“ଇ ବେଟି ତାନି ଏକ ଖୋଦା ଚିହ୍ନ ଲେ ଲେ ।
ମର୍ତୋ ଜିତୋ ମେ ସାଥ୍ ହୋଏଲା…
ଜଇସନ୍ ଆଏଲ୍ ହୈ ତୈସନ୍ ଅକେଲେ ନା ଯା…
[ଆରେ ଝିଅ, ନିଜ ପାଇଁ ଏକ ଚିହ୍ନ ନେଇଯା...
ଜୀବନ କିମ୍ବା ମୃତ୍ୟୁରେ, ଏହା ତୁମ ସହିତ ରହିଥାଏ ।
ତୁମେ ଯେପରି ଆସିଥିଲ ସେପରି ତୁମେ ଏକୁଟିଆ ଯିବ ନାହିଁ…]”



“ଇ ବେଟି ତାନି ଏକ ଖୋଦା ଚିହ୍ନ ଲେ ଲେ ।
ମର୍ତୋ ଜିତୋ ମେ ସାଥ୍ ହୋଏଲା…
ଜଇସନ୍ ଆଏଲ୍ ହୈ ତୈସନ୍ ଅକେଲେ ନା ଯା…
[ଆରେ ଝିଅ, ନିଜ ପାଇଁ ଏକ ଚିହ୍ନ ନେଇଯା...
ଜୀବନ କିମ୍ବା ମୃତ୍ୟୁରେ, ଏହା ତୁମ ସହିତ ରହିଥାଏ ।
ତୁମେ ଯେପରି ଆସିଥିଲ ସେପରି ତୁମେ ଏକୁଟିଆ ଯିବ ନାହିଁ…]”
ମାଣ୍ଡାର ବ୍ଲକର ଗାଁଗୁଡ଼ିକରେ ଘର ଘର ବୁଲିବା ବେଳେ ଉପରୋକ୍ତ ଗୀତ ଗାଆନ୍ତି ରାଜପତୀ ଦେବୀ । ତାଙ୍କ କାନ୍ଧରେ ଏକ ପ୍ଲାଷ୍ଟିକ ମୁଣା ଝୁଲୁଥାଏ ଏବଂ ସେ କିଛି ବାସନ ଏବଂ ଛୁଞ୍ଚି ବାକ୍ସ ଧରି ଚାଲୁଥାନ୍ତି । ରାଜପତୀ ଜଣେ ଗୋଦନା (ଟାଟୁ) କଳାକାର, ଏବଂ କିଛି ଟଙ୍କା ନେଇ ଫୁଲ, ଚନ୍ଦ୍ର, ବିଛା ଏବଂ ବିନ୍ଦୁ ଆଙ୍କିଥାନ୍ତି । ଏବେ ବି ଗାଁ ଗାଁ ବୁଲି ଏହି ପ୍ରାଚୀନ କଳା ଅଭ୍ୟାସ କରୁଥିବା କିଛି ମହିଳା କଳାକାରଙ୍କ ମଧ୍ୟରେ ଏହି 45 ବର୍ଷୀୟା ମହିଳା ଜଣକ ଅଛନ୍ତି ।
