“ ଶୁରୁ ଶୁରୁ ମେଁ ଏକ ନଙ୍ଗ ବନାନେ ମେଁ ଆଧି କଲକ ଲଗତି ଥୀ ମେରୀ (ଆଗରୁ ଗୋଟିଏ ଚାଲୁଣୀ କରିବାକୁ ମୋତେ ଅଧା ଘଣ୍ଟା ଲାଗୁଥିଲା]।” ଚାଲୁଣୀ ତିଆରି କରିବାକୁ ଥିବା କଟାଖଣ୍ଡଗୁଡ଼ିକୁ ଆଙ୍ଗୁଠି ଅଗରେ ଯୋଡ଼ିବା ବେଳେ ମହମଦ ଭାଇ କହନ୍ତି । ଏଥିରେ ତାଙ୍କ ହାତ କଟିଯିବାର ଆଶଙ୍କା ତ ରହିଛି, ହେଲେ ସମୟ ବିତିବା ସହିତ ଅନୁଭୂତି ହାସଲ ଯୋଗୁଁ ତାଙ୍କ ପାଇଁ ଏହି କାମ ସହଜ ହୋଇଯାଇଛି । ସେ ଏକ ଅଲଗା ପ୍ରକାରର ହିନ୍ଦୀ କହନ୍ତି, ଯାହା କି ସାଧାରଣତଃ ଗୁଜରାଟର ମୁସଲମାନ ଲୋକେ କହିଥାଆନ୍ତି ଏବଂ ଏଥିରେ କେତେକ ଗୁଜରାଟୀ ଶବ୍ଦର ଛିଟା ରହିଥାଏ । “ ଏକ ମହିନା ତକଲିଫ ପଡ଼ି ମେରେ କୋ । ଅବ ଏକ ନଙ୍ଗ ପାଞ୍ଚ ମିନିଟ୍ ମେଁ ବନ ଜାତା ହୈ (ଥରେ ଏଥିରେ ଅଭ୍ୟସ୍ତ ହୋଇଗଲା ପରେ ଏବେ ମୁଁ ଏହାକୁ ଶୀଘ୍ର ଶୀଘ୍ର କରିପାରୁଛି । ମାସେ ଖଣ୍ଡେ ଟିକେ କଷ୍ଟ ହେଲା, ହେଲେ ଏବେ ମୁଁ ପାଞ୍ଚ ମିନିଟରେ ଗୋଟିଏ କରିପାରୁଛି),” ଅଳ୍ପ ହସି ସେ କହନ୍ତି ।
ଆମେ ଅହମଦାବାଦରେ ଥିବା କୁତବୀ ବିଲଡିଂର ସେହି ୧୦x୧୦ ଆକାରର କୋଠରିରେ ବସିଛୁ, ଯେଉଁଥିରେ ରହନ୍ତି ୪୩ ବର୍ଷୀୟ ମହମଦ ଚାରଣାୱାଲା ଏବଂ ତାଙ୍କ ୭୬ ବର୍ଷୀୟା ଅମ୍ମି (ମାଆ) ରୁକୈୟା ମୌଝୁସଇନି । ମୁସଲମାନ କର୍ମଜୀବୀ ଶ୍ରେଣୀର ଲୋକେ ରହୁଥିବା ଅହମଦାବାଦର କାଳୁପୁର ଷ୍ଟେସନ ନିକଟ ଦାଉଦୀ ଭୋରା ରୋଜା ନାମକ ଏହି ଚାଲ ର ଦୁଇ ମହଲା କୋଠାରେ ଥିବା ୨୪ଟି ଘର ଭିତରୁ ଗୋଟିକରେ ସେମାନେ ରହନ୍ତି । ଅତ୍ୟାଧୁନିକ ରେଳ ଷ୍ଟେସନ ଆରପଟକୁ ଯାଆନ୍ତୁ ଏବଂ ଆପଣ ପହଞ୍ଚି ଯିବେ ଅହମଦାବାଦ ପୁରୁଣା ସହରରେ ।
ଏ ଅଞ୍ଚଳର ଗଳିକନ୍ଦି ଦେଇ ଆଗକୁ ଚାଲିଲେ, ସେଠାକାର ଖାଦ୍ୟ, କଳିକଜିଆ ଏବଂ କେବେ କେମିତି ଶୁଭୁଥିବା ଗାଳିଗୁଲଜ, ମନ୍ଥର ଗତିରେ ଚାଲୁଥିବା ଗାଡ଼ିମଟର ଭିତର ଦେଇ ଆପଣ ପହଞ୍ଚି ଯିବେ ବୁଢ଼ିଆଣୀ ଜାଲ ଭଳି ଏଣିକି ତେଣିକି ଲମ୍ବି ଯାଇଥିବା ଅନେକ ରାସ୍ତା ପାଖରେ – କେଉଁଟି କୋଣେଇ କରି ଯାଇଥିବ ତ ଆଉ କେଉଁଟି ଡାହାଣକୁ ବଙ୍କେଇ ଯାଇଥିବ, ସେମିତି ବାଁ ପଟକୁ ଲମ୍ବି ଯାଇଥିବ ଏକମୁହାଁ ରାସ୍ତାଟିଏ, ଆଉ ଗୋଟିଏ ଅଙ୍କେଇ ବଙ୍କେଇ ଯିବା ପରେ ସିଧା ହୋଇଯାଇଥିବ ଏବଂ ଅନ୍ୟ ଏକ ରାସ୍ତା ସହିତ ମିଶିଯାଇଥିବ । ଶେଷୋକ୍ତ ରାସ୍ତାଟିରେ ଯାଇ ଆପଣ ପହଞ୍ଚିବେ କୁତବୀ ବିଲଡିଂରେ, ଯାହାର ମାଲିକାନା ରହିଛି ଦାଉଦି ଭୋରାଙ୍କ ରୋଜାର ଭୋରା ଟ୍ରଷ୍ଟ ହାତରେ ଏବଂ ଯେଉଁଠି ରହନ୍ତି ମୋଟ ୧୧୦ଟି ପରିବାର ।
ସପ୍ତାହରେ ତିନି ଦିନ, ତାଙ୍କ କାଠ ଠେଲାଗାଡ଼ିକୁ ଠେଲି ଠେଲି ମହମଦ ଭାଇ ଏଠାରୁ ପ୍ରାୟ ୩୦ କିଲୋମିଟର ଚାଲି ଚାଲି ସହର ଭିତରେ ଘୂରି ବୁଲନ୍ତି । ସକାଳ ଛଅଟାରେ ସେ ଯାତ୍ରା ଆରମ୍ଭ କରନ୍ତି । “ଯେଉଁ ସବୁ ଜାଗାକୁ ତା’ର ବାପା ଯାଉଥିଲେ!”, ଚୁନ୍ନିରେ ନିଜ ମୁହଁ ପୋଛୁ ପୋଛୁ ସ୍ୱାମୀଙ୍କ କଥା ମନେ ପକାଇ ବଡ଼ପାଟିରେ ରୁକୈୟା କହନ୍ତି । “ସେ ନଈ ଡେଇଁ ଆହୁରି ଆଗକୁ ଯାଉଥିଲେ, ସାବରମତୀ ଆର ପଟକୁ ଏବଂ ରାତି ୯ଟା କି ୧୦ଟା ବେଳକୁ ଡେରିରେ ଘରକୁ ଫେରୁଥିଲେ ।” ୨୦୨୩ ଫେବ୍ରୁଆରୀରେ ଆବ୍ବା ମୌଝୁସଇନି ପ୍ରାଣ ହରାଇଲେ । ସେତେବେଳେ ତାଙ୍କୁ ୭୯ ବର୍ଷ ହୋଇଥିଲା ।
ନା, ମହମଦ ଭାଇ ତାଙ୍କ ବାପାଙ୍କ ପାଖରୁ ଏହି କାରିଗରୀ ଶିଖି ନଥିଲେ । “ ହୋ ଗୟୀ ହିମତ ତୋ କର ଲିୟା (ମୋର ସାହସ ହେଲା ତ ଚେଷ୍ଟା କଲି ଆଉ କରି ଚାଲିଲି),” ସେ କହନ୍ତି । ସେ ଏଗୁଡ଼ିକ (ଚାଲୁଣୀଗୁଡ଼ିକ) ଘରେ ତିଆରି କରୁଥିବା ବେଳେ ମୁଁ ଦେଖୁଥିଲି । କିନ୍ତୁ ସେ ବଞ୍ଚି ଥିବା ବେଳେ ମୁଁ ଗୋଟିଏ ହେଲେ ଚାଲୁଣୀରେ ହାତ ବି ମାରିନି । ମୁଁ ଭାବୁଛି, ମୁଁ ଦେଖି ଦେଖି ଶିଖିଲି ।” ତାଙ୍କ ବାପା ତାଙ୍କ ମାମୁଙ୍କ ଚା’ ଦୋକାନରେ କାମ କରୁଥିଲେ କିନ୍ତୁ ଥରେ ଝଗଡ଼ା ହେବା ପରେ ସେ ଚାଲୁଣୀ ତିଆରି ଆରମ୍ଭ କଲେ । ପୁରୁଣା କଥା ମନେ ପକାଇ ମହମଦ ଭାଇ କହନ୍ତି “୧୯୭୪ରୁ ଆମେ ସାରସପୁରକୁ ଚାଲି ଆସିଲା ପରେ ମୋ ବାପା ତାଙ୍କ ଠେଲାଗାଡ଼ି ନେଇ ଯାଉଥିଲେ,” ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ତାହା ହିଁ କରୁଥିଲେ ।
ତଥାପି, ଏ କାମରେ ମହମଦ ଭାଇ ନୂଆ ଲୋକ । ବାପାଙ୍କ ମୃତ୍ୟୁର ପାଞ୍ଚ ମାସ ପରେ ହିଁ ସେ ଏହି କାମ ଆରମ୍ଭ କଲେ । ଏବଂ ସେ ସପ୍ତାହରେ ତିନି ଦିନ ସେ ଏହି କାମ କରନ୍ତି । “ଅନ୍ୟ ଦିନରେ ମୁଁ ବଡ଼ ବଡ଼ କାରଖାନାରେ ବ୍ୟବହାର କରାଯାଉଥିବା ଡିଜେଲ, ପେଟ୍ରୋଲ, ଗ୍ୟାସ୍ ପାଇଁ ଥିବା ୨୦୦ରୁ ୨୫୦ କିଲୋଗ୍ରାମ ଭଲଭ (ଯନ୍ତ୍ରବିଶେଷ)ଗୁଡ଼ିକୁ ରଙ୍ଗ କରେ । ମୁଁ ସକାଳ ୯ଟାରୁ ଯାଇ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ କାମ କରେ ଏବଂ ମଝିରେ, ଦିପହରେ ଖାଇବା ପାଇଁ ଯାହା ଅଧା ଘଣ୍ଟା ମିଳେ । ଏଥିରୁ ମୁଁ ଦିନକୁ ୪୦୦ ଟଙ୍କା ପାଏ ।” ଚାଲୁଣୀ ମରାମତି କାମରୁ ତାଙ୍କୁ ବେଶୀ ପଇସା ମିଳେ ନାହିଁ । “ କୋଇ ଦିନ ସୌ ଆୟେ, କୋଇ ଦିନ ପାଞ୍ଚଶୋ ଭି ଲେ କେ ଆୟେ । କୋଇ ଦିନ ନେହିଁ ଭି ଲାୟେ । କୋଇ ନକ୍କି ନେହିଁ (କେବେ ମୋତେ ୧୦୦ ଟଙ୍କା ମିଳେ ତ ଆଉ କେବେ ୫୦୦ ଟଙ୍କା, କେବେ କେବେ କିଛି ହେଲେ ମିଳେ ନାହିଁ । ଏଥିରେ କିଛି ଠିକ୍ ନାହିଁ),” ସେ କହନ୍ତି ।
ତା’ହେଲେ ସେ ସପ୍ତାହର ସବୁଦିନ ଭଲଭରେ ରଙ୍ଗ ଦେବା କାମ କରୁନାହାନ୍ତି କାହିଁକି ?
