“ଶାସନ କା ବରା କଦର କରତ ନାହି ଆମଚ୍ୟା ମେହନାତିଚି (ସରକାର କାହିଁକି ଆମର କଠିନ ପରିଶ୍ରମକୁ ସ୍ୱୀକାର କରୁନାହାନ୍ତି)?” ପଚାରନ୍ତି ଅଙ୍ଗନବାଡ଼ି କର୍ମୀ ମଙ୍ଗଲ କରପେ।
“ଦେଶଲା ନିରୋଗୀ, ସୁଦୃଢ଼ ଥେବନ୍ୟାତ ଆମଚା ମୋଥା ହାଥଭର ଲଗତୋ (ଦେଶକୁ ସୁସ୍ଥ ଏବଂ ସୁଦୃଢ଼ ରଖିବାରେ ଆମର ଅନେକ ଅବଦାନ ରହିଛି),” ସେ କହନ୍ତି । ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ଏବଂ ସେମାନଙ୍କ ଛୋଟ ଛୋଟ ଶିଶୁମାନଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାକୁ ତାଙ୍କ ଭଳି ଅଙ୍ଗନବାଡ଼ି କର୍ମୀମାନେ ହିଁ କାର୍ଯ୍ୟକାରୀ କରାଉଥିବା କଥାକୁ ଉପଲକ୍ଷ୍ୟ କରି ସେ ଏହା କହନ୍ତି ।
ଅଣଚାଳିଶ ବର୍ଷ ବୟସ୍କା ମଙ୍ଗଲ, ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ରାହତା ତାଲୁକା ଅନ୍ତର୍ଗତ ଡୋହାଲେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା କରନ୍ତି । ତାଙ୍କ ଭଳି ଦୁଇ ଲକ୍ଷରୁ ଅଧିକ ମହିଳା ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡ଼ି କର୍ମୀ ବା ସହାୟିକା ଭାବରେ କାମ କରନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପରିଚାଳିତ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟ ସେବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ପ୍ରାରମ୍ଭିକ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସେମାନେ କାର୍ଯ୍ୟକାରୀ କରାନ୍ତି ।
ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବର ପ୍ରତିବାଦ କରିବା ସକାଶେ ୨୦୨୩ ଡିସେମ୍ବର ୫ ତାରିଖରୁ ସାରା ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେମାନେ ଶହ ଶହ ସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି ।
“ପୂର୍ବରୁ ମଧ୍ୟ ଆମେ ଅନେକ ଥର ଆନ୍ଦୋଳନ କରିଛୁ,” ମଙ୍ଗଲ କହନ୍ତି । “ଆମେ ସରକାରୀ କର୍ମଚାରୀ ଅନୁରୂପ ମାନ୍ୟତା ଦାବି କରୁଛୁ । ଆମେ ଚାହୁଁଛୁ ମାସକୁ ୨୬,୦୦୦ (ଟଙ୍କା) ଦରମା । ଆମର ଦରକାର ଚାକିରିରୁ ଅବସର ନେବା ପରେ ପେନସନ୍, ଗସ୍ତ ଓ ଇନ୍ଧନ ଭତ୍ତା,” ଆନ୍ଦୋଳନକାରୀମାନଙ୍କର ମୁଖ୍ୟ ଦାବି ସଂପର୍କରେ ସୂଚାଇ ଦେବାକୁ ଯାଇ ସେ କହନ୍ତି ।












