ପ୍ରକାଶ ବୁନ୍ଦିୱାଲ୍ ନିଜ ପନୱାଡ଼ୀ ରେ ଛିଡ଼ା ହୋଇଛନ୍ତି। ଧାଡ଼ି ଧାଡ଼ି ହୋଇ ରହିଥିବା ପାନବରଜରେ ପାନ ଲତା ମାଡ଼ିଛି ଯେଉଁଥିରେ ହୃତପିଣ୍ଡ-ଆକୃତିର ପାନ ପତ୍ର ସବୁ ବଢ଼ିଛି; ସେଗୁଡ଼ିକୁ ଅତିଶୟ ଗ୍ରୀଷ୍ମ ପ୍ରବାହ ଓ ପବନଠାରୁ ସୁରକ୍ଷିତ ରଖିବା ଲାଗି ସିନ୍ଥେଟିକ୍ ଜାଲରେ ଘୋଡ଼ାଯାଇଛି ।
ସାରା ଭାରତରେ ଭୋଜନ ପରେ ପାନ ଖାଇବାର ଅଭ୍ୟାସ ରହିଛି । ପାନ ଭାଙ୍ଗିବାରେ ପାନ ପତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୌମ୍ଫ (ପାନ ମଧୁରୀ), ସୁପାରୀ (ଗୁଆ), ଗୁଲକନ୍ଦ (ଗୋଲାପ ପାଖୁଡ଼ାରେ ପ୍ରସ୍ତୁତ ମିଠା ମସଲା)କୁ ଚୂନା (ଚୂନ) ଏବଂ କତ୍ଥା (ଖଇର) ଦେଇ ମୋଡ଼ିଲେ ପାନରୁ ପୋଦିନା ଭଳି ବାସ୍ନା ଓ ରସାଳ ସ୍ୱାଦ ବାହାରିଥାଏ।
୧୧,୯୫୬ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ ଉନ୍ନତମାନର ପାନ ପତ୍ର ପାଇଁ ପରିଚିତ। କୁକଡ଼େଶ୍ୱରର ଅନ୍ୟମାନଙ୍କ ଭଳି ପ୍ରକାଶଙ୍କ ପରିବାର ବହୁ ପୂର୍ବରୁ ପାନ ଚାଷ କରି ଆସୁଛନ୍ତି। ସେମାନେ ମଧ୍ୟପ୍ରଦେଶରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଭାବେ ତାଲିକାଭୁକ୍ତ ତମ୍ବୋଲି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି। ପ୍ରକାଶଙ୍କୁ ଏବେ ପ୍ରାୟ ୬୦ ବର୍ଷ ବୟସ ହେବ । ସେ ମାତ୍ର ୯ ବର୍ଷର ହୋଇଥିବା ବେଳେ ପନୱାଡ଼ୀରେ କାମ କରିବା ଆରମ୍ଭ କରିଥିଲେ।
କିନ୍ତୁ ବୁନ୍ଦିୱାଲଙ୍କ ୦.୨ ଏକର ଜମିରେ ସ୍ଥିତି ଭଲ ନାହିଁ । ମେ ୨୦୨୩ରେ ଆସିଥିବା ଝଡ଼ ବିପର୍ଯ୍ୟୟ ଏହି କ୍ଷୁଦ୍ର ଚାଷୀଙ୍କ ଚାଷକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଥିଲା । ‘‘ଆମକୁ କିଛି ବୀମା ମିଳିଲା ନାହିଁ ଏବଂ ଝଡ଼ରେ ସବୁକିଛି ହରାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ସହାୟତା ଦିଆଯାଇନଥିଲା,’’ ସେ କୁହନ୍ତି।
ଜାତୀୟ କୃଷି ବୀମା ଯୋଜନା (ଏନଏଆଇଏସ୍) ଅଧୀନରେ ବିଭିନ୍ନ କୃଷି ଉତ୍ପାଦ ଉପରେ କେନ୍ଦ୍ର ସରକାର ପାଣିପାଗ ସହ ଜଡ଼ିତ ବୀମା ଯୋଗାଇ ଦେଇଥାନ୍ତି, ତେବେ ପାନ ପତ୍ର ଚାଷକୁ ଏଥିରେ ସାମିଲ କରାଯାଇ ନାହିଁ ।










