୧୯୫୧-୫୨ରେ ଭାରତର ସର୍ବପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ଦିନ ସକାଳେ ଖଦଡ଼ ଧଳା କୁର୍ତ୍ତା ପିନ୍ଧି ଭୋଟ୍ ଦେବାକୁ ଯାଇଥିବା ଖ୍ୱାଜା ମୋଇନୁଦ୍ଦିନଙ୍କର ଏବେ ବି ମନେ ଅଛି । ସେତେବେଳେ ତାଙ୍କ ବୟସ ୨୦ ବର୍ଷ ଥିଲା ଏବଂ ସେ ନିଜର ଉତ୍ସାହକୁ ନିୟନ୍ତ୍ରଣ କରିପାରୁନଥିଲା, ନିଜର ଛୋଟ ସହର ସାରା ବୁଲି ସେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ, ନୂଆ କରି ସ୍ୱାଧୀନ ହୋଇଥିବା ଗଣତନ୍ତ୍ରରେ ଜାରି ରହିଥିବା ଉତ୍ସବରେ ମୁକ୍ତ ଭାବେ ନିଶ୍ୱାସ ନେଉଥିଲେ।
ଏବେ ୭୨ ବର୍ଷ ପରେ, ମୋଇନ ତାଙ୍କ ଜୀବନର ଦଶମ ଦଶନ୍ଧିରେ ପହଞ୍ଚିଛନ୍ତି । ୧୩ ମଇ ୨୦୨୪ ସକାଳେ ସେ ପୁଣିଥରେ ଖଦଡ଼ ଧଳା କୁର୍ତ୍ତା ପିନ୍ଧି ସେ ବାହାରିପଡ଼ିଥିଲେ। କିନ୍ତୁ ଏଥର ସେ ଆଶାବାଡ଼ି ସହାୟତାରେ ମତଦାନ କେନ୍ଦ୍ର ପାଖରେ ପହଞ୍ଚିଥିଲେ। ତାଙ୍କ ପାଦରେ ପୂର୍ବଭଳି ଚଞ୍ଚଳତା ନଥିଲା, ଠିକ୍ ସେମିତି ମତଦାନ ଦିନର ଉତ୍ସବ ପରିବେଶ ମଧ୍ୟ ନଷ୍ଟ ହୋଇଯାଇଥିଲା।
‘‘ ତବ୍ ଦେଶ୍ ବନାନେ କେ ଲିୟେ ଭୋଟ୍ କିୟା ଥା, ଆଜ୍ ଦେଶ ବଚାନେ କେ ଲିୟେ ଭୋଟ୍ କର୍ ରହେ ହୈ (ସେତେବେଳେ ମୁଁ ଦେଶ ଗଢ଼ିବା ପାଇଁ ଭୋଟ୍ ଦେଇଥିଲି, ଆଜି ମୁଁ ଏହାକୁ ବଞ୍ଚାଇବା ପାଇଁ ଭୋଟ୍ ଦେଲି),’’ ମହାରାଷ୍ଟ୍ରର ବୀଡ୍ ସହରରେ ପରୀ ସହ କଥା ହୋଇ ସେ କୁହନ୍ତି।
୧୯୩୨ ମସିହାରେ ବୀଡ୍ ଜିଲ୍ଲାର ଶିରୁର୍ କାସାର ତହସିଲରେ ଜନ୍ମ ଗ୍ରହଣ କରିଥିବା ମୋଇନ୍ ତହସିଲ ଅଫିସରେ ଜଣେ ଚୌକିଦାର (ଜଗୁଆଳି) ଭାବେ କାମ କରିଥିଲେ। କିନ୍ତୁ ୧୯୪୮ରେ, ତତ୍କାଳୀନ ପ୍ରାଦେଶିକ ରାଜ୍ୟ ହାଇଦ୍ରାବାଦର ବିଲୟ ସମୟରେ ହୋଇଥିବା ହିଂସାରୁ ରକ୍ଷା ପାଇବା ଲାଗି ତାଙ୍କୁ ପାଖାପାଖି ୪୦ କିଲୋମିଟର ଦୂର ବୀଡ୍ ସହରକୁ ପଳାୟନ କରିବାକୁ ପଡ଼ିଲା।
୧୯୪୭ରେ ରକ୍ତାକ୍ତ ବିଭାଜନ ପରେ, ତିନୋଟି ପ୍ରାଦେଶିକ ରାଜ୍ୟ ହାଇଦ୍ରାବାଦ, କାଶ୍ମୀର ଓ ଟ୍ରାଭାଙ୍କେର ଭାରତରେ ବିଲୟକୁ ବିରୋଧ କରିଥିଲେ। ହାଇଦ୍ରାବାଦର ନିଜାମ ଏକ ସ୍ୱାଧୀନ ରାଜ୍ୟ ଦାବି କଲେ ଯାହା ଭାରତ କିମ୍ବା ପାକିସ୍ତାନର ଅଂଶବିଶେଷ ହେବ ନାହିଁ । ମରାଠାୱାଡ଼ାର କୃଷି ପ୍ରାଧାନ୍ୟ କ୍ଷେତ୍ର ସେତେବେଳେ ହାଇଦ୍ରାବାଦ ରାଜ୍ୟର ଅଂଶବିଶେଷ ଥିଲା। ଏହି ଅଞ୍ଚଳ ଅଧୀନରେ ବୀଡ୍ ରହିଥିଲା।
