ସିଦ୍ଦୁ ଗାୱଡ଼େ ଯେତେବେଳେ ସ୍କୁଲକୁ ଯିବା ପାଇଁ ନିଷ୍ପତ୍ତି ନେଲେ ତାଙ୍କ ବାପା-ମା’ ତାଙ୍କୁ ୫୦ଟି ମେଣ୍ଢା ଚରାଇବାକୁ ଧରାଇ ଦେଲେ । ତାଙ୍କ ପରିବାର ଓ ବନ୍ଧୁମାନଙ୍କ ଭଳି ସେ ମଧ୍ୟ ଖୁବ୍ କମ୍ ବୟସରୁ ମେଷପାଳନ ଶିଖନ୍ତୁ ବୋଲି ତାଙ୍କ ପରିବାର ଲୋକମାନେ ଚାହୁଁଥିଲେ। ତେଣୁ ସେ କେବେ ବିଦ୍ୟାଳୟକୁ ଯାଇନଥିଲେ।
ମହାରାଷ୍ଟ୍ରରେ ଯାଯାବର ଜନଜାତି ଭାବେ ତାଲିକାଭୁକ୍ତ ଛେଳି ଓ ମେଣ୍ଢା ପାଳନ କରୁଥିବା ଧନଗର ସମାଜର ବାସିନ୍ଦା ହେଉଛନ୍ତି ଗାୱଡ଼େ। ସେମାନେ ପ୍ରାୟ ଛଅ ମାସ ଏବଂ ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କ ଘର ଠାରୁ ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଯାତ୍ରା କରି ଛେଳି ମେଣ୍ଢା ପାଳନ କରିଥାନ୍ତି।
ଦିନେ ଉତ୍ତର କର୍ଣ୍ଣାଟକରେ କାରଦଗା ଗାଁରେ ଥିବା ନିଜ ଘରଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ମେଣ୍ଢା ଚରାଇବା ସମୟରେ, ସେ ଜଣେ ସାଥୀ ମେଷପାଳକଙ୍କୁ ସୂତାରେ ଗୋଲାକାର ଥଳି ତିଆରି କରୁଥିବାର ଦେଖିଲେ। ‘‘ମୋତେ ତାହା ଆକର୍ଷଣୀୟ ଲାଗିଲା।’’ ବୟସ୍କ ଧନଗର (ମେଷପାଳକ) କିଭଳି ଭାବେ ଧଳା ସୂତା ଉପଯୋଗ କରି ଏକ ଜାଳି (ଗୋଲାକାର ଥଳି)କୁ ଅତି କୌଶଳର ସହ ବୁଣୁଥିଲେ ଏବଂ ବୁଣାକାମ ଆଗକୁ ବଢ଼ିବା ସହିତ ସେହି ଥଳିର ରଙ୍ଗ କିପରି ଚିନାବାଦାମ ଭଳି ବାଦାମୀ ରଙ୍ଗରେ ବଦଳି ଯାଉଥିଲା ସେହି କଥା ସେ ମନେ ପକାଇ କହିଥିଲେ।
ଏହି ଆକସ୍ମିକ ଦୃଶ୍ୟ ଯୁବ ଗାୱଡ଼େଙ୍କ ମନକୁ ଆନ୍ଦୋଳିତ କରିଥିଲା ଏବଂ ସେ ଏହାକୁ ଅଭ୍ୟାସ କରିବାର ଯାତ୍ରା ଆରମ୍ଭ କରିଥିଲେ ଯାହାକି ପରବର୍ତ୍ତୀ ୭୪ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା ଓ ଏବେ ମଧ୍ୟ ଚାଲିଛି।
ଜାଳି ହେଉଛି ସୂତାରେ ହାତ ତିଆରି ଏକ ପ୍ରତିସମ ଥଳି ଯାହାକୁ କାନ୍ଧ ଚାରି ପାଖରେ ବନ୍ଧା ଯାଇଥାଏ। ସିଦ୍ଦୁ କୁହନ୍ତି, ‘‘ପ୍ରାୟତଃ ପ୍ରତ୍ୟେକ ଧନଗର ନିଜ ଲମ୍ବା ଯାତ୍ରା (ମେଷପାଳନ)ରେ ଏହି ଜାଳିକୁ ସାଥୀରେ ରଖିଥାନ୍ତି। ଏଥିରେ ଯେ କେହି ଅତିକମ୍ରେ ୧୦ଟି ଭାକରୀ (ପିଠା) ଏବଂ ଗୋଟିଏ ଯୋଡ଼ି କପଡ଼ା ରଖିପାରିବେ। ଅନେକ ଧନଗର ଏଥିରେ ଗୁଆ ପତ୍ର ଓ ତମାଖୁ, ଚୂନା (ଚୂନ ପଥର ପାଉଡର) ମଧ୍ୟ ରଖିଥାନ୍ତି।’’
ଜାଳିଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ମାପରେ ତିଆରି ହୋଇଥାନ୍ତି, କିନ୍ତୁ ମେଷପାଳକମାନେ ଏଥିରେ ସ୍କେଲ୍ କିମ୍ବା ଭର୍ଣ୍ଣିୟର କ୍ୟାଲିପର୍ସ ବା ମାପ ଉପକରଣ ବ୍ୟବହାର କରନ୍ତି ନାହିଁ । ‘‘ଏହା ଚାଖଣ୍ଡେ ଓ ଚାରି ଆଙ୍ଗୁଠି ଲମ୍ବା ହେବା ଉଚିତ୍,’’ ସିଦ୍ଦୁ କୁହନ୍ତି । ‘‘ତାଙ୍କ ଦ୍ୱାରା ତିଆରି ହୋଇଥିବା ପ୍ରତ୍ୟେକ ଜାଳି ୧୦ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ‘‘ଏହା ବର୍ଷାରେ ଭିଜିବା ଉଚିତ୍ ନୁହେଁ । ଏହାବ୍ୟତୀତ, ମୂଷାମାନେ ଏହାକୁ କାଟିବା ପାଇଁ ପସନ୍ଦ କରିଥାନ୍ତି, ସେଥିପାଇଁ, ମଧ୍ୟ ଅତିରିକ୍ତ ଯତ୍ନ ନେବାକୁ ମଧ୍ୟ ପଡ଼ିଥାଏ।


















