉଦ୍ୟମରତ । ସାମ୍ବାଦିକତାର ଏଭଳି ଏକ ସାଇଟ୍, ଯାହା ଗ୍ରାମୀଣ ଭାରତର ପାଖାପାଖି ୯୦ କୋଟି ଲୋକ, ସେମାନଙ୍କ ଜୀବନ ଏବଂ ଜୀବିକା, ସେମାନଙ୍କ ସଂସ୍କୃତି, ସେମାନଙ୍କର ପ୍ରାୟ ୮୦୦ଟି ଭିନ୍ନ ଭିନ୍ନ ଭାଷା ପ୍ରତି ସଂପୂର୍ଣ୍ଣ ଉତ୍ସର୍ଗୀକୃତ । ସାଧାରଣ ଲୋକଙ୍କର ନିତିଦିନିଆ ଜୀବନ ସଂପର୍କିତ ଖବର ପରିବେଷଣ ଲାଗି ଅଙ୍ଗୀକାରବଦ୍ଧ । ଏହା ହେଉଛି ପାଖାପାଖି ଶହେ କୋଟି ମଣିଷଙ୍କର କାହାଣୀ ଶୁଣାଇବାର ଉପକ୍ରମ - ଯେହେତୁ ଆମେ ସଶକ୍ତ ଢଙ୍ଗରେ ଶୁଣାଇ ଥାଉ ସହରୀ ଭାରତର ବହୁସଂଖ୍ୟକ ଗ୍ରାମୀଣ ପ୍ରବାସୀଙ୍କ ଜୀବନ ବୃତ୍ତାନ୍ତ ।
ଆରମ୍ଭରୁ ହିଁ ଏହାର ପ୍ରତିଷ୍ଠାତାମାନଙ୍କର ଚିନ୍ତାଧାରା ବେଶ୍ ସ୍ପଷ୍ଟ ଥିଲା ଯେ, ଆମେ ଏଭଳି ଏକ ‘ପରୀ’ ଗଢ଼ି ତୋଳିବାକୁ ଚାହିଁଥିଲୁ, ଯାହା ଉଭୟ ସାମ୍ବାଦିକତାର ଏକ ସାଇଟ୍ ଏବଂ ଜୀବନ ଓ ଜୀବନଧାରାର ଏକ ଅଭିଲେଖାଗାର ରୂପେ ଉଭା ହେବ । ଏବଂ ଆମେ ଏଭଳି ଏକ ସାଇଟ୍ ଚାହିଁଥିଲୁ, ଯେଉଁଥିରେ କେବଳ ଏକ କର୍ପୋରେଟ୍-ପରିଭାଷିତ ‘ପେସାଦାର’ ଗଣମାଧ୍ୟମର ଗତାନୁଗତିକ ସିଦ୍ଧାନ୍ତ ଭିତ୍ତିକ ତଥ୍ୟ ହାସଲକାରୀ ସାମ୍ବାଦିକତା ସ୍ଥାନ ପାଇବ ନାହିଁ । କିନ୍ତୁ ଏହା ମାନବିକତା, ବିଜ୍ଞାନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ବିଜ୍ଞାନର ନିଷ୍ଠାପର ଉଗ୍ରତା, ଜ୍ଞାନ ଓ ଶକ୍ତିରେ ସମୃଦ୍ଧ ଏକ ସାମ୍ବାଦିକତା । ପ୍ରଥମ ଦିନରୁ ହିଁ ଆମେ ଯେ କେବଳ ଅତି ଅନୁଭୂତି ସଂପନ୍ନ ସାମ୍ବାଦିକମାନଙ୍କୁ ଏକତ୍ର କଲୁ ତାହା ନୁହେଁ, ବରଂ ବିଭିନ୍ନ ଅନ୍ୟାନ୍ୟ କ୍ଷେତ୍ରରେ ଅଭିଜ୍ଞ ଅଣ-ସାମ୍ବାଦିକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଇଲୁ ।
ତାହା ଥିଲା ଭ୍ରାନ୍ତି, ବିବାଦ, ଭୁଲ ବୁଝାମଣା, ଯୁକ୍ତିତର୍କ (ବେଳେବେଳେ ତିକ୍ତ), ଏବଂ ପରିଶେଷରେ ଅସାଧାରଣ ସଫଳତାର ଏକ ଅବତାରଣା ଏବଂ ଏବେ ବି ରହିଛି । ଯେଉଁ ଗୋଟିଏ ନୀତି ଭିତ୍ତିରେ ସମଗ୍ର ସମ୍ମିଳିତ ଭାବଧାରାକୁ ହୃଦୟଙ୍ଗମ କରାଯାଇଥିଲା ଏବଂ ଯେଉଁଥିରେ ସମ୍ମତି ପ୍ରକାଶ ପାଇଥିଲା ତାହା ହେଉଛି: ବିଷୟବସ୍ତୁ ଉପରେ ଆମ ନିଜ ମତାମତର ପତିଆରା ଆଦୌ ରହିବ ନାହିଁ । ଏହା ହେବ ସେହି ସାଧାରଣ, ନିତିଦିନିଆ ଭାରତୀୟମାନଙ୍କର ସ୍ୱର । ବିଭିନ୍ନ କ୍ଷେତ୍ରରେ ଖବର ସଂଗ୍ରହ କରୁଥିବା ଆମ ଖବରଦାତାମାନଙ୍କୁ ଆଚରଣ ବିଧି ସଂପର୍କିତ ଗୋଟିଏ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନଙ୍କ ଲେଖାରେ, ନିଜର ନୁହେଁ, ବରଂ ଲୋକମାନଙ୍କର କଣ୍ଠସ୍ୱର ପ୍ରତିଧ୍ୱନିତ ହେବା ଆବଶ୍ୟକ । ଆମେ ଲୋକଙ୍କ ଖବର ପ୍ରକାଶ କରୁ, ବୁଲେଟିନ୍ ପ୍ରକାଶ କରୁନାହିଁ, ଶିକ୍ଷାମୂଳକ କିମ୍ବା ଅମଲାତାନ୍ତ୍ରିକ ରିପୋର୍ଟ ପ୍ରସାରଣ କରୁନାହିଁ । ଯେତେଦୂର ଯାଏଁ ସମ୍ଭବ ଆମେ ଚାଷୀ, ବନବାସୀ, ଶ୍ରମିକ, ବୁଣାକାର, ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ଅନେକ ଜୀବିକାର ଲୋକଙ୍କ ଜୀବନ କାହାଣୀ ଶୁଣାଇବାକୁ, ଏମିତି କି ସେମାନେ ନିଜେ ନିଜର କାହାଣୀ ଲେଖିବା ଲାଗି ଉଦ୍ୟମ କରୁ । ଏପରି କି ବୋଧହୁଏ ସେମାନଙ୍କ ଗାଇବା ପାଇଁ ବି ।