ଭାରତୀୟ ସେନାବାହିନୀ ସେପ୍ଟେମ୍ବର ୧୯୪୮ରେ ହାଇଦ୍ରାବାଦରେ ପ୍ରବେଶ କଲା ଏବଂ ମାତ୍ର ଚାରି ଦିନରୁ କମ୍ ସମୟ ମଧ୍ୟରେ ନିଜାମଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିଥିଲା। ତେବେ ସୁନ୍ଦରଲାଲ କମିଟି ରିପୋର୍ଟ ନାମକ ଏକ ଗୋପନୀୟ ରିପୋର୍ଟକୁ କିଛି ଦଶନ୍ଧି ପରେ ସାର୍ବଜନୀନ କରାଯାଇଥିଲା। ଏହି ରିପୋର୍ଟ ଅନୁଯାୟୀ , ଏହି ଅଭିଯାନ ସମୟରେ ଏବଂ ପରେ ଅତିକମରେ ୨୭,୦୦୦ ରୁ ୪୦,୦୦୦ ମୁସଲିମ ସେମାନଙ୍କର ଜୀବନ ହରାଇଥିଲେ, ମୋଇନଙ୍କ ଭଳି କିଶୋରମାନଙ୍କୁ ପ୍ରାଣ ବଞ୍ଚାଇ ଲୁଚି ପଳାଇବାକୁ ପଡ଼ିଥିଲା।
‘‘ମୋ ଗାଁରେ ଥିବା କୂଅ ଶବରେ ଭରିଯାଇଥିଲା,’’ ସେ ସ୍ମରଣ କରି କୁହନ୍ତି। ‘‘ଆମେ ବୀଡ୍ ସହରକୁ ପଳାୟନ କରିଥିଲୁ। ସେବେଠାରୁ ଏହା ମୋର ଘର ହୋଇ ରହିଆସିଛି।’’
ସେ ବୀଡ୍ରେ ବିବାହ କରିଥିଲେ, ଏଠାରେ ନିଜ ପିଲାମାନଙ୍କୁ ବଢ଼ାଇବା ସହିତ ନାତିନାତୁଣୀଙ୍କ ବଡ଼ ହେବା ଦେଖିଥିଲେ। ୩୦ ବର୍ଷ ଧରି ସେ ଜଣେ ଦରଜି ଭାବେ କାମ କରିଥିଲେ ଏବଂ ସ୍ଥାନୀୟ ରାଜନୀତିରେ ମଧ୍ୟ କିଛି ମାତ୍ରାରେ ଅଂଶଗ୍ରହଣ କରିଥିଲେ।
କିନ୍ତୁ ସାତ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଶିରୁର୍ କାସାରରେ ଥିବା ନିଜ ମୂଳ ଘରୁ ଲୁଚି ପଳାଇ ଆସିବା ପରେ ପ୍ରଥମ ଥର ପାଇଁ ମୋଇନ୍ ନିଜ ମୁସଲିମ୍ ପରିଚୟ କାରଣରୁ ଅସୁରକ୍ଷିତ ଅନୁଭବ କରୁଛନ୍ତି ।
ଘୃଣା ସୃଷ୍ଟିକାରୀ ଭାଷଣ ଓ ଅପରାଧର ରେକର୍ଡ ରଖୁଥିବା ୱାଶିଂଟନ୍ ଡିସି ସ୍ଥିତ ସଂସ୍ଥା ଇଣ୍ଡିଆ ହେଟ୍ ଲ୍ୟାବ୍ର ତଥ୍ୟ ଅନୁଯାୟୀ, ୨୦୨୩ରେ ଭାରତରେ ୬୬୮ଟି ଘୃଣା ସୃଷ୍ଟିକାରୀ ଭାଷଣ ଦେବା ଘଟଣା ଘଟିଛି, ଅର୍ଥାତ୍ ଦିନକୁ ପ୍ରାୟ ଦୁଇଟି। ମହାତ୍ମା ଫୁଲେ ଓ ବାବାସାହେବ ଆମ୍ବେଦକରଙ୍କ ଭଳି ପ୍ରଗତିଶୀଳ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ପରିଚିତ ମହାରାଷ୍ଟ୍ର ୧୧୮ଟି ଘଟଣା ସହିତ ଏହି ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛି ।
