ଶଶି ରୂପେଜା ପୂରାପୂରି ନିଶ୍ଚିତ ନୁହଁନ୍ତି, ଅଥଚ ସେ ଭାବନ୍ତି ଯେ, ସେତେବେଳେ ହିଁ ସେ ତାଙ୍କ (ବର୍ତ୍ତମାନ) ସ୍ୱାମୀଙ୍କୁ ଚକିତ କରାଇ ଦେଲେ, ଯେତେବେଳେ ତାଙ୍କ ନଜର ଶଶିଙ୍କ ଛୁଞ୍ଚିବୁଣା କାମ ଉପରେ ପଡ଼ିଥିଲା । “ସେ ମୋତେ ଫୁଲକାରୀ ସୂତାକାମ କରୁଥିବାର ଦେଖିଥିବେ ଏବଂ ମୁଁ ଯେ କଠିନ ପରିଶ୍ରମ କରୁଛି ବୋଲି ନିଶ୍ଚିତ ଭାବିଥିବେ,” ବିଗତ ଦିନର ସୁଖଦ ସ୍ମୃତିକୁ ମନେ ପକାଇ ହସିହସି କହନ୍ତି ଶଶି, ତାଙ୍କ ହାତରେ ଥାଏ ଅଧା କାମ ସରିଥିବା ଏକ ଫୁଲକାରୀ

ପଞ୍ଜାବରେ ଶୀତଋତୁର ଏକ ଶୀତଳ ଦିବସ ଏବଂ ଶଶି ଓ ତାଙ୍କ ବାନ୍ଧବୀ ବିମଲା, ତାଙ୍କ ଘର ବାହାରେ ବସି ଶୀତଦିନିଆ କୋମଳ ଖରାକୁ ଉପଭୋଗ କରୁଥିଲେ । ନିତିଦିନିଆ ଜୀବନ ଜଞ୍ଜାଳ ସଂପର୍କରେ ଗପ ସପ ଚାଲିଥିବା ବେଳେ ବି ସେମାନଙ୍କ ହାତ କାମରେ ବ୍ୟସ୍ତ ରହିଥିଲା । କିନ୍ତୁ, କେତେବେଳେ ବି ହାତରେ ଧରିଥିବା ମୁନିଆଁ ଛୁଞ୍ଚି ଉପରୁ ସେମାନଙ୍କ ନଜର ହଟୁ ନଥିଲା । ରଙ୍ଗୀନ ସୂତା ଲାଗିଥିବା ଛୁଞ୍ଚି ଦେଇ ସେମାନେ କପଡ଼ା ଉପରେ ବୁଣି ଚାଲିଥିଲେ ଫୁଲକାରୀ ର କାରୁକାର୍ଯ୍ୟପୂର୍ଣ୍ଣ ଆକୃତି ।

“ଦିନ ଥିଲା, ଏଠାକାର ସବୁ ପରିବାରର ମହିଳାମାନେ ଫୁଲକାରୀ ଏମ୍ବ୍ରୋଡରି କାମ କରୁଥିଲେ,” ଲାଲ ରଙ୍ଗର ଏକ ଦୁପଟ୍ଟା ଉପରେ ସେ କରିଥିବା ଫୁଲ ଉପରେ ଅତି ଯତ୍ନରେ ଆଉ ଥରେ ସିଲେଇ କରୁ କରୁ କହନ୍ତି ପାଟିଆଲା ସହରର ଏହି ୫୬ ବର୍ଷୀୟା ବାସିନ୍ଦା ଜଣକ ।

