‘‘ ଓସୋବ ଭୋଟ୍‌-ଟୋଟ୍‌ ଛେଡ଼ୋ, ସନ୍ଧ୍ୟା ନମାର ଆଗେ ଅନେକ କାଜ୍‌ ଗୋ… [ଭୋଟ୍‌-ଶୋଟ୍‌ କ’ଣ! ଅନ୍ଧାର ହେବା ପୂର୍ବରୁ ହଜାରେ କାମ ଶେଷ କରିବାକୁ ଅଛି…] ମାଳତି ମଲ ନିଜ ପାଖରେ ଚଟାଣରେ ଥିବା ସ୍ଥାନକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହନ୍ତି, ଆସ, ଯଦି ଆପଣ ଏହି ଗନ୍ଧ ସହିପାରିବେ ଆମ ସହ ଏଠି ବସନ୍ତୁ।’’ ସେ ଗରମ ଏବଂ ଧୂଳି ଦ୍ୱାରା ଅବିଚଳିତ ହୋଇ ଏକ ବିଶାଳ ପିଆଜ ଗଦା ଚାରିପାଟେ ବସି କାମ କରୁଥିବା ଦଳେ ମହିଳାଙ୍କ ପାଖରେ ବସିବା ପାଇଁ ମୋତେ ଆମନ୍ତ୍ରଣ କରୁଥିଲେ। ଆଜି ସୁଦ୍ଧା ପ୍ରାୟ ସପ୍ତାହେ ହେବ ଏହି ମହିଳାମାନଙ୍କୁ ପିଛା କରି ଏବଂ ସେମାନଙ୍କୁ ଆଗରେ ଥିବା ନିର୍ବାଚନ ବିଷୟରେ ପ୍ରଶ୍ନ ପଚାରି ମୁଁ ଏହି ଗାଁର ବିଭିନ୍ନ ସ୍ଥାନରେ ବୁଲୁଥିଲି।

ଏପ୍ରିଲ ମାସ ଆରମ୍ଭ ହେଉଥିଲା। ପଶ୍ଚିମବଙ୍ଗର ମୁର୍ଶିଦାବାଦର ଏହି ଅଂଶରେ ପାରଦ ପ୍ରତିଦିନ ୪୧ ଡିଗ୍ରୀ ସେଲ୍‌ସିଅସ୍‌ରେ ପହଞ୍ଚୁଥିଲା। ଏପରିକି ଅପରାହ୍ଣ ୫ଟା ସମୟରେ ଏହି ମଲ ପାହାଡ଼ିଆ ବସ୍ତିରେ ଭୀଷଣ ଗରମ ହେଉଥିଲା। ଏହି ଅଞ୍ଚଳକୁ ଚାରିପାଖରେ ଥିବା ସମୁଦାୟ କେଇଟି ଗଛରେ ଗୋଟିଏ ପତ୍ର ବି ହଲୁ ନଥିଲା। ତାଜା ପିଆଜର ଗାଢ଼ ଏବଂ କଟୁ ଗନ୍ଧ ପବନରେ ଭାସୁଥିଲା।

ମହିଳାମାନେ ସେମାନଙ୍କର ଅସ୍ଥାୟୀ କୁଡିଆ ଘରଠାରୁ ଅତି ବେଶୀରେ ୫୦ ମିଟର ଦୂରରେ ଏକ ଖୋଲା ଜାଗାର ମଝିରେ ଥିବା ପିଆଜ ଗଦା ଚାରିପାଖରେ ଅର୍ଦ୍ଧଗୋଲାକାରରେ ବସିଥିଲେ। ସେମାନେ ଦାଆରେ କାଣ୍ଡଗୁଡ଼ିକରୁ ପିଆଜ ମୁଣ୍ଡାକୁ ଅଲଗା କରିବାରେ ବ୍ୟସ୍ତ ଥିଲେ। ଅପରାହ୍ଣର ଗରମ ଓ ଗୁଳୁଗୁଳି, ଏଥିସହିତ କଞ୍ଚା ପିଆଜର ବାଷ୍ଫ ସେମାନଙ୍କ ଚେହେରାକୁ ଚମକେଇ ଦେଉଥିଲା ଯାହା କେବଳ କଠିନ ପରିଶ୍ରମ ଦ୍ୱାରା ହିଁ ସମ୍ଭବ।

ବୟସର ୬୦ ଦଶକରେ ପହଞ୍ଚିଥିବା ମାଳତି କହନ୍ତି, ‘‘ଏହା ଆମର ଦେଶ [ନିଜ ଗ୍ରାମ] ନୁହେଁ। ଗତ ସାତ କି ଆଠ ବର୍ଷ ହେବ ଆମେ ଏଠାକୁ ଆସୁଛୁ।’’ ସେ ଏବଂ ସେହି ଦଳରେ ଥିବା ଅନ୍ୟ ମହିଳାମାନେ ମଲ ପାହାଡ଼ିଆ ଆଦିବାସୀ ସମୂହର, ଏହି ସମୂହ ରାଜ୍ୟରେ ଏକ ଅନୁସୂଚିତ ଜନଜାତି ଭାବରେ ଅଧିକାରିକ ଭାବେ ତାଲିକାଭୁକ୍ତ ଏବଂ ସବୁଠାରୁ ଅସୁରକ୍ଷିତ ଜନଜାତି ଗୋଷ୍ଠୀ ମଧ୍ୟରୁ ଅନ୍ୟତମ ଭାବରେ ଜଣାଶୁଣା।

ସେ କହନ୍ତି, ‘‘ଆମ ଗାଁ ଗୋଆସ କଳିକାପୁରରେ ଆମ ପାଇଁ କାମ ନାହିଁ।’’ ମୁର୍ଶିଦାବାଦ ଜିଲ୍ଲାର ରାଣୀନଗର I ବ୍ଲକ୍‌ର ଗୋଆସରୁ ୩୦ରୁ ଅଧିକ ପରିବାର ବର୍ତ୍ତମାନ ବିଶୁରପୁକୁର ଗାଁର ସୀମାରେ ଅସ୍ଥାୟୀ କୁଡ଼ିଆ ସମୂହରେ ରହୁଛନ୍ତି ଏବଂ ସ୍ଥାନୀୟ କ୍ଷେତଗୁଡ଼ିକରେ କାମ କରୁଛନ୍ତି।

ସେମାନେ ମୋତେ କହିଲେ, ସେମାନଙ୍କୁ ମେ’ ୭ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭୋଟ୍‌ ଦେବା ପାଇଁ ସେମାନଙ୍କ ଗାଁକୁ ଫେରିବାକୁ ହେବ। ଗୋଆସ କଳିକାପୁର ବିଶୁରପୁକୁର ବସ୍ତିରୁ ପ୍ରାୟ ୬୦ କିଲୋମିଟର ଦୂର।

PHOTO • Smita Khator
PHOTO • Smita Khator

ମୁର୍ଶିଦାବାଦର ବେଲଡଙ୍ଗା I ବ୍ଲକ୍‌ର କ୍ଷେତଗୁଡ଼ିକରେ କାମ କରିବାକୁ ଆସୁଥିବା ମଲ ପାହାଡ଼ିଆ ଏବଂ ସାନ୍ତାଳ ସମୂହର ଆଦିବାସୀ ମହିଳାମାନେ ନିକଟସ୍ଥ ପଡ଼ାଗୁଡ଼ିକରୁ ଆସନ୍ତି। ମାଳତି ମଲ (ଡାହାଣ, ଠିଆ ହୋଇଥିବା) ଦୀର୍ଘ ଘଣ୍ଟା ବସିବା ଯୋଗୁଁ ବିନ୍ଧୁଥିବା ତାଙ୍କ ଗୋଡ଼କୁ ଲମ୍ବାଉଛନ୍ତି

ରାଣୀନଗର I ବ୍ଲକ୍‌ରୁ ସେମାନଙ୍କର ବେଲଡ଼ଙ୍ଗା I ବ୍ଲକ୍‌ରେ ଥିବା ବର୍ତ୍ତମାନର ସ୍ଥାନ ପର୍ଯ୍ୟନ୍ତ ମଲ ପାହାଡ଼ିଆମାନଙ୍କର ଆନ୍ତଃ- ତାଲୁକା ବୃତ୍ତାକାର ସ୍ଥାନାନ୍ତର ଜିଲ୍ଲାରେ ଶ୍ରମିକ ସ୍ଥାନାନ୍ତରଣର ଅନିଶ୍ଚିତ ପ୍ରକୃତିକୁ ପ୍ରତିଫଳିତ କରିଥାଏ।

ମଲ ପାହାଡ଼ିଆ ଆଦିବାସୀମାନଙ୍କର ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଖେଳେଇ ହୋଇ ରହିଥିବା ବସତି ରହିଛି ଏବଂ କେବଳ ମୁର୍ଶିଦାବାଦରେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୪,୦୬୪ ଜଣ ବାସ କରନ୍ତି। ଝାଡ଼ଖଣ୍ଡର ଦୁମକାରେ ରହୁଥିବା ଏହି ସମୂହର ଜଣେ ବିଦ୍ୱାନ ତଥା କର୍ମୀ ରାମଜୀବନ ଆହାରି କହନ୍ତି, ‘‘ଆମ ସମୂହର ବସବାସ କରିବାର ମୂଳ ସ୍ଥାନ ହେଉଛି ରାଜମହଲ ପାହାଡ଼ ଚାରିପାଖରେ ଥିବା ଅଞ୍ଚଳ। ଆମର ଲୋକମାନେ ଝାଡ଼ଖଣ୍ଡ [ଯେଉଁଠାରେ ରାଜମହଲ ଅଛି] ଏବଂ ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଅଞ୍ଚଳକୁ ଚାଲି ଯାଇଛନ୍ତି।’’