‘‘ବିଭାଜନ ପରେ ଭାରତରେ ମୁସଲିମଙ୍କ ସ୍ଥାନକୁ ନେଇ ସାମାନ୍ୟ ଅନିଶ୍ଚିତତା ରହିଥିଲା,’’ ସେ ସ୍ମରଣ କରିଥାନ୍ତି। ‘‘କିନ୍ତୁ ମୁଁ ଭୟଭୀତ ଅନୁଭବ କରିନଥିଲି। ଏକ ରାଷ୍ଟ୍ର ଭାବେ ଭାରତ ଉପରେ ମୋର ବିଶ୍ୱାସ ରହିଥିଲା। ତେବେ ଆଜି, ଏଠାରେ ମୋର ସାରା ଜୀବନ ବିତାଇବା ପରେ, ମୁଁ କ’ଣ ଏଠାକାର କି ବୋଲି ଭାବୁଛି…’’
ଶୀର୍ଷ ପଦବୀରେ ବସିଥିବା ଜଣେ ନେତା ଏତେ ଫରକ ଆଣିବା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସେ ବିଚାର କରନ୍ତି।
‘‘ପଣ୍ଡିତ ଜବାହରଲାଲ ନେହରୁ ସମସ୍ତଙ୍କୁ ପ୍ରକୃତରେ ଭଲ ପାଉଥିଲେ ଏବଂ ସମସ୍ତେ ମଧ୍ୟ ତାଙ୍କୁ ଅନୁରୂପ ଭାବେ ଭଲ ପାଉଥିଲେ,’’ ମୋଇନ୍ କୁହନ୍ତି । ‘‘ହିନ୍ଦୁ ଓ ମୁସଲମାନ୍ ସଦ୍ଭାବନାର ସହିତ ରହିପାରିବେ ବୋଲି ସେ ଆମ ମନରେ ବିଶ୍ୱାସ ଜନ୍ମାଇଥିଲେ। ସେ ଜଣେ ସମ୍ବେଦନଶୀଳ ବ୍ୟକ୍ତି ଥିଲେ ଏବଂ ବାସ୍ତବରେ ଧର୍ମନିରପେକ୍ଷ ଥିଲେ। ଭାରତର ସ୍ୱତନ୍ତ୍ର ହୋଇପାରିବ ବୋଲି ସେ ଆମ ମନରେ ଆଶା ଜଗାଇଥିଲେ।’’
ମୋଇନ କୁହନ୍ତି, ଏହାର ବିପରୀତ ଭାରତର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନଙ୍କୁ ‘‘ଅନୁପ୍ରବେଶକାରୀ’’ କହୁଛନ୍ତି ଏବଂ ମତଦାତାମାନଙ୍କୁ ସାମ୍ପ୍ରଦାୟିକ ଆଧାରରେ ବିଭାଜିତ କରି ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛନ୍ତି, ଏହା ସେମାନଙ୍କ ହୃଦୟକୁ ଆଘାତ ପହଞ୍ଚାଇବା ଭଳି ଲାଗୁଛି ।
୨୨ ଏପ୍ରିଲ ୨୦୨୪ରେ ଭାରତୀୟ ଜନତା ପାର୍ଟୀର ତାରକା ପ୍ରଚାରକ ମୋଦୀ ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ମିଥ୍ୟା ଭାଷଣ ଦେଇ ଦାବି କରିଥିଲେ ଯେ, କଂଗ୍ରେସ ଦଳ ଲୋକଙ୍କ ସମ୍ପତ୍ତିକୁ ‘‘ଅନୁପ୍ରବେଶକାରୀ’’ଙ୍କ ମଧ୍ୟରେ ବାଣ୍ଟି ଦେବା ପାଇଁ ଯୋଜନା କରୁଛି ।
ମୋଇନ କୁହନ୍ତି, ‘‘ଏହା ଚିନ୍ତାଜନକ । ମୋର ମନେ ଅଛି ଏମିତି ଏକ ସମୟ ଥିଲା ଯେତେବେଳେ ସିଦ୍ଧାନ୍ତ ଓ ସଚ୍ଚୋଟତାକୁ ସବୁଠୁ ମୂଲ୍ୟବାନ ସମ୍ପତ୍ତି ବୋଲି ବିବେଚନା କରାଯାଉଥିଲା। ହେଲେ ଏବେ ଯେକୌଣସି ମୂଲ୍ୟରେ କ୍ଷମତା ହାସଲ କରିବା ଦରକାର।’’
ମୋଇନଙ୍କର ଗୋଟିଏ ବଖୁରିକିଆ ଘରଠାରୁ ପ୍ରାୟ ଦୁଇ କିମ୍ବା ତିନି କିଲୋମିଟର ଦୂରରେ ସୟେଦ ଫଖରୁ ଉଜ୍ ଜମା ରୁହନ୍ତି। ସେ ହୁଏତ ପ୍ରଥମ ସାଧାରଣ ନିର୍ବାଚନରେ ଭୋଟ୍ ଦେଇନଥିବେ, କିନ୍ତୁ ସେ ୧୯୬୨ରେ ନେହରୁଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ଲାଗି ଭୋଟ୍ ଦେଇଥିଲେ। ସେ କୁହନ୍ତି, ‘‘ମୁଁ ଜାଣିଛି ବର୍ତ୍ତମାନ କଂଗ୍ରେସ ପାଇଁ ଖରାପ ସମୟ ଚାଲିଛି, କିନ୍ତୁ ମୁଁ ନେହରୁଙ୍କ ବିଚାରଧାରାକୁ ଛାଡ଼ି ପାରିବି ନାହିଁ। ମୋର ମନେ ଅଛି ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀ ବୀଡ୍ ଆସିଥିଲେ। ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି।’’
ସେ ଭାରତ ଯୋଡ଼ୋ ଯାତ୍ରା ଦ୍ୱାରା ପ୍ରଭାବିତ ହୋଇଥିଲେ - ଯେଉଁଥିରେ ରାହୁଲ ଗାନ୍ଧୀ କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ମହାରାଷ୍ଟ୍ରରେ ସେ ଉଦ୍ଧବ ଠାକରେଙ୍କ ପ୍ରତି କୃତଜ୍ଞ - ଯିଏକି ଏପରି ଏକ ଭାବନା ବ୍ୟକ୍ତ କରିବେ ବୋଲି ସେ କେବେହେଲେ ଭାବିନଥିଲେ।
‘‘ଶିବସେନା ଭଲ ପାଇଁ ବଦଳି ଯାଇଛି,’’ ସେ କୁହନ୍ତି। ‘‘ମହାମାରୀ ସମୟରେ ଉଦ୍ଧବ ଠାକରେ ନିଜକୁ ଯେପରି ଭାବେ ପରିଚାଳନା କରିଥିଲେ ତାହା ଉଲ୍ଲେଖନୀୟ ଥିଲା। ମହାରାଷ୍ଟ୍ରରେ ମୁସଲମାନଙ୍କୁ ଅନ୍ୟ ରାଜ୍ୟ ଭଳି ଯେମିତି ଟାର୍ଗେଟ କରାନଯିବ ତାହା ସୁନିଶ୍ଚିତ କରିବା ଲାଗି ସେ ଯଥାସମ୍ଭବ ଚେଷ୍ଟା କରିଥିଲେ।’’
ଜାମା (୮୫) କୁହନ୍ତି ଭାରତରେ ସାମ୍ପ୍ରଦାୟିକ ବିଭାଜନର ଏକ ଅନ୍ତରୀଣ ଭାବନା ସବୁବେଳେ ରହିଆସିଛି, କିନ୍ତୁ, ‘‘ଅଧିକ ନହେଲେ ମଧ୍ୟ ଏହାକୁ ବିରୋଧ କରୁଥିବା ଲୋକ ସବୁବେଳେ ମୁଖର ରହି ଆସିଛନ୍ତି।’’
ଡିସେମ୍ବର ୧୯୯୨ରେ, ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱାଧୀନ କଠୋରପନ୍ଥୀ ସଂଗଠନ ପୌରାଣିକ ଚରିତ୍ର ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି ଦାବି କରି ଉତ୍ତର ପ୍ରଦେଶର ଅଯୋଧ୍ୟା ସହରରେ ଥିବା ବାବରୀ ମସଜିଦକୁ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ସାରା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଦେଖା ଦେଇଥିଲା, ଏଥିରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ମଧ୍ୟ ସାମିଲ ଥିଲା, ଯାହାକି ଏକାଧିକ ବୋମା ବିସ୍ଫୋରଣ ଓ ଦଙ୍ଗାରେ ସମ୍ପୂର୍ଣ୍ଣ ଥରହର ହୋଇ ଉଠିଥିଲା।
