ଏସବୁ ଖଣ୍ଡେ କାଗଜ ଏବଂ ଜଣେ ଅପରିଚିତଙ୍କ ଗୋଟିଏ ପ୍ରଶ୍ନରୁ ହିଁ ଆରମ୍ଭ ହୋଇଥିଲା।
କମଲେଶ ଡାଣ୍ଡୋଲିୟାଙ୍କୁ ଅତିବେଶୀରେ ୧୨ ବର୍ଷ ବୟସ ହୋଇଥିବ, ରାଥେଡ଼ ଗ୍ରାମରେ ଥିବା ତାଙ୍କ ଘର ନିକଟ ଏକ ପର୍ଯ୍ୟଟକ ଅତିଥି ଭବନ ନିକଟରେ ସେ ବୁଲୁଥିବା ସମୟରେ ଜଣେ ପରଦେଶୀ (ଅପରିଚିତ ବ୍ୟକ୍ତି)ଙ୍କୁ ଭେଟିଲେ। ‘‘ମୋତେ ଭରିଆ ଜଣାଅଛି କି ନାହିଁ ସେ ପଚାରିଲେ।’’ କମଲେଶ କିଛି ଉତ୍ତର ଦେବା ପୂର୍ବରୁ, ‘‘ସେହି ବ୍ୟକ୍ତି ଜଣଙ୍କ ମୋତେ ଖଣ୍ଡେ କାଗଜ ଧରାଇ ଦେଇ ପଢ଼ିବା ଲାଗି କହିଲେ।’’
ଅପିରିଚିତ ବ୍ୟକ୍ତି ଜଣଙ୍କ ଯଥାର୍ଥ ଉଦ୍ୟମ କରୁଥିଲେ କାରଣ ଏଠାରେ ତାମିଆ ବ୍ଲକ୍ ପତାଲକୋଟ ଉପତ୍ୟାକାରେ ଭରିଆ ସମାଜର ବହୁ ସଦସ୍ୟ ରୁହନ୍ତି। ଏମାନେ ମଧ୍ୟପ୍ରଦେଶରେ ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀ (ପିଭିଟିଜି) ଭାବେ ତାଲିକାଭୁକ୍ତ। କମଲେଶ ଜଣେ ଭରିଆ ଏବଂ ସେ ଏହି ସମାଜର ମାତୃଭାଷା ଭରିଆଟିରେ ପ୍ରାଞ୍ଜଳ ଭାବେ କଥା ହୋଇପାରୁଥିଲେ।
ଛୋଟ ପିଲାଟି ପ୍ରଥମେ ଆତ୍ମବିଶ୍ୱାସର ସହିତ କାଗଜଟିକୁ ପଢ଼ିଲା। ଏଥିରେ ତା’ ସମାଜ ବିଷୟରେ ସାଧାରଣ ସୂଚନା ଥିଲା। ଯେହେତୁ ଏହା ଦେବନାଗରୀ ଲିପିରେ ଥିଲା, ‘‘ପଢ଼ିବାକୁ ସହଜ ଲାଗିଲା।’’ ଦ୍ୱିତୀୟ ଅଧ୍ୟାୟରେ ଯେଉଁଠି ବସ୍ତୁଗୁଡ଼ିକର ନାଁ ଥିଲା, କମଲେଶ ଝୁଣ୍ଟିବାକୁ ଲାଗିଲେ। ସେ ମନେ ପକାଇ କୁହନ୍ତି, ‘‘ଶବ୍ଦଗୁଡ଼ିକ ନିଶ୍ଚିତ ରୂପେ ଭରିଆଟି ଥିଲା। ସେହି ଉଚ୍ଚାରଣଗୁଡ଼ିକ ମଧ୍ୟ ପରିଚିତ ଲାଗୁଥିଲା, କିନ୍ତୁ ଶବ୍ଦଗୁଡ଼ିକ ଅପରିଚିତ ଲାଗୁଥିଲା।
କିଛି ଗୋଟେ ମନେ ପକାଇବାକୁ ଚେଷ୍ଟା କରିବା ସମୟରେ ସେ ଗୋଟିଏ ମିନିଟ୍ ପାଇଁ ଅଟକିଗଲେ। ‘‘ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ଥିଲା। ତାହା ଏକପ୍ରକାର ଜଙ୍ଗଲୀ ଜଡ଼ିବୁଟି (ଔଷଧିୟ ଉଦ୍ଭିଦ) ଥିଲା। ହୁଏତ’ ମୁଁ ଏହାକୁ ଲେଖିପାରିଥା’ନ୍ତି,’’ ସେ ନିରାଶାର ସହିତ ନିଜର ମୁଣ୍ଡ ହଲାଇ କୁହନ୍ତି। ‘‘ବର୍ତ୍ତମାନ ମୁଁ ସେହି ଶବ୍ଦ କିମ୍ବା ତା’ର ଅର୍ଥକୁ ମନେ ପକାଇ ପାରୁନାହିଁ।’’
ଗଣେଶଙ୍କ ମାନସିକ ଅଶାନ୍ତି ତାଙ୍କୁ ଚିନ୍ତା କରିବାକୁ ବାଧ୍ୟ କଲା: ‘‘ଭରିଆଟିରେ ଆଉ ଏମିତି କେତେ ଶବ୍ଦ ଅଛି ଯାହା ମୁଁ ଜାଣିନାହିଁ।’’ ସେ ଏହି ଭାଷାକୁ ପ୍ରାଞ୍ଜଳ ଭାବେ କହିପାରନ୍ତି ବୋଲି ଜାଣିଥିଲେ - ଜେଜେବାପା ଓ ଜେଜେମା’ ତାଙ୍କୁ ପାଳି ପୋଷି ବଡ଼ କରିଥିଲେ ଯାହାଙ୍କ ସହ ସେ ଭରିଆଟିରେ କଥା ହେଉଥିଲେ। ‘‘କିଶୋରାବସ୍ଥା ପର୍ଯ୍ୟନ୍ତ ମୁଁ କେବଳ ଏହି ଭାଷାରେ କଥା ହେଉଥିଲି। ଏବେ ବି ମୁଁ ପ୍ରାଞ୍ଜଳ ଭାବେ ହିନ୍ଦୀ କହିପାରୁନାହିଁ,’’ ସେ ହସି ହସି କୁହନ୍ତି।





















