ପଣ୍ଢରପୁର ସ୍ଥିତ ଭଗବାନ ବିଠଲଙ୍କ ମନ୍ଦିରରେ ବାର୍ଷିକ ଆଶାଢ଼ିୱାରୀ ଉତ୍ସବ ପାଳନ କରାଯାଏ। ସାରା ରାଜ୍ୟରୁ ୱାରକରିମାନେ ଏଥିରେ ଯୋଗ ଦେଇଥାନ୍ତି। ଏହି ବାର୍ଷିକ ତୀର୍ଥଯାତ୍ରାରେ ଯୋଗ ଦେବା ପାଇଁ ଜଣେ ବ୍ୟକ୍ତି ନିଜର ସାତ ବର୍ଷର ଝିଅ ସହ ପାଦରେ ଚାଲି ଚାଲି ଯାଉଛନ୍ତି । ବାଟରେ ସେମାନେ ଲାଟୁର୍ର ଏକ ଗାଁ ମୈସଗାଓଁରେ ରହିବାକୁ ନିଷ୍ପତ୍ତି ନିଅନ୍ତି । ସନ୍ଧ୍ୟା ମାଡ଼ି ଆସିବା ସହିତ ବାତାବରଣରେ କିର୍ତ୍ତନର ଶବ୍ଦ ଗୁଞ୍ଜରିତ ହୁଏ। ଛୋଟ ଝିଅ ଖଞ୍ଜିରି (ଖଞ୍ଜଣି) ଶବ୍ଦ ଶୁଣି ସେହି କାର୍ଯ୍ୟକ୍ରମକୁ ନେଇଯିବା ଲାଗି ନିଜ ପିତାଙ୍କୁ ଅନୁରୋଧ କରନ୍ତି।
ତାଙ୍କ ବାପା କୁଣ୍ଠାବୋଧ କରନ୍ତି। ‘‘ଏଠାକାର ଲୋକମାନେ ଆମ ଭଳି ମାହାର୍ ଏବଂ ମାଙ୍ଗଙ୍କୁ ଛୁଅନ୍ତି ନାହିଁ,’’ ସେ ବୁଝାଇବାକୁ ଚେଷ୍ଟା କରନ୍ତି। ‘‘ସେମାନେ ଆମକୁ ମୂଲ୍ୟହୀନ ବୋଲି ଭାବନ୍ତି । ସେମାନେ ଆମକୁ ଭିତରକୁ ଯିବାକୁ ଦେବେ ନାହିଁ।’’ କିନ୍ତୁ ଝିଅଟି ତାଙ୍କ କଥା ଶୁଣେ ନାହିଁ। ଶେଷରେ, ଝିଅ କଥାରେ ବାପା ରାଜି ହୁଅନ୍ତି, କିନ୍ତୁ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେମାନେ କିଛି ଦୂରରେ ଛିଡ଼ା ହୋଇ କୀର୍ତ୍ତନ ଶୁଣିବେ । ଝାଞ୍ଜର ଶବ୍ଦକୁ ଅନୁସରଣ କରି ଉଭୟ ପଣ୍ଡାଲ୍ ନିକଟରେ ପହଞ୍ଚନ୍ତି । ଉଭୟ ସମ୍ପୂର୍ଣ୍ଣ ବିମୋହିତ ହୋଇ ମହାରାଜମାନେ ଖଞ୍ଜିରି ବଜାଇ କୀର୍ତ୍ତନ ପରିବେଷଣ କରୁଥିବା ଦେଖନ୍ତି । ଖୁବଶୀଘ୍ର ଛୋଟ ଝିଅଟି ଅସ୍ଥିର ହୋଇ ଉଠେ ଏବଂ ମଞ୍ଚକୁ ଯିବାକୁ ଚାହେଁ । ହଠାତ୍ ବିନା କୌଣସି ଚେତାବନୀରେ, ସେ ଦୌଡ଼ିଯାଇ ତାହା କରେ।
‘‘ମୁଁ ଏକ ଭରୁଡ଼ (ସାମାଜିକ ସଚେତନତା ଉଦ୍ଦେଶ୍ୟରେ ବୋଲାଯାଉଥିବା ସମାଲୋଚନାଧର୍ମୀ ଓ ବ୍ୟଙ୍ଗାତ୍ମକ ଏକ ପ୍ରାଚୀନ ଗୀତ) ଗାଇବାକୁ ଚାହୁଁଛି,’’ ସେ ମଞ୍ଚରେ କଳା ପରିବେଷଣ କରୁଥିବା ଜଣେ ସନ୍ଥଙ୍କୁ କୁହନ୍ତି । ଦର୍ଶକମାନେ ସ୍ତବ୍ଧ ହୋଇଯାଆନ୍ତି। କିନ୍ତୁ ମହାରାଜ ତାଙ୍କୁ ଗୀତ ଗାଇବାକୁ ଦିଅନ୍ତି। ପରବର୍ତ୍ତୀ କିଛି ମିନିଟ୍ ପାଇଁ ମଞ୍ଚ ସମ୍ପୂର୍ଣ୍ଣ ଭାବେ ସେହି ଝିଅଟିର ହୋଇଯାଏ, ତାଳ ପାଇଁ ଗୋଟିଏ ଧାତୁ ପାତ୍ରକୁ ବଜାଇ ଝିଅଟି ଗୋଟିଏ ଗୀତ ପରିବେଷଣ କରିଥାଏ ଯାହାକୁ ସେହି ମହାରାଜ ହିଁ ଲେଖିଛନ୍ତି ଓ ସ୍ୱର ସଂଯୋଜନା କରିଛନ୍ତି।
माझा रहाट गं साजनी
गावू चौघी जनी
माझ्या रहाटाचा कणा
मला चौघी जनी सुना
ହେ ମୋର ପ୍ରିୟ, କୂଅରେ କାଠର ଚକ
ଆମେ ଚାରି ଜଣ ଗାଇବା ଆସ
କାଠର ଚକ ଓ ତାର କଣ୍ଟା,
ଆଉ ମୋ’ ଚାରି ବୋହୂଙ୍କ କଥା
ଝିଅଟିର ଗୀତ ଦ୍ୱାରା ପ୍ରଭାବିତ ହୋଇ, ସନ୍ଥ ଜଣଙ୍କ ନିଜ ଖଞ୍ଜିରି ତା’କୁ ଉପହାର ଦେଇ କୁହନ୍ତି, ‘‘ତୁମ ଉପରେ ସବୁବେଳେ ମୋର ଆଶୀର୍ବାଦ ରହିବ। ତୁମେ ଏ ଦୁନିଆକୁ ଆଲୋକିତ କରିବ।’’