୧୯୯୨-୯୩ ଅସ୍ଥିରତା ସମୟରେ ତାଙ୍କ ବୀଡ୍ ସହରରେ ଦେଖା ଦେଇଥିବା ଉତ୍ତେଜନା ସମ୍ପର୍କରେ ଜାମା ମନେ ପକାଇଥା’ନ୍ତି।
‘‘ଆମର ଭାଇଚାରା ଯେମିତି ଅତୁଟ ରହିବ ତାହା ସୁନିଶ୍ଚିତ କରିବା ଲାଗି ମୋ ପୁଅ ସହରରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆୟୋଜନ କରିଥିଲା। ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ। ସେହି ସଦଭାବନା ଏବେ ଆଉ ଦେଖିବାକୁ ମିଳୁନାହିଁ,’’ ସେ ଆହୁରି କହିଥାନ୍ତି।
ଜାମା ବର୍ତ୍ତମାନ ଯେଉଁ ଘରେ ରହୁଛନ୍ତି ସେଇଠି ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପରିବାର ବୀଡ୍ର ପ୍ରଭାବଶାଳୀ ମୁସଲିମ ପରିବାର ମଧ୍ୟରୁ ଅନ୍ୟତମ ଭାବେ ରହି ଆସିଛି। ନିର୍ବାଚନ ପୂର୍ବରୁ ନେତାମାନେ ସେମାନଙ୍କଠାରୁ ଆଶୀର୍ବାଦ ନେବା ଲାଗି ଭେଟିଥା’ନ୍ତି। ତାଙ୍କ ବାପା ଓ ଜେଜେବାପା, ଉଭୟ ଶିକ୍ଷକ ଥିଲେ, ‘‘ପୁଲିସ କାର୍ଯ୍ୟାନୁଷ୍ଠାନ’’ ସମୟରେ ଜେଲ୍ ମଧ୍ୟ ଯାଇଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ହେବା ସମୟରେ, ସ୍ଥାନୀୟ ନେତାଙ୍କ ସମେତ ବିଭିନ୍ନ ଧର୍ମର ଲୋକମାନେ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ।
‘‘ଗୋପୀନାଥ ମୁଣ୍ଡେଙ୍କ ସହିତ ମୋର ଖୁବ୍ ଭଲ ସମ୍ପର୍କ ଥିଲା,’’ ବୀଡ୍ର ସବୁଠୁ ପ୍ରଭାବଶାଳୀ ନେତାଙ୍କ ବିଷୟରେ ସୂଚନା ଦେଇ ଜାମା କୁହନ୍ତି। ‘‘ବିଜେପିର ହୋଇଥିଲେ ମଧ୍ୟ ମୋର ସମ୍ପୂର୍ଣ୍ଣ ପରିବାର ୨୦୦୯ରେ ତାଙ୍କୁ ଭୋଟ୍ ଦେଇଥିଲା। ସେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଫରକ କରିବେ ନାହିଁ ବୋଲି ଆମେ ଜାଣିଥିଲୁ।’’