ପଶ୍ଚିମବଙ୍ଗର ସ୍ଥିତି ବିପରୀତରେ ଝାଡ଼ଖଣ୍ଡରେ ମଲ ପାହାଡ଼ିଆମାନେ ଏକ ନିର୍ଦ୍ଦିଷ୍ଟ ଭାବରେ ଅସୁରକ୍ଷିତ ଜନଜାତି ଗୋଷ୍ଠୀ (ପି.ଭି.ଟି.ଜି) ଭାବରେ ପଞ୍ଜୀକୃତ ବୋଲି ରାମଜୀବନ ପୁଷ୍ଟି କରନ୍ତି। ଏଥିସହିତ ସେ କହନ୍ତି, ‘‘ବିଭିନ୍ନ ରାଜ୍ୟରେ ସେହି ଗୋଟିଏ ସମୂହର ଭିନ୍ନ ଭିନ୍ନ ସ୍ଥିତି ଏହି ସମୂହର ଅସୁରକ୍ଷିତ ଅବସ୍ଥା ପ୍ରତି ପ୍ରତ୍ୟେକ ସରକାରଙ୍କ ମନୋଭାବକୁ ପ୍ରତିଫଳିତ କରେ।’’

ସେମାନେ କାହିଁକି ସେମାନଙ୍କ ଘରଠାରୁ ଦୂରରେ ଏହି ବସ୍ତିରେ ରହୁଛନ୍ତି ତାହା ବର୍ଣ୍ଣନା କରି ମାଳତି କହନ୍ତି, ‘‘ଏଠାର ଲୋକମାନେ ସେମାନଙ୍କ କ୍ଷେତରେ କାମ କରିବା ପାଇଁ ଆମକୁ ଦରକାର କରନ୍ତି। ବୁଣାବୁଣି ଏବଂ କାଟିବା [ଅମଳ ସମୟ] ସମୟରେ ଆମେ ଦିନକୁ ୨୫୦ ଟଙ୍କା ରୋଜଗାର କରୁ।’’ ଏଥିସହିତ ବେଳେ ବେଳେ ସେମାନେ କୌଣସି ସହୃଦୟ ଚାଷୀଙ୍କଠାରୁ ତାଜା ଫସଲର କିଛି ଅଂଶ ମଧ୍ୟ ପାଆନ୍ତି ବୋଲି ସେ କହିଥିଲେ।

ମୁର୍ଶିଦାବାଦରେ ସ୍ଥାନୀୟ କୃଷି ଶ୍ରମିକଙ୍କର ଭୀଷଣ ନିଅଣ୍ଟ ରହିଛି, କାରଣ ବହୁସଂଖ୍ୟକ ଦିନମଜୁରିଆ କାମ ସନ୍ଧାନରେ ଜିଲ୍ଲା ବାହାରକୁ ଚାଲିଯାଆନ୍ତି। ଆଦିବାସୀ କୃଷକମାନେ କିଛି ପରିମାଣରେ ସେହି ଚାହିଦାକୁ ପୂରଣ କରନ୍ତି। ବେଲଡ଼ଙ୍ଗା I ବ୍ଲକ୍‌ର କୃଷି ଶ୍ରମିକମାନେ ଦିନକୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିବା ବେଳେ ଆନ୍ତଃ- ତାଲୁକା ପ୍ରବାସୀ ଆଦିବାସୀ ଶ୍ରମିକମାନେ, ମୁଖ୍ୟତଃ ମହିଳାମାନେ ତାହାର ଅଧା ମଜୁରୀରେ କାମ କରନ୍ତି।

ମାତ୍ର ୧୯ ବର୍ଷ ବୟସର ଜଣେ ପତଳା ପିଆଜ କଟାଳୀ ଅଞ୍ଜଳି ମଲ ଏ ସମ୍ପର୍କରେ ବୁଝାଇ କରି କହନ୍ତି, ‘‘ଅମଳ ହୋଇଥିବା ପିଆଜ କ୍ଷେତରୁ ଗାଁକୁ ଅଣାଯିବା ପରେ ଆମେ ପରବର୍ତ୍ତୀ ପର୍ଯ୍ୟାୟର କାମ କରୁ।’’

PHOTO • Smita Khator
PHOTO • Smita Khator

ବାମ: ଅଞ୍ଜଳି ମଲ ତାଙ୍କ ଅସ୍ଥାୟୀ କୁଡ଼ିଆ ବାହାରେ। ସେ ଚାହାଁନ୍ତି ତାଙ୍କ ଝିଅ ସ୍କୁଲ୍‌ ଯାଉ, ଯେଉଁ ସୁଯୋଗ ସେ କେବେବି ପାଇନଥିଲେ। ଡାହାଣ: ପଶ୍ଚିମବଙ୍ଗ ଏବଂ ଏହା ବାହାରର ବଜାରକୁ ପଠାଇବା ପାଇଁ ଟ୍ରକ୍‌ଗୁଡ଼ିକରେ ପିଆଜ ବସ୍ତା ଲଦା ଯାଉଛି

ସେମାନେ ଫରିଆସ୍‌ (ମଧ୍ୟସ୍ଥି)ମାନଙ୍କୁ ବିକ୍ରି କରାଯିବା ପାଇଁ ଏବଂ ରାଜ୍ୟ ଭିତରେ ଏବଂ ବାହାରେ ଦୂର ସ୍ଥାନକୁ ପଠାଯିବା ପାଇଁ ପିଆଜଗୁଡ଼ିକୁ ପ୍ରସ୍ତୁତ କରନ୍ତି। ‘‘ଆମେ ଦାଆରେ କାଣ୍ଡରୁ ମୁଣ୍ଡାଗୁଡ଼ିକୁ ଅଲଗା କରୁ, ଖୋଲା ଚୋପା, ମାଟି ଏବଂ ଚେର ଫିଙ୍ଗିଦେଉ, ଏହା ପରେ ଆମେ ସେଗୁଡ଼ିକୁ ଏକାଠି କରୁ ଓ ବସ୍ତାରେ ଭର୍ତ୍ତି କରୁ।’’ ୪୦ କେଜି ଓଜନର ଗୋଟିଏ ବସ୍ତା ପାଇଁ ସେମାନେ ୨୦ ଟଙ୍କା ପାଆନ୍ତି। ‘‘ଆମେ ଯେତେ ଅଧିକ କାମ କରୁ ସେତେ ଅଧିକ ଉପାର୍ଜନ କରୁ। ତେଣୁ ଆମେ ସବୁ ସମୟରେ କାମ କରିବାରେ ଲାଗିଥାଉ। ଏହା କ୍ଷେତରେ କାମ କରିବାଠାରୁ ଭିନ୍ନ,’’ ସେଠାରେ କାମ କରିବାର ନିର୍ଦ୍ଦିଷ୍ଟ ସମୟ ଥାଏ।

ସାଧନ ମଣ୍ଡଳ, ସୁରେଶ ମଣ୍ଡଳ, ଧନୁ ମଣ୍ଡଳ ଏବଂ ରାଖୋହୋରି ବିଶ୍ୱାସ ଆଦି ହେଉଛନ୍ତି ବିଶୁରପୁକୁରର କୃଷକମାନଙ୍କ ମଧ୍ୟରୁ କେଇ ଜଣ ଯେଉଁମାନେ ଆଦିବାସୀମାନଙ୍କୁ ନିୟୋଜନ କରନ୍ତି। ଏ ସମସ୍ତଙ୍କର ବୟସ ୪୦ ପାର କରିଯାଇଛି। ସେମାନେ କହନ୍ତି ବର୍ଷ ସାରା ‘‘ସବୁବେଳେ’’ କୃଷି-ଶ୍ରମିକଙ୍କର ଆବଶ୍ୟକତା ରହିଛି। ଏହି ଚାହିଦା ଫସଲ ଋତୁରେ ବଢ଼ିଯାଏ। ଏହି କୃଷକମାନେ ଆମକୁ କହନ୍ତି ଯେ ପ୍ରାୟତଃ ଏହି ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ମଲ ପାହାଡ଼ିଆ ଏବଂ ସାନ୍ତାଳ ଆଦିବାସୀ ମହିଳାମାନେ କାମ କରିବାକୁ ଆସନ୍ତି। ଏବଂ ସେମାନେ ସମସ୍ତେ ଏଥିରେ ଏକମତ: ‘‘ସେମାନଙ୍କ ବିନା ଆମେ ଚାଷ କରିବାକୁ ସମର୍ଥ ହେବୁ ନାହିଁ।’’

ଏହି କାମରେ ପ୍ରକୃତରେ ପରିଶ୍ରମ ଅଧିକ। ତାଙ୍କ ହାତ ପିଆଜ ଉପରେ ବ୍ୟସ୍ତ ଥାଇ ମାଳତି କହନ୍ତି, ‘‘ଆମେ ମଧ୍ୟାହ୍ନରେ ଖାଇବା ପାଇଁ ରୋଷେଇ କରିବାକୁ ଖୁବ୍‌ କମ୍‌ ସମୟ ପାଉ…’’। ‘‘ବେଲା ହୋୟେ ଯାଏ। କେନୋମୋତେ ଦୁଟୋ ଚାଲ ଫୁଟିୟେନି। ଖାବାର-ଦାବାରେର ଅନେକ ଦାମ୍‌ ଗୋ। [ଖାଇବାକୁ ଡେରି ହୋଇଯାଏ। ଆମେ ତରବରରେ କୌଣସି ମତେ ଭାତ ଟିକେ କରିଦେଉ। ଖାଇବା ଜିନିଷ ଏତେ ମହଙ୍ଗା]।’’ ଦିନଟା ପାଇଁ କ୍ଷେତ କାମ ଶେଷ ହେବା ପରେ ମହିଳାମାନେ ଘର କାମରେ ଲାଗି ପଡ଼ନ୍ତି: ଗାଧୋଇବା ପୂର୍ବରୁ ଓଳେଇବା, ଧୋଇବା, ସଫା କରିବା ଏବଂ ତା’ ପରେ ତରବର ହୋଇ ରାତି ପାଇଁ ରୋଷେଇ କରିବା।

ଏଥିସହିତ ସେ କହନ୍ତି, ‘‘ଆମକୁ ସବୁବେଳେ ଦୁର୍ବଳ ଲାଗେ। ନିକଟରେ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌.ଏଫ୍‌.ଏଚ୍‌.ଏସ୍‌-୫) ଆମକୁ ଏହାର କାରଣ କହେ। ଏହି ଜିଲ୍ଲାରେ ସମସ୍ତ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତାର ସ୍ତର ବୃଦ୍ଧି ପାଉଥିବା ଏହା ପ୍ରଦର୍ଶିତ କରେ। ଏଥିସହିତ, ଏଠାରେ ୫ ବର୍ଷରୁ କମ୍‌ ବୟସର ୪୦ ପ୍ରତିଶତ ଶିଶୁ ଗେଡ଼ା।

ସେମାନେ କ’ଣ ଏଠି ସେମାନଙ୍କର ରାସନ ପାଆନ୍ତି ନାହିଁ?