ଫୁଲକାରୀ ହେଉଛି କପଡ଼ା ଉପରେ ଫୁଲର ଆକାର ସଜେଇବାର ଏମ୍ବ୍ରୋଡରି ବା ଛୁଞ୍ଚିରେ ବୁଣିବାର ଏକ କଳା ଯାହାକୁ ସାଧାରଣତଃ ଦୁପଟ୍ଟା, ସାଲୱାର କମିଜ୍‌ ଏବଂ ଶାଢ଼ି ଭଳି ପୋଷାକପତ୍ର ଉପରେ ବୁଣାଯାଇଥାଏ । ଖୋଦେଇ କରାଯାଇଥିବା କାଠର ବ୍ଲକ୍‌ ବା ଢାଞ୍ଚା ସହାୟତାରେ ପ୍ରଥମେ ଏହି ଫୁଲର ଡିଜାଇନକୁ କାଳିରେ ଚିହ୍ନିତ କରାଯାଏ । ତା’ପରେ କାରିଗରମାନେ ଏହି ଚିହ୍ନ ଭିତରେ ଓ ଚାରିପଟେ ରଙ୍ଗିନ ରେଶମ ଓ କପାସୂତାରେ ଏମ୍ବ୍ରୋଡରି କରନ୍ତି । ରଙ୍ଗିନ ସୂତାଗୁଡ଼ିକ ପାଟିଆଲା ସହରରୁ ଅଣାଯାଇଥାଏ ।

PHOTO • Naveen Macro
PHOTO • Naveen Macro

ଶଶି ରୂପେଜା (ଚଷମା ପିନ୍ଧିଛନ୍ତି) ତାଙ୍କ ବାନ୍ଧବୀ ବିମଲାଙ୍କ ସହିତ ଗୋଟିଏ କପଡ଼ା ଖଣ୍ଡ ଉପରେ ଫୁଲକାରୀ କାମରେ ଲାଗିଛନ୍ତି

PHOTO • Naveen Macro
PHOTO • Naveen Macro

ଫୁଲକାରୀ ହେଉଛି ଅତି ଆକର୍ଷଣୀୟ ରଙ୍ଗିନ ସୂତାରେ ଏମ୍ବ୍ରୋଡରି କରି ଫୁଲର ବିଭିନ୍ନ ଡିଜାଇନ ପ୍ରସ୍ତୁତ କରିବା । ପ୍ରଥମେ ବିଭିନ୍ନ ଆକୃତି ଖୋଦେଇ କରାଯାଇଥିବା କାଠର ବ୍ଲକ୍‌ ଓ କାଳି ବ୍ୟବହାର କରି କପଡ଼ା ଉପରେ ଡିଜାଇନ୍‌ର ଚିହ୍ନ ଦିଆଯାଏ (ଡାହାଣ)

“ଆମର ଏହି ଅଞ୍ଚଳ ତ୍ରିପୁରୀ ଫୁଲକାରୀ କାମ ପାଇଁ ସର୍ବଦା ପ୍ରସିଦ୍ଧ,” ପାଖାପାଖି ଚାରି ଦଶନ୍ଧି ତଳେ ବିବାହ କରିବା ପରେ ପଡ଼ୋଶୀ ରାଜ୍ୟ ହରିଆଣାରୁ ପଞ୍ଜାବର ପାଟିଆଲା ଜିଲ୍ଲାକୁ ଆସିଥିବା ଶଶି କହନ୍ତି । “ତ୍ରିପୁରୀରେ ମହିଳାମାନଙ୍କର ଏହି କାମ ଦେଖି ଦେଖି ମୁଁ ଏହି କୌଶଳ ଶିଖିଲି ।” ଏହି ଅଞ୍ଚଳରେ ବିବାହ କରିଥିବା ତାଙ୍କ ଭଉଣୀଙ୍କ ଘରକୁ ଆସିଥିବା ବେଳେ ଶଶି ପ୍ରଥମେ ଏହି ଫୁଲକାରୀ କାରିଗରୀ ପ୍ରତି ଆକୃଷ୍ଟ ହୋଇଥିଲେ । ସେତେବେଳେ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା, ଏବଂ ବର୍ଷକ ପରେ ସେ ଏଠାକାର ଜଣେ ସ୍ଥାନୀୟ ବାସିନ୍ଦା ବିନୋଦ କୁମାରଙ୍କୁ ବିବାହ କରିଥିଲେ ।

