ଗୋଟିଏ ସାଧାରଣ ଆକାରର ପଶ୍ମିନା ଶାଲ ତିଆରିରେ ଲାଗୁଥିବା ପର୍ଯ୍ୟାପ୍ତ ପରିମାଣର ସୂତା କାଟିବା ଲାଗି ଫାମିଦା ବାନୋଙ୍କୁ ମାସଟିଏ ଲାଗେ। ଚାଙ୍ଗଥାଙ୍ଗି ପ୍ରଜାତିର ଛେଳି ଶରୀରରୁ ବାହାରୁଥିବା ଅତି ପତଳା ଓ ସୂକ୍ଷ୍ମ ଉଲ୍କୁ ଅଲଗା ଅଲଗା କରି ସୂତା କାଟିବା ଖୁବ୍ କଷ୍ଟକର କାମ। ଏହି ୫୦ ବର୍ଷୀୟା କାରିଗର କହନ୍ତି ଯେ, ମାସ ଯାକ ପରିଶ୍ରମ କରି ସେ ମୋଟାମୋଟି ୧,୦୦୦ ଟଙ୍କା ରୋଜଗାର କରିବାର ଆଶା ରଖିଥାଆନ୍ତି। ଏହାକୁ ଆହୁରି ସରଳ ଭାବରେ ବୁଝାଇ ଦେବାକୁ ଯାଇ ସେ କହନ୍ତି, “ମୁଁ ଯଦି ଅବିରତ ଭାବେ କାମ କରି ଚାଲିବି, ଦିନକୁ ୬୦ ଟଙ୍କା ହିଁ ରୋଜଗାର କରିପାରିବି।”
ଅତି ମହଙ୍ଗା ଏହି ଶାଲ୍ର ବିକ୍ରି ମୂଲ୍ୟକୁ ବିଚାର କଲେ ତାହା ଏହି ମୂଲ୍ୟର ଏକ ନଗଣ୍ୟ ଅଂଶ ମାତ୍ର। ଛୁଞ୍ଚିକାମ, ଏମ୍ବ୍ରୋଡରୀ ଏବଂ ବୁଣାବୁଣି କାମର ସୂକ୍ଷ୍ମତା ଉପରେ ନିର୍ଭର କରି ଏହି ଶାଲ୍ର ମୂଲ୍ୟ ୮,୦୦୦ରୁ ୧୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।
ପାରମ୍ପରିକ ଭାବେ, ମହିଳାମାନଙ୍କ ଘରକାମ ମଝିରେ ହିଁ ହାତରେ ପଶ୍ମିନା ସୂତା କାଟିବା କାମ କରାଯାଉଥିଲା। ହେଲେ, ଏହି କାମରେ ଅତି ଅଳ୍ପ ମଜୁରି ଯୋଗୁଁ ଫାମିଦାଙ୍କ ଭଳି କାରିଗରମାନେ ଆଉ ଏହି କାମ କରିବାକୁ ମନ ବଳାଉ ନାହାନ୍ତି ଏବଂ ଦିନକୁ ଦିନ କାରିଗରଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି।
ଏହିଭଳି ଆଉ ଜଣେ ହେଲେ ଶ୍ରୀନଗର ବାସିନ୍ଦା ଫିରଦୌସା। ବିବାହ କରି ଘର ଓ ପରିବାରର କାମରେ ବ୍ୟସ୍ତ ହୋଇଯିବା ପୂର୍ବରୁ ସେ ଉଲ୍ରୁ ସୂତା କାଟୁଥିଲେ। ତାଙ୍କ ପିଲାଦିନ କଥା ମନେ ପକାଇ ସେ କହନ୍ତି, “ପରିବାରର ଗୁରୁଜନମାନେ ଆମକୁ କଥାବାର୍ତ୍ତାରେ ସମୟ ବରବାଦ ନ କରି ସୂତା କାଟିବାକୁ କହନ୍ତି ଏବଂ ଏହା ଫଳରେ ମନ ସ୍ଥିର ରହିବ ବୋଲି ପରାମର୍ଶ ଦିଅନ୍ତି।” ତାଙ୍କର ଦୁଇ କିଶୋରୀ ଝିଅ ସୂତା କାଟନ୍ତି ନାହିଁ। କାରଣ ସେମାନଙ୍କୁ ପାଠପଢ଼ା ଓ ଘରକାମ ଭିତରେ ସମୟ ମିଳେ ନାହିଁ। ଏବଂ ତେଣୁ, ସେମାନଙ୍କୁ ସେତେ ବେଶୀ ଟଙ୍କା ମିଳେ ନାହିଁ।
ସୂତା କାଟିବା କାଶ୍ମିରୀ ସଂସ୍କୃତିର ଅଂଶବିଶେଷ ବୋଲି ଫିରଦୌସା କହନ୍ତି। ଏହା ସହିତ ସେ ଏଠାକାର ସୁସ୍ୱାଦୁ ନାଦ୍ରୁ (ପଦ୍ମ ନାଡ଼) ଏବଂ ସୂତାକଟା ଭିତରେ ରହିଥିବା ସଂପର୍କ କଥା କହନ୍ତି। “ଆଗକାଳରେ ମହିଳାମାନେ ପଦ୍ମ ନାଡ଼ର ତନ୍ତୁ ଭଳି ଅତି ସୂକ୍ଷ୍ମ ସୂତା କାଟିବା ଲାଗି ପରସ୍ପର ସହିତ ପ୍ରତିଯୋଗିତା କରୁଥିଲେ।”