ମାଳତି ବୁଝାନ୍ତି, ‘‘ନା, ଆମର ରାସନ କାର୍ଡ ଆମ ଗାଁ ପାଇଁ। ଆମ ପରିବାର ଲୋକମାନେ ଆମ ରାସନ ଉଠାନ୍ତି। ଯେତେବେଳେ ଆମେ ଘରକୁ ଯାଉ ଆମେ ନିଜ ସହ କିଛି ଖାଦ୍ୟଶସ୍ୟ ନେଇଆସୁ।’’ ସେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପି.ଡି.ଏସ୍‌) ଅଧୀନରେ ସେମାନେ ହକ୍‌ଦାର ହୋଇଥିବା ସୁବିଧାଗୁଡ଼ିକ ସମ୍ପର୍କରେ ସୂଚିତ କରୁଥିଲେ। ଏଥିସହିତ ସେ କହନ୍ତି, ‘‘ଆମେ ଏଠାରେ କିଛି ନ କିଣିବାକୁ ଏବଂ ଯେତେ ସମ୍ଭବ ସଞ୍ଚୟ କରିବାକୁ ଏବଂ ଆମ ପରିବାର ପାଖକୁ ପଠାଇବାକୁ ଚେଷ୍ଟା କରୁ।’’

PHOTO • Smita Khator
PHOTO • Smita Khator

ବି ଶୁ ରପୁକୁର ରେ ମଲ ପାହାଡ଼ିଆ ବସ୍ତି , ଯେଉଁଠାରେ ପ୍ରବାସୀ କୃଷି ଶ୍ରମିକଙ୍କ ୩୦ଟି ପରିବାର ବାସ କରନ୍ତି

ମହିଳାମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ୱାନ ନେସନ ୱାନ ରେସନ କାର୍ଡ (ଓ.ଏନ୍‌.ଓ.ଆର୍‌.ସି) ପରି ଦେଶବ୍ୟାପୀ ଖାଦ୍ୟ ସୁରକ୍ଷା ଯୋଜନା ପ୍ରକୃତରେ ସେମାନଙ୍କ ପରି ଆଭ୍ୟନ୍ତରୀଣ ପ୍ରବାସୀମାନଙ୍କୁ ଉପକୃତ କରିପାରିବ। ମାଳତି ପଚାରନ୍ତି “ଏହା ବିଷୟରେ ଆମକୁ କେହି କେବେ ବି କହି ନାହାଁନ୍ତି। ଆମେ ଶିକ୍ଷିତ ନୋହୁଁ। ଆମେ କେମିତି ଜାଣିବୁ? ”

ଅଞ୍ଜଳି କହନ୍ତି, “ମୁଁ କେବେ ସ୍କୁଲ ଯାଇ ନଥିଲି।’’ ସେ କହନ୍ତି, “ମୋତେ ମାତ୍ର ୫ ବର୍ଷ ହୋଇଥିବା ବେଳେ ମୋ ମାଆଙ୍କର ମୃତ୍ୟୁ ହୋଇଥିଲା। ବାପା ଆମ ତିନି ଝିଅଙ୍କ ଦାୟିତ୍ୱ ନେଲେନି। ଆମ ପଡ଼ୋଶୀମାନେ ଆମକୁ ବଡ଼ କରିଥିଲେ।’’ ତିନି ଭଉଣୀ ଯାକ ଅଳ୍ପ ବୟସରେ କୃଷି ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିଲେ ଓ କିଶୋରୀ ବୟସରେ ହିଁ ବିବାହ କରିଥିଲେ। ଅଞ୍ଜଳିଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ତାଙ୍କ ଝିଅ ଅଙ୍କିତାର ବୟସ ୩ ବର୍ଷ। ସେ କହନ୍ତି, “ମୁଁ କେବେ ପାଠ ପଢ଼ି ନାହିଁ। କୌଣସି ପ୍ରକାରେ କେବଳ ନାମ- ସୋଇ [ଦସ୍ତଖତ] କରିବା ଶିଖି ଯାଇଥିଲି। ଏଥିସହିତ ସେ କହନ୍ତି ଯେ ଆମ ସମୂହର ଅଧିକାଂଶ କିଶୋରୀ ଅଧାରୁ ସ୍କୁଲ୍‌ ଛାଡ଼ିଛନ୍ତି। ତାଙ୍କ ପିଢ଼ିର ଅନେକେ ନିରକ୍ଷର।

“ମୁଁ ଚାହେଁ ନାହିଁ ମୋ ଝିଅର ଅବସ୍ଥା ମୋ ପରି ହେଉ। ମୋର ଇଚ୍ଛା ମୁଁ ତା’କୁ ଆସନ୍ତାବର୍ଷ ସ୍କୁଲରେ ଦେବି। ନଚେତ୍ ସେ କିଛି ଶିଖିବ ନାହିଁ।” ସେ କହୁଥିବା ବେଳେ ସେଥିରୁ ତାଙ୍କର ଉଦ୍‌ବେଗ ସ୍ପଷ୍ଟ ଜଣା ପଡ଼ିଯାଉଥିଲା।

କେଉଁ ବିଦ୍ୟାଳୟ? ବିଶୁରପୁକୁର ପ୍ରାଥମିକ ବିଦ୍ୟାଳୟ?

ସେ କହନ୍ତି, “ନା, ଆମ ପିଲାମାନେ ଏଠାରେ ଥିବା ବିଦ୍ୟାଳୟକୁ ଯାଆନ୍ତି ନାହିଁ। ଏପରିକି ଛୋଟ ପିଲା ମଧ୍ୟ ଖିଚୁଡ଼ି ବିଦ୍ୟାଳୟ [ଅଙ୍ଗନୱାଡି]କୁ ଯାଆନ୍ତି ନାହିଁ।’’ ଏପରିକି ଶିକ୍ଷା ଅଧିକାର ଅଧିନିୟମ (ଆର୍‌.ଟି.ଆଇ) ସାମ୍ନାରେ ବି ଏହି ସମୂହ ସାମ୍ନା କରୁଥିବା ଭେଦଭାବ ଏବଂ ସାମାଜିକ କଳଙ୍କ ଅଞ୍ଜଳିଙ୍କ କଥାରେ ଲୁଚି ରହିଥିଲା। “ଆପଣ ଏଠାରେ ଦେଖୁଥିବା ଅଧିକାଂଶ ପିଲା ବିଦ୍ୟାଳୟକୁ ଯାଆନ୍ତି ନାହିଁ। ସେମାନଙ୍କ ମଧ୍ୟରୁ କେତେକ ଗୋଆସ କାଳିକାପୁରରେ ସ୍କୁଲ୍‌ ଯାଉଥିଲେ। କିନ୍ତୁ ସେମାନେ ଆମକୁ ସାହାଯ୍ୟ କରିବାକୁ ଏଠାକୁ ଆସୁଛନ୍ତି, ତେଣୁ ସେମାନଙ୍କ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି।”

ଏକ ୨୦୨୨ ଅଧ୍ୟୟନରୁ ଜଣାପଡିଛି ଯେ ସାଧାରଣତଃ ମଲ ପାହାଡ଼ିଆଙ୍କ ମଧ୍ୟରେ ଏବଂ ବିଶେଷକରି ମହିଳାମାନଙ୍କ ମଧ୍ୟରେ ସାକ୍ଷରତା ହାର ଯଥାକ୍ରମେ ୪୯.୧୦ ପ୍ରତିଶତ ଏବଂ ୩୬.୫୦ ପ୍ରତିଶତ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟବ୍ୟାପୀ ଆଦିବାସୀ ସାକ୍ଷରତା ହାର ପୁରୁଷଙ୍କ ପାଇଁ ୬୮.୧୭ ପ୍ରତିଶତ ଏବଂ ମହିଳାମାନଙ୍କ ପାଇଁ ୪୭.୭୧ ପ୍ରତିଶତ ରହିଛି।

ମୁଁ ଦେଖିଛି ପାଞ୍ଚ କିମ୍ବା ଛଅ ବର୍ଷରୁ କମ୍ ବୟସର ଝିଅମାନେ ସେମାନଙ୍କ ମା ଏବଂ ଜେଜେମା’ଙ୍କୁ ପିଆଜ ସଂଗ୍ରହ କରି ବେତ ଝୁଡ଼ିରେ ରଖିବାରେ ସାହାଯ୍ୟ କରୁଛନ୍ତି। କିଶୋର ବୟସର ଦୁଇ ଜଣ ବାଳକ ଟୋକେଇରୁ ବଡ଼ ପ୍ଲାଷ୍ଟିକ୍ ଅଖା ଭିତରକୁ ପିଆଜ ମୁଣ୍ଡା ଢାଳୁଛନ୍ତି। ଏହି କାମରେ ଶ୍ରମ ବିଭାଜନ ବୟସ, ଲିଙ୍ଗ ଏବଂ କାର୍ଯ୍ୟରେ ଜଡିତ ଶାରୀରିକ ଶକ୍ତିକୁ ମାନୁଥିବା ପରି ମନେ ହେଉଛି। ଅଞ୍ଜଳି ଖୁବ୍‌ ସହଜ ଭାବରେ ମୋତେ ବୁଝାଇ ଦେଇଥିଲେ, “ଜୋତୋ ହାତ୍‌ ତୋତୋ ବୋସ୍ତା, ତୋତୋ ଟାକା (ଅଧିକ ହାତ, ଅଧିକ ବସ୍ତା, ଅଧିକ ଟଙ୍କା)’’।

PHOTO • Smita Khator
PHOTO • Smita Khator

ଏହି ବସ୍ତିରେ ପିଲାମାନେ ସ୍କୁଲ୍‌କୁ ଯାଆନ୍ତି ନାହିଁ। ଏପରିକି ଯେଉଁମାନେ ସେମାନଙ୍କ ନିଜ ଗାଁରେ ସ୍କୁଲ୍‌ ଯାଉଥିଲେ ସେମାନେ ସମୟ ସମୟରେ ସାହାଯ୍ୟ କରିବା ପାଇଁ ଏଠାକୁ ଆସିବା ବେଳେ ସ୍କୁଲ୍‌ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି

ଅଞ୍ଜଳି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଭୋଟ୍‌ ଦେବାକୁ ଯାଉଛନ୍ତି। ସେ ହସି କରି କହନ୍ତି, ‘‘ମୁଁ ଗ୍ରାମପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେଇଥିଲି। କିନ୍ତୁ ବଡ଼ ନିର୍ବାଚନ ପାଇଁ ପ୍ରଥମ ଥର ଭୋଟ୍‌ ଦେବି! ମୁଁ ଯିବି। ଏହି ବସ୍ତିର ଆମେ ସମସ୍ତେ ଆମ ଗାଁକୁ ଭୋଟ୍‌ ଦେବାକୁ ଯିବୁ। ନହେଲେ ସେମାନେ ଆମକୁ ଭୁଲିଯିବେ…’’

ତୁମେ ତୁମର ପିଲାମାନଙ୍କ ପାଇଁ ଶିକ୍ଷା ଦାବି କରିବ କି?