ଏହି କାରିଗରୀ ପାଇଁ ପଞ୍ଜାବ, ହରିଆଣା ଓ ରାଜସ୍ଥାନକୁ ୨୦୧୦ରେ ଭୌଗୋଳିକ ସଙ୍କେତ ବା ‘ଜିଓଗ୍ରାଫିକାଲ ଇଣ୍ଡିକେସନ୍‌’ (ଜିଆଇ) ଟ୍ୟାଗ୍‌ ମିଳିଥିଲା ଏବଂ ଘରେ ରହି କାମ କରିବାକୁ ଚାହୁଁଥିବା ଏ ଅଞ୍ଚଳର ମହିଳାମାନେ ଏହି କାମ କରିବା ସାଧାରଣ କଥା । ସାଧାରଣତଃ ସେମାନେ ୨୦ରୁ ୫୦ ଜଣ କାରିଗରଙ୍କୁ ନେଇ ଏକ ସମୂହ ଗଠନ କରନ୍ତି ଏବଂ କମିଶନ ଭିତ୍ତିରେ ମିଳୁଥିବା ଏମ୍ବ୍ରୋଡରି କାମକୁ ନିଜ ନିଜ ଭିତରେ ବାଣ୍ଟି ନିଅନ୍ତି ।

“ଆଜିକାଲି, ଅଳ୍ପ କେଇ ଜଣ ମାତ୍ର ହାତରେ ଫୁଲକାରୀ କାମ କରୁଛନ୍ତି,” ଶଶି କହନ୍ତି । ଶସ୍ତାରେ ହେଉଥିବା ମେସିନ୍‌ ଏମ୍ବ୍ରୋଡରି କାମ ବ୍ୟାପିଗଲାଣି । ଏମିତି କି ଏହି କାରିଗରୀ କାମରେ ବଜାର ଭରି ଯାଇଛି । ତ୍ରିପୁରୀର ମୁଖ୍ୟ ବଜାରରେ ଏମିତି ଅସଂଖ୍ୟ ଦୋକାନ ରହିଛି, ଯେଉଁଠି ଫୁଲକାରୀ ପୋଷାକ ବିକ୍ରି କରାଯାଉଛି ।

ଏହି କାରିଗରୀରୁ ପ୍ରଥମ ରୋଜଗାର କରିବା ସମୟରେ ଶଶିଙ୍କୁ ୨୩ ବର୍ଷ ହୋଇଥିଲା । ସେ ୧୦ ସେଟ୍‌ ସାଲୱାର କମିଜ୍‌ କିଣି ସେଥିରେ ଏମ୍ବ୍ରୋଡରି କରି ସ୍ଥାନୀୟ ଗ୍ରାହକମାନଙ୍କୁ ବିକ୍ରି କରିଥିଲେ ଏବଂ ସେଥିରୁ ମୋଟ ୧,୦୦୦ ଟଙ୍କା ରୋଜଗାର କରିଥିଲେ । କଷ୍ଟକର ସମୟରେ ତାଙ୍କ ପରିବାରକୁ ସାହା ହୋଇଛି ଫୁଲକାରୀ ଏମ୍ବ୍ରୋଡରି କାମ, ଶଶି କହନ୍ତି –“ପିଲାଙ୍କ ପାଠପଢ଼ା ବ୍ୟତୀତ ଆହୁରି ଅନେକ ଖର୍ଚ୍ଚ ରହିଛି ।”

ଚନ୍ନନ ଦି ଫୁଲକାରୀ ଫିଲ୍ମ ଦେଖନ୍ତୁ

ଶଶିଙ୍କ ସ୍ୱାମୀ ଜଣେ ଦରଜି ଥିଲେ ଏବଂ ଶଶି କାମ ଆରମ୍ଭ କରିବା ସମୟରେ ସେ ତାଙ୍କ ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେଉଥିଲେ । ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଗଲା ଏବଂ ସେ କମ୍‌ କାମ କରିବାକୁ ବାଧ୍ୟ ହେଲେ, ଦାୟିତ୍ୱ ନେବାକୁ ଆଗେଇ ଆସିଲେ ଶଶି । “ଯେତେବେଳେ ମୋ ସ୍ୱାମୀ ତୀର୍ଥଯାତ୍ରା କରି ଆସିଲେ, ମୁଁ ତାଙ୍କ ଦରଜି ଦୋକାନର ରୂପ ବଦଳାଇ ଦେଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ,” କେମିତି ସେ ତାଙ୍କ ସିଲେଇ ମେସିନ୍‌କୁ ବାହାର କରି ସେହି ସ୍ଥାନରେ ସୂତା ଓ ଡିଜାଇନ୍‌ ଚିହ୍ନ କରିବା ଲାଗି କାଠ ତିଆରି ବ୍ଲକ୍‌ ରଖିଦେଇଥିଲେ ବୋଲି ସେ ସମୟର କଥା ମନେ ପକାଇ ଶଶି କହନ୍ତି । ସେ ସଞ୍ଚି ରଖିଥିବା ୫,୦୦୦ ଟଙ୍କାରେ ଏ ସବୁ କାମ ସଂପନ୍ନ କରିଥିଲେ ।

