ମିରଟରେ କ୍ୟାରମ ବୋର୍ଡ କାରଖାନାରେ ପାଞ୍ଚ ଜଣ କାରୀଗର ଲଗାତାର ପାଞ୍ଚ ଦିନ ପର୍ଯ୍ୟନ୍ତ ଆଠ ଘଣ୍ଟା ଧରି କାମ କରିବା ପରେ ୪୦ଟି ବୋର୍ଡ ତିଆରି କରିଥା’ନ୍ତି। ଷ୍ଟ୍ରାଇକର ଓ କଏନ୍କୁ କ୍ୟାରମ୍ ବୋର୍ଡର ଫ୍ରେମ ମଧ୍ୟରେ ଦ୍ରୁତ ଗତିରେ କେମିତି ଚଲାଇବାକୁ ହେବ ତାହା ଏହି କାର୍ଯ୍ୟଶାଳାରେ କାମ କରୁଥିବା ପ୍ରତ୍ୟେକ କାରୀଗର ଜାଣିଛନ୍ତି । ଏହା ଏପରି ଏକ ଖେଳ ଯେଉଁଥିରେ ସର୍ବାଧିକ ଚାରି ଜଣ ଖେଳାଳୀ ଖେଳିପାରିବେ- କିନ୍ତୁ ଏଠାରେ ପ୍ରତ୍ୟେକ ବୋର୍ଡ ଉପରେ ପାଞ୍ଚ ଜଣ କାରୀଗର କାମ କରନ୍ତି। ସେମାନେ କ୍ୟାରମ ଖେଳକୁ ସମ୍ଭବ କରିବା ଲାଗି ସହାୟତା କରିଥା’ନ୍ତି, କିନ୍ତୁ ନିଜେ କେବେ ଏହି ଖେଳ ଖେଳିନାହାନ୍ତି।
‘‘୧୯୮୧ ମସିହାଠାରୁ ମୁଁ କ୍ୟାରମ ବୋର୍ଡ ତିଆରି କରି ଆସୁଛି, କିନ୍ତୁ ମୁଁ କେବେ କ୍ୟାରମ ବୋର୍ଡ କିଣି ନାହିଁ କିମ୍ବା ଖେଳି ନାହିଁ। ଫୁରସତ କରିବାକୁ ସମୟ କାହିଁ?’’ ୬୨ ବର୍ଷ ବୟସ୍କ ମଦନ ପାଲ୍ ପ୍ରଶ୍ନ କରିଥା’ନ୍ତି। ଆମେ କଥାବାର୍ତ୍ତା ହେବା ସମୟରେ ମଧ୍ୟ ସେ ଓ ତାଙ୍କର ସହଯୋଗୀ କାରୀଗରମାନେ ନିଖୁଣ ଭାବେ ୨,୪୦୦ ଡଣ୍ଡା ବା ବବୁଲ୍ କାଠ ଖଣ୍ଡଗୁଡ଼ିକୁ ନିଖୁଣ ଭାବେ ଯୋଡ଼ିବାରେ ବ୍ୟସ୍ତ ରହିଛନ୍ତି । ଏଥିମଧ୍ୟରୁ ପ୍ରତ୍ୟେକ କାଠଖଣ୍ଡ ଆକାର ୩୨ କିମ୍ବା ୩୬ ଇଞ୍ଚ ହୋଇଥିବା ବେଳେ କାରୀଗରମାନେ ଏହାକୁ କାରଖାନାର ବାହାର କାନ୍ଥକୁ ଲାଗିଥିବା ଗଳିରେ ବିଛାଇ ଦେଇଥାନ୍ତି।
‘‘ମୁଁ ଏଠାରେ ସକାଳ ୮ଟା ୪୫ରେ ପହଞ୍ଚି ଯାଏ ଏବଂ ଆମେ ନଅଟା ସୁଦ୍ଧା କାମ ଆରମ୍ଭ କରିଥାଉ । ମୁଁ ଘରକୁ ଫେରିବା ବେଳକୁ ସନ୍ଧ୍ୟା ୭-୭.୩୦ ହୋଇଯାଏ,’’ ମଦନ ପାଲ କୁହନ୍ତି। ‘ଏଠାରେ,’ ଉତ୍ତରପ୍ରଦେଶର ମିରଟ ସହରରେ ଥିବା ସୁରଜ କୁଣ୍ଡ ସ୍ପୋର୍ଟସ୍ କଲୋନୀରେ ଛୋଟ କ୍ୟାରମ ବୋର୍ଡ କାରଖାନା ବା ଫ୍ୟାକ୍ଟରୀ ରହିଛି।
ମଦନ ମିରଟ ଜିଲ୍ଲା ପୂଠ୍ ଗ୍ରାମରେ ଥିବା ତାଙ୍କ ଘରେ ରୁହନ୍ତି। ସେ ସପ୍ତାହକୁ ଛଅ ଦିନ ସକାଳ ସାତଟାରୁ ଉଠି ୧୬ କିଲୋମିଟର ଦୂର ସାଇକେଲରେ ନିଜର କର୍ମସ୍ଥଳୀକୁ ଆସନ୍ତି।
ଛୋଟା ହାଥୀ (ଆକ୍ଷରିକ ଅର୍ଥରେ, ଛୋଟ ହାତୀ - ବାସ୍ତବରେ ଏକ ମିନି ଟେମ୍ପୋ ଟ୍ରକ)ରେ ସବାର ହୋଇ ଦୁଇ ଜଣ ଟ୍ରାନ୍ସପୋର୍ଟର୍ ସେହି କ୍ଷଣି ମିରଟ ସହରର ତାରାପୁରୀ ଓ ଇସଲାମାବାଦ ଅଞ୍ଚଳରେ ଥିବା ସ’ମିଲ୍ରୁ କଟା ହୋଇଥିବା କାଠ ଖଣ୍ଡ ନେଇ ଆସିଛନ୍ତି।
‘‘ଏସବୁ କାଠ ଖଣ୍ଡରେ କ୍ୟାରମ ବୋର୍ଡର ବାହାର ଫ୍ରେମ ତିଆରି ହେବ କିନ୍ତୁ ସେଗୁଡ଼ିକୁ ପ୍ରଥମେ ଚାରିରୁ ଛଅ ମାସ ପାଇଁ ଶୁଖିବା ଲାଗି ବାହାରେ ରଖିବାକୁ ପଡ଼ିବ। ପବନ ଓ ଖରାରେ ଶୁଖିବା ଦ୍ୱାରା କାଠ ଖଣ୍ଡରୁ ଜଳୀୟ ଅଂଶ ବାହାରିଯାଏ, ସେଗୁଡ଼ିକ ସିଧା ହୋଇଥାଏ ଏବଂ ଫିମ୍ପି ଲାଗିନଥାଏ,’’ ମଦନ ବର୍ଣ୍ଣନା କରି କୁହନ୍ତି।



























