ପ୍ରବାସୀ ଶ୍ରମିକମାନେ ସ୍ୱପ୍ନରେ ‘ସୁନା’ ଭର୍ତ୍ତି ପାତ୍ରଟିଏ ଦେଖନ୍ତି, ଯାହା ଦ୍ୱାରା ସେମାନେ ଋଣ ଶୁଝି ପାରିବେ, ପିଲାମାନଙ୍କୁ ସ୍କୁଲରେ ରଖିପାରିବେ ଏବଂ ଭୋକଉପାସକୁ ଦୂରେଇ ଦେଇପାରିବେ । ପ୍ରବାସୀ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ମଜୁରି ପାଇ ନଥିବା ଅଭିଯୋଗ ସହିତ ଏ କ୍ଷେତ୍ରରେ ଆଇନଗତ ପନ୍ଥାର ଆଶ୍ରୟ ନେବାକୁ ଅନୁରୋଧ କରି ରାଜ୍ୟର ଶ୍ରମିକମାନଙ୍କ ପାଇଁ ଥିବା ‘ଆଜୀବିକା’ର ହେଲ୍ପଲାଇନ୍ ନମ୍ବରରେ ମାସକୁ ୫,୦୦୦ ପର୍ଯ୍ୟନ୍ତ କଲ୍ ଆସିଥାଏ ।
“ମଜୁରି ପାଇଁ କାମ କରୁଥିବା ଶ୍ରମିକଙ୍କ କ୍ଷେତ୍ରରେ ଆଦୌ କୌଣସି ଲିଖିତ ବୁଝାମଣା ହୁଏ ନାହିଁ, ବରଂ ଏସବୁ କେବଳ କଥାବାର୍ତ୍ତାରେ ଛିଣ୍ଡିଥାଏ । ଶ୍ରମିକମାନଙ୍କୁ ଗୋଟିଏ ଠିକାଦାର ପାଖରୁ ଅନ୍ୟ ଠିକାଦାରଙ୍କ ପାଖକୁ ପଠାଇ ଦିଆଯାଏ,” କମଲେଶ କହନ୍ତି । ତାଙ୍କ ଆକଳନ ଅନୁସାରେ, କେବଳ ବାଂସୱାଡ଼ା ଜିଲ୍ଲାରୁ ବାହାରକୁ ଯାଇଥିବା ଶ୍ରମିକମାନଙ୍କୁ କୋଟି କୋଟି ଟଙ୍କାର ବକେୟା ପାଉଣା ପଇଠ କରାଯାଏ ନାହିଁ ।
“କେବେ ବି ସେମାନେ ଜାଣିପାରନ୍ତିନି ଯେ, ସେମାନଙ୍କୁ କାମରେ ଲଗାଇଥିବା ମୁଖ୍ୟ ଠିକାଦାର କିଏ, କାହା ପାଇଁ ସେମାନେ କାମ କରୁଛନ୍ତି, ତେଣୁ ବାକି ପାଉଣା ପାଇବାର ପ୍ରୟାସ ନୈରାଶ୍ୟ ଏବଂ ଦୀର୍ଘକାଳୀନ ପ୍ରକ୍ରିୟାର ରୂପ ନେଇଥାଏ,” ସେ କହନ୍ତି । ପ୍ରବାସୀ ଶ୍ରମିକମାନେ କେମିତି ଶୋଷଣର ଶିକାର ହେଉଛନ୍ତି, ତାହାର ଏକ ନିଚ୍ଛକ ଚିତ୍ର ସେ ତାଙ୍କ କାମରୁ ପାଇପାରନ୍ତି ।
୨୦୨୪ ମସିହା ଜୁନ୍ ୨୦ ତାରିଖ ଦିନ ରାଜେଶ ଦାମୋର ନାମକ ଜଣେ ୪୫ ବର୍ଷୀୟ ଭିଲ ଆଦିବାସୀ ଏବଂ ଅନ୍ୟ ଦୁଇ ଜଣ ଶ୍ରମିକ ସହାୟତା ଲୋଡ଼ିବା ପାଇଁ ବାଂସୱାଡ଼ାସ୍ଥିତ ତାଙ୍କ ଅଫିସ୍ ଭିତରକୁ ଆସିଲେ । ସେତେବେଳେ ରାଜ୍ୟର ତାପମାତ୍ରା ସର୍ବକାଳୀନ ଶିଖର ଛୁଇଁଥିଲା, କିନ୍ତୁ ତାହା ଏହି ବ୍ୟତିବ୍ୟସ୍ତ ଶ୍ରମିକମାନଙ୍କୁ କ୍ରୋଧିତ କି ଚିନ୍ତିତ କରିବାର କାରଣ ନଥିଲା । ସେମାନଙ୍କୁ କାମରେ ଲଗାଇଥିବା ଜଣେ ଶ୍ରମିକ ଠିକାଦାର ସେମାନଙ୍କ ପାଉଣା ବାବଦରେ ମୋଟ ୨୨୬,୦୦୦ ଟଙ୍କା ଦେଇ ନଥିବାରୁ ଅଭିଯୋଗ କରିବା ପାଇଁ ସେମାନେ କୁଶଲଗଡ଼ର ପାଟନ ଥାନାକୁ ଯାଇଥିଲେ । ସେଠାକାର ପୋଲିସ ସେମାନଙ୍କୁ ସେ ଅଞ୍ଚଳର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସଂସାଧନ କେନ୍ଦ୍ର, ଆଜୀବିକାର ‘ଶ୍ରମିକ ସହାୟତା ଏବଂ ସନ୍ଦର୍ଭ କେନ୍ଦ୍ରକୁ ପଠାଇ ଦେଇଥିଲେ ।
