କ୍ଷେତରେ ଚାଲନ୍ତୁ କିମ୍ବା ହ୍ରଦରେ ପହଁରନ୍ତୁ, ଆକାଶରେ ବିଛାଡ଼ି ହୋଇ ପଡ଼ିଥିବା ତେରଚ୍ଛା କିରଣ ଏବଂ ବଦଳୁଥିବା ରଙ୍ଗକୁ ଦେଖନ୍ତୁ, ଭୂମିରେ କାନ ଡେରି…. ଶୁଣନ୍ତୁ। ଆଉ ଲୋକମାନେ ସେମାନଙ୍କ ଜୀବନ ଓ ପ୍ରେମ, ଖୁସି ଓ ଗଭୀର କ୍ଷତି ବିଷୟରେ କଥା ହେଉଥିବାର ଶୁଣନ୍ତୁ । ଏସବୁ ଭାବନାକୁ ଏକ ଫଟୋରେ ତୋଳି ଧରନ୍ତୁ, ପାଠକମାନଙ୍କୁ ସେହି ସ୍ଥାନର ବାସ୍ତବିକତାକୁ ହୃଦୟଙ୍ଗମ କରିବା ଓ ସେଥିରେ ଥିବା ଲୋକମାନଙ୍କ ମୁଖମଣ୍ଡଳ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେବାକୁ ଦିଅନ୍ତୁ।
ଏହି ଛଅଟି ଫଟୋ ପ୍ରବନ୍ଧ ଆପଣଙ୍କୁ ଭାରତର ଗ୍ରାମୀଣ, ସହରାଞ୍ଚଳ ଓ କ୍ଷୁଦ୍ର ସହରର ପ୍ରାଣକେନ୍ଦ୍ରକୁ ନେଇଯିବ। ପଶ୍ଚିମବଙ୍ଗରେ ମୃତପ୍ରାୟ ଏକ କଳାଶୈଳୀ ଓ ଅନ୍ତହୀନ କ୍ଷୁଧାର ଚିତ୍ର, ହିମାଚଳ ପ୍ରଦେଶରେ ଅଜବ ଖୁସି ଓ ପ୍ରତିରୋଧ, ତାମିଲନାଡ଼ୁରେ ବଞ୍ଚିତ ସମାଜର ଲୋକମାନେ ନିଜ ଅନୁଭବକୁ ପ୍ରକାଶ କରିବା ଏବଂ ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ଢୋଲର ତାଳେ ତାଳେ ନାଚୁଥିବା ଲୋକମାନଙ୍କ ଲୋକନୃତ୍ୟ - ଏକ ଅତ୍ୟନ୍ତ ବିବିଧ ଭାରତର ବିଭିନ୍ନ ପରିଦୃଶ୍ୟ, ସମ୍ପ୍ରଦାୟ ଓ ଜୀବନଜୀବିକାର କାହାଣୀ ବର୍ଣ୍ଣନା କରିଥାଏ।
କ୍ୟାମେରା ଏକ ଶକ୍ତିଶାଳୀ ଉପକରଣ, ଆତ୍ମ-ପ୍ରତିବିମ୍ବର ଏକ ଉତ୍ସ ଯାହା ଶେଷରେ ବାହାର ଦୁନିଆ ଆଡ଼କୁ ବୁଲିଥାଏ, ଅନ୍ୟାୟକୁ ତୋଳି ଧରିଥାଏ, ଆଉ ବୋଧହୁଏ ଏହାର ନିବାରଣ ପାଇଁ ମାର୍ଗ ମଧ୍ୟ ପ୍ରଶସ୍ତ କରିଥାଏ।
ନିମ୍ନରେ ଦିଆଯାଇଥିବା କାହାଣୀ ହୃଦୟକୁ ଆନ୍ଦୋଳିତ କରିଦେବ କିମ୍ବା ଆପଣଙ୍କ ପେଟରେ ପ୍ରହାର କରିବ।




















