“ଆଜି ଷଷ୍ଠ ଦିନରେ ବି ମୁଁ ଗୋଟିଏ ହେଲେ ମାଛ ନ ନେଇ ଘରକୁ ଯିବି,” ଉଲାର ହ୍ରଦ କୂଳରେ ଠିଆ ହୋଇ କହନ୍ତି ଅବଦୁଲ ରହିମ କାୱା । ତାଙ୍କ ସ୍ତ୍ରୀ ଓ ପୁଅ ସହିତ ଏକ ମହଲା ଘରେ ରହନ୍ତି ଏହି ୬୫ ବର୍ଷୀୟ ମତ୍ସ୍ୟଜୀବୀ ଜଣକ ।
ଝେଲମ ନଦୀ ଓ ମଧୁମତୀ ଝରଣାର ପାଣି ଭରି ହେଉଥିବା ଉଲାର ହ୍ରଦ ବାନ୍ଦିପୁରା ଜିଲ୍ଲାର କାନି ବାଠି ଅଞ୍ଚଳରେ ଅବସ୍ଥିତ । ଏହି ହ୍ରଦ ଚାରିପଟେ ରହୁଥିବା ଲୋକଙ୍କ ପାଇଁ ଏହା ହିଁ ଜୀବିକା ଅର୍ଜନର ଏକମାତ୍ର ଉତ୍ସ - ଏହାରି ଉପରେ ନିର୍ଭର କରନ୍ତି ମୋଟାମୋଟି ୧୮ଟି ଗାଁ- ପ୍ରତି ଗାଁରେ ବସବାସ କରନ୍ତି ଅନ୍ତତଃ ୧୦୦ଟି ଲେଖାଏଁ ପରିବାର ।
“ମାଛ ଧରିବା ହିଁ ଆମର ଏକମାତ୍ର ଜୀବିକା,” ଅବଦୁଲ କହନ୍ତି । ହ୍ରଦର ଧାର ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହନ୍ତି, “ହେଲେ ହ୍ରଦରେ ପାଣି ନାହିଁ । ଆମେ ଏବେ ପାଣିରେ ପଶି ଚାଲି ଚାଲି ଯାଇପାରିବୁ, କାରଣ, ହ୍ରଦର କୋଣଗୁଡ଼ିକରେ ମାତ୍ର ଚାରି କି ପାଞ୍ଚ ଫୁଟ ଉଚ୍ଚ ପାଣି ଅଛି ।”
ତୃତୀୟ ପିଢ଼ିର ଜଣେ ମତ୍ସ୍ୟଜୀବୀ, ଅବଦୁଲଙ୍କ ଜାଣିବାରେ, ଉତ୍ତର କାଶ୍ମୀରର ଏହି ହ୍ରଦରେ ସେ ୪୦ ବର୍ଷ ହେଲା ମାଛ ଧରି ଆସୁଛନ୍ତି । “ପିଲାଦିନେ ମୋ ବାପା ମୋତେ ସାଙ୍ଗରେ ନେଇ ଯାଉଥିଲେ । ତାଙ୍କୁ ଦେଖି ଦେଖି, ମୁଁ ମାଛ ଧରିବା ଶିଖିଲି,” ସେ କହନ୍ତି । ଅବଦୁଲଙ୍କ ପୁଅ ବି ତାଙ୍କ ପରିବାରର ଏହି ବୃତ୍ତିକୁ ଆଦରି ନେଇଛନ୍ତି ।
ପ୍ରତିଦିନ ସକାଳେ, ଅବଦୁଲ ଓ ତାଙ୍କ ସାଥୀ ମତ୍ସ୍ୟଜୀବୀମାନେ ନିଜ ନିଜର ଜାଲ ନେଇ ଉଲାର ହ୍ରଦକୁ ଯାଆନ୍ତି । ଏହି ଜାଲକୁ ସେମାନେ ନିଜ ହାତରେ ନାଇଲନ୍ ସୂତାରେ ବୁଣି ଥାଆନ୍ତି । ପାଣିରେ ଜାଲ ପକାଇ ଦେବା ପରେ, ମାଛମାନଙ୍କୁ ଆକର୍ଷିତ କରିବା ଲାଗି ବେଳେବେଳେ ସେମାନେ ହାତତିଆରି ଏକ ଢୋଲ ବଜାନ୍ତି ।
ଭାରତର ସର୍ବବୃହତ୍ ମଧୁର ଜଳ ହ୍ରଦ ଉଲାର । ହେଲେ ଗତ ଚାରି ବର୍ଷ ଭିତରେ ପ୍ରଦୂଷଣ ଯୋଗୁଁ ଉଲାରରେ ବର୍ଷ ସାରା ମାଛ ଧରିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି । “ଆଗରୁ ଆମେ ବର୍ଷକୁ ଅତି କମ୍ରେ ଛଅ ମାସ ମାଛ ଧରୁଥିଲୁ । କିନ୍ତୁ ଏବେ କେବଳ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ମାଛ ଧରୁଛୁ,” ଅବଦୁଲ କହନ୍ତି ।
ହ୍ରଦରେ ପ୍ରଦୂଷଣର ମୁଖ୍ୟ କାରଣ ହେଲା ଝେଲମ ନଦୀରେ ଭାସି ଆସୁଥିବା ଅଳିଆ ଆବର୍ଜନା । ଶ୍ରୀନଗର ଦେଇ ପ୍ରବାହିତ ଏହି ନଦୀର ବିଭିନ୍ନ ସ୍ଥାନରେ ସହରର ସବୁ ଆବର୍ଜନା ଜମା ହୋଇ ରହିଥାଏ । ତେଣୁ, ୧୯୯୦ର ରାମସର ସମ୍ମିଳନୀ ରିପୋର୍ଟରେ “ଅନ୍ତର୍ଜାତୀୟ ଗୁରୁତ୍ୱ ସଂପନ୍ନ ଆର୍ଦ୍ରଭୂମି”ର ମାନ୍ୟତା ଲାଭ କରିଥିବା ଏହି ହ୍ରଦ ଏବେ ନର୍ଦ୍ଦମାରେ ଭାସି ଆସୁଥିବା ବିଭିନ୍ନ ଶିଳ୍ପ ସଂସ୍ଥା ଓ ଉଦ୍ୟାନ କୃଷି ସଂସ୍ଥାରୁ ନିଷ୍କାସିତ ଆବର୍ଜନାର କୁଣ୍ଡ ପାଲଟିଛି । “ମୋର ମନେ ଅଛି ଯେ, ହ୍ରଦର ମଝିରେ ଜଳସ୍ତର ୪୦ରୁ ୬୦ ଫୁଟ ରହୁଥିଲା । ଏବେ ଏହା ୮ରୁ ୧୦ ଫୁଟକୁ ଖସି ଆସିଛି,” ଏହି ମତ୍ସ୍ୟଜୀବୀ ଜଣକ କହନ୍ତି ।
ତାଙ୍କ ଉକ୍ତିକୁ ଠିକ୍ ବୋଲି ପ୍ରମାଣିତ କରେ ତାଙ୍କ ସ୍ମରଣ ଶକ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତରଫରୁ କରାଯାଇଥିବା ୨୦୨୨ର ଏକ ଅନୁଧ୍ୟାନ ଅନୁସାରେ ୨୦୦୮ ଏବଂ ୨୦୧୯ ଭିତରେ ଏହି ହ୍ରଦର ଏକ ଚତୁର୍ଥାଂଶ ସଙ୍କୁଚିତ ହୋଇଯାଇଛି ।
ଏମିତି କି ସାତ-ଆଠ ବର୍ଷ ତଳେ, ଅବଦୁଲ କହନ୍ତି, ସେ ଦୁଇ ପ୍ରକାର ଗାଦ (ମାଛ) ଧରିଥିଲେ- କାଶ୍ମିରୀ ଏବଂ ପାଂଜିବ , ସ୍ଥାନୀୟ ଭାଷାରେ ସବୁ ପ୍ରକାର ଅଣ-କାଶ୍ମିରୀ ଜିନିଷକୁ ବୁଝାଉଥିବା ଶବ୍ଦ । ଉଲାର ମାର୍କେଟରେ ଠିକାଦାରମାନଙ୍କୁ ସେ ଧରିଥିବା ମାଛ ବିକି ଦେଉଥିଲେ । ଶ୍ରୀନଗର ସମେତ ସମଗ୍ର କାଶ୍ମୀରର ଲୋକେ ଉଲାର ହ୍ରଦର ମାଛ ଖାଉଥିଲେ ।
“ଏହି ହ୍ରଦରେ ଯେତେବେଳେ ପାଣି ଥିଲା, ଧରିଥିବା ମାଛ ବିକି ମୁଁ ୧,୦୦୦ (ଟଙ୍କା) ଯାଏଁ ରୋଜଗାର କରିପାରୁଥିଲି,” ଅବଦୁଲ କହନ୍ତି, “ଏବେ, ଯେଉଁ ଦିନ ଭଲ ମାଛ ଧରାପଡ଼ିଥିବ, ସେହି ଦିନଟିରେ ମୁଁ ତିନି ଶହ (ଟଙ୍କା) ରୋଜଗାର କରୁଛି ।” ଅଳ୍ପ ମାଛ ଧରା ପଡ଼ିଥିଲେ ସେ ଏହାକୁ ବିକିବାକୁ ଚେଷ୍ଟା କରନ୍ତିନି ଏବଂ ନିଜେ ଖାଇବା ପାଇଁ ଘରକୁ ନେଇଯାଆନ୍ତି ।
ପ୍ରଦୂଷଣ ଏବଂ ଜଳସ୍ତର ହ୍ରାସ କାରଣରୁ ମାଛ ସଂଖ୍ୟା କମିବାରେ ଲାଗିଛି ଏବଂ ନଭେମ୍ବରରୁ ଫେବ୍ରୁଆରୀ ମାସ ଭିତରେ ମତ୍ସ୍ୟଜୀବୀମାନେ ହ୍ରଦରୁ ପାଣି ସିଙ୍ଗଡ଼ା ସଂଗ୍ରହ କରି ବିକିବା ଭଳି କାମରୁ ଜୀବିକା ଅର୍ଜନ କରୁଛନ୍ତି । ଏଗୁଡ଼ିକ ବି କିଲୋ ପିଛା ୩୦ରୁ ୪୦ ଟଙ୍କା ଦରରେ ସ୍ଥାନୀୟ ଠିକାଦାରଙ୍କୁ ବିକ୍ରି କରାଯାଏ ।
ଏହି ସିନେମାରେ ରହିଛି ଉଲାର ହ୍ରଦରେ ପ୍ରଦୂଷଣ ଏବଂ ଏହି କାରଣରୁ ଜୀବିକା ହରାଉଥିବା ମତ୍ସ୍ୟଜୀବୀମାନଙ୍କ କାହାଣୀ ।
ଅନୁବାଦ: ଓଡ଼ିଶାଲାଇଭ୍