ନିଜେ ତିଆରି କରିଥିବା ଫୁଲକାରୀ -ବୁଣାକାମ ସାମଗ୍ରୀ ବିକ୍ରି କରିବା ଲାଗି ପାଟିଆଲା ସହରର ଲାହୋରି ଗେଟ୍‌ ଭଳି ବ୍ୟସ୍ତତାପୂର୍ଣ୍ଣ ଅଞ୍ଚଳକୁ ଯାଉଥିବା କଥା ମନେ ପକାନ୍ତି ଏହି ନିର୍ଭୀକ ଏମ୍ବ୍ରୋଡରି କାରିଗର ଜଣକ । ଏମିତି କି, ଘରକୁ ଘର ବୁଲି ନିଜ ତିଆରି ଜିନିଷ ବିକିବା ଲାଗି ଟ୍ରେନ୍‌ରେ ୫୦ କିଲୋମିଟର ଦୂର ଅମ୍ବାଲା ଜିଲ୍ଲାକୁ ସେ ଯାଉଥିଲେ । ସେ କହନ୍ତି, “ମୋ ସ୍ୱାମୀଙ୍କ ସହିତ ମିଶି ମୁଁ ଯୋଧପୁର, ଜୟସାଲମେର ଓ କର୍ନାଲରେ ଫୁଲକାରୀ ପୋଷାକପତ୍ରର ପ୍ରଦର୍ଶନୀ ଆୟୋଜନ କରୁଥିଲି ।” ପରିଶେଷରେ, ଏଭଳି କାର୍ଯ୍ୟବ୍ୟସ୍ତତା ଯୋଗୁଁ କ୍ଳାନ୍ତ ହୋଇ ସେ ବିକ୍ରିବଟାରୁ ଦୂରେଇ ଗଲେ ଏବଂ ଏବେ କେବଳ ସଉକ୍‌ରେ ଯାହା ଏମ୍ବ୍ରୋଡରି  କାମ କରୁଛନ୍ତି । ଏବେ ତାଙ୍କ ପୁଅ, ୩୫ ବର୍ଷୀୟ ଦୀପାଂଶୁ ରୂପେଜା ଫୁଲକାରୀ ପୋଷାକପତ୍ର ବ୍ୟବସାୟ ଚଳାଉଛନ୍ତି ଏବଂ ସମଗ୍ର ପାଟିଆଲାର ବିଭିନ୍ନ ସ୍ଥାନରେ ରହୁଥିବା କାରିଗରମାନଙ୍କ ସହ କାମ କରୁଛନ୍ତି ।

“ମେସିନ୍‌-ଏମ୍ବ୍ରୋଡରିର ଆଗମନ ସତ୍ତ୍ୱେ ହାତକାମ କରାଯାଇଥିବା ଫୁଲକାରୀ ପୋଷାକର ଚାହିଦା ବେଶ୍‌ ଅଧିକ ରହିଛି,” ଦୀପାଂଶୁ ମତ ଦିଅନ୍ତି । ସୂକ୍ଷ୍ମ କାରୁକାର୍ଯ୍ୟ ବ୍ୟତୀତ, ଉଭୟ ଶୈଳୀର ଦରଦାମ୍‌ ମଧ୍ୟ ଭିନ୍ନ ଭିନ୍ନ । ଗୋଟିଏ ହାତକାମ କରାଯାଇଥିବା ଫୁଲକାରୀ ଦୁପଟ୍ଟା ୨,୦୦୦ ଟଙ୍କାରେ ବିକ୍ରି କରାଯାଏ, ହେଲେ ମେସିନ୍‌-ତିଆରି ହୋଇଥିଲେ ଏହା ୫୦୦ରୁ ୮୦୦ ଟଙ୍କାରେ ବିକ୍ରି ହୋଇଥାଏ ।

