ସୂର୍ଯ୍ୟ ଅସ୍ତ ହେବାକୁ ଆରମ୍ଭ କଲାବେଳେ ନବଲଗଭନ ଗାଁର ଉଭୟ ଯୁବକ ଓ ବୟସ୍କ ସ୍କୁଲ ଖେଳପଡ଼ିଆ ଅଭିମୁଖେ ଯାଆନ୍ତି। ପଡ଼ିଆକୁ ସଫା କରିବା, ପଥର ଓ ଆବର୍ଜନାକୁ ହଟାଇବା, ସୀମାରେଖାକୁ ଚୂନ ପାଉଡ଼ରରେ ଚିହ୍ନଟ କରିବା ଏବଂ ଫ୍ଲଡଲାଇଟ୍ ଯାଂଚ କରିବାରେ ବ୍ୟସ୍ତ ହୋଇଯାଆନ୍ତି।
୮ରୁ ୧୬ ବର୍ଷ ବୟସର ପିଲାମାନେ ସେମାନଙ୍କ ନୀଳ ରଙ୍ଗର ଜର୍ସି ପିନ୍ଧି ପ୍ରସ୍ତୁତ ହୋଇଯାଆନ୍ତି ଏବଂ ୭ ଜଣିଆ ଟିମ୍ରେ ବିଭକ୍ତ ହୋଇଯାଆନ୍ତି।
କବାଡ଼ି! କବାଡ଼ି! କବାଡ଼ି!
ଖେଳ ଆରମ୍ଭ ହୁଏ ଏବଂ ସନ୍ଧ୍ୟାର ବାକି ସମୟ ଓ ରାତିର କିଛି ସମୟ ପର୍ଯ୍ୟନ୍ତ ଖେଳାଳିଙ୍କ ଉତ୍ସାହଜନକ ଚିତ୍କାର ବାତାବରଣରେ ଗୁଂଜରିତ ହୁଏ, କାରଣ ଏହି ଜାତୀୟ ଖେଳ ଜୋରଦାର ଖେଳାଯାଏ, ଯାହାକୁ ମରାଠାୱାଡ଼ାର ହିଙ୍ଗୋଲୀ ଜିଲ୍ଲାର ଗାଁଗୁଡ଼ିକର ପରିବାର ଓ ବନ୍ଧୁବାନ୍ଧବ ଦେଖିଥାନ୍ତି।
ନିଜ ନିଶ୍ୱାସକୁ ଅଟକାଇ ଜଣେ ଖେଳାଳି କୋର୍ଟର ବିପକ୍ଷ ଦଳର ପାର୍ଶ୍ୱକୁ ଯାଇଥାନ୍ତି ଏବଂ ନିଜ ପଟକୁ ଫେରିବା ପୂର୍ବରୁ ଅଧିକରୁ ଅଧିକ ଖେଳାଳି ଛୁଇଁ ଆଉଟ୍ କରିବା ପାଇଁ ପ୍ରୟାସ କରିଥାନ୍ତି। ନିଜ ପଟକୁ ଫେରି ଆସିବା ପର୍ଯ୍ୟନ୍ତ ‘କବାଡ଼ି’ର ନାରା ଦେବା ବନ୍ଦ କରିପାରିବେ ନାହିଁ। ଯଦି ତାଙ୍କୁ ବିପକ୍ଷ ଦଳ ଧରିନିଅନ୍ତି, ସେ ଖେଳରୁ ବାଦ ପଡ଼ନ୍ତି।