ସେ କୁହନ୍ତି ଯେ, ମୁଣ୍ଡେଙ୍କ ଝିଅ ପଙ୍କଜାଙ୍କ ସହିତ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି, ଯିଏକି ବୀଡ୍ରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ତେବେ ମୋଦୀଙ୍କ ସାମ୍ପ୍ରଦାୟିକ ବୟାନ ସାମ୍ନାରେ ସେ ତିଷ୍ଠି ପାରିବେ ନାହିଁ ବୋଲି ଜାମାଙ୍କର ବିଶ୍ୱାସ ରହିଛି। ଜାମା କୁହନ୍ତି, ‘‘ବୀଡ୍ରେ ନିଜ ଶୋଭାଯାତ୍ରା ସମୟରେ ସେ ମଧ୍ୟ ଉତ୍ତେଜନା ସୃଷ୍ଟିକାରୀ ଟିପ୍ପଣୀ ଦେଇଥିଲେ। ପଙ୍କଜା ତାଙ୍କର ଏହି ଗସ୍ତ ପରେ ହଜାର ହଜାର ଭୋଟ୍ ହରାଇଥିଲେ। ମିଛ କହି ଆପଣ ବେଶୀ ଆଗକୁ ଯାଇପାରିବେ ନାହିଁ।’’
ଜାମା ନିଜ ଜନ୍ମ ପୂର୍ବରୁ ତାଙ୍କ ବାପାଙ୍କ ସହ ଘଟିଥିବା ଏକ କଥା ମନେ ପକାଇଥା’ନ୍ତି। ସେମାନଙ୍କ ଘର ଠାରୁ କିଛି ଦୂରରେ ଗୋଟିଏ ମନ୍ଦିର ରହିଛି, ୧୯୩୦ ଦଶକରେ ଏହାକୁ ଯାଞ୍ଚ କରାଯାଇଥିଲା। କିଛି ସ୍ଥାନୀୟ ମୁସଲିମ ନେତାମାନେ କହିଥିଲେ ଯେ ପୂର୍ବରୁ ଏହା ଏକ ମସଜିଦ୍ ଥିଲା ଏବଂ ସେମାନେ ହାଇଦ୍ରାବାଦ ନିଜାମଙ୍କୁ ମନ୍ଦିରକୁ ବଦଳାଇବା ପାଇଁ ଅନୁରୋଧ କରିଥିଲେ। ଜାମାଙ୍କ ବାପା ସୈୟଦ ମହବୁବ ଅଲୀ ଶାହା ଜଣେ ସଚ୍ଚୋଟ ବ୍ୟକ୍ତି ଭାବେ ପରିଚିତ ଥିଲେ ।
‘‘ଏହା ମସଜିଦ୍ କି ମନ୍ଦିର ତାହା ନିର୍ଦ୍ଧାରଣ କରିବାର ଦାୟିତ୍ୱ ତାଙ୍କ ବାପାଙ୍କୁ ଦିଆଗଲା,’’ ଜାମା କୁହନ୍ତି । ‘‘ମୋ ବାପା ସାକ୍ଷୀ ଦେଲେ ଯେ ଏଠାରେ କେବେ ମସଜିଦ୍ ଥିବାର ପ୍ରମାଣ ସେ ଦେଖିନାହାନ୍ତି। ମାମଲାର ସମାଧାନ ହୋଇଗଲା ଏବଂ ମନ୍ଦିର ବର୍ତ୍ତିଗଲା। ତେବେ ଏହାଦ୍ୱାରା କିଛି ଲୋକ ନିରାଶ ହେଲେ, କିନ୍ତୁ ମୋ ବାପା ମିଛ କହିଲେ ନାହିଁ। ଆମେ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାରେ ବିଶ୍ୱାସ କରୁ; ‘‘ସତ୍ୟ ସବୁବେଳେ ଆପଣଙ୍କୁ ମୁକ୍ତି ଦେଇଥାଏ’ ’’
ମୋଇନଙ୍କ ସହିତ କଥାବାର୍ତ୍ତା ବେଳେ ମଧ୍ୟ ଗାନ୍ଧୀଙ୍କ ବିଷୟରେ ବାରମ୍ବାର ଉଲ୍ଲେଖ ମିଳିଥାଏ। ସେ କୁହନ୍ତି, ‘‘ସେ ଆମ ଭିତରେ ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବର ବିଚାର ସୃଷ୍ଟି କରିଥିଲେ,’’ ଆଉ ଗୋଟିଏ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ସେ ଶୁଣାଇ ଥା’ନ୍ତି : ତୁ ନ ହିନ୍ଦୁ ବନେଗା, ନ ମୁସଲମାନ ବନେଗା। ଇନସାନ କି ଔଲାଦ୍ ହେ, ଇନସାନ୍ ବନେଗା।
