ଶ୍ରୀ ଭାଦରିୟା ମାତା ମନ୍ଦିରର ପ୍ରବେଶ ଦ୍ୱାରରେ ଗାୟକମାନେ ଉଚ୍ଚ ସ୍ୱରରେ ଗୀତ ଗାଉଥାନ୍ତି। ଆମେ ଯେମିତି ଶିଢ଼ିରେ ଓହ୍ଲାଇ ପ୍ରାୟ ୨୦୦ ବର୍ଷ ପୁରୁଣା ଢାଞ୍ଚା ତଳେ ଥିବା ଭୂତଳ ଗୃହ ଭିତରକୁ ପ୍ରବେଶ କରୁ, ସେମାନଙ୍କ ସ୍ୱର ଧୀରେ ଧୀରେ ନିରବୀ ଯାଏ। ତା’ପରେ ଅଚାନକ ସେମାନଙ୍କ ସ୍ୱର ଆଉ ଶୁଭେ ନାହିଁ - ସେତେବେଳକୁ ଆମେ ମାଟିତଳେ ପ୍ରାୟ ୨୦ ଫୁଟ ଗଭୀରରେ ଥିବା ଏକ ଭୂତଳ ଗୃହରେ ପହଞ୍ଚି ସାରିଥାଉ।
ସେଠାରେ ଆମେ ଦେଖୁ ପ୍ରାୟ ୧୫,୦୦୦ ବର୍ଗଫୁଟ୍ ସ୍ଥାନରେ ପରିବ୍ୟାପ୍ତ ଏକ ପାଠାଗାର ଯାହାର ନିର୍ମାଣଶୈଳୀ କୌଣସି ଏକ ଜଟିଳ ପ୍ରହେଳିକା ଭଳି। ପାଠଗାରର ସଂକୀର୍ଣ୍ଣ ଗଳିରେ ଅଳ୍ପ କିଛି ବ୍ୟବଧାନରେ ୫୬୨ଟି ଆଲମାରୀ ଥୁଆ ହୋଇଛି ଯେଉଁଥିରେ ୨ ଲକ୍ଷରୁ ଅଧିକ ପୁସ୍ତକ ରଖାଯାଇଛି। ଚମଡ଼ା ମଲାଟ ଥିବା ଗ୍ରନ୍ଥ, ଛାଲ ଉପରେ ଲେଖା ହୋଇଥିବା ପୁରୁଣା ପାଣ୍ଡୁଲିପି, ହିନ୍ଦୁଧର୍ମ, ଇସଲାମ, ଖ୍ରୀଷ୍ଟିଆନ୍ ଏବଂ ଅନ୍ୟ ଧର୍ମ ତଥା ସମ୍ପ୍ରଦାୟଠାରୁ ଆରମ୍ଭ କରି ଆଇନ, ଚିକିତ୍ସା ବିଜ୍ଞାନ, ଦର୍ଶନଶାସ୍ତ୍ର, ଭୂଗୋଳ, ଇତିହାସ ଏବଂ ଆହୁରି ଅନେକ ନୂଆ ନୂଆ ବିଷୟର ପୁସ୍ତକ ଏଠାରେ ଉପଲବ୍ଧ ରହିଛି। କଥା ସାହିତ୍ୟ ବିଭାଗରେ ମଧ୍ୟ ପୁରୁଣା ଶ୍ରେଷ୍ଠ ରଚନା ସହିତ ନୂଆ ଉପନ୍ୟାସ ଏଠାରେ ସାଇତି ରଖାଯାଇଛି। ଅଧିକାଂଶ ପୁସ୍ତକ ହିନ୍ଦୀ ଭାଷାର ହୋଇଥିବା ବେଳେ କିଛି ଇଂରାଜୀ ଓ ସଂସ୍କୃତ ଭାଷାର ପୁସ୍ତକ ମଧ୍ୟ ରହିଛି।
ପଞ୍ଜାବର ଜଣେ ଧାର୍ମିକ ବିଦ୍ୱାନ ହରବଂଶ ସିଂହ ନିର୍ମଳଙ୍କ ମନରେ ଏହି ପାଠାଗାର ପ୍ରତିଷ୍ଠା କରିବା ଲାଗି ବିଚାର ଜନ୍ମ ନେଇଥିଲା। ତାଙ୍କ ବିଷୟରେ କୁହାଯାଏ ଯେ, ସେ ନିଜ ଜୀବନର ୨୫ ବର୍ଷ ଏହି ମନ୍ଦିର ପରିସରରେ ଥିବା ଏକ ଗୁମ୍ଫାରେ ବିତାଇଥିଲେ ଏବଂ ମନ୍ଦିର ତଳେ ଏହି ପାଠାଗାରକୁ ତିଆରି କରିବା ଲାଗି ସେ ଚିନ୍ତା କରିଥିଲେ। ତେବେ ୨୦୧୦ରେ ନିର୍ମଳଙ୍କ ପରଲୋକ ଘଟିଲା କିନ୍ତୁ ଏହାର ବହୁପୂର୍ବରୁ ସେ ଶିକ୍ଷା ଓ ପ୍ରାଣୀକଲ୍ୟାଣ ଉଦ୍ଦେଶ୍ୟରେ ଯଥେଷ୍ଟ ଅର୍ଥରାଶି ସଂଗ୍ରହ କରି କାମ ଆରମ୍ଭ କରି ଦେଇଥିଲେ।
‘‘ସେ ଜଣେ ମାନବବାଦୀ ଥିଲେ। ସବୁ ଧର୍ମର ଗୋଟିଏ ମୌଳିକ ବାର୍ତ୍ତା ରହିଛି: ମନୁଷ୍ୟର ଚର୍ମ ଓ କେଶର ରଙ୍ଗ ଭିନ୍ନ ହୋଇପାରେ, କିନ୍ତୁ ଭିତରୁ ଆମେ ସମସ୍ତେ ଏକ ସମାନ,’’ ଶ୍ରୀ ଜଗଦମ୍ବା ସେବା ସମିତି ନାମରେ ଗଠିତ ନ୍ୟାସର ସମ୍ପାଦକ ଯୁଗଳ କିଶୋର କୁହନ୍ତି। ମନ୍ଦିର ଓ ପାଠାଗାର ପରିଚାଳନାର ଉତ୍ତରଦାୟିତ୍ୱ ଏହି ନ୍ୟାସ ପାଖରେ ରଖିଛି। ନ୍ୟାସ ଦ୍ୱାରା ଗୋଟିଏ ଗୋଶାଳା ମଧ୍ୟ ପରିଚାଳିତ ହୋଇଥାଏ ଯେଉଁଥିରେ ପ୍ରାୟ ୪୦,୦୦୦ ଗାଈ ରୁହନ୍ତି।






















