ନିଜ ଘର ଭିତରେ ଏକ ଚୌକି ଉପରେ ଚୁପ୍ଚାପ୍ ବସି ଗୋମାରାମା ହଜାରେ ଗାଁର ଜନଶୂନ୍ୟ ମୁଖ୍ୟ ସଡ଼କକୁ ଆଡ଼କୁ ଚାହିଁ ନିଜର ସମୟ ଅତିବାହିତ କରିଚାଲିଛନ୍ତି।
ବେଳେବେଳେ ତାଙ୍କ ଅବସ୍ଥା ପଚାରିବାକୁ ଚାଲି ଆସୁଥିବା ପଥଚାରୀଙ୍କ ସହିତ ସେ ସାମାନ୍ୟ କଥା ହୋଇଯାଆନ୍ତି। କିଛି ଦିନ ପୂର୍ବରୁ ଏହି ବ୍ୟକ୍ତି ଜଣଙ୍କ ଦୀର୍ଘଦିନ ଧରି ଅସୁସ୍ଥ ଥିବା ନିଜ ପତ୍ନୀଙ୍କୁ ହରାଇଛନ୍ତି।
ଏପ୍ରିଲ (୨୦୨୪)ର ମଧ୍ୟ ଭାଗ, ଅପରାହ୍ଣ ୫ଟା ବାଜିଛି ଏବଂ ଖୁବ୍ ଗରମ ହେଉଛି। ଉତ୍ତର ଗଡ଼ଚିରୌଲିର ଅରମୋରୀ ତହସିଲର ଘଞ୍ଚ ବାଉଁଶ ଏବଂ ଶାଗୁଆନ୍ ଜଙ୍ଗଲ କୋଳରେ ଥିବା ପଳସଗାଓଁ ଅସାଧାରଣ ରୂପରେ ଶାନ୍ତ ରହିଛି। ଗଡ଼ଚିରୌଲି-ଚିମୁର ଲୋକସଭା କ୍ଷେତ୍ରରେ ଆଉ କିଛିଦିନ ପରେ ମତଦାନ ହେବ। ଏହି ଆସନରେ ବର୍ତ୍ତମାନର ବିଜେପି ସାଂସଦ ଅଶୋକ ନେତେ ପୁଣିଥରେ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ କୌଣସି ଉତ୍ସାହ ନାହିଁ। ପ୍ରକୃତରେ ଗୋଟିଏ ଚିନ୍ତା ରହିଛି।
ବିଗତ ଦୁଇ ମାସ ହେବ ଗୋମାଙ୍କ ପାଖରେ କୌଣସି କାମ ନାହିଁ। ସାଧାରଣତଃ ଏହି ସମୟରେ, ପ୍ରାୟ ୬୦ ବର୍ଷ ବୟସ୍କ ଏହି ଭୂମିହୀନ ଶ୍ରମିକ ଏବଂ ତାଙ୍କ ଭଳି ଆଉ କେତେଜଣ ଲୋକ ମହୁଲ କିମ୍ବା କେନ୍ଦୁ ସଂଗ୍ରହ କରିଥା’ନ୍ତି ଅଥବା ଜଙ୍ଗଲରେ ବାଉଁଶ କାଟନ୍ତି କିମ୍ବା ଜମିରେ କାମ କରୁଥା’ନ୍ତି।
‘‘ଏଥର ନୁହେଁ,’’ ଗୋମା କୁହନ୍ତି। ‘‘ଜୀବନକୁ କିଏ ବାଜି ଲଗେଇବ?’’
