କିରଣ ରନ୍ଧାରନ୍ଧି କରେ, ସଫାସଫି କରେ ଏବଂ ଘର ଚଳାଏ। ସେ ମଧ୍ୟ ଘରକୁ ଜାଳେଣି କାଠ ଓ ପାଣି ବୋହି ଆଣେ। ଖରାଦିନ ପାଖେଇ ଆସିବା ସହିତ ତା’ ପାଇଁ ଏ ଦୂରତା ବଢ଼ି ବଢ଼ି ଯାଉଥାଏ।
ଏବେ ତା’ର ବୟସ ମାତ୍ର ୧୧ ବର୍ଷ, ହେଲେ ତା’ ପାଖରେ ଆଉ କିଛି ଉପାୟ ନାହିଁ – ପ୍ରତି ବର୍ଷ ତା’ର ବାପାମାଆ ଘର ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଯିବା ପରେ, ବାଂସୱାଡ଼ା ଜିଲ୍ଲାର ତାଙ୍କ ଗାଁରେ (ନାମ ପ୍ରକାଶ କରାଯାଉନାହିଁ) ଘର କଥା ବୁଝିବାକୁ ଘରେ ଆଉ କେହି ନାହାଁନ୍ତି। ତା’ର ୧୮ ବର୍ଷର ଭାଇ ବିକାଶ (ପରିବର୍ତ୍ତିତ ନାମ) ପାଖରେ ଅଛି ସତ, ହେଲେ ସେ ବି ଯେ କୌଣସି ସମୟରେ ଘର ଛାଡ଼ି ବାହାରକୁ ଚାଲିଯାଇପାରେ, କାହିଁକି ନା ପୂର୍ବରୁ ସେ ଏମିତି କରିଆସିଛି। ତିନିରୁ ୧୩ ବର୍ଷ ବୟସର ତା’ର ଅନ୍ୟ ତିନି ଭାଇଭଉଣୀ, ଗୁଜରାଟର ବଡ଼ୋଦରାରେ ବିଭିନ୍ନ କୋଠାବାଡ଼ି ନିର୍ମାଣସ୍ଥଳୀରେ ଶ୍ରମିକ ଭାବରେ କାମ କରୁଥିବା ବାପାମାଆଙ୍କ ସାଙ୍ଗରେ ରହନ୍ତି। ସେମାନେ ସ୍କୁଲ ଯିବାରୁ ବଞ୍ଚିତ, ହେଲେ କିରଣ ସ୍କୁଲକୁ ଯାଏ।
ତା’ର ଦିନଯାକର କାମ ସଂପର୍କରେ ଏହି ରିପୋର୍ଟରଙ୍କୁ ବୁଝାଇବାକୁ ଯାଇ କିରଣ (ପରିବର୍ତ୍ତିତ ନାମ) କହେ, “ମୁଁ ସକାଳେ ଖାଇବା ଲାଗି କିଛି ରାନ୍ଧିଦିଏ।” ରନ୍ଧାଘରରେ ପରିଣତ ହୋଇଛି ଏହି ବଖୁରିକିଆ ଘରର ଅଧାରୁ ଅଧିକ ସ୍ଥାନ, ସୂର୍ଯ୍ୟ ବୁଡ଼ିଯିବା ପରେ ଘରେ ଆଲୁଅ ଦେଇଥାଏ ଛାତରୁ ଓହଳିଥିବା ଏକମାତ୍ର ବ୍ୟାଟେରୀଚାଳିତ ଲାଇଟ୍।
ଘର ଭିତରେ ଗୋଟିଏ ପଟେ କାଠଚୁଲି; ତା’ ପାଖକୁ ଲାଗି ରହିଛି ବଳକା କାଠ ଏବଂ ଏକ ପୁରୁଣା କିରୋସିନ ଡବାଟିଏ। ପରିବାପତ୍ର, ମସଲା ଏବଂ ଅନ୍ୟ ସାମଗ୍ରୀ ସବୁ ରହିଛି ପ୍ଲାଷ୍ଟିକ୍ ବ୍ୟାଗ୍ କିମ୍ବା ଡବାରେ ଏବଂ ସେସବୁ ହୁଏତ ଚଟାଣରେ ସଜେଇ ରଖାହୋଇଛି କିମ୍ବା କାନ୍ଥରେ ଝୁଲୁଛି – ସହଜରେ ତା’ର ଛୋଟ ଛୋଟ ହାତ ଦୁଇଟି ପାଇବା ଭଳି ସ୍ଥାନରେ। “ମୁଁ ସ୍କୁଲରୁ ଆସିବା ପରେ ରାତିରେ ଖାଇବା ପାଇଁ ବି ରାନ୍ଧେ। ଫିର ମୁର୍ଗୀ କୋ ଦେଖନା (ତା’ପରେ ମୁଁ କୁକୁଡ଼ା ଓ ଗଞ୍ଜାମାନଙ୍କୁ ଦେଖେ) ଏବଂ ତା’ପରେ ଆମେ ଶୋଇବାକୁ ଯାଉ,” କିରଣ କହେ।
ଲାଜେଇ ଲାଜେଇ ସେ କହିଥିବା ତା’ର କାହାଣୀରୁ ଘରର ଆଉ ଅନେକ କାମ ବିଷୟ ବାଦ୍ ପଡ଼ିଯାଇଥାଏ। ଯେମିତି କି ଚାଲିଚାଲି ଯାଇ, ଏଠାକାର ଭାଷାରେ ‘ବିଜଲିୟା’ ବା ‘ଦାୱଡ଼ା ଖୋରା’ ନାମରେ ପରିଚିତ ଆଖପାଖ ପାହାଡ଼ ତଳ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବା। ଜଙ୍ଗଲକୁ ଯିବା ଲାଗି କିରଣକୁ ଘଣ୍ଟାଏ ଲାଗେ, ଆଉ ଘଣ୍ଟାଏ ଯାଏ କାଠ କାଟି, ଏକାଠି କରି ବିଡ଼ା ବାନ୍ଧିବାରେ, ଏବଂ ନିଶ୍ଚିତ ଭାବରେ ତା’ଠାରୁ ଉଚ୍ଚ ଏବଂ ସମ୍ଭବତଃ ତା’ର ସାମାନ୍ୟ ଗଠିତ ଶରୀରର ଓଜନଠାରୁ ଅଧିକ କିଲୋ ଓଜନର କାଠକୁ ମୁଣ୍ଡରେ ଲଦି ଘରକୁ ଫେରିବାରେ ଆଉ ଗୋଟିଏ ଘଣ୍ଟା ଲାଗେ।












