ରେଶମ କିମ୍ବା ସୂତା କପଡ଼ା ଉପରେ ସାଜସଜ୍ଜା ଥିବା ଚିତ୍ରକଳା ଥାଙ୍ଗକା କୁ ପୁନରୁଦ୍ଧାର କରିବା ସହଜ କଥା ନୁହେଁ - ଏଥିରେ ସାଧାରଣତଃ ବୌଦ୍ଧ ଦେବଦେବୀଙ୍କ ଚିତ୍ର ରହିଥାଏ। ‘‘ଯଦି ପୁନରୁଦ୍ଧାରରେ କୌଣସି ଛୋଟ ଭୁଲ୍ ହୋଇଯାଏ, ଯଥା କାନର ଆକାର ସାମାନ୍ୟ ବଙ୍କା ହୋଇଗଲେ (ମୂଳତଃ ଦେଖିବାକୁ ମିଳୁଥିବା ଚିତ୍ରଠାରୁ ଅଲଗା ହୋଇଗଲେ), ଲୋକମାନେ ଖରାପ ଭାବି ପାରନ୍ତି,’’ ମାଥୋ ଗ୍ରାମର ନିବାସୀ ଦୋର୍ଜେ ଅଙ୍ଗଚୋକ୍ କୁହନ୍ତି।
ଲେହଠାରୁ ୨୬ କିଲୋମିଟର ଦୂର ମାଥୋ ଗ୍ରାମର ଜନସଂଖ୍ୟା ୧,୧୬୫ (୨୦୧୧ ଜନଗଣନା)। ଏଠାକାର ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ବୀ। ଗାଁର ନିବାସୀ କୁହନ୍ତି, ‘‘ଏହା ଏକ ସମ୍ବେଦନଶୀଳ କାମ।’’
ଅଙ୍ଗଚୋକ୍ ଏବଂ ତାଙ୍କ ସମୁଦାୟର ଅନ୍ୟମାନଙ୍କ ମନରେ ଥିବା ଭୟକୁ ନଅ ଜଣ କୁଶଳୀ ଥାଙ୍ଗକା (ଯାହାକୁ ଥଙ୍କା ମଧ୍ୟ କୁହାଯାଏ) ପୁନରୁଦ୍ଧାରକାରୀଙ୍କ ଏକ ଦଳ ପ୍ରଶମିତ କରିଛି, ଯେଉଁମାନେ ଶହ ଶହ ବର୍ଷ ପୁରୁଣା ଚିତ୍ରକଳା ଢାଞ୍ଚାକୁ ବୁଝିବା, ଚିହ୍ନଟ କରିବା ଏବଂ ଜାଣିବା ଲାଗି ଶତାଧିକ ବର୍ଷ କାଳର ଅତୀତରେ ଯାତ୍ରା କରିଛନ୍ତି ଯଦ୍ଦ୍ୱାରା ସେମାନେ ଏହି ପ୍ରାଚୀନ ଚିତ୍ରକଳାକୁ ଆୟତ୍ତ କରିପାରିଛନ୍ତି। ପ୍ରତ୍ୟେକ ଶତାବ୍ଦୀର ଏକ ସ୍ୱତନ୍ତ୍ର ଉପାଦାନ, ଶୈଳୀ ଓ ପ୍ରତିମା ବିଜ୍ଞାନ ରହିଛି।
ମାଥୋର ଏହି ମହିଳାମାନେ ପଞ୍ଚଦଶ-ଅଷ୍ଟାଦଶ ଶତାବ୍ଦୀର ଥାଙ୍ଗକାକୁ ପୁନରୁଦ୍ଧାର କରୁଛନ୍ତି ବୋଲି ଫ୍ରାନ୍ସର ଜଣେ କଳା ପୁନରୁଦ୍ଧାରକାରୀ ନେଲି ରିଆଫ୍ କୁହନ୍ତି। ସେ ଏହି ମହିଳାମାନଙ୍କୁ ପୁନରୁଦ୍ଧାର କାମ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ସେରିଂ ସ୍ପାଲ୍ଦନ୍ କୁହନ୍ତି, ‘‘ପ୍ରାରମ୍ଭରେ, ମହିଳାମାନେ ଥାଙ୍ଗକା ପୁନରୁଦ୍ଧାର କରିବା କାମକୁ ଗାଁ ଲୋକମାନେ ବିରୋଧ କରୁଥିଲେ। କିନ୍ତୁ ଆମେ କିଛି ଭୁଲ୍ କାମ କରୁନାହୁଁ ବୋଲି ଜାଣିଥିଲୁ; ଆମେ ଆମ ଇତିହାସ ପାଇଁ କିଛି କରୁଥିଲୁ।’’
ବୌଦ୍ଧ ତପସ୍ୱିନୀ ଠୁକଚେ୍ ଦୋଲମା କୁହନ୍ତି, ‘‘ବୁଦ୍ଧ ଏବଂ ଅନ୍ୟ ପ୍ରଭାବଶାଳୀ ଲାମା ଓ ବୋଦ୍ଧିସତ୍ତ୍ୱଙ୍କ ଜୀବନ ସମ୍ପର୍କରେ ଶିକ୍ଷା ଲାଭ କରିବା ଲାଗି ଥାଙ୍ଗକା ହେଉଛି ଏକ ପ୍ରଭାବୀ ଉପକରଣ।’’ ନୂଆକରି କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଥିବା ଲଦାଖର କାର୍ଗିଲ ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଜାନ୍ସ୍କାର ତହସିଲରେ ଥିବା କାର୍ସା ମଠରେ ଦୋଲମା ରହିଥାନ୍ତି।













