“ମୁଁ ୧୦୮କୁ (ଆମ୍ବୁଲାନ୍ସ ସେବା ପାଇଁ) ବାରମ୍ବାର ଫୋନ୍ କଲି। ଏହି ଲାଇନ ବ୍ୟସ୍ତ ନଚେତ ଅପହଞ୍ଚ ରହୁଥିଲା।’’ ତାଙ୍କ ସ୍ତ୍ରୀ ପରିସ୍ରାନଳୀ ସଂକ୍ରମଣରୁ କଷ୍ଟ ପାଉଥିଲେ ଓ ଚିକିତ୍ସା ସତ୍ତ୍ୱେ ତାଙ୍କ ଅବସ୍ଥା ସଂକଟାପନ୍ନ ହେଉଥିଲା। ରାତି ହେଇ ଯାଇଥିଲା ଓ ତାଙ୍କ କଷ୍ଟ ବଢୁଥିଲା। ତାଙ୍କ ଚିକିତ୍ସା ପାଇଁ ଗଣେଶ ପାହାଡ଼ିୟା ହତାଶ ହେଉଥିଲେ।
“ଶେଷକୁ ସାହାଯ୍ୟ ପାଇବା ଆଶାରେ ମୁଁ ସ୍ଥାନୀୟ ମନ୍ତ୍ରୀଙ୍କ ସହଯୋଗୀଙ୍କ ନିକଟରେ ପହଁଚିଲି। ନିର୍ବାଚନ ପ୍ରଚାର ବେଳେ ସେ ଆମକୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ”, ଗଣେଶ ମନେ ପକାଇଲେ। ସେହି ସହଯୋଗୀ ଜଣକ ମନ୍ତ୍ରୀ ନାହାନ୍ତି କହି ସାହାଯ୍ୟ କରି ପାରିବେନି ବୋଲି କହିଲେ। “ସେ ଆମକୁ ସାହାଯ୍ୟ କରିବା କଥାଟିକୁ ଟାଳି ଦେଲେ”।
ହତାଶ ଗଣେଶ ପୁଣି କହିଲେ, “ଯଦି ଆମ୍ବୁଲାନ୍ସ ମିଳିଥାଆନ୍ତା, ମୁଁ ମୋ ସ୍ତ୍ରୀଙ୍କୁ ବୋକାରୋ କି ରାଞ୍ଚି ଭଳି (ବଡ଼ ସହର)ର ଡାକ୍ତରଖାନାକୁ ନେଇ ପାରିଥାଆନ୍ତି”। ତା’ ପରିବର୍ତ୍ତେ ସେ ତାଙ୍କ ସ୍ତ୍ରୀଙ୍କୁ ନିକଟରେ ଥିବା ଘରୋଇ ଚିକିତ୍ସାଳୟକୁ ନେଲେ, ଓ ସେଥି ପାଇଁ ତାଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କଠାରୁ ୬୦ ହଜାର ଟଙ୍କା ରଣ କରିବାକୁ ପଡ଼ିଲା।
“ନିର୍ବାଚନ ସମୟରେ ସେମାନେ ବହୁତ ପ୍ରକାରର କଥା କହନ୍ତି – ଏଇଟା କରିଦେବୁ, ସେଇଟା କରିଦେବୁ... ଆମକୁ ଖାଲି ଜିତେଇ ଦିଅ। କିନ୍ତୁ ପରେ, ତୁମେ ଯଦି ସେମାନଙ୍କୁ ଭେଟିବାକୁ ଯିବ, ତୁମ ପାଇଁ ସେମାନଙ୍କର ସମୟ ନଥିବ”, କହନ୍ତି ୪୨ ବର୍ଷ ବୟସ୍କ ଗାଁ ମୁଖିଆ। ସେ କହିବା ମୁତାବକ ତାଙ୍କ ପାହାଡ଼ିୟା ଗୋଷ୍ଠୀର ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧାଗୁଡ଼ିକ ଯୋଗାଇ ଦେବାକୁ ରାଜ୍ୟ ପକ୍ଷରୁ ଉପେକ୍ଷା କରାଯାଏ।
ଧାନଘଡ଼ା ହେଉଛି ପାକୁର ଜିଲ୍ଲାର ହିରନପୁର ବ୍ଲକ ଅନ୍ତର୍ଗତ ଗୋଟିଏ ଛୋଟ ଗାଁ। ଏଠାରେ ପାହାଡ଼ିୟା ଜନଜାତିର ୫୦ ପରିବାର ରହନ୍ତି। ରାଜମହଲ ପର୍ବତଶ୍ରେଣୀର ଗୋଟିଏ ପାହାଡ କଡ଼କୁ ନିଛାଟିଆ ହୋଇ ରହିଥିବା ଏହି ଜନବସତିରେ ପହଞ୍ଚିବା ପାଇଁ ଅତି ଖରାପ ଅବସ୍ଥାରେ ଥିବା ୮ କି.ମି. ରାସ୍ତା ଦେଇ ଯିବାକୁ ହୁଏ।
“ଆମ ସରକାରୀ ବିଦ୍ୟାଳୟଟିର ଅବସ୍ଥା ଭାରି ଖରାପ। ଆମେ ଗୋଟିଏ ନୂଆ ବିଦ୍ୟାଳୟ ପାଇଁ କହିଲୁ, କିନ୍ତୁ କାହିଁ?” ଗଣେଶ ପଚାରେ। ଏହି ଜନଜାତି ଗୋଷ୍ଠୀର ଅଧିକାଂଶ ପିଲାଙ୍କ ନାଁ ବିଦ୍ୟାଳୟରେ ଲେଖାଯାଇ ନାହିଁ ଓ ତେଣୁ ରାଜ୍ୟ ପକ୍ଷରୁ ନିଶ୍ଚିତ କରା ଯାଇଥିବା ମଧ୍ୟାହ୍ନ ଭୋଜନ (ମିଡଡେ ମିଲ) ସେମାନେ ପାଇ ପାରୁନାହାନ୍ତି।