‘‘କାହା ପାଖରୁ ଦାବି କରିବ?’’ ଅଞ୍ଜଳି କିଛି ମୁହୂର୍ତ୍ତ ପାଇଁ ଅଟକିଗଲେ ଏବଂ ତାଙ୍କ ନିଜ ପ୍ରଶ୍ନର ଉତ୍ତର ଦେଲେ। ‘‘ଆମର ଏଠାରେ [ବିଶୁରପୁକୁରରେ] ଭୋଟ୍‌ ନାହିଁ। ତେଣୁ, କେହି ଆମ ବିଷୟରେ ଚିନ୍ତା କରନ୍ତି ନାହିଁ। ଏବଂ ଆମେ ସେଠାରେ [ଗୋଆସରେ] ବର୍ଷ ସାରା ରହୁନାହୁଁ, ତେଣୁ ସେଠାରେ ବି ଆମ କଥାର ପ୍ରାୟ କିଛି ମୂଲ୍ୟ ନାହିଁ। ଆମ୍‌ରା ନା ଏଖାନେର୍‌, ନା ଓଖାନେର୍‌ [ଆମେ ଏଠାରର ନୁହେଁ କି ସେଠାରର ନୁହେଁ]।’’

ସେ କହନ୍ତି ଯେ ଗୋଟିଏ ନିର୍ବାଚନରେ ପ୍ରାର୍ଥୀଙ୍କଠାରୁ କ’ଣ ଆଶା କରିବାକୁ ହୁଏ ସେ ବିଷୟରେ ସେ ଅଧିକ କିଛି ଜାଣନ୍ତି ନାହିଁ। ଦୀର୍ଘ ଶ୍ୱାସ ନେଇ ସେ କହନ୍ତି, ‘‘ମୁଁ କେବଳ ଅଙ୍କିତା ପାଞ୍ଚ ବର୍ଷର ହେଲେ ସ୍କୁଲ୍‌ରେ ତା’ର ନାମ ଲେଖାଇବାକୁ ଚାହେଁ ଏବଂ ମୁଁ ତା’ ସହ ଗାଁରେ ରହିବାକୁ ଚାହେଁ। ମୁଁ ଏଠାକୁ ଫେରି ଆସିବାକୁ ଚାହେଁ ନାହିଁ। କିନ୍ତୁ କିଏ ଜାଣେ?’’

ଅଞ୍ଜଳିଙ୍କ ସନ୍ଦେହ ମଧ୍ୟ ପ୍ରତିଧ୍ୱନିତ୍ୱ ହୋଇଥିଲା ଆଉ ଜଣେ କମ୍‌ ବୟସର ମାଆ, ୧୯ ବର୍ଷ ବୟସ୍କା ମଧୁମିତା ମଲଙ୍କଠାରେ। ସେ କହନ୍ତି, ‘‘ଆମେ କାମ ବିନା ବଞ୍ଚି ପାରିବୁ ନାହିଁ। ଯଦି ଆମେ ଆମ ପିଲାମାନଙ୍କୁ ସ୍କୁଲ୍‌ରେ ନ ଦେଉ ତେବେ ସେମାନେ ଠିକ୍‌ ଆମ ପରି ଅବସ୍ଥାରେ ରହିବେ।’’ ତାଙ୍କ ସ୍ୱରରେ ଏକ ଯନ୍ତ୍ରଣାଦାୟକ ନିଶ୍ଚିତତା ସହ ସେ ଏହାର ପୂର୍ବାନୁମାନ କରୁଥିଲେ। ଏହି କମ୍‌ ବୟସର ମାଆମାନେ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଉଥିବା ଆଶ୍ରମ ହଷ୍ଟେଲ୍‌ କିମ୍ବା ଶିକ୍ଷାଶ୍ରୀ ପରି ବିଶେଷ ଯୋଜନା କିମ୍ବା ଆଦିବାସୀ ଶିଶୁମାନଙ୍କ ମଧ୍ୟରେ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ନେଇ କେନ୍ଦ୍ର ଦ୍ୱାରା ପରିଚାଳିତ ଏକଲବ୍ୟ ମଡେଲ୍‌ ଡେ’ ବୋର୍ଡିଂ ସ୍କୁଲ୍‌ (ଇ.ଏମ୍‌.ଡି.ବି.ଏସ୍‌) ସମ୍ପର୍କରେ ସଚେତନ ନୁହଁନ୍ତି।

ଏପରିକି ବିଶୁରପୁକୁର ଗ୍ରାମ ଯେଉଁ ବହରମପୁର ନିର୍ବାଚନ ମଣ୍ଡଳୀରେ ଆସୁଛି ସେଠାରେ ୧୯୯୯ରୁ କ୍ଷମତାରେ ଥିବା କଂଗ୍ରେସ ଦଳ ଆଦିବାସୀ ପିଲାମାନଙ୍କର ଶିକ୍ଷା ଦିଗରେ ନଗଣ୍ୟ କାମ କରିଛି। କେବଳ ସେମାନଙ୍କର ୨୦୨୪ ଘୋଷଣା ପତ୍ରରେ ସେମାନେ ପ୍ରତି ବ୍ଲକ୍‌ରେ ଗରିବମାନଙ୍କ ପାଇଁ ବିଶେଷକରି ଅନୁସୂଚିତ ଜାତି ଏବଂ ଅନସୂଚିତ ଜନଜାତି ପାଇଁ ଆବାସିକ ବିଦ୍ୟାଳୟର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହି ମହିଳାମାନେ ଏସବୁ ବିଷୟରେ କିଛି ବି ଜାଣନ୍ତି ନାହିଁ।

ମଧୁମିତା କହନ୍ତି, ‘‘ଯଦି ଆମକୁ କେହି ସେଗୁଡ଼ିକ ବିଷୟରେ ନ କହନ୍ତି, ଆମେ କେବେବି ଜାଣିପାରିବୁ ନାହିଁ।’’

PHOTO • Smita Khator
PHOTO • Smita Khator

ବାମ: ପୁଅ ଅଭିଜିତ ମଲ ସହ ନିଜ କୁଡ଼ିଆରେ ମଧୁମିତା ମଲ। ଡାହାଣ: ମଧୁମିତାଙ୍କ କୁଡ଼ିଆରେ ଥିବା ପିଆଜ

PHOTO • Smita Khator
PHOTO • Smita Khator

ବାମ: ସୋନାମୋନି ମଲ ତାଙ୍କ ସନ୍ତାନ ସହ କୁଡ଼ିଆ ବାହାରେ। ଡାହାଣ: ସୋନାମୋନି ମଲଙ୍କ ପିଲାମାନେ ତାଙ୍କ କୁଡ଼ିଆ ଭିତରେ। ଏହି ମଲ ପାହାଡ଼ିଆମାନଙ୍କ କୁଡ଼ିଆରେ ଗୋଟିଏ ଜିନିଷ ପ୍ରଚୁର ରହିଛି, ତାହା ହେଉଛି ପିଆଜ, ଚଟାଣରେ ଗଡ଼ୁଛି, ଉପରୁ ଝୁଲୁଛି

୧୯-ବର୍ଷ-ବୟସ୍କା ସୋନାମୋନି ମଲ କହନ୍ତି, ‘‘ଦିଦି, ଆମ ପାଖରେ ସବୁ କାର୍ଡ ଅଛି – ଭୋଟର୍‌ ଆଇ.ଡି କାର୍ଡ, ଆଧାର କାର୍ଡ, ଜବ୍‌ କାର୍ଡ, ସ୍ୱାସ୍ଥ୍ୟ ସାଥୀ ବୀମା କାର୍ଡ, ରାସନ କାର୍ଡ।’’ ସେ ମଧ୍ୟ ଆଉ ଜଣେ କମ୍‌ ବୟସର ମାଆ ଯିଏ ତାଙ୍କର ଦୁଇ ଜଣ ସନ୍ତାନଙ୍କୁ ସ୍କୁଲ୍‌କୁ ପଠାଇବାକୁ ବ୍ୟାକୁଳ। ‘‘ମୁଁ ଭୋଟ୍‌ ଦେବି। କିନ୍ତୁ ଏଥର ମୋ ନାଁ ସେଠି ଭୋଟର୍‌ ତାଲିକାରେ ନାହିଁ।’’

ବୟସରେ ୭୦ର ଶେଷ ଭାଗରେ ପହଞ୍ଚି ଯାଇଥିବା ସାବିତ୍ରୀ ମଲ (ପରିବର୍ତ୍ତିତ ନାମ) ଜବାବ ଦିଅନ୍ତି, ‘‘ଭୋଟ୍‌ ଦିୟେ ଆବାର୍‌ କି ଲାଭ ହୋବେ? [ତମେ ଭୋଟ୍‌ ଦେଲେ କ’ଣ ପାଇବ] ମୁଁ ଯୁଗ ଯୁଗ ଧରି ଭୋଟ୍‌ ଦେଉଛି।’’ ଏହା ମହିଳାମାନଙ୍କ ମଧ୍ୟରେ ହସର ଏକ ବାତାବରଣ ଖେଳାଇ ଦେଇଥିଲା।

