ଅନୋପରାମ ସୂତାର କେବେ ବାଦ୍ୟଯନ୍ତ୍ର ବଜାଇ ନାହାନ୍ତି, କିନ୍ତୁ ସେ ଜାଣନ୍ତି କେଉଁ କାଠରୁ ସବୁଠୁ ଭଲ ସ୍ୱର ବାହାରେ । ଅଷ୍ଟମ ପିଢ଼ିର ଏହି ଖରତାଲ୍ ନିର୍ମାତା କୁହନ୍ତି, “ମୋତେ ଖଣ୍ଡେ କାଠ ଦିଅନ୍ତୁ, ମୁଁ ଆପଣଙ୍କୁ କହିପାରିବି ଏଥିରେ ଭଲ ବାଦ୍ୟଯନ୍ତ୍ର ହୋଇପାରିବ କି ନାହିଁ ।”
ରାଜସ୍ଥାନର ଲୋକ ଓ ଭକ୍ତି ସଙ୍ଗୀତରେ ବ୍ୟବହୃତ ଏହି ବାଦ୍ୟଯନ୍ତ୍ର ଖରତାଲ୍- ଚାରି ଖଣ୍ଡ କାଠରେ ନିର୍ମିତ ଏବଂ ପ୍ରତ୍ୟେକ ହାତରେ ଦୁଇଟି ଧରାଯାଏ – ଗୋଟିଏ ଖଣ୍ଡ ବୁଢ଼ା ଆଙ୍ଗୁଠି ସହ ରହିଥିବା ବେଳେ ଅବଶିଷ୍ଟ ଚାରି ଆଙ୍ଗୁଠିରେ ଅନ୍ୟଟି ରହିଥାଏ । ଯେତେବେଳେ ଏକାସାଙ୍ଗରେ ତାଳି ବଜାଯାଏ, ସେତେବେଳେ ଏହା ଶବ୍ଦ ବା ସ୍ୱର ସୃଷ୍ଟି କରେ। ଏହି ବାଦ୍ୟଯନ୍ତ୍ରରେ କେବଳ ଦୁଇଟି ଅକ୍ଷର ବ୍ୟବହୃତ ହୋଇଥାଏ – ତା ଓ କା । ୫୭ ବର୍ଷୀୟ ସୂତାର କୁହନ୍ତି, “କଳାକାର ବନୱାତେ ହେ (ସଙ୍ଗୀତକାରମାନେ ଖରତାଲ୍ ବନାଇଥାନ୍ତି) ।”
ରାଜସ୍ଥାନୀ ଖରତାଲ୍ରେ ସାଧାରଣତଃ ଘଣ୍ଟି ନଥାଏ, ଯାହା ମଞ୍ଜିରା ବା କରତାଳ ନାମକ ଝାଞ୍ଜ ଥିବା ଖରତାଲ୍ରେ ରହିଥାଏ ।
ଜଣେ ଦକ୍ଷ କାରିଗର ମାତ୍ର ୨ ଘଣ୍ଟାରେ ଚାରି ଖଣ୍ଡର ଏକ ସେଟ୍ ତିଆରି କରିପାରିବେ । ଶିଳ୍ପରେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକୁ ମନେ ପକାଇ ସେ କୁହନ୍ତି, “ପ୍ରଥମେ ଏଥିପାଇଁ ମତେ ପୂରା ଦିନ (ଆଠ ଘଣ୍ଟା) ଲାଗି ଯାଉଥିଲା।” ଅନୋପରାମଙ୍କ ସୂତାର ପରିବାର ପ୍ରାୟ ଦୁଇ ଶତାବ୍ଦୀ ଧରି ଖରତାଲ୍ ବନାଇ ଆସୁଛନ୍ତି । ସେ କୁହନ୍ତି, “ବଚପନ ସେ ୟହି କାମ ହେ ହମାରା (ପିଲାଦିନରୁ ଆମେ ଏହି କାମ କରୁଛୁ)।”
ସେ କହିଛନ୍ତି, ତାଙ୍କ ବାପା ସ୍ୱର୍ଗତ ଉସଲାରାମ ଜଣେ ଦୟାଳୁ ଶିକ୍ଷକ ଥିଲେ ଏବଂ ସେ ତାଙ୍କୁ ଧୈର୍ଯ୍ୟର ସହ ଶିକ୍ଷା ଦେଇଥିଲେ । “ମୁଁ ବହୁତ ଭୁଲ୍ କରୁଥିଲି, ସେ କେବେ ମତେ ପାଟି କରୁନଥିଲେ, ସବୁବେଳେ ସ୍ନେହ ଆଦରରେ ଶିଖାଉଥିଲେ ।” ସୂତାର ସମୁଦାୟର କେବଳ ପୁରୁଷମାନେ ଖରତାଲ୍ ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି ।