“ଏମ୍ବ୍ରୋଡରି କରାଯାଇଥିବା ଫୁଲର ସଂଖ୍ୟା ଏବଂ ଡିଜାଇନ୍‌ର ଜଟିଳତା ଭିତ୍ତିରେ ଆମେ ପାଉଣା ଦେଇଥାଉ,” ଦୀପାଂଶୁ ବୁଝାଇ ଦିଅନ୍ତି । ଏହା ମଧ୍ୟ କାରିଗରଙ୍କ ଦକ୍ଷତା ଉପରେ ନିର୍ଭର କରେ – ଫୁଲ ପିଛା ୩ ଟଙ୍କାରୁ ଆରମ୍ଭ କରି ୧୬ ଟଙ୍କା ପର୍ଯ୍ୟନ୍ତ ପାଉଣା ସ୍ଥିର କରାଯାଏ ।

ଦୀପାଂଶୁ ଯେଉଁ କାରିଗରମାନଙ୍କ ସହିତ କାମ କରନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ୫୫ ବର୍ଷୀୟା ବଲୱିନ୍ଦର କୌର । ପାଟିଆଲା ଜିଲ୍ଲାର ମିୟାଲ ଗାଁ ନିବାସୀ ବଲୱିନ୍ଦର, ତାଙ୍କ ଗାଁରୁ ପ୍ରାୟ ୩୦ କିଲୋମିଟର ଦୂର ତ୍ରିପୁରୀରେ ଥିବା ଦୀପାଂଶୁଙ୍କ ଦୋକାନକୁ ପ୍ରତି ମାସରେ ୩-୪ ଥର ଆସିଥାଆନ୍ତି । ସେଠାରୁ ସେ ସୂତା ଓ ଫୁଲକାରୀ ଡିଜାଇନ୍‌ ପାଇଁ କାଳି ଚିହ୍ନ ଦିଆଯାଇଥିବା ପୋଷାକ ପରିଚ୍ଛଦ ନେଇ ସେହି ସବୁ ଚିହ୍ନ ଉପରେ ଏମ୍ବ୍ରୋଡରି କାମ କରନ୍ତି ।

PHOTO • Naveen Macro
PHOTO • Naveen Macro

ସ୍ୱାମୀଙ୍କ ସହିତ ମିଶି ଶଶି ରୂପେଜା ଯୋଧପୁର, ଜୟସାଲମେର ଓ କର୍ନାଲରେ ଫୁଲକାରୀ ପୋଷାକର ପ୍ରଦର୍ଶନୀ ଆୟୋଜନ କରୁଥିଲେ । ଏବେ ତାଙ୍କ ପୁଅ ଦୀପାଂଶୁ (ବାମ) ତାଙ୍କ ବ୍ୟବସାୟ ଚଳାଉଛନ୍ତି

PHOTO • Naveen Macro
PHOTO • Naveen Macro

ବଲୱିନ୍ଦର କୌର, ଜଣେ ପୋଖତ ଫୁଲକାରୀ କାରିଗର ଏବଂ ଗୋଟିଏ ସା ଲୱାର କମିଜ୍‌ ଉପରେ ଶହେଟି ଫୁଲ ଏମ୍ବ୍ରୋଡରି କରିବା ଲାଗି ତାଙ୍କୁ ମାତ୍ର ଦୁଇ ଦିନ ଲାଗେ

ବଲୱିନ୍ଦର ଜଣେ ପୋଖତ କାରିଗର ଏବଂ ଗୋଟିଏ ସାଲୱାର କମିଜ୍‌ ଉପରେ ସେ ମାତ୍ର ଦୁଇ ଦିନରେ ୧୦୦ଟି ଫୁଲ ଏମ୍ବ୍ରୋଡରି କରିପାରନ୍ତି । “ମୋତେ କେହି ଆନୁଷ୍ଠାନିକ ଭାବରେ ଫୁଲକାରୀ ବୁଣାକାମ ଶିଖାଇ ନାହାନ୍ତି,” ୧୯ ବର୍ଷ ବୟସରୁ ଏହି କାମ କରିଆସୁଥିବା ବଲୱିନ୍ଦର କହନ୍ତି । “ମୋ ପରିବାର ପାଖରେ କୌଣସି ଜମି ନାହିଁ କି ଆମ ପାଖରେ ସରକାରୀ ଚାକିରି ନାହିଁ,” ତିନିଟି ସନ୍ତାନର ମାଆ ବଲୱିନ୍ଦର କହନ୍ତି । ତାଙ୍କ ସ୍ୱାମୀ ଥିଲେ ଜଣେ ଦିନ ମଜୁରିଆ ଏବଂ ପ୍ରଥମେ ସେ କାମ ଆରମ୍ଭ କରିବା ସମୟରେ ତାଙ୍କ ସ୍ୱାମୀ ବେକାର ଥିଲେ ।

ବଲୱିନ୍ଦର ମନେ ପକାନ୍ତି ଯେ ତାଙ୍କ ମାଆ କହୁଥିଲେ, “ ହୁଁ ଜୋ ତେରି କିସ୍‌ମତ ହୈ ତେନୁ ମିଲ ଗେୟା ହୈ । ହୁଁ କୁଝ ନା କୁଝ କର, ତେ ଖା (ଯାହା ତୋ ଭାଗ୍ୟରେ ଥିଲା ତାହା ହିଁ ମିଳିଲା । ଏବେ ତୁ କିଛି କାମ କର ଏବଂ ନିଜକୁ ନିଜେ ଖାଇବାକୁ ଦେ) ।” ତାଙ୍କର କେତେକ ପରିଚିତ ମହିଳା ଫୁଲକାରୀ ଏମ୍ବ୍ରୋଡରି କରିବା ପାଇଁ ତ୍ରିପୁରୀର ପୋଷାକ ବିକ୍ରେତାଙ୍କ ପାଖରୁ ଥୋକରେ ବରାଦ ନେଉଥିଲେ । “ମୁଁ ସେମାନଙ୍କୁ କହିଲି ଯେ ମୋର ଟଙ୍କା ଦରକାର ଏବଂ ସେମାନେ ମୋତେ ଗୋଟିଏ ଦୁପଟ୍ଟା ଏମ୍ବ୍ରୋଡରି କରିବାକୁ ଦେବେ କି ବୋଲି ପଚାରିଲି । ସେମାନେ ଦେଲେ ।”

ପ୍ରଥମେ ପ୍ରଥମେ ଯେତେବେଳେ ବଲୱିନ୍ଦର ଫୁଲକାରୀ କାମ କରିବାକୁ ବରାଦ ନେବାକୁ ଗଲେ, ଦୋକାନୀମାନେ ତାଙ୍କ ପାଖରୁ ଅମାନତ ଜମା ଚାହିଁଲେ । ଅନେକ ସମୟରେ ତାଙ୍କୁ ୫୦୦ ଟଙ୍କା ଭଳି ବଡ଼ ଆକାରର ଅମାନତ ଜମା ଦେବାକୁ ପଡୁଥିଲା । କିନ୍ତୁ ଖୁବ୍‌ ଶୀଘ୍ର, “ମୋ ଦକ୍ଷତା ଉପରେ ବିକ୍ରେତାମାନେ ଭରସା କରି ବସିଲେ,” ବଲୱିନ୍ଦର କହନ୍ତି ଏବଂ କଥା ଯୋଡ଼ନ୍ତି ଯେ, ଆଜିକାଲି ତ୍ରିପୁରୀର ସବୁ ବଡ଼ ବଡ଼ ଫୁଲକାରୀ ପୋଷାକ ବିକ୍ରେତା ତାଙ୍କୁ ଜାଣିଛନ୍ତି । “କାମର ଅଭାବ ନାହିଁ,” ସେ କହନ୍ତି । ତାଙ୍କ କହିବା ଅନୁସାରେ ଏମ୍ବ୍ରୋଡରି କରିବା ଲାଗି ତାଙ୍କୁ ପ୍ରତି ମାସରେ ପ୍ରାୟ ୧୦୦ଟି ପୋଷାକ ମିଳୁଛି । ଏମିତି କି ସେ ଫୁଲକାରୀ କାରିଗରମାନଙ୍କର ଏକ ସମୂହ ଗଠନ କରିଛନ୍ତି ଏବଂ ଅନେକ ସମୟରେ ତାଙ୍କୁ ମିଳୁଥିବା କାମ ସେମାନଙ୍କୁ ଦେଇ ଦିଅନ୍ତି । “ମୁଁ କାହାରି ଉପରେ ନିର୍ଭର କରିବାକୁ ଚାହେଁ ନାହିଁ,” ସେ କହନ୍ତି ।

ଆଜିକୁ ୩୫ ବର୍ଷ ତଳେ ଯେତେବେଳେ ସେ କାମ ଆରମ୍ଭ କଲେ, ଗୋଟିଏ ଦୁପଟ୍ଟାରେ ଏମ୍ବ୍ରୋଡରି କରି ସେ ୬୦ ଟଙ୍କା ରୋଜଗାର କରୁଥିଲେ । ଏବେ ସେ ଗୋଟିଏ ସୂକ୍ଷ୍ମ ବୁଣାକାମ ଲାଗି ପ୍ରାୟ ୨,୫୦୦ ଟଙ୍କା ରୋଜଗାର କରୁଛନ୍ତି । ବଲୱିନ୍ଦରଙ୍କ ହାତରେ ଏମ୍ବ୍ରୋଡରି କରିଥିବା କେତେକ ପୋଷାକକୁ ବିଦେଶ ଯାତ୍ରା କରୁଥିବା ଲୋକେ ଉପହାର ରୂପରେ ନେଇଯାଉଛନ୍ତି । “ମୋ କାମ ଅନେକ ଦେଶକୁ ଯାତ୍ରା କଲାଣି – ଆମେରିକା, କାନାଡା । ମୁଁ ନିଜେ ନ ଯାଇଥିଲେ ବି ମୋ କାମ ବିଦେଶକୁ ଯାଉଥିବା କଥା ଜାଣିଲେ ମୋତେ ଭଲ ଲାଗେ,” ଗର୍ବରେ କହନ୍ତି ସେ ।

ଏହି ଆଲେଖ୍ୟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF) ଦ୍ୱା ରା ପ୍ରଦତ୍ତ ଏକ ଫେଲୋସିପ୍‌ର ସହାୟତା ରହିଛି

ଅନୁବାଦ : ଓଡ଼ିଶାଲାଇଭ୍‍

Sanskriti Talwar

ਸੰਸਕ੍ਰਿਤੀ ਤਲਵਾਰ, ਨਵੀਂ ਦਿੱਲੀ ਅਧਾਰਤ ਇੱਕ ਸੁਤੰਤਰ ਪੱਤਰਕਾਰ ਹਨ ਅਤੇ ਸਾਲ 2023 ਦੀ ਪਾਰੀ ਐੱਮਐੱਮਐੱਫ ਫੈਲੋ ਵੀ ਹਨ।

Other stories by Sanskriti Talwar
Naveen Macro

ਨਵੀਨ ਮੈਕਰੋ, ਦਿੱਲੀ ਅਧਾਰਤ ਇੱਕ ਸੁਤੰਤਰ ਫ਼ੋਟੋ-ਪੱਤਰਕਾਰ ਅਤੇ ਡਾਕਿਊਮੈਂਟਰੀ ਫ਼ਿਲਮ ਮੇਕਰ ਵੀ ਹਨ। ਉਹ ਸਾਲ 2023 ਦੇ ਪਾਰੀ ਐੱਮਐੱਮਐੱਫ ਫੈਲੋ ਵੀ ਹਨ।

Other stories by Naveen Macro
Editor : Dipanjali Singh

ਦਿਪਾਂਜਲੀ ਸਿੰਘ, ਪੀਪਲਜ਼ ਆਰਕਾਈਵ ਆਫ਼ ਰੂਰਲ ਇੰਡੀਆ ਵਿਖੇ ਸਹਾਇਕ ਸੰਪਾਦਕ ਹਨ। ਉਹ ਪਾਰੀ ਲਾਈਬ੍ਰੇਰੀ ਵਾਸਤੇ ਦਸਤਾਵੇਜਾਂ ਦੀ ਖੋਜ ਕਰਨ ਤੇ ਇਕੱਠੇ ਕਰਨ ਵਿੱਚ ਵੀ ਯੋਗਦਾਨ ਪਾਉਂਦੀ ਹਨ।

Other stories by Dipanjali Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE