ରେଶମ କିମ୍ବା ସୂତା କପଡ଼ା ଉପରେ ସାଜସଜ୍ଜା ଥିବା ଚିତ୍ରକଳା ଥାଙ୍ଗକା କୁ ପୁନରୁଦ୍ଧାର କରିବା ସହଜ କଥା ନୁହେଁ - ଏଥିରେ ସାଧାରଣତଃ ବୌଦ୍ଧ ଦେବଦେବୀଙ୍କ ଚିତ୍ର ରହିଥାଏ। ‘‘ଯଦି ପୁନରୁଦ୍ଧାରରେ କୌଣସି ଛୋଟ ଭୁଲ୍ ହୋଇଯାଏ, ଯଥା କାନର ଆକାର ସାମାନ୍ୟ ବଙ୍କା ହୋଇଗଲେ (ମୂଳତଃ ଦେଖିବାକୁ ମିଳୁଥିବା ଚିତ୍ରଠାରୁ ଅଲଗା ହୋଇଗଲେ), ଲୋକମାନେ ଖରାପ ଭାବି ପାରନ୍ତି,’’ ମାଥୋ ଗ୍ରାମର ନିବାସୀ ଦୋର୍ଜେ ଅଙ୍ଗଚୋକ୍ କୁହନ୍ତି।
ଲେହଠାରୁ ୨୬ କିଲୋମିଟର ଦୂର ମାଥୋ ଗ୍ରାମର ଜନସଂଖ୍ୟା ୧,୧୬୫ (୨୦୧୧ ଜନଗଣନା)। ଏଠାକାର ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ବୀ। ଗାଁର ନିବାସୀ କୁହନ୍ତି, ‘‘ଏହା ଏକ ସମ୍ବେଦନଶୀଳ କାମ।’’
ଅଙ୍ଗଚୋକ୍ ଏବଂ ତାଙ୍କ ସମୁଦାୟର ଅନ୍ୟମାନଙ୍କ ମନରେ ଥିବା ଭୟକୁ ନଅ ଜଣ କୁଶଳୀ ଥାଙ୍ଗକା (ଯାହାକୁ ଥଙ୍କା ମଧ୍ୟ କୁହାଯାଏ) ପୁନରୁଦ୍ଧାରକାରୀଙ୍କ ଏକ ଦଳ ପ୍ରଶମିତ କରିଛି, ଯେଉଁମାନେ ଶହ ଶହ ବର୍ଷ ପୁରୁଣା ଚିତ୍ରକଳା ଢାଞ୍ଚାକୁ ବୁଝିବା, ଚିହ୍ନଟ କରିବା ଏବଂ ଜାଣିବା ଲାଗି ଶତାଧିକ ବର୍ଷ କାଳର ଅତୀତରେ ଯାତ୍ରା କରିଛନ୍ତି ଯଦ୍ଦ୍ୱାରା ସେମାନେ ଏହି ପ୍ରାଚୀନ ଚିତ୍ରକଳାକୁ ଆୟତ୍ତ କରିପାରିଛନ୍ତି। ପ୍ରତ୍ୟେକ ଶତାବ୍ଦୀର ଏକ ସ୍ୱତନ୍ତ୍ର ଉପାଦାନ, ଶୈଳୀ ଓ ପ୍ରତିମା ବିଜ୍ଞାନ ରହିଛି।
ମାଥୋର ଏହି ମହିଳାମାନେ ପଞ୍ଚଦଶ-ଅଷ୍ଟାଦଶ ଶତାବ୍ଦୀର ଥାଙ୍ଗକାକୁ ପୁନରୁଦ୍ଧାର କରୁଛନ୍ତି ବୋଲି ଫ୍ରାନ୍ସର ଜଣେ କଳା ପୁନରୁଦ୍ଧାରକାରୀ ନେଲି ରିଆଫ୍ କୁହନ୍ତି। ସେ ଏହି ମହିଳାମାନଙ୍କୁ ପୁନରୁଦ୍ଧାର କାମ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ସେରିଂ ସ୍ପାଲ୍ଦନ୍ କୁହନ୍ତି, ‘‘ପ୍ରାରମ୍ଭରେ, ମହିଳାମାନେ ଥାଙ୍ଗକା ପୁନରୁଦ୍ଧାର କରିବା କାମକୁ ଗାଁ ଲୋକମାନେ ବିରୋଧ କରୁଥିଲେ। କିନ୍ତୁ ଆମେ କିଛି ଭୁଲ୍ କାମ କରୁନାହୁଁ ବୋଲି ଜାଣିଥିଲୁ; ଆମେ ଆମ ଇତିହାସ ପାଇଁ କିଛି କରୁଥିଲୁ।’’
ବୌଦ୍ଧ ତପସ୍ୱିନୀ ଠୁକଚେ୍ ଦୋଲମା କୁହନ୍ତି, ‘‘ବୁଦ୍ଧ ଏବଂ ଅନ୍ୟ ପ୍ରଭାବଶାଳୀ ଲାମା ଓ ବୋଦ୍ଧିସତ୍ତ୍ୱଙ୍କ ଜୀବନ ସମ୍ପର୍କରେ ଶିକ୍ଷା ଲାଭ କରିବା ଲାଗି ଥାଙ୍ଗକା ହେଉଛି ଏକ ପ୍ରଭାବୀ ଉପକରଣ।’’ ନୂଆକରି କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଥିବା ଲଦାଖର କାର୍ଗିଲ ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଜାନ୍ସ୍କାର ତହସିଲରେ ଥିବା କାର୍ସା ମଠରେ ଦୋଲମା ରହିଥାନ୍ତି।
ସେରିଂ ଓ ଅନ୍ୟ ପୁନରୁଦ୍ଧାରକାରୀମାନେ କୃଷି ପରିବାରର ହୋଇଥିବା ବେଳେ ସେମାନେ ହିମାଲୟାନ୍ ଆର୍ଟ ପ୍ରିଜଭର୍ସ (ଏଚ୍ଏପି) ବା ହିମାଳୟ କଳା ସଂରକ୍ଷକ ନାମକ ଏକ ସଂଗଠନର ଅଂଶବିଶେଷ। ଥାଙ୍ଗକାର ପୁନରୁଦ୍ଧାର କ୍ଷେତ୍ରରେ ସେମାନଙ୍କର ଦକ୍ଷତା ରହିଛି। ‘‘ରେଶମ କପଡ଼ା ବିରଳ ଏବଂ ସମ୍ପୂର୍ଣ୍ଣ ଶୁଦ୍ଧ ଗୁଣବତ୍ତାର ହୋଇଥିବା କାରଣରୁ ଅନ୍ୟ ଐତିହାସିକ ଚିତ୍ରକଳା ତୁଳନାରେ ଥାଙ୍ଗକାର ପୁନରୁଦ୍ଧାର କରିବା ବେଶ କଷ୍ଟକର। ରଙ୍ଗ ଓ କପଡ଼ାକୁ କୌଣସି କ୍ଷତି ନପହଞ୍ଚାଇ କେବଳ ମଇଳା ସଫା କରିବା ବେଶ୍ ଜଟିଳ କାମ,’’ ନେଲୀ କୁହନ୍ତି।
‘‘୨୦୧୦ରେ ଆମେ ମାଥୋ ଗୋମ୍ପା (ମଠ)ରେ ସଂରକ୍ଷଣ କାମ ଶିକ୍ଷା ଆରମ୍ଭ କରିଥିଲୁ। ଦଶମ ଶ୍ରେଣୀ ପାଠ ପଢ଼ା ସରିବା ପରେ ବେକାର ବସିବା ଅପେକ୍ଷା ଏହି କାମ ଭଲ ଥିଲା,’’ ସେରିଂ କୁହନ୍ତି।
ସେରିଂଙ୍କ ବ୍ୟତୀତ ଅନ୍ୟ ମହିଳାମାନେ ହେଉଛନ୍ତି : ଥିନଲେସ୍ ଆଙ୍ଗମୋ, ଉର୍ଗେନ୍ ଚୋଦୋଲ, ଷ୍ଟାନଜିନ୍ ଲାଦୋଲ, କୁନ୍ଜାଙ୍ଗ ଆଙ୍ଗମୋ, ରିନ୍ଚେନ୍ ଦୋଲମା, ଇଶେ ଦୋଲମା, ଷ୍ଟାନଜିନ୍ ଆଙ୍ଗମୋ ଏବଂ ଚୁନ୍ଜିନ୍ ଆଙ୍ଗମୋ। ସେମାନଙ୍କୁ ଦିନକୁ ୨୭୦ ଟଙ୍କା ମଜୁରି ପ୍ରସ୍ତାବ ଦିଆଯାଇଥିଲା, ‘‘ବିଶେଷ କରି ଆମ ଉପାନ୍ତ ଅଞ୍ଚଳ ଏବଂ ଖୁବ୍ କମ୍ ଚାକିରି ସୁଯୋଗକୁ ଦେଖିଲେ ଏହା ଏକ ଭଲ ପାରିଶ୍ରମିକ ଥିଲା,’’ ସେରିଂ କୁହନ୍ତି। ଦିନ ବିତିବା ସହିତ, ‘‘ଏସବୁ ଚିତ୍ରକଳାକୁ ପୁନରୁଦ୍ଧାର କରିବାର ପ୍ରାସଙ୍ଗିକତାକୁ ଆମେ ଅନୁଭବ କରିଥିଲୁ। ତା’ପରେ ଆମେ କଳା ଓ ଇତିହାସକୁ ଆହୁରି ଅଧିକ ସ୍ୱୀକାର କରିବା ଆରମ୍ଭ କଲୁ।’’
୨୦୧୦ରେ ମାଥୋ ମଠ ସଂଗ୍ରହାଳୟ ଖରାପ ହୋଇଯାଇଥିବା ଥାଙ୍ଗକା ପାଇଁ ସବୁଜିନିଷକୁ ବ୍ୟବସ୍ଥିତ କରିବାରେ ସହାୟତା କରିଥିଲା। ‘‘ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଥାଙ୍ଗକା ଏବଂ ଅନ୍ୟାନ୍ୟ କଳାକୃତିକୁ ପୁନରୁଦ୍ଧାର କରିବା ଜରୁରି ଥିଲା। ଆମେ ପ୍ରାୟ ୨୦୧୦ ମସିହା ବେଳକୁ ଏହି ପୁନରୁଦ୍ଧାର କାମ ଶିଖିବା ଆରମ୍ଭ କରିଥିଲୁ,’’ ସେରିଂ କୁହନ୍ତି। ସେ ଓ ଅନ୍ୟମାନେ ସୁଯୋଗ ଲାଭ ନେବା ପାଇଁ ନିଷ୍ପତ୍ତି ନେଲେ ଏବଂ ପୁନରୁଦ୍ଧାର ପାଇଁ ପ୍ରଶିକ୍ଷଣ ଆରମ୍ଭ କଲେ।
ଥାଙ୍ଗକାର ମରାମତିରେ ଲାଗୁଥିବା ସମୟ ଏହାର ଆକାର ଉପରେ ନିର୍ଭର କରିଥାଏ। ଏହା କିଛି ଦିନଠାରୁ ଆରମ୍ଭ କରି ଅନେକ ମାସ ପର୍ଯ୍ୟନ୍ତ ଲାଗି ଯାଇପାରେ। ‘‘ ଥାଙ୍ଗକା ରେଷ୍ଟୋରେସନ୍ ରୋକନା ପଡ଼ତା ହୈ ସର୍ଦ୍ଦିଓଁ ମେଁ କ୍ୟୁକି ଫେବ୍ରିକ୍ ଥଣ୍ଡ ମେଁ ଖରାବ୍ ହୋ ଯାତା ହୈ (ଆମେ ଶୀତ ଋତୁରେ କେବଳ ଥାଙ୍ଗକା ପୁନରୁଦ୍ଧାର କାମ ବନ୍ଦ ରଖିଥାଉ କାରଣ ଥଣ୍ଡାରେ କପଡ଼ା ନଷ୍ଟ ହୋଇଯାଏ।’’
ଷ୍ଟାନଜିନ୍ ଲାଦୋଲ୍ ଗୋଟିଏ ବଡ଼ ରେଜିଷ୍ଟର ଖୋଲନ୍ତି ଯେଉଁଥିରେ ନମୁନାଗୁଡ଼ିକୁ ଯତ୍ନର ସହକାରେ ତାଲିକାଭୁକ୍ତ କରାଯାଇଛି। ପ୍ରତ୍ୟେକ ପୃଷ୍ଠାରେ ଦୁଇଟି ଚିତ୍ର ଏକ ସଙ୍ଗେ ରଖାଯାଇଛି - ଗୋଟିଏ ପୁନରୁଦ୍ଧାର ପୂର୍ବରୁ ଏବଂ ଅନ୍ୟଟି ପୁନରୁଦ୍ଧାର ପରବର୍ତ୍ତୀ ସୁଧାରକୁ ଦର୍ଶାଉଛି।
