“କେତେ ଭୟ ଲାଗୁଛି ବୋଲି କେମିତି କହିବି? ଭୟରେ ମୋ ଛାତି ଥରି ଉଠେ। ସବୁବେଳେ ମୁଁ ଖାଲି ଏତିକି ଭାବୁଥାଏ ଯେ କେତେବେଳେ ଏଠାରୁ ମୁକୁଳି ଯାଇ ଖୋଲା ଜାଗାରେ ପହଞ୍ଚିବି,” କହନ୍ତି ୪୧ ବର୍ଷୀୟ କଙ୍କଡ଼ା ଶିକାରୀ ଏବଂ ମାଛଧରାଳି ପାରୁଲ ହାଲଦାର। ସୁନ୍ଦରବନର ଘଞ୍ଚ ହେନ୍ତାଳ ବଣ ଭିତରକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ସମୟରେ ଭୟର ହିମଶୀତଳ ଅନୁଭୂତି ସଂପର୍କରେ ବର୍ଣ୍ଣନା କରନ୍ତି ସେ। କଙ୍କଡ଼ା ଶିକାର କରିବାକୁ ସେ ନିଜେ ସେହି କ୍ଷୁଦ୍ର ଓ କେଉଁଠି କେଉଁଠି ଖୁବ୍ ସଂକୀର୍ଣ୍ଣ ନଦୀରେ ଡଙ୍ଗା ଚଳାଇ ସେହି ହେନ୍ତାଳ ଜଙ୍ଗଲ ଭିତରକୁ ଯିବାଆସିବା କରନ୍ତି। ଜଙ୍ଗଲ ବାଟରେ ସବୁ ସମୟରେ ବାଘ ଆକ୍ରମଣର ଭୟ ଲାଗି ରହିଥିବାରୁ ଖୁବ୍ ସଜାଗ ରହିଥାଆନ୍ତି ସେ।
ଲକ୍ସବାଗାନ ଗାଁ ନିବାସୀ ପାରୁଲ ନିଜ କାଠଡଙ୍ଗା ଚଳାଇ ଗରଲ ନଦୀରେ ଫେରିବା ବାଟରେ କଣେଇ କଣେଇ ସେହି ଜାଲଘେରା ବାଡ ଆଡ଼କୁ ଚାହାଁନ୍ତି। ଏହି ବାଡ଼ ଆରପଟେ ରହିଛି ମରିଚଝାପି ଜଙ୍ଗଲ। ସାତ ବର୍ଷ ତଳେ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଗୋସାବା ବ୍ଲକ୍ ଅନ୍ତର୍ଗତ ତାଙ୍କ ଗାଁ ପାଖରେ ଥିବା ଏହି ଜଙ୍ଗଲରେ, ପାରୁଲଙ୍କ ସ୍ୱାମୀ, ଇଶର ରଣଜିତ ହାଲଦାର ବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ।
ସେ ତାଙ୍କ ଆହୁଲାକୁ ଡଙ୍ଗାର ଗୋଟିଏ ଧାରରେ ରଖନ୍ତି। ନିଦାଘର ଅସହ୍ୟ ଟାଣ ଖରାରେ ସେ ଓ ତାଙ୍କ ମାଆ ୫୬ ବର୍ଷୀୟା ଲଖୀ ମଣ୍ଡଳ ଏହି ହୁଲି ଡଙ୍ଗାରେ ହିଁ ବାହାରିଥିଲେ। ଝିଅ ଭଳି ଲଖୀ ବି ମାଛ ମାରି ଚଳନ୍ତି।
ପାରୁଲ ୧୩ ବର୍ଷର ହୋଇଥିବା ବେଳେ ଇଶରଙ୍କୁ ବିବାହ କରିଥିଲେ। ତାଙ୍କ ଶ୍ୱଶୁରଘର ଲୋକେ ଗରିବ ହୋଇଥିଲେ ହେଁ ସେମାନେ କେବେହେଲେ ମାଛ ମାରିବା କି କଙ୍କଡ଼ା ଧରିବା ଲାଗି ଜଙ୍ଗଲ ଭିତରକୁ ଯାଇ ନଥିଲେ। ସ୍ୱାମୀଙ୍କ କଥା ମନେ ପକାଇ ସେ କହନ୍ତି, “ମୁଁ ତାଙ୍କୁ ବୁଝାଇ ଶୁଝାଇ ଏଠାକୁ ଆସିବାକୁ ରାଜି କରାଇଲି ଏବଂ ଜଙ୍ଗଲ ଭିତରକୁ ଆଣିଲି। ସତର ବର୍ଷ ପରେ ଏହି ଜଙ୍ଗଲରେ ହିଁ ତାଙ୍କର ମୃତ୍ୟୁ ହେଲା।”
ଅତୀତର ସ୍ମୃତିକୁ ତୋଳି ଧରିବା ପରେ କିଛି ସମୟ ପାଇଁ ନିରବ ହୋଇଯାଆନ୍ତି ପାରୁଲ। ମୃତ୍ୟୁ ସମୟରେ ଇଶରଙ୍କୁ ୪୫ ବର୍ଷ ହୋଇଥିଲା। ପାରୁଲଙ୍କ ଜିମାରେ ସେ ଛାଡ଼ି ଯାଇଥିଲେ ସେମାନଙ୍କର ଚାରି ଝିଅଙ୍କ ଦାୟିତ୍ୱ।
ଝାଳରେ ଓଦା ସରସର ହୋଇଯାଇଥିବା ପାରୁଲ ଓ ଲଖୀ ପୁଣି ସେହି ଓଜନିଆ ଆହୁଲାକୁ ଉଠାନ୍ତି। ହେନ୍ତାଳ ବଣଠାରୁ ନିରାପଦ ଦୂରତା ଯାଏ ଡଙ୍ଗା ବାହି ନିଅନ୍ତି। ଏବେ ଏଠାରେ ମାଛଧରା ବନ୍ଦ କରିଦିଆଯାଇଛି। ସୁନ୍ଦରବନର ହେନ୍ତାଳ ବଣରେ, ଏପ୍ରିଲରୁ ଜୁନ୍ ଯାଏ, ତିନି ମାସ ଧରି ମାଛଧରା ବନ୍ଦ କରାଯାଏ। ମାଛମାନଙ୍କର ପ୍ରଜନନ ତଥା ବଂଶବୃଦ୍ଧିରେ ଏହା ସହାୟକ ହୋଇଥାଏ। ସାଧାରଣତଃ ଏଠାରେ ମାଛଧରା ବନ୍ଦ ଥିବା ସମୟରେ ପାରୁଲ ନିଜ ପୋଖରୀର ମାଛ ବିକ୍ରି କରି ଗୁଜରାଣ ମେଣ୍ଟାନ୍ତି।