ପଞ୍ଚମ ପିଢ଼ିର ଟାଟୁ କଳାକାର ରାଜପତୀ କହନ୍ତି “ମାୟି ସଂଗେ ଜାତ ରହି ତା ଦେଖତ ରହି ଉହାଁ ଗୋଦତ ରାହନ, ତା ହମାହୁ ଦେଖ-ଦେଖ ଶିଖତ ରହି । କରତେ କରତେ ହମାହୁ ଶିଖ୍ ଗଇଲୀ, [ମୁଁ ମୋ ମା’ଙ୍କ ସାଙ୍ଗରେ ଯାଉଥିଲି ଏବଂ ତାଙ୍କୁ ଗୋଦନା ବନାଉଥିବାର ଦେଖୁଥିଲି । ପରିଶେଷରେ, ମୁଁ ଏହା ମଧ୍ୟ ଶିଖିଲି] ।’’
ଗୋଦନା ହେଉଛି ଏକ ଶହ ଶହ ବର୍ଷ ପୁରୁଣା ଲୋକ କଳା ଯାହା ମଲାର ସମୁଦାୟ (ରାଜ୍ୟର ଅନ୍ୟ ପଛୁଆ ଶ୍ରେଣୀ ଭାବରେ ତାଲିକାଭୁକ୍ତ) ମଧ୍ୟରେ ପିଢ଼ି ପିଢ଼ି ଧରି ଚାଲିଆସିଛି, ସେହି ସମୁଦାୟର ଜଣେ ମହିଳା ହେଉଛନ୍ତି ରାଜପତୀ। କାଳି ବ୍ୟବହାର କରି ଶରୀରର ବିଭିନ୍ନ ଅଙ୍ଗରେ ଡିଜାଇନ ବନାଯାଏ, ଭିନ୍ନ ଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟ ପାଇଁ ଅଲଗା ଅଲଗା ହୋଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଗୋଦନା କରିବାକୁ ଅଧିକ ପସନ୍ଦ କରିଥାନ୍ତି ।