ମୋଇନ କୁହନ୍ତି ଯେ, ୧୯୯୦ରେ ଯେତେବେଳେ ସେ ବୀଡ୍ରେ ଜଣେ କାଉନସିଲର ହୋଇଥିଲେ ଏହା ହିଁ ତାଙ୍କର ଲକ୍ଷ୍ୟ ପାଲଟିଥିଲା। ସେ ହସି ହସି କୁହନ୍ତି, ‘‘ମୁଁ ୩୦ ବର୍ଷ ପରେ ୧୯୮୫ରେ ଦରଜି କାମ ଛାଡ଼ି ଦେଇଥିଲି କାରଣ ମୁଁ ରାଜନୀତି ପ୍ରତି ଆଗ୍ରହୀ ଥିଲି। କିନ୍ତୁ ରାଜନେତା ଭାବେ ମୁଁ ଅଧିକ ଦିନ ତିଷ୍ଠି ପାରିନଥିଲି। ମୁଁ ସ୍ଥାନୀୟ ନିର୍ବାଚନରେ ଦୁର୍ନୀତି ଓ ଟଙ୍କା କାରବାର ଦେଖି ସହିପାରିଲି ନାହିଁ। ମୁଁ ୨୫ ବର୍ଷରୁ ଅଧିକ ସମୟ ହେବ ଜଣେ ସେବାନିବୃତ୍ତ ବ୍ୟକ୍ତି ହୋଇ ରହୁଛି।’’
ସମୟ ପରିବର୍ତ୍ତନ ଏବଂ ବହୁମାତ୍ରାରେ ଦୁର୍ନୀତି କାରଣରୁ ଜାମା ମଧ୍ୟ ଅବସର ନେବାକୁ ନିଷ୍ପତ୍ତି ନେଲେ। ସେ ସାଧାରଣ ସମୟରେ ଜଣେ ସ୍ଥାନୀୟ ଠିକାଦାର ଭାବେ ମଧ୍ୟ କାମ କରିଥିଲେ। ‘‘୧୯୯୦ ଦଶକ ପରେ, ଏହା ବଦଳିଗଲା,’’ ସେ ସ୍ମରଣ କରିଥା’ନ୍ତି। ‘‘କାମର ଗୁଣବତ୍ତା ପଛରେ ପଡ଼ିଗଲା ଏବଂ ସବୁକିଛି ଲାଞ୍ଚ କାରବାର ଉପରେ ଆଧାରିତ ହୋଇଗଲା। ଘରେ ରହିବା ହିଁ ମୋ ପାଇଁ ଠିକ୍ ହେବ ବୋଲି ମୁଁ ଭାବୁଛି।
ଅବସର ପରେ, ଜାମା ଓ ମୋଇନ ଉଭୟ ଅଧିକ ଧାର୍ମିକ ହୋଇଯାଇଛନ୍ତି। ଜାମା ଭୋର୍ ସାଢ଼େ ୪ଟାରେ ଉଠି ସକାଳ ନମାଜ୍ ପଢ଼ନ୍ତି। ମୋଇନ ଶାନ୍ତି ସନ୍ଧାନରେ ନିଜ ଘର ଓ ରାସ୍ତା ସେପଟେ ଥିବା ମସଜିଦ୍ ମଧ୍ୟରେ ଯିବା ଆସିବା ଜାରି ରଖିଥାନ୍ତି। ତାଙ୍କ ମସଜିଦ୍ ବୀଡ୍ର ଏକ ସଂକୀର୍ଣ୍ଣ ଗଳିରେ ଥିବାରୁ ସେ ଭାଗ୍ୟବାନ।
ବିଗତ କିଛି ବର୍ଷ ମଧ୍ୟରେ ଦକ୍ଷିଣପନ୍ଥୀ ହିନ୍ଦୁ ସଂଗଠନଗୁଡ଼ିକ ମସଜିଦ୍ ସାମ୍ନାରେ ଉତ୍ତେଜନା ସୃଷ୍ଟିକାରୀ, ଘୃଣାସ୍ପଦ ଓ ବିଦ୍ୱେଷପୂର୍ଣ୍ଣ ଗୀତ ବଜାଇ ରାମ ନବମୀ ପର୍ବ ପାଳନ କରିଛନ୍ତି। ବୀଡ୍ର କାହାଣୀ ମଧ୍ୟ କିଛି ଭିନ୍ନ ନୁହେଁ । ସୌଭାଗ୍ୟବଶତଃ, ଯେଉଁ ଗଳିରେ ମୋଇନଙ୍କ ମସଜିଦ୍ ରହିଛି, ତାହା ଏତେ ସଂକୀର୍ଣ୍ଣ ଯେ ସେଠାରେ ଆକ୍ରମଣକାରୀ ଶୋଭାଯାତ୍ରା ଯାଇପାରିବ ନାହିଁ ।
ସେହି ଦୃଷ୍ଟିରୁ ଦେଖିଲେ ଜାମା ସେତେ ଭାଗ୍ୟଶାଳୀ ନୁହନ୍ତି। ମୁସଲମାନଙ୍କ ବିରୋଧରେ ହିଂସା ଓ ସେମାନଙ୍କର ସମ୍ମାନହାନି କରିବା ଭଳି ଗୀତ ତାଙ୍କୁ ଶୁଣିବାକୁ ପଡ଼ିଛି । ପ୍ରତ୍ୟେକ ଶବ୍ଦ ଜଣେ ମଣିଷ ଭାବେ ତାଙ୍କର ସମ୍ମାନହାନି ହେବା ଭଳି ଅନୁଭବ କରାଇଥାଏ।
