୯୭ ବର୍ଷ ବୟସ୍କ ଗାୟକ ଲୋକ୍ଷୀକାନ୍ତୋ ମାହାତୋଙ୍କ ସ୍ୱର ବେଶ ସ୍ପଷ୍ଟ ଓ ଗୁଞ୍ଜରିତ ହୋଇଥାଏ। ପ୍ରଭାବଶାଳୀ ବ୍ୟକ୍ତିତ୍ୱଧାରୀ ଏହି ଜଣେ ରୂପବାନ ପୁରୁଷଙ୍କ ମୁହଁ ହଠାତ୍ ଆପଣଙ୍କୁ ରବୀନ୍ଦ୍ରନାଥ ଟାଗୋରଙ୍କ ଭଳି ଲାଗିବ।
ମାର୍ଚ୍ଚ ୨୦୨୨ରେ ଆମେ ଯେତେବେଳେ ତାଙ୍କୁ ଭେଟିଥିଲୁ ସେ ନିଜର ସବୁଠୁ ପ୍ରିୟ ବନ୍ଧୁ ଠେଲୁ ମାହାତୋଙ୍କ ସହିତ ପଶ୍ଚିମବଙ୍ଗର ପିର୍ରା ଗ୍ରାମରେ ଥିବା ଗୋଟିଏ ବଖୁରିକିଆ ଘରେ ଚାର୍ପାଇ ଉପରେ ବସିଥିଲେ।
ସେତେବେଳେ ଠେଲୁଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। ୨୦୨୩ରେ ତାରଙ୍କର ପରଲୋକ ଘଟିଥିଲା। ପଢ଼ନ୍ତୁ : ଠେଲୁ ମାହାତୋ ଖୋଳିଥିବା କୂଅ
ଠେଲୁ ଦାଦୁ (ଜେଜେ) ସ୍ଥାନୀୟ ଅଞ୍ଚଳର ଶେଷ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଅଶୀ ବର୍ଷ ପୂର୍ବରୁ ସେ ପୁରୁଲିୟା ଜିଲ୍ଲାରେ ଥିବା ଏକ ପୁଲିସ ଥାନା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ। ସେହି ବର୍ଷ ଥିଲା ୧୯୪୨ ଏବଂ ସ୍ଥାନୀୟ ସ୍ତରରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରି ସେ ଏହି ବିଦ୍ରୋହ କରିଥିଲେ।
ଥାନା ଘେରାଉ କରିଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲୁଙ୍କଠାରୁ ବୟସରେ ଛୋଟ ଲୋକ୍ଷୀ ସାମିଲ ହୋଇନଥିଲେ । କାରଣ ଆନ୍ଦୋଳନକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ୧୭ ବର୍ଷର ବୟସ ସୀମାଠାରୁ ତାଙ୍କ ବୟସ ସାମାନ୍ୟ କମ୍ ଥିଲା।
ଠେଲୁ କିମ୍ବା ଲୋକ୍ଷୀ, ଉଭୟଙ୍କ ମଧ୍ୟରୁ କେହି ଚିରାଚରିତ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ନୁହନ୍ତି। ସରକାର ଓ ଉଚ୍ଚ ବର୍ଗର ସମାଜ ଯେପରି ସଂଗ୍ରାମୀଙ୍କ ପରିଚୟ ସୃଷ୍ଟି କରିଛନ୍ତି ତାହା କୌଣସି ପ୍ରତିଫଳନ ଏମାନଙ୍କ ମଧ୍ୟରେ ଦେଖିବାକୁ ମିଳିନଥାଏ। ତା’ଛଡ଼ା ସେମାନେ କେବଳ ଏକମାର୍ଗୀ ଲୋକ ନୁହନ୍ତି ଯେଉଁମାନେ ଖାଲି ଆନ୍ଦୋଳନ ସଂଖ୍ୟା ବଢ଼ାଇ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଉଭୟ ନିଜ ନିଜ ବିଷୟ ଉପରେ ଜ୍ଞାନପୂର୍ବକ କଥା କହିଥାନ୍ତି : ଠେଲୁ ଚାଷ ଓ ସ୍ଥାନୀୟ ଅଞ୍ଚଳର ଇତିହାସକୁ ନେଇ ଏବଂ ଲୋକ୍ଷୀ ସଙ୍ଗୀତ ଓ ସଂସ୍କୃତିକୁ ନେଇ ।