ସତୁରି ପାର୍‌ କରିଥିବା ମହିଳା ଜଣକ କହନ୍ତି, ‘‘ମୁଁ କେବଳ ୧,୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଏ। ଆଉ କିଛି ନୁହେଁ। ଆମ ଗାଁରେ କାମ ନାହିଁ, କିନ୍ତୁ ଆମ ଭୋଟ୍‌ ସେଠି ଅଛି।’’ ସାବିତ୍ରୀ ଅଭିଯୋଗ କରନ୍ତି, ‘‘ତିନି ବର୍ଷ ହେବ ସେମାନେ ଆମକୁ ଆମ ଗାଁରେ ଏକ୍‌ଶୋ ଦିନେର୍‌ କାଜ୍‌ ଦେଇ ନାହାନ୍ତି।’’ ତାଙ୍କ କହିବାର ଅର୍ଥ ହେଉଛି, ‘୧୦୦ ଦିନର କାମ’। ମନରେଗା ଯୋଜନା ସ୍ଥାନୀୟ ଭାବରେ ଏହି ଭାବରେ ଜଣାଶୁଣା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସୂଚିତ କରି ଅଞ୍ଜଳି କହନ୍ତି, ‘‘ସରକାର ମୋ ପରିବାର ପାଇଁ ଗୋଟିଏ ଘର ଦେଇଛନ୍ତି।’’ ଏଥିସହିତ ସେ କହନ୍ତି, ‘‘କିନ୍ତୁ ମୁଁ ସେଥିରେ ରହିପାରିବି ନାହିଁ କାରଣ ସେଠି ଆମେ କରିବା ପାଇଁ କୌଣସି କାମ ନାହିଁ। ଯଦି ଆମର ଏକ୍‌ଶୋ ଦିନେର୍‌ କାଜ୍‌ ଥାଆନ୍ତା ମୁଁ ବୋଧହୁଏ ଏଠାକୁ ଆସିନଥା’ନ୍ତି।’’

ସେମାନଙ୍କର ଅତ୍ୟନ୍ତ ସୀମିତ ଜୀବିକା ବିକଳ୍ପ ମୁଖ୍ୟତଃ ଭୂମିହୀନ ଥିବା ଏହି ସମୂହକୁ ଦୂରଦୂରାନ୍ତ ସ୍ଥାନକୁ ଯିବା ପାଇଁ ସେମାନଙ୍କୁ ବାଧ୍ୟ କରିଛି। ସାବିତ୍ରୀ ଆମକୁ କହନ୍ତି ଯେ ଗୋଆସ କଳିକାପୁରର ଅଧିକାଂଶ ଯୁବକ କାମର ସନ୍ଧାନରେ ବେଙ୍ଗାଲୁର କିମ୍ବା କେରଳ ପରି ଦୂର ସ୍ଥାନକୁ ଯାଆନ୍ତି। ଏକ ନିର୍ଦ୍ଦିଷ୍ଟ ବୟସ ପରେ ପୁରୁଷମାନେ ସେମାନଙ୍କର ଗାଁ ନିକଟରେ ରହି କାମ କରିବାକୁ ପସନ୍ଦ କରନ୍ତି। କିନ୍ତୁ ସେଠାରେ ଯଥେଷ୍ଟ ଚାଷ କାମ ନାହିଁ। ସେମାନଙ୍କ ବ୍ଲକ୍‌ ରାଣୀନଗର Iରେ ଅନେକେ ଇଟାଭାଟିରେ କାମ କରି ଅର୍ଥ ଉପାର୍ଜନ କରନ୍ତି।

ସାବିତ୍ରୀ କହନ୍ତି, ‘‘ଯେଉଁ ମହିଳାମାନେ ଇଟାଭାଟିରେ କାମ କରିବାକୁ ଚାହାଁନ୍ତି ନାହିଁ ସେମାନେ ଛୋଟ ପିଲାଙ୍କ ସହ ଅନ୍ୟ ଗାଁକୁ ଚାଲିଯାଆନ୍ତି।’’ ଏଥିସହିତ ସେ କହନ୍ତି, ‘‘ଏହି ବୟସରେ ମୁଁ ଭଟା [ଭାଟି]ରେ କାମ କରିପାରିବି ନାହିଁ। ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ମୁଁ ଏଠାକୁ ଆସିବା ଆରମ୍ଭ କଲି। ଆମ ଶିବିରରେ ମୋ ପରି ବୟସ୍କ ଲୋକମାନଙ୍କର କିଛି ଛେଳି ଅଛି। ମୁଁ ସେମାନଙ୍କୁ ଚରେଇବାକୁ ନିଏ।’’ ଯେତେବେଳେ ତାଙ୍କ ଦଳରୁ କେହି ଏ ଦାୟିତ୍ୱ ନିଅନ୍ତି, ସେମାନେ ‘‘ଖାଦ୍ୟଶସ୍ୟ ଆଣିବା ପାଇଁ ଗୋଆସକୁ ଯାଆନ୍ତି। ଆମେ ଗରିବ; ଆମେ କିଛି କିଣିପାରିବୁ ନାହିଁ।’’

ଏହି ପିଆଜ ଋତୁ ଶେଷ ହେଲା ପରେ କ’ଣ ହୁଏ? ସେମାନେ ଗୋଆସକୁ ଫେରିବେ?

PHOTO • Smita Khator
PHOTO • Smita Khator

ପିଆଜ ଅମଳ ହୋଇସାରିବା ପରେ କୃଷି ଶ୍ରମିକମାନେ ପିଆଜକୁ ସଫା କରନ୍ତି, ବାଛନ୍ତି ଏବଂ ଭର୍ତ୍ତି କରନ୍ତି ଓ ସେଗୁଡ଼ିକୁ ବିକ୍ରି ପାଇଁ ପ୍ରସ୍ତୁତ କରନ୍ତି

PHOTO • Smita Khator
PHOTO • Smita Khator

ବାମ: ଅପରାହ୍ଣରେ ଶ୍ରମିକମାନେ କ୍ଷେତ ନିକଟରେ ମଧ୍ୟାହ୍ନ ଭୋଜନ ପାଇଁ ବିରତି ନେଉଛନ୍ତି। ଡାହାଣ: ମାଳତି ତାଙ୍କ ଛେଳି ଏବଂ ସେ ଭର୍ତ୍ତି କରିଥିବା ପିଆଜ ବସ୍ତା ସହିତ

ଅଞ୍ଜଳି କହନ୍ତି, ‘‘ପିଆଜ କଟା ଏବଂ ବସ୍ତାରେ ଭର୍ତ୍ତି ହେବା ପରେ ରାଶି, ଝୋଟ ଏବଂ କିଛି ଖୋରାର୍‌ ଧାନ [ଖରାଟିଆ ଧାନ ଚାଷ] ର ସମୟ ହୋଇଯାଏ।’’ ସେ କହନ୍ତି, ‘‘ବର୍ଷର ଏହି ସମୟରୁ ଜୁନ୍‌ ମାସ ଅଧା ପର୍ଯ୍ୟନ୍ତ ଚାଷ କାମ ପାଇଁ ଚାହିଦା ବଢ଼ିଯାଏ।’’ ତେଣୁ ପ୍ରକୃତରେ ‘‘ପିଲାମାନଙ୍କ ସହିତ ଅଧିକରୁ ଅଧିକ ଆଦିବାସୀ ଶୀଘ୍ର ଅର୍ଥ ଉପାର୍ଜନ ପାଇଁ ସେମାନଙ୍କ ସାମୂହିକ ବସ୍ତିରେ ଯୋଗ ଦିଅନ୍ତି।’’

ଏହି କମ୍‌ ବୟସ୍କା କୃଷି ଶ୍ରମିକ ବୁଝାଇ ଦିଅନ୍ତି ଯେ ଗୋଟିଏ ଫସଲ କଟା ହୋଇ ଆଉ ଗୋଟିଏ ପାଇଁ ପ୍ରସ୍ତୁତି ସମୟ ମଧ୍ୟରେ ଚାଷରେ ନିଯୁକ୍ତି କମିଯାଏ ଫଳରେ କମ୍‌ ଦିନର ମଜୁରୀ କାମ ମିଳେ। କିନ୍ତୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ବିପରୀତରେ ସେମାନେ ସେଠାରେ ରହନ୍ତି ଏବଂ ନିଜ ଗାଁକୁ ଫେରନ୍ତି ନାହିଁ। ଅଞ୍ଜଳି କହନ୍ତି, ‘‘ଆମେ ଜୋଗାଡେର୍‌ କାଜ୍‌, ଠିକେ କାଜ୍‌ [ମିସ୍ତ୍ରୀ ପାଖରେ ହେଲ୍‌ପର ଭାବରେ, ଠିକା କାମ] କରୁ, ଯାହା ଆମେ କରିପାରିବୁ। ଆମେ ଏହି କୁଡ଼ିଆଗୁଡ଼ିକ ତିଆରି କରିଛୁ ଏବଂ ଏଠାରେ ରହୁ। ପ୍ରତ୍ୟେକ କୁଡ଼ିଆ ପାଇଁ ଆମେ ଜମି ମାଲିକଙ୍କୁ ମାସକୁ ୨୫୦ ଟଙ୍କା ପୈଠ କରୁ।’’

ସାବିତ୍ରୀ କହନ୍ତି, ‘‘କେହି ଆମକୁ ତଦାରଖ କରିବାକୁ ଏଠାକୁ ଆସନ୍ତି ନାହିଁ। କୋଉ ନେତା ନୁହେଁ, କେହି ନୁହେଁ… ତମେ ଯାଅ ଦେଖ।’’

ମୁଁ ଏହି କୁଡ଼ିଆ ଆଡ଼କୁ ଏକ ଅଣଓସାରିଆ କଚ୍ଚା ରାସ୍ତା ଦେଇ ଗଲି। ୧୪ ବର୍ଷିୟା ସୋନାଲି ମୋତେ ରାସ୍ତା ଦେଖାଉଥିଲା। ସେ ତା’ କୁଡ଼ିଆକୁ ଏକ ୨୦-ଲିଟର ବାଲ୍‌ଟିରେ ପାଣି ବୋହି କରି ନେଉଥିଲା। ‘‘ମୁଁ ପୋଖରୀକୁ ଗାଧୋଇବାକୁ ଯାଇଥିଲି ଏବଂ ଏହି ବାଲ୍‌ଟି ଭରି ଦେଲି। ଆମ ବସ୍ତିରେ ନଳ ପାଣି ନାହିଁ। ପୋଖରୀ ପାଣି ମଇଳା। କିନ୍ତୁ କ’ଣ କରି ହେବ?’’ ସେ ଯେଉଁ ପୋଖରୀ କଥା କହୁଥିଲା ତାହା ଏହି ବସ୍ତିରୁ ପ୍ରାୟ ୨୦୦ ମିଟର ଦୂରରେ ଥିଲା। କାଠିରୁ ଝୋଟ ତନ୍ତୁକୁ ଅଲଗା କରିବା ପାଇଁ ମୌସୁମୀ ଋତୁରେ ଏହି ପୋଖରୀରେ ହିଁ ଅମଳ ହୋଇଥିବା ଝୋଟ ସଢ଼ା ଯାଏ। ଏହି ପାଣି ବ୍ୟାକ୍ଟେରିଆ ଏବଂ ମଣିଷମାନଙ୍କ ପାଇଁ କ୍ଷତିକାରକ ହୋଇଥିବା ରାସାୟନିକ ଦ୍ରବ୍ୟରେ ସଂକ୍ରମିତ।