‘‘ମୋ ନାତିମାନେ ଓ ସେମାନଙ୍କର ମୁସଲିମ ସାଙ୍ଗମାନେ ରାମ ନବମୀ ଏବଂ ଗଣେଶ ଉତ୍ସବ ସମୟରେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ପାଣି, ଫଳ ରସ ଓ କଦଳୀ ବାଣ୍ଟିଥିବାର ମୋର ମନେ ପଡ଼ୁଛି,’’ ଜାମା କୁହନ୍ତି। ‘‘ସେମାନେ ଆମ ପ୍ରତି ଅପମାନଜନକ ଗୀତ ବଜାଇବା ଆରମ୍ଭ କରିବା ପରେ ଏହି ସୁନ୍ଦର ପରମ୍ପରା ସମାପ୍ତ ହୋଇଯାଇଥିଲା।’’
ଭଗବାନ ରାମଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି, କିନ୍ତୁ ସେ କୁହନ୍ତି, ‘‘ଅନ୍ୟମାନଙ୍କୁ ଘୃଣା କରିବା ଲାଗି ରାମ କେବେ ବି ଶିକ୍ଷା ଦେଇନଥିଲେ। ଯୁବପିଢ଼ି ନିଜ ଭଗବାନଙ୍କୁ ଅପମାନିତ କରୁଛନ୍ତି । ସେ ଏମିତି କିଛି ଉଦାହରଣ ସୃଷ୍ଟି କରିଥିଲେ।
ମସଜିଦ୍ ସାମ୍ନାକୁ ଆସୁଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରାପ୍ତ ବୟସ୍କ ଯୁବକଙ୍କ ସଂଖ୍ୟା ସବୁଠୁ ଅଧିକ ଏବଂ ଏହି କଥା ଜାମାଙ୍କୁ ସବୁଠୁ ଅଧିକ ଚିନ୍ତିତ କରିଥାଏ। ସେ କୁହନ୍ତି, ‘‘ହିନ୍ଦୁ ସାଙ୍ଗମାନେ ନଆସିବା ପୂର୍ବରୁ ମୋ ବାପା ଇଦ୍ ରେ ଭୋଜନ ଗ୍ରହଣ କରୁନଥିଲେ। ମୁଁ ମଧ୍ୟ ସେମିତ କରିଥିଲି। ମୁଁ ଦେଖୁଛି ଏବେ ସେଥିରେ ଅନେକ ପରିବର୍ତ୍ତନ ଆସିଛି।’’
ମୋଇନ କୁହନ୍ତି ଯେ ଯଦି ଆମେ ସାମ୍ପ୍ରଦାୟିକ ସଦ୍ଭାବ ଦିନକୁ ଫେରାଇ ଆଣିବା ଲାଗି ଚାହୁଁଛୁ ତା’ହେଲେ ଆମକୁ ଗାନ୍ଧୀଙ୍କ ଭଳି ଦୃଢ଼ ସଂକଳ୍ପବଦ୍ଧ ଓ ସଚ୍ଚୋଟ ବ୍ୟକ୍ତିଙ୍କ ସହାୟତା ଆବଶ୍ୟକ, ଯିଏକି ଏକତାର ବାର୍ତ୍ତାକୁ ପୁଣିଥରେ ପୁନର୍ଜୀବିତ କରିପାରିବେ।
ଗାନ୍ଧୀଜୀଙ୍କ ଯାତ୍ରା ତାଙ୍କରୁ ମଜରୁହ ସୁଲତାନପୁରୀଙ୍କ ଏକ ପଦ୍ୟ ବିଷୟରେ ମନେ ପକାଇ ଦେଇଥାଏ : ‘‘ମେ ଅକେଲା ହି ଚଲତା ଜାନିବ ଏ ମଞ୍ଜିଲ୍ ମଗର୍, ଲୋକ ସାଥ ଆତେ ଗୟେ ଔର କାରୱାଁ ଆତା ଗୟା (ମୁଁ ଲକ୍ଷ୍ୟ ଆଡ଼କୁ ଏକାକୀ ଚାଲିଥିଲି; ଲୋକମାନେ ମୋ ସହ ଚାଲିଲେ ଏବଂ ଯାତ୍ରା ଆଗକୁ ବଢ଼ିଲା)।’’
‘‘ନଚେତ୍, ସମ୍ବିଧାନ ବଦଳିଯିବ ଏବଂ ପରବର୍ତ୍ତୀ ପିଢ଼ିଙ୍କୁ ସଂଘର୍ଷ କରିବାକୁ ହେବ,’’ ସେ କୁହନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