‘‘ମୁଁ ଏମିତି ସିକ୍ସ ପ୍ୟାକ୍ ଆବ୍ସ ପାଇଛି, କେବେ ଏକ୍ସର୍ସାଇଜ୍ କରି ନାହିଁ। ଆଉ ଶହବାଜ୍ଙ୍କ ବାଇସେପ୍ସକୁ ଦେଖନ୍ତୁ!’’ ଯୁବ ଆଦିଲ ନିଜ ସହକର୍ମୀଙ୍କ ଆଡ଼କୁ ଇସାରା କରି ହସି ହସି କୁହନ୍ତି।
ମହମ୍ମଦ ଆଦିଲ ଓ ଶହବାଜ ଅନ୍ସାରୀ ମେରଠର ଜିମ୍ ଓ ଫିଟନେସ୍ ସରଞ୍ଜାମ କାରଖାନାରେ କାମ କରନ୍ତି ଏବଂ ଗୋଟିଏ ଦିନରେ ସେମାନେ ଯେତେ ଓଜନ ଉଠାଇଥା’ନ୍ତି, ସେତିକି ଓଜନ ଜିମ୍ ଯାଉଥିବା ଲୋକମାନେ ଗୋଟିଏ ସପ୍ତାହରେ ଉଠାଇଥାନ୍ତି। ହେଲେ କୌଣସି ଫିଟନେସ୍ ଲକ୍ଷ୍ୟ ପୂରଣ କରିବା ପାଇଁ ସେମାନେ ଏହି ଓଜନ ଉଠାଇ ନଥା’ନ୍ତି, ବରଂ ଉତ୍ତର ପ୍ରଦେଶର ମେରଠ ସହରରେ ରହୁଥିବା ମୁସଲିମ୍ ପରିବାରର ଯୁବକଙ୍କ ପାଇଁ ଏହା ରୋଜଗାର ସାଧନ। ପ୍ରକୃତରେ ପଶ୍ଚିମ ଉତ୍ତରପ୍ରଦେଶର ଏହି ଜିଲ୍ଲା କ୍ରୀଡ଼ା ସାମଗ୍ରୀ ଉତ୍ପାଦନର କେନ୍ଦ୍ରସ୍ଥଳୀ।
ମହମ୍ମଦ ସାକିବ୍ କୁହନ୍ତି, ‘‘କିଛି ଦିନ ପୂର୍ବରୁ ପିଲାମାନେ ସେମାନଙ୍କ ବାଇସେପ୍ସ ଓ ଆବ୍ସ (ପେଟର ମାଂସପେଶୀ)କୁ ତୁଳନା କରିବା ଲାଗି ଫଟୋ ଉଠାଉଥିଲେ।’’ ୩୦ ବର୍ଷ ବୟସ୍କ ଉଦ୍ୟୋଗୀ ସାକିବ ସୁରଜକୁଣ୍ଡ ରୋଡରେ ନିଜ ପରିବାର ଲୋକଙ୍କ ଦ୍ୱାରା ଭଡ଼ାରେ ନିଆଯାଇଥିବା ଜିମ୍ ଉପକରଣ ଶୋ’ରୁମ୍ କାଉଣ୍ଟରରେ ବସିଛନ୍ତି। ସୁରଜକୁଣ୍ଡ ରୋଡରେ ଗୋଟିଏ କିଲୋମିଟର ଅଞ୍ଚଳ ମେରଠରେ କ୍ରୀଡ଼ା ସହ ଜଡ଼ିତ ସାମଗ୍ରୀ ବଜାରର ମୁଖ୍ୟ କେନ୍ଦ୍ର ଅଟେ।
ସେ ଆହୁରି କୁହନ୍ତି, ‘‘ଗୃହିଣୀ ବ୍ୟବହାର କରୁଥିବା ସାଧାରଣ ଡମ୍ବଲଠାରୁ ଆରମ୍ଭ କରି ପେସାଦାର ଖେଳାଳୀ ବ୍ୟବହାର କରୁଥିବା ଜିମ୍ ସେଟଅପ୍ ପର୍ଯ୍ୟନ୍ତ, ଆଜିକାଲି ସମସ୍ତଙ୍କ ଜିମ୍ ଓ ଫିଟନେସ୍ ସାମଗ୍ରୀ ଦରକାର।’’
ଆମେ କଥା ହେବା ସମୟରେ ଲୁହା ଛଡ଼ ଏବଂ ପାଇପ୍ ବ୍ୟତୀତ ହୋମ୍ ଜିମ୍ ଓ ଲୁହା ବାର୍ ଭଳି ପ୍ରସ୍ତୁତ ହୋଇଥିବା ମାଲ୍ ଲଦି ଅନେକଗୁଡ଼ିଏ ଇଲେକ୍ଟ୍ରିକ୍ ତିନି ଚକିଆ ବାହନ (ସ୍ଥାନୀୟ ଲୋକମାନେ ଏହାକୁ ମିନି ମେଟ୍ରୋ କୁହନ୍ତି) ଏହି ବ୍ୟସ୍ତ ସଡ଼କ ଦେଇ ଚାଲି ଗଲେ। ସାକିବ୍ ଶୋ’ରୁମ୍ କାଚ କବାଟ ଦେଇ ଏହି ଗମନାଗମନକୁ ଦେଖି କୁହନ୍ତି, ‘‘ଜିମ୍ ମେସିନ୍ଗୁଡ଼ିକ ଅନେକ ଭାଗରେ ତିଆରି ହୋଇଥାଏ ଏବଂ ତା’ପରେ ଆସେମ୍ବଲ କରାଯାଇଥାଏ।’’





















