ଅନ୍ଧେରୀ ଷ୍ଟେସନରେ ଅଟକି ଟ୍ରେନଟି ଯେତିକି ସ୍ଥିର ହୋଇଯାଇଥିଲା, ଭିଡ଼ କାଟି ଡବା ଭିତରକୁ ଧସେଇ ପଶୁଥିବା ଯାତ୍ରୀମାନଙ୍କ ପାଟିତୁଣ୍ଡ ସେତିକି ବଢ଼ି ଚାଲିଥିଲା। ଡୋର୍ ହ୍ୟାଣ୍ଡଲ୍ ହେଉ କି ଅନ୍ୟ କେଉଁ ଯାତ୍ରୀଙ୍କ ହାତ, ହାତ ପାଆନ୍ତାରେ ଯାହା ମିଳୁଥିଲା, ସେମାନେ ଧରି ପକାଉଥିଲେ। ଚାରିଆଡ଼େ ଲୋକଙ୍କ ଭିଡ଼, ଧକ୍କା ମରାମରି ହୋଇ ଉଠିପଡ଼ି ଚାଲିଥିଲେ ସେମାନେ, ଖାଲି ସିଟ୍ ଗୋଟିଏ ପାଇବା ଲାଗି ବଳ କଷାକଷି। କିଏ କାହାକୁ ଅନୁରୋଧ କରୁଥିଲେ ତ ଆଉ କିଏ ଯୁକ୍ତିତର୍କରେ ମାତି ଯାଇଥିଲେ, ଏମିତି କି ଆଗରୁ ବସି ରହିଥିବା ଲୋକଙ୍କୁ ଠେଲି ବାହାର କରିବାକୁ ବି କେହି କେହି ପଛାଉ ନଥିଲେ।
ସେଇ ଜନସମୁଦ୍ର ଭିତରେ ବାଟ କାଟି କାଟି ଆଗେଇ ଯାଉଥିଲେ ୩୧ ବର୍ଷୀୟ କିଷାନ ଯୋଗୀ ଏବଂ ତାଙ୍କ ୧୦ ବର୍ଷର ଝିଅ ଭାରତୀ। ସମୁଦ୍ର ଭଳି ନୀଳ ରଙ୍ଗର ରାଜସ୍ଥାନୀ ସ୍କର୍ଟ୍ ଓ ବ୍ଲାଉଜ୍ ପିନ୍ଧିଥିଲା ଭାରତୀ। ସେଦିନ ସନ୍ଧ୍ୟାରେ ବାପା-ଝିଅଙ୍କ ଏହି ଯୋଡ଼ି ପାଇଁ ୭ଟା ବେଳର ସେହି ମୁମ୍ବାଇ ଲୋକାଲ ଥିଲା ପଶ୍ଚିମ ମୁମ୍ବାଇର ସହରତଳି ଅଞ୍ଚଳରେ ଚଳାଚଳ କରୁଥିବା ପଞ୍ଚମ ଟ୍ରେନ୍।
ଟ୍ରେନର ବେଗ ବଢ଼ିବା ସହିତ ଯାତ୍ରୀମାନେ ନିଜ ନିଜ ସ୍ଥାନ ନେଇ ସାରିବା ବେଳକୁ କିଷାନଙ୍କ ସାରଙ୍ଗୀରୁ ଭାସି ଆସି ଡବା ଭିତରର ବାତାବରଣରେ ଖେଳିଯାଇଥିଲା ସ୍ୱରର ସୁମଧୁର ଝଙ୍କାର।
“ତେରି ଆଙ୍ଖେ ଭୁଲ୍ ଭୁଲେୟା... ବାତେ ହୈ ଭୁଲ୍ ଭୁଲେୟା...”
ସେ ହାତରେ ଧରିଥିବା ଧନୁ ସଦୃଶ ଉପକରଣଟି ବାଦ୍ୟଯନ୍ତ୍ରଟିର ଅଣଓସାରିଆ ବୋର୍ଡରେ ଲାଗିଥିବା ତିନିଟି ତାର ଉପରେ ଚଞ୍ଚଳ ଗତିରେ ଚାଲିଥିଲା ଏବଂ ତୋଳୁଥିଲା ଶିହରଣ ଭରା ସ୍ୱର। ବାଦ୍ୟଯନ୍ତ୍ରଟିର ତଳ ପଟେ ଥିବା ଛୋଟ ଧ୍ୱନିବାକ୍ସଟି ତାଙ୍କ ଛାତି ଓ ବାମ ହାତ ମଝିରେ ରହିଥିଲା। ତାଙ୍କ ସାରଙ୍ଗୀ ବାଦନରେ ୨୦୨୨ରେ ନିର୍ମିତ ବଲିଉଡ୍ ସିନେମା- ଭୁଲ୍ ଭୁଲେୟାର ଏହି ଗୀତଟି ଆହୁରି ରୋମାଞ୍ଚକର ଲାଗୁଥିଲା।
କିଛି ସମୟ ପାଇଁ ହେଲେ ବି ନିତିଦିନିଆ ଅଭ୍ୟାସରୁ ବିରତି ନେଇ ସାରଙ୍ଗୀର ଏହି ସୁମଧୁର ସ୍ୱରରେ ନିଜକୁ ହଜାଇ ଦେଇଥିଲେ ଡବାରେ ବସିଥିବା କେତେକ ଯାତ୍ରୀ। ଅନ୍ୟ କେତେ ଜଣ ନିଜ ନିଜ ଫୋନ୍ ବାହାର କରି ଏହି ସ୍ୱରକୁ ରେକର୍ଡିଂ କରିବାରେ ଲାଗିଥିଲେ। ଆଉ କେତେ ଜଣ ଉଦାସୀନ ଭାବ ସହିତ ଅଳ୍ପ ହସିଲେ। କିନ୍ତୁ ଅଧିକାଂଶ ଯାତ୍ରୀ ପୁଣି ନିଜ ନିଜ ଫୋନ୍ ଭିତରେ ଡୁବି ଯାଇଥିଲେ, ଏବଂ କାନରେ ଇଅରଫୋନ୍ ଲଗାଇ ସେତେବେଳ ପର୍ଯ୍ୟନ୍ତ ବସି ରହିଥିଲେ, ଯେତେବେଳେ ଭାରତୀ ସେମାନଙ୍କୁ ହାତ ମାରି ଡାକିବା ସହିତ କିଛି ପଇସା ମାଗିଥିଲା। ସାରା ଡବାରେ ବୁଲି ବୁଲି ସେ ଏହା ହିଁ କରୁଥିଲା।










