ମଣିପୁରର ଚୁରଚନ୍ଦପୂର ଜିଲ୍ଲାରେ ତାଙ୍କ ଗାଁ ଲାଙ୍ଗଜାକୁ ଫେରିବା କଥା ଭାବିଲା ମାତ୍ରେ ଭୟରେ ଶିହରି ଉଠନ୍ତି ଖୁମା ଥିଏକ। ୩୦ ବର୍ଷ ହେଲା ଲାଙ୍ଗଜା ଗାଁରେ ରହିଆସୁଥିଲେ ଏହି ୬୪ ବର୍ଷୀୟ କୃଷକ ଜଣକ। ତାଙ୍କ ଗାଁରେ ଭରି ରହିଥିଲା ପାରିବାରିକ ସୌହାର୍ଦ୍ଦ୍ୟର ଉଷ୍ମ ବାତାବରଣ ଏବଂ ତା’ରି ଭିତରେ ସେ ତାଙ୍କ ପୁଅକୁ ମଣିଷ କରିବାରେ ଲାଗି ପଡ଼ିଥିଲେ- ସ୍କୁଲକୁ ଯିବା ବେଳେ ତାକୁ ମଧ୍ୟାହ୍ନ ଭୋଜନ ଲାଗି ଖାଦ୍ୟ ପ୍ୟାକେଟ୍ କରି ଦେଉଥିଲେ, ଗାଁର ସମସ୍ତେ ମିଳିମିଶି ଧାନ କ୍ଷେତରେ କାମ କରୁଥିଲେ। ସେଇ ଗାଁରେ ହିଁ ସେ ପ୍ରଥମ ଥର ପାଇଁ ଜଣେ ଜେଜେବାପାର ଭୂମିକା ନେଇଥିଲେ। ଲାଙ୍ଗଜା ଥିଲା ତାଙ୍କର ପୃଥିବୀ। ଯେଉଁ ପୃଥିବୀରେ ସେ ଲଭିଥିଲେ ଅମାପ ଆତ୍ମତୃପ୍ତି।
ଏସବୁ ଥିଲା ୨୦୨୩ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ।
ସେ ଦିନ, ସେହି ଭୟାବହ ହିଂସାର ନିଆଁରେ ଜଳିଯାଇଥିଲା ତାଙ୍କ ଜୀବନକାଳର ଅନେକ ସୁମଧୁର ସ୍ମୃତି। ସେଦିନ ଖୁମାଙ୍କ ମନରେ ସୃଷ୍ଟି ହୋଇଥିବା ସେହି ଭୟଙ୍କର ଦୃଶ୍ୟପଟ୍ଟକୁ ପାଶୋରି ପାରୁ ନଥିଲେ ସେ। ଏହି ଦୃଶ୍ୟ ହିଁ ତାଙ୍କୁ ଶୁଆଇ ଦେଉ ନଥିଲା। ଏହି ଦୃଶ୍ୟ ହିଁ ତାଙ୍କୁ ଶାନ୍ତିରେ ରହିବାକୁ ଦେଉ ନଥିଲା। ଏ ଦୃଶ୍ୟ ଥିଲା ଅତୀବ ଭୟାନକ। ଲାଙ୍ଗଜା ଗାଁର ପ୍ରବେଶ ପଥରେ, ବାଉଁଶ ବାଡ଼ ଉପରେ ଥୁଆ ହୋଇଥିଲା ତାଙ୍କ ପୁଅର କଟାମୁଣ୍ଡ।
ଖୁମାଙ୍କ ନିଜ ରାଜ୍ୟ, ଉତ୍ତର ପୂର୍ବ ଭାରତର ମଣିପୁରରେ ୨୦୨୩ ମେ ୩ ତାରିଖରୁ ଲାଗି ରହିଛି ଜାତିଆଣ ହିଂସା। ମାର୍ଚ୍ଚ ଶେଷ ଭାଗରେ ମଣିପୁର ହାଇକୋର୍ଟ ଦେଇଥିବା ଏକ ରାୟରେ ରାଜ୍ୟର ସଂଖ୍ୟାଧିକ ମୈତେଇ ସଂପ୍ରଦାୟକୁ “ଆଦିବାସୀ ମାନ୍ୟତା” ପ୍ରଦାନ କରିଥିଲେ। ଏହି ରାୟ ବଳରେ ସେମାନେ ସରକାରଙ୍କ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମର ସୁଯୋଗ ଏବଂ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ପାଇଁ ହକ୍ଦାର ହୋଇଥିଲେ। ଏହା ଫଳରେ ସେମାନେ ମଧ୍ୟ ସଂଖ୍ୟାଧିକ କୁକି ସଂପ୍ରଦାୟର ଲୋକେ ବସବାସ କରୁଥିବା ପାହାଡ଼ିଆ ଅଞ୍ଚଳରେ ଜମି କିଣିବାର ଅଧିକାର ପାଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଜାରି କରିଥିଲେ।
ରାଜ୍ୟର ମୋଟ ଜନସଂଖ୍ୟାର ୨୮ ପ୍ରତିଶତ କୁକି ସଂପ୍ରଦାୟର। ସେମାନଙ୍କ ଧାରଣା ଯେ, ରାଜ୍ୟରେ ୫୩ ପ୍ରତିଶତ ମୈତେଇ ସଂପ୍ରଦାୟର ଲୋକ ଅଛନ୍ତି ଏବଂ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ସେମାନଙ୍କ ପତିଆରା ଅତି ମାତ୍ରାରେ ବଢ଼ିଯିବ।











