“ସନ୍ଧ୍ୟା ହେଲେ ସମସ୍ତ ଜୀବଜନ୍ତୁ ବିଶ୍ରାମ ନେବାକୁ ଆସନ୍ତି ଏଠାକୁ। ଏହା ଗୋଟିଏ ବରଗଛ।“
ସୁରେଶ ଧୁରୱେ ପୋଷ୍ଟର ସାଇଜ କାଗଜ ଉପରେ ତାଙ୍କ ତୂଳିରେ ନିପୁଣ ଗାର ଟାଣିଲା ବେଳେ କଥା କହୁଥାନ୍ତି। “ଏହା ଗୋଟିଏ ଓସ୍ତ ଗଛ ଓ ଅଧିକ ଚଢେଇ ଆସି ଏହା ଉପରେ ବସିବେ”, - ବିଶାଳ ଓ ପ୍ରସାରିତ ଗଛର ଶାଖା ପ୍ରଶାଖା ଆଙ୍କୁଥିବା ବେଳେ ସେ କହନ୍ତି ‘ପରୀ’କୁ।
ମଧ୍ୟ ପ୍ରଦେଶର ଭୋପାଳସ୍ଥିତ ତାଙ୍କ ବାସଗୃହର ଚଟାଣରେ ବସିଥାନ୍ତି ୪୯-ବର୍ଷୀୟ ଗୋନ୍ଦ ଶିଳ୍ପୀ। ପୂରା ଉପର ମହଲାରେ ଥିବା କୋଠରୀର ଝର୍କା ଓ କବାଟ ବାଟେ ଗଛର ପତ୍ର ଫାଙ୍କରୁ ଆସୁଥିବା ଆଲୁଅ ପଡୁଥାଏ। ଚଟାଣରେ ତାଙ୍କ କଡକୁ ଗୋଟିଏ ପାତ୍ରରେ ଥିବା ସବୁଜ ରଙ୍ଗରେ ସେ ତାଙ୍କ ତୂଳିକୁ ବାରମ୍ବାର ବୁଡାଉଥାନ୍ତି। “ଆଗରୁ ଆମେ ବାଉଁଶ କାଠି ଓ ଗୁଣ୍ଡୁଚି ମୂଷାର ବାଳକୁ ତୂଳି ଭାବେ ବ୍ୟବହାର କରୁଥିଲୁ। ବର୍ତ୍ତମାନ ତାହା (ଗୁଣ୍ଡୁଚି ମୂଷା ବାଳ) ନିଷିଦ୍ଧ, ଯାହା କି ଭଲ ହେଇଛି। ଏବେ ଆମେ ପ୍ଲାଷ୍ଟିକ ତୂଳି ବ୍ୟବହାର କରୁଛୁ”, ସେ କହନ୍ତି।
ସୁରେଶ କହନ୍ତି ତାଙ୍କ ଚିତ୍ରକଳା କହେ କଥା ଓ କାହାଣୀ, ଓ “ମୁଁ ଯେତେବେଳେ ଚିତ୍ର ଆଙ୍କେ କ’ଣ ଆଙ୍କିବି ଭାବିବାକୁ ବହୁତ ସମୟ ଦିଏ। ଧରନ୍ତୁ ଆଗକୁ ଦିୱାଲୀ ଆସୁଛି, ମତେ ସେହି ପର୍ବକୁ ଘେନି ଯାହାସବୁ ହୁଏ ସେ ବିଷୟରେ ଭାବିବାକୁ ପଡ଼ିବ, ଯେମିତି କି ଗାଈ ଓ ଦୀପ ଆଦି...”। ଗୋନ୍ଦ ଶିଳ୍ପୀମାନେ ସେମାନଙ୍କ କାମରେ ଜୀବିତ ଜନ୍ତୁଜୁନ୍ତାଙ୍କୁ, ଜଙ୍ଗଲ ଓ ଆକାଶକୁ, କିମ୍ବଦନ୍ତୀ ଓ ଲୋକକଥା, ଚାଷବାସ ଓ ସାମାଜିକ ସଂପୃକ୍ତି ଆଦି ବିଷୟକୁ ମନେ ପକାଇଥାଆନ୍ତି।