ଶୁଖିଲା ପୋଷାକ ବଦଳାଇବା ପାଇଁ ଗୋଟିଏ କୁଡ଼ିଆ ଭିତରକୁ ପଶିଯିବା ବେଳେ ସେ କହିଲା, ‘‘ଏଇଟା ଆମ ଘର। ମୁଁ ବାବାଙ୍କ ସହ ଏଠି ରହେ।’’ ମୁଁ ବାହାରେ ଅପେକ୍ଷା କଲି। ଏହି କୁଡ଼ିଆଟି ବାଉଁଶ କଣି ଏବଂ କାଉଁରିଆ କାଠି ଏକାଠି ହାଲକା ଭାବରେ ବନ୍ଧା ହୋଇ, ଏହା ଉପରେ ଭିତର ପଟେ ଗୋଟିଏ ପରସ୍ତ ମାଟି ଓ ଗୋବର ଦିଆଯାଇ ତିଆରି କରାଯାଇଛି, ଗୋପନୀୟତା ରକ୍ଷା କରିବା ଭଳି କିଛି ନାହିଁ ଏଥିରେ। ବାଉଁଶ ତାଟିରେ ଚାଳ କରାଯାଇ ନଡ଼ା ଛାଉଁଣି କରାଯାଇଛି, ଏହା ଉପରେ ଟାର୍ପୋଲିନ ଚାଦର ଆବୃତ କରାଯାଇଛି। ଏହି ଚାଳ ବାଉଁଶ ଖୁଣ୍ଟ ଉପରେ ଭରା ଦେଇ ରହିଛି।

ନିଜ କେଶ କୁଣ୍ଡାଇବା ବେଳେ ସୋନାଲି ସଙ୍କୋଚର ସହ ପଚାରିଲା, ‘‘ଆପଣ ଭିତରକୁ ଆସିବାକୁ ଚାହାଁନ୍ତି?’’ ହାଲକା ସୂର୍ଯ୍ୟକିରଣ ବାଉଁଶ ଓ କାଉଁରିଆ କାଠି ମଧ୍ୟରେ ଥିବା ଫାଙ୍କ ଦେଇ ଭିତରକୁ ଆସୁଥିଲା, ୧୦ x ୧୦ ଫୁଟର କୁଡ଼ିଆର ଭିତର ପାର୍ଶ୍ୱ ଖୋଲା ଥିଲା। ସେ କହିଲା, ‘‘ମାଆ ଗୋଆସରେ ମୋ ଭାଇଭଉଣୀଙ୍କ ସହ ରହେ।’’ ତା’ ମାଆ ରାଣୀନଗର I ବ୍ଲକ୍‌ର ଏକ ଇଟାଭାଟିରେ କାମ କରନ୍ତି।

ସୋନାଲି କହେ, ‘‘ମୋର ଘର କଥା ବହୁତ ମନେପଡ଼େ। ମୋ ମାଇଁ ମଧ୍ୟ ତାଙ୍କ ଝିଅମାନଙ୍କ ସହ ଏଠାକୁ ଆସିଛନ୍ତି। ରାତିରେ ମୁଁ ତାଙ୍କ ସହ ଶୁଏ।’’ ସୋନାଲିଙ୍କୁ କ୍ଷେତରେ କାମ କରିବା ପାଇଁ ୮ମ ଶ୍ରେଣୀ ପରେ ପାଠ ପଢ଼ା ଅଧାରେ ଛାଡ଼ିବାକୁ ହୋଇଥିଲା।

PHOTO • Smita Khator
PHOTO • Smita Khator

ବାମ: ସୋନାଲି ମଲ ଖୁସିରେ ତାଙ୍କ କୁଡ଼ିଆ ବାହାରେ ଏକ ଫଟୋ ପାଇଁ ପୋଜ୍‌ ନେଉଛନ୍ତି। ଡାହାଣ: ତାଙ୍କ କୁଡ଼ିଆ ଭିତରେ ଥିବା ଜିନିଷଗୁଡ଼ିକ। ଏଠାରେ କଠିନ ପରିଶ୍ରମ ନିଶ୍ଚୟ ସଫଳତାର ଚାବିକାଠି ନୁହେଁ

ସୋନାଲି ପୋଖରୀରେ ଧୋଇଥିବା ପୋଷାକକୁ ଶୁଖାଇବାକୁ ଯିବା ବେଳେ ମୁଁ କୁଡ଼ିଆ ଚାରିପଟେ ନଜର ପକାଇଲି। ଗୋଟିଏ କୋଣରେ ଥିବା ଏକ ଅସ୍ଥାୟୀ ବେଞ୍ଚ ଉପରେ ଅଳ୍ପ କେଇଟି ବାସନ, ଚାଉଳ ରଖିବା ପାଇଁ ଘୋଡ଼ଣୀ ଥିବା ଏକ ପ୍ଲାଷ୍ଟିକ୍‌ ବାଲ୍ଟି ଏବଂ ଆଖପାଖରେ ବୁଲୁଥିବା ମୂଷାଙ୍କଠାରୁ ସୁରକ୍ଷିତ ଥିବା କେତେକ ଜରୁରୀ ଜିନିଷ, ବିଭିନ୍ନ ଆକାରର କେତୋଟି ପ୍ଲାଷ୍ଟିକ୍‌ ପାଣି କେନ୍‌ ଏବଂ ରୋଷେଇ ସ୍ଥାନକୁ ଚିହ୍ନିତ କରୁଥିବା ମାଟି ଚଟାଣରେ ତିଆରି ହୋଇଥିବା ଏକ ମାଟି ଚୁଲି।

କିଛି ପୋଷାକ ଏଠିସେଠି ଝୁଲୁଥିଲା, ଗୋଟିଏ ଦର୍ପଣ ଓ ପାନିଆଁ କାନ୍ଥର ଆଉ ଗୋଟିଏ କୋଣରେ ଲଗା ଯାଇଥିଲା, ଗୁଡ଼ା ହୋଇ ରହିଥିବା ଏକ ପ୍ଲାଷ୍ଟିକ ସପ, ଗୋଟିଏ ମସାରୀ ଏବଂ ଗୋଟିଏ ପୁରୁଣା କମ୍ବଳ – ସବୁକିଛି ଗୋଟିଏ କାନ୍ଥରୁ ଅନ୍ୟ ଗୋଟିଏ କାନ୍ଥକୁ ତେରଛା ଭାବରେ ରହିଥିବା ଏକ ବାଉଁଶ ଉପରେ ରହିଥିଲା। ଏକଥା ସ୍ପଷ୍ଟ ଯେ ଏଠାରେ କଠିନ ପରିଶ୍ରମ ସଫଳତାର ଚାବିକାଠି ନୁହେଁ। ଗୋଟିଏ ଜିନିଷ ପ୍ରଚୁର ପରିମାଣରେ ଅଛି, ଗୋଟିଏ ପିତା ଏବଂ ତାଙ୍କ କିଶୋରୀ ଝିଅର କଠିନ ପରିଶ୍ରମର ପ୍ରମାଣ ପିଆଜ – ଚଟାଣରେ ଗଡ଼ୁଛି, ଉପରୁ ଝୁଲୁଛି।

ସୋନାଲି ଭିତରକୁ ଆସିବା ବେଳେ କହିଲା, ‘‘ଆସନ୍ତୁ ମୁଁ ଆପଣଙ୍କୁ ଆମ ଶୌଚାଳୟ ଦେଖାଇବି।’’ ମୁଁ ତା’ ପଛରେ ଗଲି ଏବଂ କେତୋଟି କୁଡ଼ିଆ ଅତିକ୍ରମ କରିବା ପରେ ବସ୍ତିର ଗୋଟିଏ କୋଣରେ ଏକ ଅଣଓସାରିଆ ୩୨-ଫୁଟ-ଲମ୍ବା ସ୍ଥାନରେ ପହଞ୍ଚିଲି। ଗୋଟିଏ ଖୋଲା ୪ x ୪ ଫୁଟ ସ୍ଥାନ ପ୍ଲାଷ୍ଟିକ ବସ୍ତା ସିଲେଇ ହୋଇ ଘେରେଇ ହୋଇଛି, ଯାହା ହେଉଛି ସେମାନଙ୍କର ‘ଶୌଚାଳୟ’। ସେ କହିଲା, ‘‘ଆମେ ଏଠାରେ ପରିସ୍ରା କରୁ ଏବଂ ଏଠାରେ ଟିକେ ଦୂରରେ ଥିବା ଖୋଲା ସ୍ଥାନରେ ଝାଡ଼ା ଫେରୁ। ମୁଁ କେଇ ପାଦ ଆଗକୁ ଯିବାକୁ ଚେଷ୍ଟା କରିବା ବେଳେ ସେ ମୋତେ ଆଉ ଆଗକୁ ନ ଯିବା ପାଇଁ ସତର୍କ କରାଇଦେଲା ନହେଲେ ମୋ ପାଦରେ ମଳ ଲାଗିଯାଇପାରେ।’’

ଏହି ବସ୍ତିରେ ପରିମଳ ବ୍ୟବସ୍ଥାର ଅସ୍ତିତ୍ୱ ନଥିବା ମୋତେ ମିଶନ ନିର୍ମଳ ବାଂଲାର ରଙ୍ଗିନ୍‌ ଭାବରେ ଚିତ୍ରିତ ସନ୍ଦେଶ ମନେପକାଇ ଦେଇଥିଲା, ଯାହା ମୁଁ ଏହି ମଲ ପାହାଡ଼ିଆ ବସ୍ତିକୁ ଆସିବା ବାଟରେ ଦେଖିଥିଲି। ଏହି ପୋଷ୍ଟରଗୁଡ଼ିକ ରାଜ୍ୟ ସରକାରଙ୍କ ପରିମଳ ପ୍ରକଳ୍ପ ଏବଂ ଏଥିସହିତ ମଦ୍ଦାର ଖୋଲାରେ ମଳ ମୂତ୍ର ତ୍ୟାଗ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କରେ ଗର୍ବ ପ୍ରକାଶ କରୁଥିଲା।

ସୋନାଲି ଲଜ୍ଜା ଓ କୁଣ୍ଠାକୁ ଦୂରେଇ ଦେଇ କହିଲା, ‘‘ମାସିକ ଧର୍ମର ସମୟ ଖୁବ୍‌ କଷ୍ଟକର। ଅନେକ ସମୟରେ ଆମର ସଂକ୍ରମଣ ହୁଏ। ବିନା ପାଣିରେ କେମିତି ଚଳିବ? ଏବଂ ପୋଖରୀ ପାଣି ମଇଳା ଓ କାଦୁଅରେ ଭର୍ତ୍ତି।’’

ତୁମେ ପିଇବା ପାଣି କେଉଁଠୁ ଆଣ?

