ମହମ୍ମଦ ଅସଲମ ଗରମ ତରଳ ପିତ୍ତଳକୁ ସାଞ୍ଚା (ଛାଞ୍ଚ)ରେ ଢାଳୁଥିବା ସମୟରେ ପବନରେ ଛୋଟ ଛୋଟ କଣିକା ଉପରକୁ ଉଠିଥାଏ। ଏହାଦ୍ୱାରା ପିତ୍ତଳ ଏକ କଠିନ ଚନ୍ଦନ ପିୟାଲି (ପୂଜା ପାଇଁ ବ୍ୟବହୃତ ଗୋଟିଏ ଛୋଟିଆ ପାତ୍ର)ର ଆକାର ନେଇଯିବ।
ପିତ୍ତଳ କାମରେ ଦକ୍ଷ ଧାତବ କାରୀଗର ଅସଲମଙ୍କ ହାତ ଦୃଢ଼ ଏବଂ ସତର୍କତା ପୂର୍ବକ ଚାଲିଥାଏ। ପିତ୍ତଳ ଢାଳିବା ସମୟରେ ସେ ଛାଞ୍ଚ ଉପରେ ଚାପକୁ ମାପିଥା’ନ୍ତି, ଭିତରେ ଥିବା ବାଲି ଯେମିତି ବାହାରେ ଖସି ନପଡ଼ିବ ସେଥିପ୍ରତି ଧ୍ୟାନ ଦିଅନ୍ତି । ଏହି ବାଲି ହିଁ ଉତ୍ପାଦକୁ ଆକାର ଦେଇଥାଏ।
‘‘ଆପଣ ନିଜ ହାତକୁ ଦୃଢ଼ ରଖିବା ଆବଶ୍ୟକ, ନହେଲେ ସାଞ୍ଚା ଭିତରେ ଥିବା ଢାଞ୍ଚା ନଷ୍ଟ ହୋଇଯିବ। ଆଦତ୍ (ତରଳରୁ ଆକାର ନେଇଥିବା ଉତ୍ପାଦ) ଖରାପ ହୋଇଯିବ,’’ ଅସଲମ (୫୫) କୁହନ୍ତି । ତେବେ, ବାଲି ବାହାରକୁ ଖସି ପଡ଼ିବାକୁ ନେଇ ସେ ଯେତିକି ଚିନ୍ତିତ ନୁହନ୍ତି, ତା’ଠାରୁ ଅଧିକ ପବନରେ ଉଡ଼ୁଥିବା କଣିକାକୁ ନେଇ ଚିନ୍ତିତ ଅଟନ୍ତି। ‘‘ଆପଣ ସେଗୁଡ଼ିକୁ ଦେଖିପାରୁଛନ୍ତି କି? ଏଗୁଡ଼ିକ ପିତ୍ତଳ ଏବଂ ଏଗୁଡ଼ିକ ନଷ୍ଟ ହେବାକୁ ଯାଉଛି। ଆମକୁ ଏହାର ମୂଲ୍ୟ ଦେବାକୁ ହେବ,’’ ସେ ଦୁଃଖର ସହିତ କୁହନ୍ତି। ପ୍ରତ୍ୟେକ ଦିନ ସେ ୧୦୦ କିଲୋଗ୍ରାମ ପିତ୍ତଳ ତିଆରି କରିଥାନ୍ତି, ଏଥିମଧ୍ୟରୁ ପ୍ରାୟ ୩ କିଲୋଗ୍ରାମ ପବନରେ ଉଡ଼ିଯାଏ। ଅର୍ଥାତ୍ ପ୍ରାୟ ୫୦ ଟଙ୍କା ପବନରେ ନଷ୍ଟ ହୁଏ।
ମୋରାଦାବାଦର ପୀରଜାଦା ଅଞ୍ଚଳ ପିତ୍ତଳ କାମ ପାଇଁ ପ୍ରସିଦ୍ଧ। ଏଠାରେ ଥିବା ଅନେକଗୁଡ଼ିଏ ଭଟ୍ଟି (ଭାଟି) ମଧ୍ୟରୁ ଗୋଟିଏରେ କାମ କରୁଥିବା ହାତଗଣତି କାରୀଗରଙ୍କ ମଧ୍ୟରୁ ଅସଲମ୍ ଅନ୍ୟତମ। ସ୍ଥାନୀୟ ଅଞ୍ଚଳରେ ଏହି କାମକୁ ଢଲାଇ କା କାମ୍ ବା ଢଳେଇ ନାମରେ ସମସ୍ତେ ଜାଣନ୍ତି । ଏଥିରେ କାରୀଗରମାନେ ପିତ୍ତଳ ସିଲ୍ଲି (ଧାତୁ ଖଣ୍ଡ)କୁ ତରଳାଇ ସେଗୁଡ଼ିକୁ ବିଭିନ୍ନ ଆକାରରେ ପ୍ରସ୍ତୁତ କରିଥା’ନ୍ତି।
ଅସଲମ ଓ ତାଙ୍କର ସହଯୋଗୀ ରଇସ୍ ଜାନ୍ ଯେଉଁ କାରଖାନାରେ ଦୈନିକ ୧୨ ଘଣ୍ଟା ବିତାଇଥା’ନ୍ତି, ସେଠାରେ କାମରେ ଲାଗୁଥିବା ସାମଗ୍ରୀ- କୋଇଲା, ବାଲି, ଭିନ୍ନ ଆକାରର କାଠ ପଟା, ଲୁହା ଛଡ଼, ଚିମୁଟା, ପ୍ଲାସ୍ ଆଦି ସେମାନଙ୍କ ଚାରି ପାଖରେ ବିଛାଡ଼ି ହୋଇ ରହିଥାଏ। ବିଭିନ୍ନ ସାମଗ୍ରୀରେ ଭର୍ତ୍ତି ହୋଇ ରହିଥିବା ଏହି ସ୍ଥାନ ପାଇଁ ଅସଲମ ମାସିକ ୧,୫୦୦ ଟଙ୍କା ଭଡ଼ା ଦିଅନ୍ତି ।




