Ashwini Kumar Shukla

Ashwini Kumar Shukla
ଅପରାହ୍ନ ସାଢ଼େ ତିନିଟା, ରାଜପତୀ ୬ ଘଣ୍ଟା ଧରି ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ଗାଁଗୁଡ଼ିକରେ ବୁଲି, ମାଣ୍ଡାର ଉପକଣ୍ଠରେ ଥିବା ମାଲାର ସମ୍ପ୍ରଦାୟର ଏକ ଛୋଟ ବସ୍ତି ଖଡ଼ଗେ ବସ୍ତିରେ ଥିବା ନିଜ ଦୁଇ ବଖରା ବିଶିଷ୍ଟ କଚା ଘରକୁ ଫେରିଛନ୍ତି । ଘରେ ତିଆରି କରିଥିବା ବାସନକୁସନ ବିକ୍ରି ଏବଂ ଲୋକଙ୍କୁ ଗୋଦନା କରିବାକୁ ଅନୁରୋଧ, ଏହି ଦୁଇଟି କାମ ପାଇଁ ଦିନେ ଦିନେ ସେ ୩୦ କିଲୋମିଟର ପର୍ଯ୍ୟନ୍ତ ବୁଲିଥାନ୍ତି ।
ବାସନକୁସନ ତାଙ୍କ ସ୍ୱାମୀ ୫୦ ବର୍ଷୀୟ ଶିବନାଥଙ୍କ ଦ୍ୱାରା ଡୋକ୍ରା ବା ପାରମ୍ପରିକ ଧାତୁ-କାର୍ଯ୍ୟ କୌଶଳ ବ୍ୟବହାର କରି ତିଆରି କରାଯାଇଥାଏ । ଏହା ମୁଖ୍ୟତଃ ଘରର ପୁରୁଷ - ତାଙ୍କ ପୁଅ ଏବଂ ସ୍ୱାମୀ - ଯେଉଁମାନେ ଆଲୁମିନିୟମ୍ ଏବଂ ପିତ୍ତଳ ସାମଗ୍ରୀ ତିଆରି କରନ୍ତି, ଯଦିଓ ଘରର ସମସ୍ତେ କିଛି ନା କିଛି ସହଯୋଗ କରିଥାନ୍ତି । ଅନ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ରାଜପତୀ, ତାଙ୍କ ଝିଅ ଓ ବୋହୂ – ଘରର ମହିଳାମାନେ ଛାଞ୍ଚ ତିଆରି କରି ସୂର୍ଯ୍ୟକିରଣରେ ଶୁଖାଇଥାନ୍ତି | ସେମାନେ ଦୈନନ୍ଦିନ ଜରୁରୀ ଜିନିଷ - କିରୋସିନି ଦୀପ, ପୂଜାରେ ବ୍ୟବହୃତ ବାସନ, ଗାଈ-ଗୋରୁଙ୍କ ଘଣ୍ଟି ଏବଂ ମାପ ପାତ୍ର ଆଦି ତିଆରି କରିଥାନ୍ତି ।
ନାଗପୁରୀ ଭାଷାରେ ପୈଲା କୁହାଯାଉଥିବା ମାପ ଯନ୍ତ୍ରକୁ ଦେଖାଇ ରାଜପତି କୁହନ୍ତି, “ଏହି ଛୋଟ ପୈଲା ୧୫୦ ଟଙ୍କାରେ ବିକ୍ରି ହୁଏ। ଏହା ଚାଉଳ ମାପିବା ପାଇଁ; ଯଦି ଆପଣ ଏଥିରେ ଚାଉଳ ଭରନ୍ତି, ତେବେ ଏହାର ଓଜନ ଏକ କିଲୋର ଏକ ଚତୁର୍ଥାଂଶ ହେବ । ଏହି ଅଞ୍ଚଳରେ ପୈଲା ଶୁଭ ବୋଲି ବିବେଚନା କରାଯାଏ, ସେମାନେ ବିଶ୍ୱାସ କରନ୍ତି ଯେ ଘରେ ଏହା ଥିଲେ ଖାଦ୍ୟ ଅଭାବ ହୁଏ ନାହିଁ ।

Ashwini Kumar Shukla

Ashwini Kumar Shukla

Ashwini Kumar Shukla

Ashwini Kumar Shukla
*****
ଆମକୁ ଏକ ଛୋଟ ହଳଦିଆ ବାକ୍ସ ଦେଖାଇ ଟାଟୁ କଳାକାର କୁହନ୍ତି, “ଏହି ଗୋଟିକରେ ଛୁଞ୍ଚିଗୁଡ଼ିକ ଅଛି ଏବଂ ଏଥିରେ ଜରଜାରୀ କାଜର୍ [କୋହଲ୍] ଅଛି ।”
ଏକ ପ୍ଲାଷ୍ଟିକ୍ ବ୍ୟାଗରୁ ଏକ ଫର୍ଦ୍ଦ କାଗଜ ବାହାର କରି ରାଜପତୀ ସେମାନେ ପ୍ରସ୍ତୁତ କରୁଥିବା ଡିଜାଇନଗୁଡ଼ିକୁ ଦେଖାଉଛନ୍ତି ।
“ଇସ୍କୋ ପୋଥି କେହତେ ହେଁ, ଔର୍ ଇସ୍କୋ ଡଙ୍କା ଫୁଲ୍ [ଏହାକୁ ପୋଥି କୁହାଯାଏ, ଏବଂ ଏହାକୁ ଡଙ୍କା ଫୁଲ୍ କୁହାଯାଏ]”, ଫୁଲକୁଣ୍ଡରେ ଫୁଟିଥିବା ଫୁଲ ଭଳି ଡିଜାଇନକୁ ଦେଖାଇ କୁହନ୍ତି ରାଜପତୀ, ଯାହା ତାଙ୍କ ବାହୁରେ ଅଙ୍କିତ ହୋଇଛି । ରାଜପତୀ ଏକ ଅର୍ଦ୍ଧଚନ୍ଦ୍ରାକାର ଆକୃତିର ଡିଜାଇନ୍ ଦେଖାଇ କହିଛନ୍ତି, “ଇସ୍କୋ ହସୁଲି କହତେ ହୈଁ ୟେ ଗଲେ ମେ ବନତା ହୈ। [ଏହାକୁ ହସୁଲି କୁହାଯାଏ, ଏହାକୁ ବେକ ଚାରିପଟେ ବନାଯାଏ]।’’
ସାଧାରଣତଃ ଶରୀରର ପାଞ୍ଚ ଅଂଶରେ ଟାଟୁ କରନ୍ତି ରାଜପତୀ: ହାତ, ପାଦ, ଗୋଡ଼, ବେକ ଓ କପାଳ । ଏବଂ ପ୍ରତ୍ୟେକ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍ ରହିଛି। ହାତରେ ସାଧାରଣତଃ ଫୁଲ, ପକ୍ଷୀ ଏବଂ ମାଛ ଆଦି ଅଙ୍କାଯାଏ, ବେକରେ ବକ୍ର ରେଖା ଏବଂ ବିନ୍ଦୁ ସହିତ ଏକ ବୃତ୍ତାକାର ପାଟର୍ନ କରାଯାଏ । କପାଳ ଟାଟୁ ପ୍ରତ୍ୟେକ ଜନଜାତି ପାଇଁ ସ୍ୱତନ୍ତ୍ର।
“ବିଭିନ୍ନ ଜନଜାତି ଗୋଷ୍ଠୀର ଭିନ୍ନ ଭିନ୍ନ ଟାଟୁ ପରମ୍ପରା ରହିଛି । ଓରାନ୍ମାନେ ମହାଦେବ ଜଟ୍ଟ [ସ୍ଥାନୀୟ ଫୁଲ] ଏବଂ ଅନ୍ୟାନ୍ୟ ଫୁଲ; ଖରିଆମାନେ ତିନିଟି ସିଧା ଲାଇନ୍ ଏବଂ ମୁଣ୍ଡାମାନେ ବିନ୍ଦୁ ଗୋଦନା ବନାଇଥାନ୍ତି,’’ ଏପରି ବ୍ୟାଖ୍ୟା କରିବା ସହ ରାଜପତୀ ଆହୁରି କହିଛନ୍ତି ଯେ ଅତୀତରେ ସେମାନଙ୍କ କପାଳରେ ଟାଟୁ ଦ୍ୱାରା ଲୋକଙ୍କୁ ଚିହ୍ନିବା ସାଧାରଣ କଥା ଥିଲା ।

Ashwini Kumar Shukla

Ashwini Kumar Shukla

Ashwini Kumar Shukla

Ashwini Kumar Shukla
ସୁନୀତା ଦେବୀଙ୍କ ଗୋଡ଼ରେ ଏକ ସୁପାଲି (ବାଉଁଶରେ ତିଆରି ଟୋକେଇ)ର ଏକ ଟାଟୁ ଅଛି । ପାଲାମୁ ଜିଲ୍ଲାର ଚେଚେରିଆ ଗାଁର ବାସିନ୍ଦା, ୪୯ ବର୍ଷିୟା ସୁନୀତା ଦେବୀ କହିଛନ୍ତି ଯେ ତାଙ୍କ ଟାଟୁ ଶୁଦ୍ଧତାର ପ୍ରତୀକ ଅଟେ । “ପୂର୍ବରୁ, ଯଦି ଆପଣଙ୍କର ଏହା ନଥିଲା, ଆପଣ କ୍ଷେତରେ କାମ କରିପାରିବେ ନାହିଁ । ଆମକୁ ଅଶୁଦ୍ଧ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଟାଟୁ ପାଇବା ପରେ ଆମେ ଶୁଦ୍ଧ ହୋଇଗଲୁ,’’ ଦଲିତ ସମ୍ପ୍ରଦାୟର ଏହି ଭାଗ ଚାଷୀ କୁହନ୍ତି ।
“ଗୋଦନା କଳାର ଉତ୍ପତ୍ତି ନୂତନ ପ୍ରସ୍ତର ଯୁଗର ଗୁମ୍ଫା ଚିତ୍ରକଳା ସହ ଯୋଡ଼ି ହୋଇ ରହିଛି । ଗୁମ୍ଫାରୁ ଏହା ଘରକୁ ଆସିଛି ଏବଂ ଶରୀରରେ ଅଙ୍କିତ ହୋଇଛି,’’ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଗବେଷକ ଅଂଶୁ ତିର୍କୀ ଏପରି ବ୍ୟାଖ୍ୟା କରିଛନ୍ତି ।
ଗୋହମଣୀ ଦେବୀଙ୍କ ପରି ଅନେକେ ବିଶ୍ୱାସ କରନ୍ତି ଯେ ଗୋଦନାରେ ମଧ୍ୟ ଆରୋଗ୍ୟକାରୀ ଶକ୍ତି ରହିଛି । ଏହି ୬୫ ବର୍ଷୀୟା ମହିଳା ହେଉଛନ୍ତି ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଛିପାଦୋହର ଗାଁର ବାସିନ୍ଦା । ସେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଗୋଦନା ଅଭ୍ୟାସ କରିଆସୁଛନ୍ତି ଏବଂ ରୋଗର ଉପଶମ ପାଇଁ ଜହର ଗୋଦନା (ବିଷାକ୍ତ ଟାଟୁ) ପାଇଁ ପ୍ରସିଦ୍ଧ ।
ସେ କହିଛନ୍ତି, “ମୁଁ ଗୋଦନା ମାଧ୍ୟମରେ ହଜାର ହଜାର ଲୋକଙ୍କୁ ଗଳଗଣ୍ଡ ରୋଗ ଭଲ କରିଛି ।” ଛତିଶଗଡ, ବିହାର ଏବଂ ବଙ୍ଗଳା ଆଦି ଅନ୍ୟ ରାଜ୍ୟର ଲୋକମାନେ ତାଙ୍କ ନିକଟକୁ ଆରୋଗ୍ୟ ପାଇଁ ଆସୁଛନ୍ତି ।
ଗଳଗଣ୍ଡ ବ୍ୟତୀତ ଗୋହମଣୀ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ମାଇଗ୍ରେନ୍ ଏବଂ ଅନ୍ୟାନ୍ୟ ପୁରୁଣା ଯନ୍ତ୍ରଣାର ଚିକିତ୍ସା କରିଛନ୍ତି । ତେବେ ଏହି କଳା ଶୀଘ୍ର ଲୋପ ପାଇଯିବ ବୋଲି ସେ ଆଶଙ୍କା କରୁଛନ୍ତି। “ବର୍ତ୍ତମାନ, ଆଗ ଭଳି ଆଉ ଟାଟୁ କରୁନାହାନ୍ତି; ଯେତେବେଳେ ଆମେ ଗାଁକୁ ଯାଉଛୁ, ସେଠାରେ ରୋଜଗାର ନାହିଁ । ଆମ ପରେ, ଆଉ କେହି ଏହା କରିବେ ନାହିଁ ବୋଲି ଗୋହମଣୀ କୁହନ୍ତି।

Ashwini Kumar Shukla

Ashwini Kumar Shukla

Ashwini Kumar Shukla

Ashwini Kumar Shukla
*****
ଏକ ଟାଟୁ ତିଆରି କରିବା ପାଇଁ ଜଣେ ଗୋଦନା କଳାକାର ଲାଲକୋରୀ କେ ଦୁଧ (ସ୍ତନ୍ୟପାନ କରାଉଥିବା ମା’ର କ୍ଷୀର), କାଜଲ (କୋହଲ), ହଳଦୀ ଏବଂ ସୋରିଷ ତେଲ ଆବଶ୍ୟକ କରନ୍ତି । ଗୋଦନାଗୁଡ଼ିକ ପେଟରମୁହି ସୁଇ ନାମକ ପିତ୍ତଳ ଛୁଞ୍ଚି ବ୍ୟବହାର କରି ତିଆରି କରାଯାଇଥାଏ ଯେଉଁଥିରେ ପିତ୍ତଳ ଟିପ୍ ଥାଏ ଯାହା କଳଙ୍କି ଧରେ ନାହିଁ ଏବଂ ସଂକ୍ରମଣର ଆଶଙ୍କା ହ୍ରାସ କରେ । ରାଜପତୀ କୁହନ୍ତି, “ଆମେ ପୂର୍ବରୁ ନିଜର କାଜଲ ତିଆରି କରୁଥିଲୁ, କିନ୍ତୁ ବର୍ତ୍ତମାନ ଏହାକୁ କିଣୁଛୁ ।’’
ଟାଟୁର ଡିଜାଇନ୍ ଉପରେ ନିର୍ଭର କରି ଏହା ହୁଏତ ଦୁଇଟି ଛୁଞ୍ଚି କିମ୍ବା ଏଗାରଟି ଛୁଞ୍ଚି ଆବଶ୍ୟକ ହୋଇପାରେ । ପ୍ରଥମେ, ଗୋଦନା କଳାକାର କ୍ଷୀର ଏବଂ କାଜଲ ମିଶାଇ ଏକ ପେଷ୍ଟ ତିଆରି କରି ସେଥିରେ ଟିକେ ସୋରିଷ ତେଲରେ ପକାଇ ଦିଅନ୍ତି । ତା’ପରେ ଡିଜାଇନର ଏକ ବାହ୍ୟରେଖା କଲମ କିମ୍ବା ପେନସିଲରେ ଅଙ୍କା ଯାଏ । ଡିଜାଇନ୍ ଉପରେ ଆଧାର କରି ଛୁଞ୍ଚିଗୁଡ଼ିକ ଚୟନ କରାଯାଇଥାଏ - ଏକ ସୂକ୍ଷ୍ମ ପାଟର୍ନ ପାଇଁ ଦୁଇ ବା ତିନୋଟି ଛୁଞ୍ଚି ଏବଂ ମୋଟା ବର୍ଡର ପାଇଁ ପାଞ୍ଚ କିମ୍ବା ସାତୋଟି ଛୁଞ୍ଚି । ରାଜପାଟୀ ଥଟ୍ଟା କରି କୁହନ୍ତି, “ଆମର ଗୋଦନା ଅଧିକ ଯନ୍ତ୍ରଣା ଦିଏ ନାହିଁ ।’’
ଟାଟୁ ଆକାର ଉପରେ ଆଧାର କରି ରାଜପତୀ କୁହନ୍ତି, “ଛୋଟ ପାଇଁ କିଛି ମିନିଟ୍, ବଡ଼ ଟାଟୁ ପାଇଁ ଘଣ୍ଟା ଘଣ୍ଟା ମଧ୍ୟ ଲାଗିବ ।’’ ଟାଟୁ ତିଆରି କରିବା ପରେ ଏହାକୁ ପ୍ରଥମେ ଗୋବର ଏବଂ ପରେ ହଳଦୀରେ ଧୋଇ ଦିଆଯାଏ । ଗୋବର ଦୁଷ୍ଟଶକ୍ତିରୁ ଦୂରେଇ ରଖେ ବୋଲି ବିଶ୍ୱାସ କରାଯାଏ ଏବଂ ସଂକ୍ରମଣକୁ ରୋକିବା ପାଇଁ କଦଳୀ ଏବଂ ସୋରିଷ ତେଲ ପ୍ରୟୋଗ କରାଯାଏ ।
ଛତିଶଗଡ଼ ଓ ଓଡ଼ିଶା ଗୋଦନା ପାଇଁ ଯାଇଥିବା ରାଜପତୀ କୁହନ୍ତି, “ପୂର୍ବରୁ ଗୋଦନା ସମୟରେ ମହିଳାମାନେ ଗୀତ ଗାଉଥିଲେ, କିନ୍ତୁ ବର୍ତ୍ତମାନ କେହି ଗୀତ ଗାଉ ନାହାନ୍ତି ।’’

Ashwini Kumar Shukla

Ashwini Kumar Shukla

Ashwini Kumar Shukla

Ashwini Kumar Shukla
ରାଜପତୀ ତାଙ୍କ ହାତରେ ଥିବା ଏକ ଗୋଦନାକୁ ଦେଖାଇ କୁହନ୍ତି, “ଏହି ତିନିଟି ବିନ୍ଦୁ ଥିବା ଟାଟୁର ମୂଲ୍ୟ ୧୫୦ ଟଙ୍କା ଏବଂ ଏହି ଫୁଲ ଫାଟର୍ନ ୫୦୦ଟଙ୍କା । ସେ କୁହନ୍ତି, “ବେଳେବେଳେ ଆମେ ଟଙ୍କା ପାଇଥାଉ, ବେଳେବେଳେ ଲୋକମାନେ ଚାଉଳ, ତେଲ ଏବଂ ପନିପରିବା କିମ୍ବା ଶାଢ଼ି ଦିଅନ୍ତି ।
ଆଧୁନିକ ଟାଟୁ ମେସିନ୍ ପାରମ୍ପରିକ ଗୋଦନା କଳାକାରଙ୍କ ରୋଜଗାରକୁ ଯଥେଷ୍ଟ ପ୍ରଭାବିତ କରିଛି । ରାଜପତୀ କୁହନ୍ତି, “ବହୁତ କମ୍ ଲୋକ ବର୍ତ୍ତମାନ ଗୋଦନା କରନ୍ତି, ଝିଅମାନେ ବର୍ତ୍ତମାନ ମେସିନ୍ ତିଆରି ଟାଟୁକୁ ପସନ୍ଦ କରୁଛନ୍ତି। ସେମାନେ ନିଜ ଫୋନରେ ଥିବା ଡିଜାଇନକୁ ଦେଖାନ୍ତି ଏବଂ ସେଗୁଡ଼ିକ ବନାଇବା ପାଇଁ ଚାହାନ୍ତି ।’’
ରାଜପତୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଗଭଳି ଲୋକମାନେ ନିଜର ସାରା ଶରୀରରେ ଆଉ ଗୋଦନା ବନାଇବାକୁ ଚାହୁଁନାହାନ୍ତି, ବର୍ତ୍ତମାନ ସେମାନେ ଏକ ଛୋଟ ଫୁଲ କିମ୍ବା ବିଛା ବନାଉଛନ୍ତି ।
ଏହି କଳାରୁ ଯାହା ରୋଜଗାର ହୁଏ, ତାହା ପରିବାରକୁ ବଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ ଏବଂ ସେମାନେ ବାସନ ବିକ୍ରି ଉପରେ ନିର୍ଭର କରନ୍ତି । ଏହି ଆୟର ଏକ ବଡ଼ ଅଂଶ ରାଞ୍ଚିରେ ହେଉଥିବା ବାର୍ଷିକ ମେଳାରେ ଯାହା ବିକ୍ରି କରିପାରିବ ସେଥିରୁ ଆସିଥାଏ । “ଯେତେବେଳେ ଆମେ ମେଳାରେ ୪୦-୫୦ ହଜାର [ଟଙ୍କା] ପାଖାପାଖି ରୋଜଗାର କରୁ, ଏହା ଭଲ ରୋଜଗାର ଭଳି ଲାଗେ । ଅନ୍ୟଥା, ଦିନକୁ ମାତ୍ର ୧୦୦-୨୦୦ ଟଙ୍କା ବୋଲି ରାଜପତୀ କୁହନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ଟାଟୁଗୁଡ଼ିକ ଶୁଭ ଅଟେ, ଏହା ଏକମାତ୍ର ଜିନିଷ ଯାହା ମୃତ୍ୟୁ ପରେ ଶରୀର ସହିତ ରହିଥାଏ। ଅନ୍ୟ ସବୁ ଜିନିଷ ପଛରେ ରହିଯାଏ ।’’
ଏହି କାହାଣୀ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ୍ (ଏମ୍ଏମ୍ଏଫ୍) ଫେଲୋସିପ୍ ଦ୍ୱାରା ସମର୍ଥିତ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/godna-art-stories-in-ink-or