ଗୋମା କୁହନ୍ତି, ‘‘ଲୋକମାନେ ନିଜକୁ ଘର ଭିତରେ ବନ୍ଦ କରି ରଖୁଛନ୍ତି।’’ ଦିନରେ ଗରମ ହେଉଛି। ଆପଣ ବାହାରକୁ ଯାଇପାରିବେ ନାହିଁ। ଅଧିକାଂଶ ଗାଁ ଏଭଳି କର୍ଫ୍ୟୁକୁ ନେଇ ଅଭ୍ୟସ୍ତ, କାରଣ ଗଡ଼ଚିରୌଲି ଚାରି ଦଶନ୍ଧି ଧରି ସଶସ୍ତ୍ର ସଂଘର୍ଷକୁ ନେଇ ଚିନ୍ତିତ ରହିଛି। ସୁରକ୍ଷା ବାହିନୀ ଓ ସଶସ୍ତ୍ର ମାଓବାଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମଧ୍ୟରେ ସ୍ଥାନୀୟ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। କିନ୍ତୁ ଏଥର ଭିନ୍ନ ଅତିଥି ଆସିଛନ୍ତି ଯେଉଁମାନେ ଜୀବନ ଓ ଜୀବିକା ପ୍ରତି ପ୍ରତ୍ୟକ୍ଷ ବିପଦ ସୃଷ୍ଟି କରିଛନ୍ତି।
ମୁଖ୍ୟତଃ ମାଈ ଓ ଛୁଆ ହାତୀଙ୍କୁ ନେଇ ୨୩ଟି ଜଙ୍ଗଲୀ ହାତୀଙ୍କ ଗୋଟିଏ ପଲ ପଳସଗାଁଓ ପାଖରେ ଉପସ୍ଥିତ ରହିଛି।
ପାଖାପାଖି ଏକ ମାସ ଧରି ହାତୀ ପଲ ସୁଦୂର ଉତ୍ତର ଛତିଶଗଡ଼ରୁ ଆସି ଏଠାକାର ବୁଦୁବୁଦିଆ ବଣ, ବାଉଁଶ ଜଙ୍ଗଲ ଓ ଧାନ ଫସଲ ଖାଇ ଚାଲିଛନ୍ତି, ଯାହା ଗ୍ରାମବାସୀ ଏବଂ ଜିଲ୍ଲା ଜଙ୍ଗଲ ଅଧିକାରୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ପାଖାପାଖି ଚାରି ବର୍ଷ ବୂର୍ପରୁ, ଏସବୁ ସ୍ତନ୍ୟପାୟୀ ପ୍ରାଣୀ ମହାରାଷ୍ଟ୍ରର ପୂର୍ବ ବିଦର୍ଭ କ୍ଷେତ୍ରରେ ପ୍ରବେଶ କରିଛନ୍ତି କାରଣ ଖଣି ଖନନ ଓ ଜଙ୍ଗଲ ନଷ୍ଟ ଯୋଗୁ ଉତ୍ତରାଞ୍ଚଳରେ ଥିବା ସେମାନଙ୍କର ପ୍ରାକୃତିକ ବାସସ୍ଥଳୀ ଓ କରିଡର ପ୍ରଭାବିତ ହେଉଛି।
ତତ୍କାଳୀନ ‘ଦଣ୍ଡକାରଣ୍ୟ’ର ଅଂଶବିଶେଷ ଥିବା ମହାରାଷ୍ଟ୍ରର ଗୌନ୍ଦିଆ, ଗଡ଼ଚିରୋଲି ଓ ଚନ୍ଦ୍ରପୁର ଏବଂ ଛତିଶଗଡ଼ର ବସ୍ତର ଅତିକ୍ରମ କରି ହାତୀଗୁଡ଼ିକ ଏଠାକୁ ଚାଲି ଆସିଛନ୍ତି। ବିଶେଷଜ୍ଞମାନେ କୁହନ୍ତି, ଏମାନେ ସମ୍ଭବତଃ ଏକ ବଡ଼ ହାତୀପଲରୁ ଅଲଗା ହୋଇ ଏଠାକୁ ଚାଲି ଆସିବା ପରେ ରାଜ୍ୟ ବନ୍ୟପ୍ରାଣୀଙ୍କ ମଧ୍ୟରେ ନୂଆ ସଦସ୍ୟ ଭାବେ ସାମିଲ ହୋଇଯାଇଛନ୍ତି।
ଗଡ଼ଚିରୋଲି ଜିଲ୍ଲାର ଦକ୍ଷିଣ ଭାଗରେ କିଛି ପ୍ରଶିକ୍ଷିତ ହାତୀ ଥିଲେ ଯେଉଁମାନଙ୍କୁ ବନ ବିଭାଗ ସେମାନଙ୍କର ପରିବହନ କାର୍ଯ୍ୟରେ ଲଗାଉଥିଲା, କିନ୍ତୁ ମହାରାଷ୍ଟ୍ରରେ ପୂର୍ବ ଭାଗକୁ ପ୍ରାୟ ଦେଢ଼ ଶତାବ୍ଦୀ କିମ୍ବା ତା’ଠାରୁ ଅଧିକ ଦିନ ପରେ ଜଙ୍ଗଲି ହାତୀ ଫେରିଛନ୍ତି। ପଶ୍ଚିମ ଘାଟରେ ଜଙ୍ଗଲୀ ହାତୀଙ୍କର ଉପସ୍ଥିତି ସାଧାରଣ କଥା।
ଆଗନ୍ତୁକ ଅତିଥିମାନେ ଅନ୍ୟ କୌଣସି ସ୍ଥାନକୁ ଚାଲି ନଯିବା ପର୍ଯ୍ୟନ୍ତ ମୁଖ୍ୟତଃ ଆଦିବାସୀ ପରିବାରକୁ ନେଇ ପଳସଗାଁଓର ବାସିନ୍ଦାମାନଙ୍କୁ ଘରେ ରହିବା ଲାଗି ଜଙ୍ଗଲ ବିଭାଗ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ସେଥିପାଇଁ ୧୪୦୦ ଲୋକସଂଖ୍ୟା (ଜନଗଣନା ୨୦୧୧) ବିଶିଷ୍ଟ ଏହି ଗାଁ ଏବଂ ବିହିରଗାଁଓ ଭଳି ପଡ଼ୋଶୀ ଗ୍ରାମର ଭୂମିହୀନ ଲୋକ ଓ କ୍ଷୁଦ୍ର ଚାଷୀଙ୍କୁ ନିଜର ଜଙ୍ଗଲ ଆଧାରିତ ଜୀବିକା ଛାଡ଼ିବାକୁ ପଡ଼ିଛି।
ରାଜ୍ୟ ଜଙ୍ଗଲ ବିଭାଗ ଫସଲ ପାଇଁ ତୁରନ୍ତ କ୍ଷତିପୂରଣ ଦେଇଥାଏ, କିନ୍ତୁ ଜଙ୍ଗଲ ଜାତ ଉତ୍ପାଦ ପାଇଁ ହେଉଥିବା ଆୟ କ୍ଷତି ପାଇଁ କୌଣସି କ୍ଷତିପୂରଣ ମିଳେ ନାହିଁ।
ଗୋମା କୁହନ୍ତି, ‘‘ଖରାଦିନେ ମୋ ପରିବାରର ସମସ୍ତେ ମହୁଲ ଓ କେନ୍ଦୁ ଉପରେ ନିର୍ଭର କରିଥାଏ।’’
ଆୟର ଏହି ରାସ୍ତା ବନ୍ଦ ହୋଇଯିବା ପରେ, ପଳସଗାଁଓ କେବଳ ଏହି ଆଶାରେ ରହିଛନ୍ତି ଯେ କେବେ ଜଙ୍ଗଲୀ ହାତୀ ଏଠାରୁ ଯିବେ, ଯାହାଫଳରେ ଲୋକମାନଙ୍କୁ ପୁଣିଥରେ କାମକୁ ଫେରିବା ଲାଗି ସୁଯୋଗ ମିଳିପାରିବ।
ଗଡ଼ଚିରୋଲିର ମୁଖ୍ୟ ବନସଂରକ୍ଷକ (ସିସିଏଫ) ଏସ. ରମେଶ କୁମାର କୁହନ୍ତି, ‘‘ହାତୀ ପଲ ଗତ ତିନୋଟି ଗ୍ରୀଷ୍ମ ଋତୁ ଭଳି ଛତିଶଗଡ଼ ଆଡ଼କୁ ଯାଇନାହିଁ। ସମ୍ଭବତଃ ଗୋଟିଏ ମାଈ ହାତୀ କିଛି ଦିନ ପୂର୍ବରୁ ଛୁଆଟିଏ ଜନ୍ମ ଦେଇଛି।’’
ସେ କୁହନ୍ତି, ପଲରେ କିଛି ନବଜାତ ହାତୀ ଛୁଆ ଅଛନ୍ତି। ହାତୀମାନେ ମାତୃସତ୍ତାତ୍ମକ ହୋଇଥା’ନ୍ତି।
ବିଗତ ବର୍ଷ (୨୦୨୩), ଏହି ହାତୀ ପଲ ପଳସଗାଁଓଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ପଡ଼ୋଶୀ ଗୋନ୍ଦିଆ ଜିଲ୍ଲାର ଅର୍ଜୁନୀ ମୋରଗାଁଓ ତହସିଲ ଅନ୍ତର୍ଗତ ୧୧ଟି ଘର ବିଶିଷ୍ଟ ନଙ୍ଗୋଲ-ଦୋହ ପଡ଼ା ଉପରେ ଆକ୍ରମଣ କରି ଦେଇଥିଲା, ଏଠାକାର ଘଞ୍ଚ ଜଙ୍ଗଲରେ ହାତୀମାନେ କିଛି ମାସ ପର୍ଯ୍ୟନ୍ତ ରହିଥିଲେ।
ଭର୍ନୋଲି ଗାଁ ପାଖରେ ଦଖଲ ଜମିରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ବିଜୟ ମଡ଼ାଭି କୁହନ୍ତି, ‘‘ସେଦିନ ରାତିରେ ହାତୀଙ୍କ ଉପଦ୍ରବରୁ ଗୋଟିଏ ହେଲେ କୁଡ଼ିଆ ବର୍ତ୍ତି ପାରିନଥିଲା। ସେମାନେ ଅର୍ଦ୍ଧରାତିରେ ଆସି ଆକ୍ରମଣ କରିଥିଲେ।’’
ସେହି ରାତିରେ ନଙ୍ଗଲ-ଦୋହ ଗ୍ରାମକୁ ଖାଲି କରି ଦିଆଗଲା ଏବଂ ଲୋକମାନଙ୍କୁ ଭର୍ନୋଲି ଜିଲ୍ଲା ପରିଷଦ ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲା ଯେଉଁଠି ସେମାନେ ୨୦୨୩ର ଗ୍ରୀଷ୍ମ ଋତୁ ସମ୍ପୂର୍ଣ୍ଣ କାଟିଥିଲେ। ଖରା ଛୁଟି ପରେ ଯେତେବେଳେ ସ୍କୁଲ ପୁଣିଥରେ ଆରମ୍ଭ ହେଲା, ସେମାନେ ଗାଁର ବାହ୍ୟ ଇଲାକାରେ ଜଙ୍ଗଲ ଜମିକୁ ସଫା କଲେ ଏବଂ ବିନା ବିଦ୍ୟୁତ ଓ ପାଣିରେ ସେଠାରେ ଅସ୍ଥାୟୀ କୁଡ଼ିଆ ନିର୍ମାଣ କଲେ। ମହିଳାମାନେ ଗୋଟିଏ ଜମିରେ ଥିବା କୂଅରୁ ପାଣି ଆଣିବା ଲାଗି କିଛି ମାଇଲ୍ ଦୂରକୁ ଚାଲି ଚାଲି ଯାଆନ୍ତି। କିନ୍ତୁ ସବୁ ଗ୍ରାମବାସୀ ବୁଦୁବୁଦିଆ ଜଙ୍ଗଲ ସଫା କରି ପ୍ରସ୍ତୁତ କରିଥିବା ନିଜର ଛୋଟ ଛୋଟ ଚାଷଜମି ହରାଇ ଦେଇଛନ୍ତି।
‘‘ଆମକୁ କେବେ ଆମ ନିଜର ଘର ମିଳିବ?’’ ଆଉ ଜଣେ ବିସ୍ଥାପିତ ଉଷା ହୋଲି ପଚାରନ୍ତି। ସେମାନେ ଥଇଥାନ ପ୍ୟାକେଜ୍ ଓ ସ୍ଥାୟୀ ଘର ପାଇଁ ଅପେକ୍ଷା କରି ରହିଛନ୍ତି।
ଏହି ତିନି ଜିଲ୍ଲାରେ ହାତୀମାନେ ନିଜର ସ୍ଥାନ ପରିବର୍ତ୍ତନ କରିବା ସହିତ, ଚାଷୀଙ୍କୁ ଫସଲ ଜନିତ କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ, ପୂର୍ବରୁ ସେମାନେ ଏଭଳି ସମସ୍ୟାର ସାମ୍ନା କରିନଥିଲେ।
ଉତ୍ତର ଗଡ଼ଚିରୋଲି ଅଞ୍ଚଳରେ ଗୋଟିଏ ଜଙ୍ଗଲୀ ହାତୀ ପଲଙ୍କୁ ପରିଚାଳନା କରିବାର ଜଟିଳତା ଉପରେ ଆଲୋକପାତ କରି ରମେଶ କୁମାର କୁହନ୍ତି, ଉତ୍ତର ଭାରତରେ ଜନସଂଖ୍ୟାର ଘନତ୍ୱ ଅଧିକ କିନ୍ତୁ ଦକ୍ଷିଣ ଭାରତରେ ଏହାର ବିପରୀତ ଦେଖିବାକୁ ମିଳିଥାଏ। ବଡ଼ ସମସ୍ୟା ହେଉଛି ଫସଲ ନଷ୍ଟ। ଜଙ୍ଗଲୀ ହାତୀ ସନ୍ଧ୍ୟା ସମୟରେ ନିଜର ଅଞ୍ଚଳରୁ ବାହାରି ଆସନ୍ତି ଏବଂ ଛିଡ଼ା ହୋଇଥିବା ଫସଲକୁ ଖାଇବା ସହିତ ସେଗୁଡ଼ିକୁ ଦଳି ଦିଅନ୍ତି।
ଜଙ୍ଗଲ ଅଧିକାରୀଙ୍କ ପାଖରେ କ୍ଷେତ୍ର ସ୍ତରରେ କାମ କରୁଥିବା ତ୍ୱରିତ ପ୍ରତିକ୍ରିୟା ଟ୍ରାକିଂ ଦଳ ଏବଂ ଆଗୁଆ ସତର୍କତା ଦଳ ରହିଛନ୍ତି ଯେଉଁମାନେ ଡ୍ରୋନ୍ ଓ ଥର୍ମାଲ୍ ଇମେଜିଂ ସହାୟତାରେ ୨୪ ଘଣ୍ଟା ଧରି ହାତୀ ପଲଙ୍କୁ ଅନୁସରଣ କରିଥା’ନ୍ତି। ହାତୀମାନେ ଆଗକୁ ବଢ଼ିବା ସମୟରେ ଯେକୌଣସି ସଂଘର୍ଷ କିମ୍ବା ଆକସ୍ମିକ ସଂଘର୍ଷକୁ ଏଡ଼ାଇବା ପାଇଁ ସେମାନେ ଗ୍ରାମବାସୀଙ୍କୁ ସଚେତନ କରିଥା’ନ୍ତି।
ସନ୍ଧ୍ୟାରେ, ପଳସଗାଁଓର ସାତ ଏକର ଜମି ଥିବା ଚାଷୀ ନୀତିନ ମାନେ ଏବଂ ପାଞ୍ଚ ଜଣ ଗ୍ରାମୀଣଙ୍କ ଏକ ଦଳ ରାତିରେ ଜଗିବା ପାଇଁ ହୁଲ୍ଲା ଦଳରେ ସାମିଲ ହୋଇଯାଆନ୍ତି। ବନ ରକ୍ଷକ ଯୋଗେଶ ପଣ୍ଡାରାମଙ୍କ ନେତୃତ୍ୱରେ ସେ ଜଙ୍ଗଲୀ ହାତୀ ଉପରେ ନଜର ରଖିବା ପାଇଁ ବୁଲନ୍ତି। ଜଙ୍ଗଲୀ ହାତୀଙ୍କ ପରିଚାଳନାରେ ଦକ୍ଷ ହୁଲ୍ଲା ଦଳକୁ ସ୍ଥାନୀୟ ଅଧିକାରୀଙ୍କ ସହାୟତା କରିବା ଏବଂ ଏହି ପଲକୁ ପରିଚାଳନା କରିବାରେ ଗାଁର ଯୁବକମାନଙ୍କୁ ପ୍ରଶିକ୍ଷିତ କରିବା ନିମନ୍ତେ ପଶ୍ଚିମବଙ୍ଗରୁ ଆଣି ଏଠାରେ ନିୟୋଜିତ କରାଯାଇଛି। ନୀତିନ କୁହନ୍ତି, ସେ ହାତୀଙ୍କ ଉପରେ ଆକାଶମାର୍ଗରୁ ନଜର ରଖିବା ଲାଗି ଜମିରେ ଦୁଇଟି ଡ୍ରୋନ୍ ନିୟୋଜିତ କରିଥା’ନ୍ତି ଏବଂ ହାତୀଙ୍କ ଅବସ୍ଥିତି ଠାବ କରିବା ପରେ ସେମାନଙ୍କ ଚାରି ପାଖରେ ବୁଲିଥା’ନ୍ତି।
‘‘ଗାଁକୁ ପ୍ରବେଶ କରିବା ଲାଗି ଚେଷ୍ଟା କରିବା ଏବଂ ପ୍ରବେଶ କରୁଥିବା ହାତୀଙ୍କୁ ଘଉଡ଼ାଇବା ପାଇଁ କିଛି ଗ୍ରାମବାସୀ ହୁଲ୍ଲା ଦଳରେ ସାମିଲ ହୋଇଛନ୍ତି,’’ ପଳସଗାଁଓର ପ୍ରଥମ ମହିଳା ସରପଞ୍ଚ ତଥା ଜଣେ ମାନା ଆଦିବାସୀ ଜୟଶ୍ରୀ ଦଡ଼ମଲ କୁହନ୍ତି। ‘‘କିନ୍ତୁ ଏହା ମୋ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି; ଲୋକମାନେ ମୋ ପାଖରେ ହାତୀଙ୍କ ବିଷୟରେ ଅଭିଯୋଗ କରିବାକୁ ଆସୁଛନ୍ତି ଏବଂ ମୋ ଉପରେ ସେମାନଙ୍କର ଅସନ୍ତୋଷ ଝାଡ଼ୁଛନ୍ତି,’’ ସେ କୁହନ୍ତି। ‘‘ହାତୀଙ୍କ ପାଇଁ ମୁଁ କିପରି ଦାୟୀ ହୋଇପାରିବି?’’
ସମସ୍ୟା ହେଉଛି, ପଳସଗାଁଓରେ ସ୍ଥିତି ସ୍ୱାଭାବିକ ହେବା ପରେ ହାତୀମାନେ ଅନ୍ୟ ଯେଉଁ ଗାଁ ପାଖରେ ସେମାନଙ୍କର ଅବସ୍ଥିତି ଜାହିର୍ କରିବେ ସେହି ଗାଁର ଲୋକମାନେ ସମସ୍ୟାରେ ପଡ଼ିଯିବେ। ଜଙ୍ଗଲ ଅଧିକାରୀମାନେ କୁହନ୍ତି ଯେ ଏହି କ୍ଷେତ୍ରକୁ ଜୀବନ ବଞ୍ଚିବାର ନୂଆ ପଦ୍ଧତି ରୂପରେ ଜଙ୍ଗଲୀ ହାତୀଙ୍କ ସହିତ ମୁକାବିଲା କରିବାକୁ ଶିଖିବାକୁ ପଡ଼ିବ।
ଜୟଶ୍ରୀ ଗାଁ ଲୋକଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଥା’ନ୍ତି କାରଣ ତାଙ୍କୁ ମଧ୍ୟ ଚଳିତ ବର୍ଷ ଜଙ୍ଗଲରୁ ମହୁଲ ସଂଗ୍ରହ କରିବା ଛାଡ଼ିବାକୁ ପଡ଼ିଛି। ସେ କୁହନ୍ତି, ‘‘ହାତୀଙ୍କ କାରଣରୁ ଆମେ କେନ୍ଦୁ ପତ୍ର ସଂଗ୍ରହ କରିବାର ସୁଯୋଗ ପାଇବୁ ନାହିଁ।’’ ଦୁଇ ମାସରେ ପ୍ରତ୍ୟେକ ପରିବାରକୁ ଅତିକମରେ ୨୫,୦୦୦ ଟଙ୍କାର କ୍ଷତି ସହିବାକୁ ପଡ଼ିବ, ନିଜ ରୋଜଗାରକୁ ଆଧାର କରି ସେ ଆକଳନ କରିଥା’ନ୍ତି।
‘‘ ପହିଲେଇଚ୍ ମହାଗାଇ ଡୋକ୍ୟାୱର୍ ଆହେ, ଆତା ହାତ୍ତୀ ଆଲେ, କା କରୱେ ଆମ୍ହି ?’’ ଗୋମା ପଚାରନ୍ତି। ‘‘ପୂର୍ବରୁ ଦରଦାମ୍ ସମସ୍ୟା ଥିଲା, ଏବେ ଆମେ ହାତୀମାନଙ୍କ ଯୋଗୁଁ ସମସ୍ୟା ଭୋଗୁଛୁ, ଆମେ କ’ଣ କରିବୁ?’’
କୌଣସି ସହଜ ଉତ୍ତର ନାହିଁ, କେବଳ ଅଧିକ ପ୍ରଶ୍ନ ରହିଛି।
ଏଠାରୁ କିଏ ସଂସଦକୁ ନିର୍ବାଚିତ ହେଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କିଏ ଜଙ୍ଗଲ ଛାଡ଼ି ଯିବ ସେ ହିଁ ବେଶୀ ଗୁରୁତ୍ୱପୂର୍ଣ୍ଣ।
(ଗଡ଼ଚିରୋଲି-ଚିମୁର୍ ଲୋକସଭା ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ସଂରକ୍ଷିତ ଏବଂ ଏଠାରେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ତାରିଖରେ ୭୧.୮୮ ପ୍ରତିଶତ ମତଦାନ ହୋଇଛି।
ଅନୁବାଦ : ଓଡ଼ିଶାଲାଇଭ୍