ଆମେ ଜଣେ ପାଣିବାଲା [ଘରୋଇ]ଠାରୁ ପାଣି କିଣୁ। ସେ ଗୋଟିଏ ୨୦-ଲିଟର ଜାର୍‌ ଭର୍ତ୍ତି କରିବା ପାଇଁ ୧୦ ଟଙ୍କା ନିଏ। ସେ ସନ୍ଧ୍ୟାରେ ଆସେ ଏବଂ ମୁଖ୍ୟ ରାସ୍ତାରେ ରହେ। ଆମକୁ ସେହି ବଡ଼ ଜାର୍‌ଗୁଡ଼ିକ ଆମ କୁଡ଼ିଆକୁ ବୋହିବାକୁ ହୋଇଥାଏ।’’

PHOTO • Smita Khator
PHOTO • Smita Khator

ବାମ: ଏହି ବସ୍ତିରେ ଏହି ଅଞ୍ଚଳ ଶୌଚାଳୟ ଭାବରେ ବ୍ୟବହୃତ ହୁଏ। ଡାହାଣ: ବିଶୁରପୁକୁର ବସ୍ତିରେ ନିର୍ମଳ ବାଂଲା ଅଭିଯାନର ଚିତ୍ର ମଦ୍ଦାର ଖୋଲାରେ ମଳମୂତ୍ର ମୁକ୍ତ ଗ୍ରାମ ପଞ୍ଚାୟତ ପାଇଁ ଗୌରବ ପ୍ରକାଶ କରେ

PHOTO • Smita Khator
PHOTO • Smita Khator

ବାମ: ମଲ ପାହାଡ଼ିଆ କୃଷି ଶ୍ରମିକମାନେ ଗାଧୋଇବା, କପଡ଼ା ସଫା କରିବା ଏବଂ ବାସନ ଧୋଇବା ପାଇଁ ବ୍ୟବହାର କରୁଥିବା ପ୍ରଦୂଷିତ ପୋଖରୀ। ଡାହାଣ: ଏହି ସମୂହ ପଇସା ଦେଇ ଘରୋଇ ପାଣିବାଲାଙ୍କଠାରୁ ପିଇବା ପାଣି କିଣିବାକୁ ହୋଇଥାଏ

ତା’ ସ୍ୱରରେ ହଠାତ୍‌ ଏକ ଆନନ୍ଦ ନେଇ ସେ ପଚାରିଲା, ‘‘ଆପଣ ମୋ ସାଙ୍ଗକୁ ଭେଟିବାକୁ ଚାହିଁବେ? ଏ ହେଉଛି ପାୟଲ। ସେ ମୋଠାରୁ ବଡ଼। କିନ୍ତୁ ଆମେ ସାଙ୍ଗ।’’ ସୋନାଲି ମୋତେ ତା’ର ସଦ୍ୟ ବିବାହିତା ୧୮ ବର୍ଷ ବୟସ୍କା ସାଙ୍ଗ ସହ ପରିଚୟ କରାଇଲା, ସେ ତା’ କୁଡ଼ିଆର ରୋଷେଇ ସ୍ଥାନରେ ତଳେ ବସି ରାତି ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲା। ପାୟଲ ମଲର ସ୍ୱାମୀ ବେଙ୍ଗାଲୁରର ବିଭିନ୍ନ ନିର୍ମାଣ ସ୍ଥଳୀରେ ପ୍ରବାସୀ ଶ୍ରମିକ ଭାବରେ କାମ କରନ୍ତି।

ପାୟଲ କହନ୍ତି, ‘‘ମୁଁ ଆସୁଥାଏ ଏବଂ ଯାଉଥାଏ। ମୋ ଶାଶୂ ଏଠାରେ ରହନ୍ତି। ଗୋଆସରେ ଏକୁଟିଆ ଲାଗେ। ତେଣୁ, ମୁଁ ଏଠାକୁ ଆସେ ଓ ତାଙ୍କ ସହ ରହେ। ମୋ ସ୍ୱାମୀ ଅନେକ ଦିନ ହେବ ଯାଇଛନ୍ତି। ସେ କେବେ ଆସିବେ ଜାଣିନି। ବୋଧେ ନିର୍ବାଚନ ପାଇଁ।’’ ସୋନାଲି ପ୍ରକାଶ କଲେ ଯେ ପାୟଲ ଗର୍ଭବତୀ ଏବଂ ଏହା ପାଞ୍ଚ ମାସ ହୋଇଗଲାଣି। ପାୟଲ ଲାଜେଇଗଲେ।

ତୁମେ ଏଠାରେ ଔଷଧ ଓ ପୂରକଗୁଡ଼ିକ ପାଅ?

ସେ ଉତ୍ତର ଦେଲେ, ‘‘ହଁ, ମୁଁ ଜଣେ ଆଶା ଦିଦିଙ୍କଠାରୁ ଆଇରନ୍‌ ବଟିକା ପାଏ। ମୋ ଶାଶୂ ମୋତେ [ଆଇ.ସି.ଡି.ଏସ୍‌] ସେଣ୍ଟରକୁ ନେଇଥିଲେ। ସେମାନେ ମୋତେ କିଛି ଔଷଧ ଦେଇଥିଲେ। ମୋ ପାଦ ଅନେକ ସମୟରେ ଫୁଲିଯାଏ ଏବଂ ଭୀଷଣ ବିନ୍ଧେ। ଏଠାରେ କୌଣସି ଯାଞ୍ଚ କରିବା ପାଇଁ ଆମ ପାଖରେ କେହି ନାହାଁନ୍ତି। ପିଆଜ କାମ ଶେଷ ହେବା ପରେ ମୁଁ ଗୋଆସ ଫେରିଯିବି।’’

କୌଣସି ଚିକିତ୍ସୀୟ ଜରୁରୀ ପରିସ୍ଥିତିରେ ମହିଳାମାନେ ବେଲଡଙ୍ଗା ସହରକୁ ଯାଆନ୍ତି – ତାହା ଏଠାରୁ ପ୍ରାୟ ୩ କିଲୋମିଟର। ଦୋକାନରୁ ଔଷଧ କିଣିବା ଏବଂ ପ୍ରାଥମିକ ଚିକିତ୍ସା ଜିନିଷ ପାଇଁ ସେମାନଙ୍କୁ ମକ୍ରାମପୁର ବଜାରକୁ ଯିବାକୁ ହୁଏ, ଏହା ବସ୍ତିଠାରୁ ପ୍ରାୟ ଏକ କିଲୋମିଟର। ଉଭୟ ପାୟଲ ଓ ସୋନାଲିଙ୍କ ପରିବାରର ସ୍ୱାସ୍ଥ୍ୟ ସାଥୀ କାର୍ଡ ଅଛି, କିନ୍ତୁ ସେମାନେ କହନ୍ତି ସେମାନେ ‘‘ଜରୁରୀ ପରିସ୍ଥିତିରେ ଚିକିତ୍ସା ପାଇବା ପାଇଁ ଅନେକ ଅସୁବିଧାକୁ ସାମ୍ନା କରନ୍ତି।’’

ଆମେ କଥା ହେବା ସମୟରେ ବସ୍ତିର ପିଲାମାନେ ଆମ ଚାରିପାଖରେ ଦୌଡ଼ୁଥିଲେ। ୩ ବର୍ଷ ବୟସର ଅଙ୍କିତା ଓ ମିଲନ ଏବଂ ୬ ବର୍ଷ ବୟସର ଦେବରାଜ ଆମକୁ ସେମାନଙ୍କର ଖେଳଣା ଦେଖାଇଲେ। ଜୁଗାଡ୍‌ ଖେଳଣା, ଉଦ୍ଭାବନର ଯାଦୁକରି ଶକ୍ତି ଥିବା ଏହି ଛୋଟ ଜାଦୁଗରମାନଙ୍କ ହାତ-ତିଆରି ଖେଳଣା। ଏକ ନୀଳ ଓ ଧଳା ଆର୍ଜେଣ୍ଟିନା ଫୁଲଟବଲ୍‌ ଟି-ସାର୍ଟ ପିନ୍ଧିଥିବା ଦେବରାଜ ଅଭିଯୋଗ କରିଥିଲା, ‘‘ଆମର ଏଠାରେ ଟିଭି ନାହିଁ। ବେଳେ ବେଳେ ମୁଁ ବାବା ଙ୍କ ମୋବାଇଲ୍‌ରେ ଗେମ୍‌ ଖେଳେ। ମୁଁ କାର୍ଟୁନ୍‌କୁ ବହୁତ ମନେପକାଉଛି।’’

ବସ୍ତିର ସବୁ ପିଲା ଅପୁଷ୍ଟିର ଶିକାର ହୋଇଥିବା ମନେ ହେଉଥିଲା। ପାୟଲ କହନ୍ତି, ‘‘ସେମାନେ ସବୁବେଳେ ଜ୍ୱର ଓ ପେଟ ସମସ୍ୟା ଭୋଗୁଛନ୍ତି।’’ ସୋନାଲି କହନ୍ତି, ‘‘ମଶା ହେଉଛି ଆଉ ଏକ ସମସ୍ୟା। ଆମେ ଥରେ ମଶାରୀ ଭିତରେ ପସିଗଲେ, ପାହାଡ଼ ଭାଙ୍ଗି ଆମ ମୁଣ୍ଡରେ ପଡ଼ିଲେ ବି ଆମେ ବାହାରକୁ ଆସୁନି।’’ ଉଭୟ ସାଙ୍ଗ ହସରେ ଫାଟି ପଡ଼ିଲେ। ମଧୁମିତା ସେମାନଙ୍କ ସହ ଯୋଗ ଦେଲେ।