“ଆପଣ ଯଦି କୌଣସି ବ୍ୟବସାୟ କରୁଛନ୍ତି, ଏଥିରେ ଆଗକୁ ବଢ଼ିବାକୁ ଏବଂ ଉନ୍ନତି କରିବାକୁ ଆଶା ରଖିବେ । ଅନ୍ୟ କଥାଟି ହେଲା ଚାକିରି, ସକାଳେ ଯାଇ ରାତିରେ ଫେରିବେ ।” ସେ କ୍ଳାନ୍ତ ଶ୍ରାନ୍ତ ଦେଖାଯାଆନ୍ତି, ଆଉ ଆଶାବାଦୀ ବି ।
“ମୁଁ ୭ମ ଶ୍ରେଣୀ ଯାଏ ପଢ଼ିଲି । ମୋର ୮ମ ଶ୍ରେଣୀରେ ନାମଲେଖା ବି ହୋଇଥିଲା । ହେଲେ ସେହି ସମୟରେ ଦଙ୍ଗା ଆରମ୍ଭ ହୋଇଗଲା । ମୁଁ ଆଉ ସ୍କୁଲକୁ ଫେରି ପାରିଲି ନାହିଁ । ସେବେଠାରୁ କାମ କରିବା ଆରମ୍ଭ କଲି । ପ୍ରାଇମସ୍ ଷ୍ଟୋଭ ମରାମତି କରୁଥିବା ଗୋଟିଏ ଦୋକାନରେ ଦିନକୁ ୫ ଟଙ୍କା ମଜୁରିରେ କାମ କଲି । ମୁଁ କିରାସିନି ପମ୍ପ, ୱେଲଡିଂ ରଡ୍ ବି ତିଆରି କଲି । ଆହୁରି ବହୁତ ଜିନିଷ କଲି,” ସେ କହନ୍ତି । ଚାଲୁଣୀ ମରାମତି ଓ ତିଆରି ତାଙ୍କର ସର୍ବଶେଷ ପ୍ରୟାସ ।
ଅହମଦାବାଦରେ ଏବଂ ଅନ୍ୟାନ୍ୟ ସହରରେ ଅନେକ ଚାଲୁଣୀ ମରାମତି କାରିଗର ଅଛନ୍ତି । ହେଲେ ମହମଦ ଭାଇଙ୍କ ଭଳି ଘରକୁ ଘର ବୁଲି କେହି ମରାମତି କରନ୍ତିନି । “ପ୍ରଥମେ କେବଳ ମୋ ବାପା ଏହା କରୁଥିଲେ, ଏବଂ ଏବେ ମୁଁ କରୁଛି । ଆଉ କେହି ମରାମତି କରିବା ପାଇଁ ଠେଲାଗାଡ଼ି ନେଇ ବୁଲୁଥିବା କଥା ମୁଁ ଜାଣିନି । ଏମିତି କାହାରି ବିଷୟରେ ଶୁଣିନି । କାହାରିକୁ ଦେଖିନି । ଏମିତି ଗୋଟିଏ ଠେଲାଗାଡ଼ି ନେଇ ବୁଲିବାରେ ମୁଁ ହେଉଛି ଏକମାତ୍ର ଲୋକ,” ସେ କହନ୍ତି ।
ତାଙ୍କର ଏହି ଠେଲାଗାଡ଼ିରେ ଥାଏ କେତେକ ଲୁହା ଜାଲି- ସରୁ ଓ ମୋଟା ଭଳି ଭିନ୍ନ ଭିନ୍ନ ଆକାର ଓ କ୍ଷମତାର, କେତେକ ପୁରୁଣା ଚାଲୁଣୀ, ଗୋଟିଏ ଛେଣି, କେତେକ ରିପିଟ୍ କଣ୍ଟା, ଗୋଟିଏ ପ୍ଲାୟର, ପ୍ରାୟ ବଡ଼ ଆକାରର ଗୋଟିଏ କଇଁଚି, କେଇଟି ହାତୁଡ଼ି, ଏବଂ ପ୍ରାୟ ତିନି ଫୁଟ ଲମ୍ବର ଖଣ୍ଡେ ରେଳ ଧାରଣା । କେବେ କୁର୍ତ୍ତା ପାଇଜାମାରେ ତ ଆଉ କେବେ ପ୍ୟାଣ୍ଟ ସାର୍ଟରେ, ପାଦରେ ହଳେ ସ୍ଲିପର ପିନ୍ଧି, ମୁହଁ ପୋଛିବା ଲାଗି କାନ୍ଧରେ ଗାମୁଛାଟିଏ ପକାଇ ସେ ତାଙ୍କର ଏହି ୧୦୦ କିଲୋଗ୍ରାମ ଓଜନର ଠେଲାଗାଡ଼ିକୁ ଠେଲି ଠେଲି ସହରର ଗଳିକନ୍ଦିରେ ବୁଲନ୍ତି ।
ଗୋଟିଏ ଚାଲୁଣୀ ତିଆରି କରିବା ଲାଗି ଏକାଧିକ ଥର ବଜାର ଯିବାକୁ ପଡ଼େ । ମହମଦ ଭାଇ ପ୍ରଥମେ ବଜାରରୁ ଟିଣ ଚାଦର କିଣନ୍ତି, ଆବଶ୍ୟକ ଲମ୍ବା ଓ ଚଉଡ଼ା ଅନୁସାରେ ତାହାକୁ କାଟି ଦିଅନ୍ତି । ତା’ପରେ ସେଗୁଡ଼ିକୁ ବଙ୍କେଇବା ଏବଂ ଚାଲୁଣୀର ଗୋଲେଇ ପାଇଁ ସମତଳ ଟିଣକାଠି ତିଆରି କରିବା ପାଇଁ ସେ ସେଗୁଡ଼ିକୁ ନେଇ ବଜାରରେ ଥିବା ଏକ ‘ପ୍ରେସ୍’କୁ ଯାଆନ୍ତି । ସେ ଯାହାକୁ ‘ପ୍ରେସ୍’ ବୋଲି କହନ୍ତି, ତାହା ହେଉଛି ଛୋଟ ଦୋକାନଟିଏ, ଯେଉଁଠି ଲୁହାର ଚଦରକୁ କଟାଯାଏ ଏବଂ ପ୍ରେସ୍ କରାଯାଏ ବା ଚାପି ସମାନ କରିଦିଆଯାଏ ।
ଘରେ ସେ ସେହି କାଠିଗୁଡ଼ିକରେ ସଂଯୋଗ କରିବା ଲାଗି ଚିହ୍ନ ଦେଇ ରିପିଟ୍ କଣ୍ଟା ଲଗାନ୍ତି ଏବଂ ପୁଣି ବଜାରକୁ ଯାଆନ୍ତି । ଏଥର ସେ ଯାଆନ୍ତି “ କୋର-କନ୍ଦୋରୋ ” ପାଇଁ – ଏହା ଏକ ପ୍ରକ୍ରିୟା, ଯେଉଁଥିରେ ସେମାନେ ଚାଲୁଣୀ ପାଇଁ ଫ୍ରେମ୍ ବା ଢାଞ୍ଚା ଏବଂ ଏହାର ଜାଲିର ଗୋଲେଇ ପ୍ରସ୍ତୁତ କରନ୍ତି । ଘରକୁ ଫେରି ଆସିଲେ ସେ ସେହି ତାରବୁଣା ଜାଲିକୁ ନେଇ ରିପିଟ୍ କଣ୍ଟାରେ ଗୋଲାକାର ଫ୍ରେମ୍ ସହିତ ଯୋଡ଼ି ଦିଅନ୍ତି ।
“ପପକର୍ନ୍, ମୁଢ଼ି, ବୁଟ ବା ଚଣାଭଜା ଏବଂ ଗୁଆ ପ୍ରଭୃତି ଚଲେଇବା ପାଇଁ ଓସାରିଆ ଜାଲି ବ୍ୟବହାର କରାଯାଏ । ବଡ଼ ବଡ଼ ଛିଦ୍ର ଥିବା ଏହି ଚାଲୁଣୀକୁ ଆମେ ‘ନମ୍ବର ୫’ ବୋଲି କହୁ । ବାକି ସବୁ ନିତିଦିନ କାମରେ ଲାଗୁଥିବା ‘ଚାଲୁ ଜିନିଷ’, ଯେଉଁଗୁଡ଼ିକ ଗହମ, ଚାଉଳ, ଯଅ ଏବଂ ଆଉ ଅନ୍ୟାନ୍ୟ ଶସ୍ୟ ଚଲାଇବାରେ ଲାଗେ,” ବଡ଼ ଚାଲୁଣୀଟିଏକୁ ମୋ ଆଗରେ ଧରି ମହମଦ ଭାଇ କହନ୍ତି । “ଗୋଟିଏ ନୂଆ ଚାଲୁଣୀକୁ ମୁଁ ୭୦ ଟଙ୍କାରେ ବିକେ । ଚାଳିଶ କି ପଇଁଚାଳିଶ ଟଙ୍କାରେ ମୁଁ ପୁରୁଣା ଚାଲୁଣୀକୁ ମରାମତି କରିଦେଇପାରେ । ଜାଲିର ଗୁଣମାନ ଉପରେ ସବୁକିଛି ନିର୍ଭର କରେ ।”
ଚାଲୁଣୀକୁ ଚିହ୍ନିବା ପାଇଁ ଏହାର ଆକାର ସହିତ ତାରଜାଲିର ଗୁଣମାନ ନିରୂପଣ କରାଯାଏ, ସେ ବୁଝାଇ ଦିଅନ୍ତି । “ସେଗୁଡ଼ିକ ଭିନ୍ନ ଭିନ୍ନ ଆକାରରେ ମିଳିଥାଏ - ୧୦’, ୧୨’, ୧୩’, ୧୫’ କିମ୍ବା ୧୬’ ବ୍ୟାସ ବିଶିଷ୍ଟ ଏବଂ ପ୍ରତିଟିରେ ଭିନ୍ନ ଭିନ୍ନ ପ୍ରକାରର ଜାଲି ବି ଲାଗିଥାଏ,” ସେ ବୁଝାଇ କହନ୍ତି ।
“ଗୋଟିଏ ୩୦ ମିଟର ଲମ୍ବା ତାରବୁଣା ଜାଲିର ଦାମ ପ୍ରାୟ ୪୦୦୦ ଟଙ୍କା । ଘରେ ବ୍ୟବହାର କରାଯାଉଥିବା ଗୋଟିଏ ସାଧାରଣ ଚାଲୁଣୀକୁ ମୁଁ ୧୦ରୁ ୪୦ ଟଙ୍କାରେ ବିକ୍ରି କରେ । ନମ୍ବର ୧୨ ପାଇଁ ହୁଏତ ମୁଁ ୭୦ କି ୮୦ ଟଙ୍କା ନେଇପାରେ, ଏସବୁ ଗରାଖଙ୍କ ଉପରେ ନିର୍ଭର କରେ । ଏହାକୁ ୯୦ରୁ ୧୦୦ ଟଙ୍କାରେ ନେବା ପାଇଁ ବି ଗରାଖ ଅଛନ୍ତି ।”
ଚାଲୁଣୀ ପାଇଁ କଞ୍ଚାମାଲ କିଣିବାକୁ ପ୍ରତି କେଇ ମାସରେ ଥରେ ସେ ୩୫,୦୦୦ ଟଙ୍କା ଖର୍ଚ୍ଚ କରନ୍ତି । ମାସକୁ ତାଙ୍କର ଆୟ ଛଅରୁ ସାତ ହଜାର ଟଙ୍କା ହୋଇଥାଏ । ବହୁତ ବେଶୀ ଖର୍ଚ୍ଚ କରିବାକୁ ପଡ଼େ, ଦୀର୍ଘଶ୍ୱାସ ଛାଡ଼ି ସେ କହନ୍ତି । “ଆମ ଘରେ ଆମେ ମାତ୍ର ଦୁଇ ଜଣ । ତଥାପି, ଯାହା ମୁଁ ଘରକୁ ଆଣେ, ପ୍ରାୟ ସବୁ ଖର୍ଚ୍ଚ ହୋଇଯାଏ ।” ହଠାତ ସେ ଅଳ୍ପ ହସନ୍ତି ଏବଂ କହନ୍ତି, “ରବିବାର ଦିନ ମୁଁ କାମ କରିବାକୁ ଯାଏନାହିଁ । ଗୋଟିଏ ଦିନ ବିଶ୍ରାମ ନିଏ ।”
ଅନୁବାଦ : ଓଡ଼ିଶାଲାଇଭ୍