ଆକାଶରେ ଅନ୍ଧକାର ଛାଇଯିବା ସହିତ, ଓମ୍ ଶକ୍ତିଙ୍କର ଏକ ବିଶାଳ କଟ-ଆଉଟ୍, ସହିତ ଧାଡ଼ି ହୋଇ ରହିଥିବା ରଙ୍ଗୀନ ଆଲୋକମାଳା ଜଳି ଉଠିଥାଏ। ବଙ୍ଗଳାମେଡ଼ର ଇରୁଲରମାନେ ଦେବୀ ଓମ୍ ଶକ୍ତିଙ୍କ ପାଇଁ ବାର୍ଷିକ ନିଆଁରେ ଚାଲିବାର ପର୍ବ ବା ତୀମିଦି ତିରୁବିଳା ପାଳନ କରୁଛନ୍ତି।
କାଠ ଗଣ୍ଡି ଦ୍ୱିପ୍ରହର ସାରା ଜଳିବା ପରେ, ଅଙ୍ଗାର ହେବାକୁ ଲାଗିଥାଏ, ସ୍ୱେଚ୍ଛାସେବୀମାନେ ଏହାକୁ ଚମକୁଥିବା ଫୁଲର ବିଛଣା ଭଳି ଏକ ପତଳା ପରସ୍ତରେ ଖେଳାଇ ଦିଅନ୍ତି। ଏହି ତୀମଦି କୁ ‘ପୁ-ମିଦୀ’ ବା ଫୁଲ ଉପରେ ଚାଲିବା ବୋଲି ଦର୍ଶାଇ ଇରୁଲରମାନଙ୍କୁ ଏହା ଉପରେ ଚାଲିବାକୁ ଅନୁପ୍ରାଣିତ କରାଯିବ ।
ବାତାବରଣରେ ଏକ ସ୍ପଷ୍ଟ ପ୍ରତ୍ୟାଶା ରହିଛି । ଇରୁଲରମାନଙ୍କୁ ନିଆଁ ଉପରେ ଚାଲିବାର ଦେଖିବା ଲାଗି ପଡ଼ୋଶୀ ଗାଁର ଶତାଧିକ ଲୋକ ଏକତ୍ରିତ ହୋଇଛନ୍ତି । ସେମାନେ ଦେବୀ ଓମ୍ ଶକ୍ତିଙ୍କଠାରେ ରହିଥିବା ନିଜ ଅତୁଟ ବିଶ୍ୱାସର ସଙ୍କେତ ଦେଉଛନ୍ତି । ଓମ୍ ଶକ୍ତି ହେଉଛନ୍ତି ଏକ ଅଣ-ଇରୁଲର ଦେବୀ ଯାହାଙ୍କୁ ସାରା ତାମିଲନାଡ଼ୁରେ ଶକ୍ତି ଓ ସାମର୍ଥ୍ୟର ସ୍ୱରୂପ ଭାବେ ପୂଜା କରାଯାଏ।
ଇରୁଲାର୍ (ଇରୁଲା ମଧ୍ୟ କୁହାଯାଏ) ମାନେ ତାମିଲନାଡ଼ୁରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ଏବଂ ସେମାନେ ପାରମ୍ପରିକ ଭାବେ କନ୍ନିୟାମ୍ମାଙ୍କୁ ପୂଜା କରିଥାନ୍ତି, ଯାହାଙ୍କୁ ସେମାନେ ସାତ ଜଣ କୁମାରୀ ଦେବୀଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରିଥାନ୍ତି; ପ୍ରତ୍ୟେକ ଇରୁଲର ଘରେ ଗୋଟିଏ କଳସମ୍, ବା ମାଟି କଳସ ଥାଏ ଏବଂ ତାହା କିଛି ନିମ୍ବ ପତ୍ର ଉପରେ ରଖାଯାଇଥାଏ, ଏହାକୁ ସେମାନେ ଦେବୀଙ୍କ ପ୍ରତୀକ ବୋଲି ବିଶ୍ୱାସ କରିଥାନ୍ତି।
