‘‘ଏହି କାମ କିପରି କରିବାକୁ ହେବ ତାହା ଶିଖିପାରିଥିବାରୁ ଆମେ ଖୁସି; ଏହା ଆମକୁ ଏକ ଭିନ୍ନ କ୍ୟାରିଅର ବିକଳ୍ପ ବାଛିବାର ସୁଯୋଗ ଦେଇଛି। ଆମେ ସମସ୍ତେ ବିବାହିତ, ଆମ ପିଲାମାନେ ସେମାନଙ୍କ କାମରେ ବ୍ୟସ୍ତ ରହୁଛନ୍ତି। ତେଣୁ ପୁନରୁଦ୍ଧାର କାମରେ ଯଥେଷ୍ଟ ସମୟ ବିତାଉଛୁ,’’ ରାତ୍ରୀଭୋଜନ ପାଇଁ ପନିପରିବା କାଟୁଥିବା ଥିନଲେସ୍ କୁହନ୍ତି।
‘‘ଆମେ ଭୋର୍ ୫ଟାରେ ଉଠିଥାଉ ଏବଂ ଆମର ସବୁ ଘର କାମ ଓ ଚାଷ କାମ ସାରିବାକୁ ଚେଷ୍ଟା କରିଥାଉ,’’ ଥିନଲେସ୍ କୁହନ୍ତି। ତାଙ୍କର ସହକର୍ମୀ ସେରିଂ ବଡ଼ ପାଟିରେ କୁହନ୍ତି, ‘‘ ଖେତୀ ବୋହୋତ୍ ଜରୁରୀ ହୈ, ସେଲ୍ଫ-ସଫିସିଏଣ୍ଟ ରେହନେ କେଲିୟେ (ଆତ୍ମନିର୍ଭରଶୀଳ ରହିବା ଲାଗି ଆମର ଚାଷ କାମ ଅତି ଗୁରୁତ୍ୱପୂର୍ଣ୍ଣ)।’’
ମହିଳାଙ୍କ ପାଇଁ ଦିନ ଖୁବ୍ ଲମ୍ବା। ‘‘ଆମେ ଗାଈ ଦୁହିଁଥାଉ, ରୋଷେଇ କରିଥାଉ, ନିଜ ପିଲାମାନଙ୍କୁ ସ୍କୁଲ୍ ପଠାଇଥାଉ, ତା’ପରେ ବାହାରକୁ ଚରିବାକୁ ଯାଇଥିବା ଗୋରୁଙ୍କ ଉପରେ ମଧ୍ୟ ଆମେ ନଜର ରଖିଥାଉ। ଏସବୁ ପରେ, ଆମେ ଏଚଏପିକୁ ଆସିଥାଉ ଓ କାମ ଆରମ୍ଭ କରିଥାଉ,’’ ଥିନଲେସ୍ କୁହନ୍ତି।
ପୁନରୁଦ୍ଧାରକାରୀମାନେ କୁହନ୍ତି ଯେ, ନୂଆ ଥାଙ୍ଗକା ତିଆରିରେ ପ୍ରାୟତଃ ସବୁ ଅର୍ଥ ଖର୍ଚ୍ଚ ହୋଇଯାଏ। ‘‘ଅନେକ ଶତାଧିକ ବର୍ଷ ପୁରୁଣା ଏହି ଥାଙ୍ଗକାର ଐତିହାସିକ ମୂଲ୍ୟକୁ ଏବେ ଖୁବ୍ କମ୍ ଲୋକ ବୁଝିପାରୁଛନ୍ତି । ସେଗୁଡ଼ିକୁ ପୁନରୁଦ୍ଧାର କରିବା ପରିବର୍ତ୍ତେ ଫିଙ୍ଗି ଦେଉଛନ୍ତି,’’ ଲେହରେ ଥିବା ହିମାଲୟାନ୍ କଲଚରାଲ୍ ହେରିଟେଜ୍ ଫାଉଣ୍ଡେସନ (ହିମାଳୟ ସାଂସ୍କୃତିକ ଐତିହ୍ୟ ସଂଗଠନ)ର ପ୍ରତିଷ୍ଠାତା ତଥା ବୌଦ୍ଧ ଗବେଷକ ଡକ୍ଟର ସୋନମ ୱାଙ୍ଗଚୁକ୍ କୁହନ୍ତି।
ପ୍ରଥମେ ପ୍ରଥମେ ଗାଁ ଲୋକଙ୍କଠାରୁ ସମ୍ମୁଖିନ ହେବାକୁ ପଡ଼ିଥିବା ବିରୋଧ ସମ୍ପର୍କରେ ପ୍ରତିକ୍ରିୟା ରଖି ସେରିଂ କୁହନ୍ତି, ‘‘ଏବେ କେହି ଆମକୁ କିଛି କହୁନାହାନ୍ତି କାରଣ ଆମେ ଅନେକ ବର୍ଷ ହେବ ନିୟମିତ ଭାବେ ଏହି କାମ କରି ଆସୁଛୁ।’’ ଲେହ ଶେସରିଗ୍ ଲଦାଖରେ ଥିବା ଏକ କଳା ସଂରକ୍ଷଣ ପ୍ରତିଷ୍ଠାନର ପ୍ରତିଷ୍ଠାତା ନୁର୍ ଜାହାଁ କୁହନ୍ତି, ‘‘କେହି ପୁରୁଷ ଏହି କାମକୁ ଆପଣାଇବା ବିରଳ। ଲଦାଖରେ କେବଳ ମହିଳାମାନେ କଳା ପୁନରୁଦ୍ଧାରକାରୀ ଭାବେ କାମ କରୁଛନ୍ତି।’’ ଆହୁରି ସେମାନଙ୍କ କାମ କେବଳ ଥାଙ୍ଗକାର ପୁନରୁଦ୍ଧାର ମଧ୍ୟରେ ସୀମିତ ରହିନାହିଁ ବରଂ ସେମାନେ ପ୍ରାଚୀନ କିର୍ତ୍ତୀରାଜି ଓ କାନ୍ଥ ଚିତ୍ରକଳାର ପୁନରୁଦ୍ଧାର ଦିଗରେ ମଧ୍ୟ ମନୋନିବେଶ କଲେଣି।
ସେରିଂ କୁହନ୍ତି, ‘‘ଅଧିକରୁ ଅଧିକ ଲୋକ ଏଠାକୁ ଆସି ଆମ କାମ ଦେଖନ୍ତୁ ବୋଲି ଆମେ ଚାହୁଁଛୁ।’’ ପର୍ବତ ଉହାଡ଼ରେ ଅସ୍ତଗାମୀ ସୂର୍ଯ୍ୟ ଲୁଚି ଯାଉଛନ୍ତି ଏବଂ ସେ ଓ ଅନ୍ୟ ମହିଳାମାନେ ଖୁବ୍ଶୀଘ୍ର ସେମାନଙ୍କ ଘରକୁ ଫେରିଯିବେ। ବ୍ୟୟବହୁଳ ପୁନରୁଦ୍ଧାର ସାମଗ୍ରୀ ଅଭାବକୁ ନେଇ ଚିନ୍ତାବ୍ୟକ୍ତ କରି ଷ୍ଟାନ୍ଜିନ୍ ଲାଦୋଲ୍ କୁହନ୍ତି, ‘‘ଅଧିକ ଲାଭ ମିଳୁଥିବା କାରଣରୁ ନୁହେଁ ବରଂ ଏଥିରୁ ସନ୍ତୋଷ ମିଳୁଥିବାରୁ ଏହି କାମ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।’’
ଏସବୁ ପ୍ରାଚୀନ ଚିତ୍ରକଳା ପୁନରୁଦ୍ଧାର କରିବାର କୌଶଳ ବ୍ୟତୀତ ସେମାନେ ଏହି କାମରୁ ଆହୁରି ଅନେକ ଲାଭ ପାଇଛନ୍ତି । ଏଥିରୁ ସେମାନଙ୍କୁ ଆତ୍ମବିଶ୍ୱାସ ମିଳିପାରିଛି । ସ୍ମିତ ହାସ୍ୟ ସହ ସେରିଂ କୁହନ୍ତି, ‘‘ଏହା ଆମ କଥାବାର୍ତ୍ତାର ଶୈଳୀ ମଧ୍ୟ ବଦଳାଇ ଦେଇଛି। ପୂର୍ବରୁ ଆମେ କେବଳ ଲଦାଖୀ ଭାଷା କହୁଥିଲୁ କିନ୍ତୁ ଏବେ ଅଧିକ ପ୍ରାଞ୍ଜଳ ଭାବେ ହିନ୍ଦୀ ଓ ଇଂରାଜୀ କହିପାରୁଛୁ।’’
ଅନୁବାଦ : ଓଡ଼ିଶାଲାଇଭ୍