ଯେତେବେଳେ ଯଶଦୀପ କୌରଙ୍କୁ ଭଲ ପଢ଼ିବା ପାଇଁ ସ୍ମାର୍ଟଫୋନ୍ କିଣିବାର ଆବଶ୍ୟକତା ପଡ଼ିଲା, ତା’ଙ୍କ ମାତାପିତା ତାଙ୍କୁ ୧୦,୦୦୦ ଟଙ୍କା ଉଧାର ଦେଇଥିଲେ। ଉଧାର ସୁଝିବା ପାଇଁ ଏହି ୧୮ ବର୍ଷୀୟା ଯୁବତୀଙ୍କୁ ୨୦୨୩ ଗ୍ରୀଷ୍ମ ଦିନ ଛୁଟିରେ ଧାନ ରୋଇବାକୁ ପଡ଼ିଥିଲା।
ପଞ୍ଜାବର ମୁକ୍ତସର ସାହେବରେ ଏହି ଦଳିତ ଯୁବତୀଙ୍କ ଭଳି ଆହୁରି ଅନେକ ପିଲାଙ୍କୁ ନିଜ ପରିବାରର ଭରଣପୋଷଣ ପାଇଁ କ୍ଷେତରେ କାମ କରିବାକୁ ହୋଇଥାଏ।
‘‘ଆମେ ଖୁସିରେ ଚାଷ ଜମିରେ ମୂଲ ଲାଗିନଥାଉ, ବରଂ ଅସହାୟତା ବଶତଃ ଆମକୁ ଏହା କରିବାକୁ ହୋଇଥାଏ,’’ ଯଶଦୀପ କୁହନ୍ତି। ତାଙ୍କ ପରିବାର ମଜହବୀ ଶିଖ ସମ୍ପ୍ରଦାୟର ହୋଇଥିବା ବେଳେ ପଞ୍ଜାବରେ ସେମାନେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ଅଟନ୍ତି। ଏହି ସମ୍ପ୍ରଦାୟର ଅଧିକାଂଶ ଲୋକଙ୍କ ପାଖରେ ଚାଷ ଜମି ନଥିବାରୁ ସେମାନେ ଉଚ୍ଚ ଜାତିର ଚାଷୀଙ୍କ ଜମିରେ ମୂଲ ଲାଗିଥାନ୍ତି।
ତାଙ୍କ ବାପାମା’ ତାଙ୍କୁ ଯେଉଁ ଟଙ୍କା ଦେଇଥିଲେ ତାହା ସେମାନେ ମାଇକ୍ରୋଫାଇନାନ୍ସ କମ୍ପାନୀଠାରୁ ଗାଈ କିଣିବାକୁ ଆଣିଥିବା ୩୮,୦୦୦ ଟଙ୍କା ଋଣରୁ ଦେଇଥିଲେ। ଲିଟର ପିଛା ୪୦ ଟଙ୍କାରେ କ୍ଷୀର ବିକିଲେ ଘର ଖର୍ଚ୍ଚରେ ସହାୟତା ମିଳିବ। ଶ୍ରୀ ମୁକ୍ତସର ସାହେବ ଜିଲ୍ଲାରେ ଥିବା ଖୁଣ୍ଡେ ହଲାଲ ଗ୍ରାମରେ ରୋଜଗାର ସୁଯୋଗ ସୀମିତ- ଏଠାକାର ୩୩ ପ୍ରତିଶତ ଲୋକ କୃଷି ଶ୍ରମିକ ଭାବେ କାମ କରିଥାନ୍ତି।
ଯଶଦୀପ ଯେତେବେଳେ ଜୁନ ମାସରେ କଲେଜ ପରୀକ୍ଷା ଦେଇଥିଲେ, ଏହି ସ୍ମାର୍ଟଫୋନ୍ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା - ଧାନ ଜମିରେ ମୂଲ ଲାଗିବା ପରେ ଯେଉଁ ୨ ଘଣ୍ଟା ବିଶ୍ରାମ ମିଳିଥିଲା ସେଥିରେ ସେ ଅନଲାଇନ୍ ପରୀକ୍ଷା ଦେଇଥିଲେ। ‘‘ମୁଁ କାମ ଛାଡ଼ିବାର ବିପଦ ମୁଣ୍ଡାଇ ପାରିବି ନାହିଁ। ମୁଁ ଯେଉଁଦିନ କଲେଜ୍ ଯିବି ସେଦିନ ମୋର ବେତନ କଟିଯିବ,’’ ସେ କହିଥାନ୍ତି।



