ଏପ୍ରିଲ ମାସରେ ରାଜେଶ ଏବଂ ସୁଖୱାଡ଼ା ପଞ୍ଚାୟତର ଆଉ ୫୫ ଜଣ ଶ୍ରମିକ, ସେଠାରୁ ୬୦୦ କିଲୋମିଟର ଦୂର ଗୁଜରାଟର ମୋରବିକୁ ଯାଇଥିଲେ । ସେଠାକାର ଗୋଟିଏ ଟାଇଲ କାରଖାନା ପରିସରରେ ଥିବା ନିର୍ମାଣସ୍ଥଳରେ ମିସ୍ତ୍ରୀ ଓ ଶ୍ରମିକ ଭାବରେ ସେମାନଙ୍କୁ କାମରେ ନିୟୋଜିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ ଜଣ କୁଶଳୀ ଶ୍ରମିକଙ୍କୁ ଦିନକୁ ୭୦୦ ଟଙ୍କା ଏବଂ ଅନ୍ୟମାନଙ୍କୁ ୪୦୦ ଟଙ୍କା ହିସାବରେ ମଜୁରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।
ଗୋଟିଏ ମାସ କାମ କରିବା ପରେ, “ବକେୟା ପାଉଣା ଦେଇ ଦେବା ଲାଗି ଆମେ ଠେକେଦାର (ଠିକାଦାର)ଙ୍କୁ କହିଲୁ ଏବଂ ସେ ଦିନ ଗଡ଼ାଇ ଚାଲିଲେ,” ଫୋନ୍ରେ ‘ପରୀ’ ସହ କଥାବାର୍ତ୍ତା କରି ରାଜେଶ କହନ୍ତି । ଶ୍ରମିକମାନଙ୍କ ପାଇଁ ଆଶ୍ୱସ୍ତିର କଥା ଏତିକି ଥିଲା ଯେ, ଠିକାଦାରଙ୍କ ସହିତ ବୁଝାମଣା ବେଳେ ସମ୍ମୁଖଭାଗରେ ଥିବା ରାଜେଶ ପାଞ୍ଚଟି ଭାଷା କହିପାରନ୍ତି- ଭିଲି, ୱାଗଡ଼ି, ମେୱାଡ଼ି, ହିନ୍ଦୀ ଓ ଗୁଜରାଟୀ । ସେମାନଙ୍କ ପାଉଣା ସଂପର୍କରେ କଥାବାର୍ତ୍ତା କରୁଥିବା ଠିକାଦାର ମଧ୍ୟ ପ୍ରଦେଶର ଝାବୁଆରୁ ଆସିଥିଲେ ଏବଂ ସେ ହିନ୍ଦୀ କହୁଥିଲେ । ଭାଷାଗତ ପ୍ରତିବନ୍ଧକ କାରଣରୁ ଅନେକ ସମୟରେ ଶ୍ରମିକମାନେ ପ୍ରକୃତ ଠିକାଦାରଙ୍କ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ ଏବଂ ଏଥିଯୋଗୁଁ ଅନେକ ସମୟରେ ସେମାନଙ୍କୁ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ଛୋଟ ଛୋଟ ଠିକାଦାରମାନଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼େ । ବେଳେବେଳେ ପାଉଣା ମାଗୁଥିବା ଶ୍ରମିକମାନଙ୍କ ପ୍ରତି ଠିକାଦାର ହିଂସ୍ର ଆଚରଣ କରିଥାଆନ୍ତି ।
ଏତେ ବଡ଼ ଅଙ୍କର ପାଉଣା ପାଇବା ଲାଗି ୫୬ ଜଣ ଯାକ ଶ୍ରମିକ ସପ୍ତାହ ସପ୍ତାହ ଧରି ଅପେକ୍ଷା କଲେ । ସେମାନଙ୍କ ଘରୁ ଖାଦ୍ୟ ସାମଗ୍ରୀ ସରି ଆସୁଥିଲା ଏବଂ ଖୋଲା ବଜାରରୁ କିଣି ଖାଇବାରେ ସେମାନଙ୍କର ସବୁ ରୋଜଗାର ଖର୍ଚ୍ଚ ହୋଇଯାଉଥିଲା ।