“କୁଦାଲୁ! କୁଦାଲୁ! ପାତ୍ରେ କୁଦାଲୁ (କେଶ! କେଶ! ବାସନ ବଦଳରେ କେଶ!)”
ବାଙ୍ଗାଲୋରର ମଟିକେରେ ଅଞ୍ଚଳର ଗଳିକନ୍ଦିରେ ପ୍ରତିଧ୍ୱନିତ ହୁଏ ସାକେ ସରସ୍ୱତୀଙ୍କ ତୀବ୍ର କଣ୍ଠସ୍ୱର। ମଣିଷଙ୍କ କେଶ ସଂଗ୍ରହ କରିବାକୁ ଏମିତି ଡାକି ଡାକି ସେ ଘରକୁ ଘର ବୁଲନ୍ତି। କେଶ ବଦଳରେ ସେ ଦିଅନ୍ତି ହାଲୁକା ଆଲୁମିନିୟମର ବାସନ କୁସନ- ଯେମିତି କି ପାଣି ରଖିବା ପାଇଁ ଛୋଟ ଛୋଟ ଗରା, ଡେକ୍ଚି, କଡ଼େଇ ଓ ତାୱା, ଡଙ୍କି, ବଡ଼ ବଡ଼ ଚାଲୁଣି ଏବଂ ଆହୁରି ଅନେକ କିଛି।
ବାଙ୍ଗାଲୋରର ଏହି ୨୩ ବର୍ଷୀୟା ବୁଲାବିକାଳି ଯୁବତୀ ଜଣକ କହନ୍ତି, “ମୋ ଭାଉଜ ଶିବାମ୍ମାଙ୍କ ନିକଟରୁ ମୁଁ ଏହି କାମ ଶିଖିଲି। ଅଧିକରୁ ଅଧିକ ଗରାଖଙ୍କ ଧ୍ୟାନ ଆକର୍ଷଣ ଲାଗି କେମିତି ମୋ କଣ୍ଠସ୍ୱରକୁ ବ୍ୟବହାର କରିହେବ, ସେକଥା (ମଧ୍ୟ) ସେ ମୋତେ ଶିଖାଇଲେ।”
ତାଙ୍କର ଏହି ପାରିବାରିକ ବୃତ୍ତିରେ ତୃତୀୟ ପିଢ଼ିର ସଦସ୍ୟା ସରସ୍ୱତୀ କହନ୍ତି, “ବିବାହ ପୂର୍ବରୁ ମୋ ମାଆ ଗଙ୍ଗାମ୍ମା ଏହି କାମ କରୁଥିଲେ। ହେଲେ ପିଠି ଓ ଆଣ୍ଠୁରେ ଭୀଷଣ ଯନ୍ତ୍ରଣା ହେବାରୁ ସେ କାମ କମ୍ କରିଦେଲେ।” ୩୦ ବର୍ଷ ତଳେ, ତାଙ୍କ ବାପା ପୁଲ୍ଲାନ୍ନା ଏବଂ ମାଆ ଗଙ୍ଗାମ୍ମା ଆନ୍ଧ୍ରପ୍ରଦେଶରୁ ବାଙ୍ଗାଲୋରକୁ ଚାଲି ଆସିଥିଲେ।
ଏହି ପରିବାର କୋରଚା ସଂପ୍ରଦାୟର, ଯାହାକି ଆନ୍ଧ୍ର ପ୍ରଦେଶରେ ଅନ୍ୟାନ୍ୟ ପଛୁଆ ଶ୍ରେଣୀ (OBC) ରୂପେ ତାଲିକାଭୁକ୍ତ। ଆଜିକାଲି ୮୦ ବର୍ଷୀୟ ପୁଲ୍ଲାନ୍ନା ଶୁଖିଲା ଖଜୁରି ଏବଂ ତାଳପତ୍ରରୁ ଝାଡୁ ତିଆରି କରି ଗୋଟିକୁ ୨୦ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି।