PHOTO • Smita Khator
PHOTO • Smita Khator

ବାମ: ପାୟଲ ଏବଂ ସୋନାଲି ମଲ (ଡାହାଣ) କାମର ଗୋଟିଏ କଷ୍ଟକର ଦିନ ପରେ ହାଲକା ମୁହୂର୍ତ୍ତ ଉପଭୋଗ କରୁଛନ୍ତି। ଡାହାଣ: ପାୟଲଙ୍କୁ ଏବେ ମାତ୍ର ୧୮ ହୋଇଛି ଏବଂ ଜଣେ ମତଦାତା ଭାବରେ ତାଙ୍କ ନାମ ଏ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ

PHOTO • Smita Khator
PHOTO • Smita Khator

ବାମ: କାର୍ଯ୍ୟ ସ୍ଥଳରେ ଭାନୁ ମଲ। ସେ କହନ୍ତି, ‘କିଛି ହରିୟା (ବାସି ଭାତରୁ ତିଆରି ହୋଇଥିବା ପାରମ୍ପରିକ ମଦ) ଏବଂ ଭଜା ଆଣ। ମୁଁ ତୁମକୁ ଗୋଟିଏ ପାହାଡ଼ିଆ ଗୀତ ଗାଇ ଶୁଣାଇବି।’ ଡାହାଣ: ଏହି ପ୍ରବାସୀ ବସ୍ତିରେ ପିଲାମାନେ ସେମାନଙ୍କର ଯାଦୁକରୀ ଉଦ୍ଭାବନ କ୍ଷମତା ବ୍ୟବହାର କରି ଖେଳଣା ତିଆରି କରନ୍ତି

ମୁଁ ପୁଣି ଥରେ ସେମାନଙ୍କୁ ନିର୍ବାଚନ ବିଷୟରେ ପଚାରିବାକୁ ଚେଷ୍ଟା କରେ। ମଧୁମିତା ଖୁବ୍‌ ନରମ ଭାବରେ କହନ୍ତି, ‘‘ଆମେ ଯିବୁ। କିନ୍ତୁ ତୁମେ ଜାଣିଥାଅ ଏଠାକୁ ଆମକୁ ଭେଟିବାକୁ କେହି ଆସନ୍ତି ନାହିଁ। ଆମେ ଯାଉ କାରଣ ଆମର ବଡ଼ମାନେ ଭାବନ୍ତି ଭୋଟ୍‌ ଦେବା ଜରୁରୀ।’’ ଏହା ତାଙ୍କର ମଧ୍ୟ ପ୍ରଥମ ଥର। ପାୟଲଙ୍କ ନାମ ଏ ପର୍ଯ୍ୟନ୍ତ ଭୋଟର ତାଲିକାରେ ଆସିନି କାରଣ ତାଙ୍କୁ ଏଇ ମାତ୍ର ୧୮ ହେଲା। ସୋନାଲି କହନ୍ତି, ‘‘ଚାରି ବର୍ଷ ପରେ ମୁଁ ସେମାନଙ୍କ ପରି ହୋଇଯିବି। ମୁଁ ମଧ୍ୟ ସେତେବେଳେ ଭୋଟ୍‌ ଦେବି। କିନ୍ତୁ ସେମାନଙ୍କ ପରି ମୁଁ ଏତେ ଶୀଘ୍ର ବିବାହ କରିବିନି।’’ ହସର ଆଉ ଏକ ଲହରୀ ଖେଳିଗଲା।

ମୁଁ ବସ୍ତି ଛାଡ଼ିବାକୁ ବାହାରିବା ବେଳକୁ ଏହି କମ୍‌ ବୟସର ମହିଳାମାନଙ୍କର ହସ, ଶିଶୁମାନଙ୍କର ମଜ୍ଜାଦାର ଚିତ୍କାର ଏବଂ ପିଆଜ କାଟୁଥିବା ମହିଳାମାନଙ୍କର ଉଚ୍ଚ ସ୍ୱର ଶୁଣାଗଲା, ସେମାନେ ଗୋଟିଏ ଦିନର କାମ ଶେଷ କରିସାରିଛନ୍ତି।

ମୁଁ ପଚାରିଲି, ‘‘ତୁମ ବସ୍ତିରେ କେହି ଅଛନ୍ତି ଯେ କି ମଲ ପାହାଡ଼ିଆ ଭାଷା କହନ୍ତି?

ଚିଡ଼େଇବା ସ୍ୱରରେ ଭାନୁ ମଲ କହନ୍ତି, ‘‘କିଛି ହରିୟା (ବାସି ଭାତରୁ ତିଆରି ହୋଇଥିବା ପାରମ୍ପରିକ ମଦ) ଏବଂ ଭଜା ଆଣ। ମୁଁ ତୁମକୁ ଗୋଟିଏ ପାହାଡ଼ିଆ ଗୀତ ଗାଇ ଶୁଣାଇବି।’’ ୬୫ ବର୍ଷ ବୟସ୍କା ଏହି ବିଧବା କୃଷି ଶ୍ରମିକ ତାଙ୍କ ଭାଷାରେ କେଇଟି ଧାଡ଼ି କହିଲେ ଏବଂ ତା’ ପରେ ସାମାନ୍ୟ ଶ୍ରଦ୍ଧାର ସହିତ କହିଲେ, ‘‘ଯଦି ତୁମେ ଆମ ଭାଷା ଶୁଣିବାକୁ ଚାହଁ ତେବେ ଗୋଆସ ଆସ।’’

‘‘ତୁମେ ମଧ୍ୟ ଏହା କୁହ?’’ ମୁଁ ଅଞ୍ଜଳିଙ୍କ ଆଡ଼କୁ ବୁଲି ପଡ଼ିଲି, ତାଙ୍କ ଭାଷା ସମ୍ପର୍କରେ ଏହି ଅସ୍ୱାଭାବିକ ପ୍ରଶ୍ନ ଶୁଣି ସେ ସାମାନ୍ୟ ବିସ୍ମୟରେ ଚାହିଁଲେ। ‘‘ଆମ ଭାଷା? ନା। ଗୋଆସରେ ଅଳ୍ପ କେଇ ଜଣ ଆମ ଭାଷା କହନ୍ତି। ଏଠି ଲୋକ ଆମ ଉପରେ ହସିନ୍ତି। ଆମେ ଆମର ଭାଷା ଭୁଲିଗଲୁଣି। ଆମେ କେବଳ ବଙ୍ଗଳା କହୁ।’’

ବସ୍ତି ଆଡ଼କୁ ଯାଉଥିବା ଅନ୍ୟ ମହିଳାମାନଙ୍କ ସହ ଯୋଗ ଦେବା ସମୟରେ ଅଞ୍ଜଳି କହନ୍ତି, ‘‘ଗୋଆସରେ ଆମର ଘର ଅଛି ଏବଂ ସବୁକିଛି ଅଛି ଏବଂ ଏଠାରେ ଆମର କାମ ଅଛି। ଆଗେ ଭାତ…ଭୋଟ୍‌, ଭାଷା ସବ୍‌ ତାର୍‌ ପୋରେ [ପ୍ରଥମେ ଭାତ, ଏବଂ ତାତ’ ପରେ ଭୋଟ୍‌, ଭାଷା ଏବଂ ଅନ୍ୟ ସବୁକିଛି ]।’’

ଅନୁବାଦ : ଓଡ଼ିଶାଲାଇଭ୍‍

Smita Khator

ਸਮਿਤਾ ਖਟੋਰ ਪੀਪਲਜ਼ ਆਰਕਾਈਵ ਆਫ ਰੂਰਲ ਇੰਡੀਆ (ਪਾਰੀ) ਦੇ ਭਾਰਤੀ ਭਾਸ਼ਾਵਾਂ ਦੇ ਪ੍ਰੋਗਰਾਮ ਪਾਰੀਭਾਸ਼ਾ ਭਾਸ਼ਾ ਦੀ ਮੁੱਖ ਅਨੁਵਾਦ ਸੰਪਾਦਕ ਹਨ। ਅਨੁਵਾਦ, ਭਾਸ਼ਾ ਅਤੇ ਪੁਰਾਲੇਖ ਉਨ੍ਹਾਂ ਦਾ ਕਾਰਜ ਖੇਤਰ ਰਹੇ ਹਨ। ਉਹ ਔਰਤਾਂ ਦੇ ਮੁੱਦਿਆਂ ਅਤੇ ਮਜ਼ਦੂਰੀ 'ਤੇ ਲਿਖਦੀ ਹਨ।

Other stories by Smita Khator
Editor : Pratishtha Pandya

ਪ੍ਰਤਿਸ਼ਠਾ ਪਾਂਡਿਆ PARI ਵਿੱਚ ਇੱਕ ਸੀਨੀਅਰ ਸੰਪਾਦਕ ਹਨ ਜਿੱਥੇ ਉਹ PARI ਦੇ ਰਚਨਾਤਮਕ ਲੇਖਣ ਭਾਗ ਦੀ ਅਗਵਾਈ ਕਰਦੀ ਹਨ। ਉਹ ਪਾਰੀਭਾਸ਼ਾ ਟੀਮ ਦੀ ਮੈਂਬਰ ਵੀ ਹਨ ਅਤੇ ਗੁਜਰਾਤੀ ਵਿੱਚ ਕਹਾਣੀਆਂ ਦਾ ਅਨੁਵਾਦ ਅਤੇ ਸੰਪਾਦਨ ਵੀ ਕਰਦੀ ਹਨ। ਪ੍ਰਤਿਸ਼ਠਾ ਦੀਆਂ ਕਵਿਤਾਵਾਂ ਗੁਜਰਾਤੀ ਅਤੇ ਅੰਗਰੇਜ਼ੀ ਵਿੱਚ ਪ੍ਰਕਾਸ਼ਿਤ ਹੋ ਚੁੱਕਿਆਂ ਹਨ।

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE