“ଆଜି ଷଷ୍ଠ ଦିନରେ ବି ମୁଁ ଗୋଟିଏ ହେଲେ ମାଛ ନ ନେଇ ଘରକୁ ଯିବି,” ଉଲାର ହ୍ରଦ କୂଳରେ ଠିଆ ହୋଇ କହନ୍ତି ଅବଦୁଲ ରହିମ କାୱା । ତାଙ୍କ ସ୍ତ୍ରୀ ଓ ପୁଅ ସହିତ ଏକ ମହଲା ଘରେ ରହନ୍ତି ଏହି ୬୫ ବର୍ଷୀୟ ମତ୍ସ୍ୟଜୀବୀ ଜଣକ ।
ଝେଲମ ନଦୀ ଓ ମଧୁମତୀ ଝରଣାର ପାଣି ଭରି ହେଉଥିବା ଉଲାର ହ୍ରଦ ବାନ୍ଦିପୁରା ଜିଲ୍ଲାର କାନି ବାଠି ଅଞ୍ଚଳରେ ଅବସ୍ଥିତ । ଏହି ହ୍ରଦ ଚାରିପଟେ ରହୁଥିବା ଲୋକଙ୍କ ପାଇଁ ଏହା ହିଁ ଜୀବିକା ଅର୍ଜନର ଏକମାତ୍ର ଉତ୍ସ - ଏହାରି ଉପରେ ନିର୍ଭର କରନ୍ତି ମୋଟାମୋଟି ୧୮ଟି ଗାଁ- ପ୍ରତି ଗାଁରେ ବସବାସ କରନ୍ତି ଅନ୍ତତଃ ୧୦୦ଟି ଲେଖାଏଁ ପରିବାର ।
“ମାଛ ଧରିବା ହିଁ ଆମର ଏକମାତ୍ର ଜୀବିକା,” ଅବଦୁଲ କହନ୍ତି । ହ୍ରଦର ଧାର ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହନ୍ତି, “ହେଲେ ହ୍ରଦରେ ପାଣି ନାହିଁ । ଆମେ ଏବେ ପାଣିରେ ପଶି ଚାଲି ଚାଲି ଯାଇପାରିବୁ, କାରଣ, ହ୍ରଦର କୋଣଗୁଡ଼ିକରେ ମାତ୍ର ଚାରି କି ପାଞ୍ଚ ଫୁଟ ଉଚ୍ଚ ପାଣି ଅଛି ।”
ତୃତୀୟ ପିଢ଼ିର ଜଣେ ମତ୍ସ୍ୟଜୀବୀ, ଅବଦୁଲଙ୍କ ଜାଣିବାରେ, ଉତ୍ତର କାଶ୍ମୀରର ଏହି ହ୍ରଦରେ ସେ ୪୦ ବର୍ଷ ହେଲା ମାଛ ଧରି ଆସୁଛନ୍ତି । “ପିଲାଦିନେ ମୋ ବାପା ମୋତେ ସାଙ୍ଗରେ ନେଇ ଯାଉଥିଲେ । ତାଙ୍କୁ ଦେଖି ଦେଖି, ମୁଁ ମାଛ ଧରିବା ଶିଖିଲି,” ସେ କହନ୍ତି । ଅବଦୁଲଙ୍କ ପୁଅ ବି ତାଙ୍କ ପରିବାରର ଏହି ବୃତ୍ତିକୁ ଆଦରି ନେଇଛନ୍ତି ।
ପ୍ରତିଦିନ ସକାଳେ, ଅବଦୁଲ ଓ ତାଙ୍କ ସାଥୀ ମତ୍ସ୍ୟଜୀବୀମାନେ ନିଜ ନିଜରଜାଲ ନେଇ ଉଲାର ହ୍ରଦକୁ ଯାଆନ୍ତି । ଏହି ଜାଲକୁ ସେମାନେ ନିଜ ହାତରେ ନାଇଲନ୍ ସୂତାରେ ବୁଣି ଥାଆନ୍ତି । ପାଣିରେ ଜାଲ ପକାଇ ଦେବା ପରେ, ମାଛମାନଙ୍କୁ ଆକର୍ଷିତ କରିବା ଲାଗି ବେଳେବେଳେ ସେମାନେ ହାତତିଆରି ଏକ ଢୋଲ ବଜାନ୍ତି ।
ଭାରତର ସର୍ବବୃହତ୍ ମଧୁର ଜଳ ହ୍ରଦ ଉଲାର । ହେଲେ ଗତ ଚାରି ବର୍ଷ ଭିତରେ ପ୍ରଦୂଷଣ ଯୋଗୁଁ ଉଲାରରେ ବର୍ଷ ସାରା ମାଛ ଧରିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି । “ଆଗରୁ ଆମେ ବର୍ଷକୁ ଅତି କମ୍ରେ ଛଅ ମାସ ମାଛ ଧରୁଥିଲୁ । କିନ୍ତୁ ଏବେ କେବଳ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ମାଛ ଧରୁଛୁ,” ଅବଦୁଲ କହନ୍ତି ।


