ମାସେ ଅସହ୍ୟ ତାତି ପରେ, ଶେଷରେ ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳରେ ଶୀତ ପହଞ୍ଚିଥିଲା । ଦାମିନୀ (ବଦଳା ଯାଇଥିବା ନାମ) ରାତି ସିଫ୍ଟ କାମ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଶୀତଳ ପରିବେଶର ଆନନ୍ଦ ନେଉଥିଲେ । ସେ କୁହନ୍ତି, ‘‘ମୁଁ ପିଏସ୍ଓ (ପୋଲିସ୍ ଷ୍ଟେସନ୍ ଅଫିସର) ଡ୍ୟୁଟିରେ ଥିଲି ଏବଂ ଅସ୍ତ୍ରଶସ୍ତ୍ର ଏବଂ ୱାକି ଟକି ପ୍ରଦାନ ଦାୟିତ୍ୱରେ ଥିଲି’’
ଥରେ ରାତି ଡ୍ୟୁଟି ବେଳେ, ଷ୍ଟେସନ ହାଉସ ଅଫିସର ଓରଫ ପୋଲିସ ଇନ୍ସପେକ୍ଟର (SHO / PI) ତାଙ୍କୁ ଥାନା ପରିସରରେ ଥିବା ତାଙ୍କ ସରକାରୀ ଘରୁ ତାଙ୍କ ୱାକି-ଟକି ପାଇଁ ଚାର୍ଜ ହୋଇଥିବା ବ୍ୟାଟେରୀ ଆଣିବାକୁ କହିଥିଲେ। ମଧ୍ୟରାତ୍ରି ପରେ ଏବଂ ଏପରି କାର୍ଯ୍ୟ ପାଇଁ ତାଙ୍କ ଘରକୁ ଡାକିବା, ଯଦିଓ ପ୍ରୋଟୋକଲ୍ ବିରୁଦ୍ଧରେ ଥିଲା, ଏହା ସାଧାରଣ ଘଟଣା ଥିଲା । ଦାମିନୀ କୁହନ୍ତି, ‘‘ଅଧିକାରୀମାନେ ପ୍ରାୟତଃ ଯନ୍ତ୍ରପାତି ଘରକୁ ନେଇଥା’ନ୍ତି ... ଏବଂ ଆମକୁ ଆମର ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପଡ଼େ ।’’
ତେଣୁ, ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ, ଦାମିନୀ ପୋଲିସ ଇନ୍ସପେକ୍ଟରଙ୍କ (ପିଆଇ) ଘରକୁ ଗଲେ ।
ଘର ଭିତରେ ତିନି ଜଣ ଲୋକ ବସିଥିଲେ: ପିଆଇ, ଜଣେ ସାମାଜିକ କର୍ମୀ, ଏବଂ ଏକ ଥାନା କର୍ମଚାରୀ (ଛୋଟ ଅର୍ଦ୍ଧ-ସରକାରୀ କାର୍ଯ୍ୟ ପାଇଁ ଥାନାରେ ନିୟୋଜିତ ସ୍ୱେଚ୍ଛାସେବୀ) । ୨୦୧୭ ମସିହା ନଭେମ୍ବର ମାସର ସେହି ରାତିକୁ ମନେ ପକାଇ କଷ୍ଟ ଅନୁଭବ କରି ଦାମିନୀ କୁହନ୍ତି, "ମୁଁ ସେମାନଙ୍କୁ ଅଣଦେଖା କରି ୱାକି ଟକିର ବ୍ୟାଟେରୀ ବଦଳାଇବା ପାଇଁ କୋଠରୀରେ ଥିବା ଟେବୁଲ ଆଡ଼କୁ ଗଲି ।" ହଠାତ୍ କବାଟ ବନ୍ଦ ହେବା ଶବ୍ଦ ଶୁଣି ସେ ବୁଲିପଡ଼ି ପଛକୁ ଚାହିଁଲେ । “ମୁଁ ରୁମ୍ରୁ ବାହାରି ଯିବାକୁ ଚାହୁଁଥିଲି । ମୁଁ ମଧ୍ୟ ମୋର ସମସ୍ତ ଶକ୍ତି ଲଗାଇ ଚେଷ୍ଟା କଲି, କିନ୍ତୁ ଦୁଇଜଣ ବ୍ୟକ୍ତି ମୋ ହାତକୁ ଚାପି ଧରି ମୋତେ ଖଟ ଉପରେ ଫୋପାଡ଼ି ଦେଲେ ଏବଂ .... ଜଣଙ୍କ ପରେ ଜଣେ ମୋତେ ବଳାତ୍କାର କଲେ ।”
ରାତି ପ୍ରାୟ ସାଢ଼େ ୨ଟା, ଲୁହ ଭିଜା ଆଖିରେ ଟଳମଳ ଅବସ୍ଥାରେ ଦାମିନୀ ଘରୁ ବାହାରକୁ ଆସିଲେ, ତାଙ୍କ ବାଇକରେ ବସି ଘରକୁ ଚାଲି ଆସିଲେ । ସେ କୁହନ୍ତି, “ମୋର ମସ୍ତିଷ୍କ ଶୂନ୍ୟ ହୋଇ ଯାଇଥିଲା । ମୁଁ ଭାବି ଚାଲିଥିଲି… ମୋର କ୍ୟାରିୟର ଏବଂ ମୁଁ କ’ଣ ହାସଲ କରିବାକୁ ଚାହୁଁଥିଲି । ଏବଂ, ବର୍ତ୍ତମାନ କ’ଣ ହେଲା? ”







