“ଶୁରୁ ଶୁରୁ ମେଁ ଏକ ନଙ୍ଗ ବନାନେ ମେଁ ଆଧି କଲକ ଲଗତି ଥୀ ମେରୀ (ଆଗରୁ ଗୋଟିଏ ଚାଲୁଣୀ କରିବାକୁ ମୋତେ ଅଧା ଘଣ୍ଟା ଲାଗୁଥିଲା]।” ଚାଲୁଣୀ ତିଆରି କରିବାକୁ ଥିବା କଟାଖଣ୍ଡଗୁଡ଼ିକୁ ଆଙ୍ଗୁଠି ଅଗରେ ଯୋଡ଼ିବା ବେଳେ ମହମଦ ଭାଇ କହନ୍ତି । ଏଥିରେ ତାଙ୍କ ହାତ କଟିଯିବାର ଆଶଙ୍କା ତ ରହିଛି, ହେଲେ ସମୟ ବିତିବା ସହିତ ଅନୁଭୂତି ହାସଲ ଯୋଗୁଁ ତାଙ୍କ ପାଇଁ ଏହି କାମ ସହଜ ହୋଇଯାଇଛି । ସେ ଏକ ଅଲଗା ପ୍ରକାରର ହିନ୍ଦୀ କହନ୍ତି, ଯାହା କି ସାଧାରଣତଃ ଗୁଜରାଟର ମୁସଲମାନ ଲୋକେ କହିଥାଆନ୍ତି ଏବଂ ଏଥିରେ କେତେକ ଗୁଜରାଟୀ ଶବ୍ଦର ଛିଟା ରହିଥାଏ । “ଏକ ମହିନା ତକଲିଫ ପଡ଼ି ମେରେ କୋ । ଅବ ଏକ ନଙ୍ଗ ପାଞ୍ଚ ମିନିଟ୍ ମେଁ ବନ ଜାତା ହୈ (ଥରେ ଏଥିରେ ଅଭ୍ୟସ୍ତ ହୋଇଗଲା ପରେ ଏବେ ମୁଁ ଏହାକୁ ଶୀଘ୍ର ଶୀଘ୍ର କରିପାରୁଛି । ମାସେ ଖଣ୍ଡେ ଟିକେ କଷ୍ଟ ହେଲା, ହେଲେ ଏବେ ମୁଁ ପାଞ୍ଚ ମିନିଟରେ ଗୋଟିଏ କରିପାରୁଛି),” ଅଳ୍ପ ହସି ସେ କହନ୍ତି ।
ଆମେ ଅହମଦାବାଦରେ ଥିବା କୁତବୀ ବିଲଡିଂର ସେହି ୧୦x୧୦ ଆକାରର କୋଠରିରେ ବସିଛୁ, ଯେଉଁଥିରେ ରହନ୍ତି ୪୩ ବର୍ଷୀୟ ମହମଦ ଚାରଣାୱାଲା ଏବଂ ତାଙ୍କ ୭୬ ବର୍ଷୀୟା ଅମ୍ମି (ମାଆ) ରୁକୈୟା ମୌଝୁସଇନି । ମୁସଲମାନ କର୍ମଜୀବୀ ଶ୍ରେଣୀର ଲୋକେ ରହୁଥିବା ଅହମଦାବାଦର କାଳୁପୁର ଷ୍ଟେସନ ନିକଟ ଦାଉଦୀ ଭୋରା ରୋଜା ନାମକ ଏହି ଚାଲ ର ଦୁଇ ମହଲା କୋଠାରେ ଥିବା ୨୪ଟି ଘର ଭିତରୁ ଗୋଟିକରେ ସେମାନେ ରହନ୍ତି । ଅତ୍ୟାଧୁନିକ ରେଳ ଷ୍ଟେସନ ଆରପଟକୁ ଯାଆନ୍ତୁ ଏବଂ ଆପଣ ପହଞ୍ଚି ଯିବେ ଅହମଦାବାଦ ପୁରୁଣା ସହରରେ ।
ଏ ଅଞ୍ଚଳର ଗଳିକନ୍ଦି ଦେଇ ଆଗକୁ ଚାଲିଲେ, ସେଠାକାର ଖାଦ୍ୟ, କଳିକଜିଆ ଏବଂ କେବେ କେମିତି ଶୁଭୁଥିବା ଗାଳିଗୁଲଜ, ମନ୍ଥର ଗତିରେ ଚାଲୁଥିବା ଗାଡ଼ିମଟର ଭିତର ଦେଇ ଆପଣ ପହଞ୍ଚି ଯିବେ ବୁଢ଼ିଆଣୀ ଜାଲ ଭଳି ଏଣିକି ତେଣିକି ଲମ୍ବି ଯାଇଥିବା ଅନେକ ରାସ୍ତା ପାଖରେ – କେଉଁଟି କୋଣେଇ କରି ଯାଇଥିବ ତ ଆଉ କେଉଁଟି ଡାହାଣକୁ ବଙ୍କେଇ ଯାଇଥିବ, ସେମିତି ବାଁ ପଟକୁ ଲମ୍ବି ଯାଇଥିବ ଏକମୁହାଁ ରାସ୍ତାଟିଏ, ଆଉ ଗୋଟିଏ ଅଙ୍କେଇ ବଙ୍କେଇ ଯିବା ପରେ ସିଧା ହୋଇଯାଇଥିବ ଏବଂ ଅନ୍ୟ ଏକ ରାସ୍ତା ସହିତ ମିଶିଯାଇଥିବ । ଶେଷୋକ୍ତ ରାସ୍ତାଟିରେ ଯାଇ ଆପଣ ପହଞ୍ଚିବେ କୁତବୀ ବିଲଡିଂରେ, ଯାହାର ମାଲିକାନା ରହିଛି ଦାଉଦି ଭୋରାଙ୍କ ରୋଜାର ଭୋରା ଟ୍ରଷ୍ଟ ହାତରେ ଏବଂ ଯେଉଁଠି ରହନ୍ତି ମୋଟ ୧୧୦ଟି ପରିବାର ।
ସପ୍ତାହରେ ତିନି ଦିନ, ତାଙ୍କ କାଠ ଠେଲାଗାଡ଼ିକୁ ଠେଲି ଠେଲି ମହମଦ ଭାଇ ଏଠାରୁ ପ୍ରାୟ ୩୦ କିଲୋମିଟର ଚାଲି ଚାଲି ସହର ଭିତରେ ଘୂରି ବୁଲନ୍ତି । ସକାଳ ଛଅଟାରେ ସେ ଯାତ୍ରା ଆରମ୍ଭ କରନ୍ତି । “ଯେଉଁ ସବୁ ଜାଗାକୁ ତା’ର ବାପା ଯାଉଥିଲେ!”, ଚୁନ୍ନିରେ ନିଜ ମୁହଁ ପୋଛୁ ପୋଛୁ ସ୍ୱାମୀଙ୍କ କଥା ମନେ ପକାଇ ବଡ଼ପାଟିରେ ରୁକୈୟା କହନ୍ତି । “ସେ ନଈ ଡେଇଁ ଆହୁରି ଆଗକୁ ଯାଉଥିଲେ, ସାବରମତୀ ଆର ପଟକୁ ଏବଂ ରାତି ୯ଟା କି ୧୦ଟା ବେଳକୁ ଡେରିରେ ଘରକୁ ଫେରୁଥିଲେ ।” ୨୦୨୩ ଫେବ୍ରୁଆରୀରେ ଆବ୍ବା ମୌଝୁସଇନି ପ୍ରାଣ ହରାଇଲେ । ସେତେବେଳେ ତାଙ୍କୁ ୭୯ ବର୍ଷ ହୋଇଥିଲା ।















