ଏବେ ବି ସିଂହଙ୍କ ପାଇଁ ଦୁଃସ୍ୱପ୍ନ ସାଜି ଆସନ୍ତି ପଞ୍ଜାବରେ ତାଙ୍କ ପିଣ୍ଡ (ଗାଁ)ର ସେହି ଟ୍ରାଭେଲ ଏଜେଣ୍ଟ ଜଣକ।
ତାଙ୍କୁ ଟଙ୍କା ପଇଠ କରିବା ପାଇଁ ସିଂହ (ତାଙ୍କର ପ୍ରକୃତ ନାଁ ନୁହେଁ) ତାଙ୍କ ପରିବାରର ଏକ ଏକର ଚାଷଜମି ବିକ୍ରି କରିଦେଲେ। ବଦଳରେ, ସେହି ଏଜେଣ୍ଟ ଯତିନ୍ଦର ତାଙ୍କୁ କଥା ଦେଇଥିଲେ ଯେ, ସର୍ବିଆ ବାଟ ଦେଇ ତାଙ୍କୁ ସୁରକ୍ଷିତ ଭାବରେ ପର୍ତ୍ତୁଗାଲ ନେଇଯିବା ନିମନ୍ତେ ଇକ୍ ନମ୍ବର (ଆଇନଗତ କାଗଜପତ୍ର) କରି ଦେବେ।
ଖୁବ୍ ଶୀଘ୍ର ସିଂହ ବୁଝିପାରିଲେ ଯେ, ଯତିନ୍ଦର ତାଙ୍କୁ ଠକି ଦେଇଛନ୍ତି ଏବଂ ବେଆଇନ ଭାବରେ ଅନ୍ତର୍ଜାତୀୟ ସୀମାରେଖା ପାର କରାଇ ଚାଲାଣ କରିଛନ୍ତି। ଏଥିରେ ସେ ଏତେ ହତାଶ ଓ ହତବାକ୍ ହୋଇପଡ଼ିଲେ ଯେ, ତାଙ୍କ ଦୟନୀୟ ଅବସ୍ଥା ସଂପର୍କରେ ଗାଁରେ ଛାଡ଼ି ଆସିଥିବା ତାଙ୍କ ପରିବାରକୁ ଖବର ଦେବା ପାଇଁ ବି ସାହସ ଜୁଟାଇ ପାରିଲେନି।
ତାଙ୍କର ଏହି ଅକଥନୀୟ ବିଦେଶ ଯାତ୍ରା କାଳରେ, ୟୁରୋପର ଘଞ୍ଚ ଜଙ୍ଗଲ ଭିତର ଦେଇ, ନର୍ଦ୍ଦମା ପାଣିରେ ପଶି ଏବଂ ଅନେକ ପାହାଡ଼ ଚଢ଼ି ଯିବା ବାଟରେ ସେ ଓ ଅନ୍ୟ ପ୍ରବାସୀମାନେ, କାଦୁଅ ଭର୍ତ୍ତି ଖାଲରେ ଜମି ରହିଥିବା ବର୍ଷା ପାଣି ପିଇ ଏବଂ କେବଳ ପାଉଁରୁଟି ଖାଇ ଜୀବନ ବଞ୍ଚାଇଛନ୍ତି। ଦୁଃସ୍ଥିତିର ସେହି ସ୍ମୃତି ଏତେ ଭୟାବହ ଯେ ଏବେ ସେ ଖାଦ୍ୟ ଭାବରେ ପାଉଁରୁଟିକୁ ଘୃଣା କରିବା ଆରମ୍ଭ କରିଦେଇଛନ୍ତି।
“ମେରେ ଫାଦର ସାବ୍ ହାର୍ଟ ପେସେଣ୍ଟ ଆ। ଇନ୍ନା ଟେନ୍ସନ ଓହ୍ ଲେ ନି ସକ୍ତେ। ନଲେ, ଘର ମେଁ ଜା ନହିଁ ସକ୍ତା କ୍ୟୁଁ କେ ମୈଁ ସାରା କୁଛ ଦାଓ ତେ ଲାକେ ଆୟା ସି (ମୋ ବାପା ଜଣେ ହୃଦ୍ରୋଗୀ; ସେ ଏତେ ମାନସିକ ଚାପ ସମ୍ଭାଳି ପାରିବେନି। ମୁଁ ଘରକୁ ଫେରି ପାରିଲିନି, କାହିଁକି ନା ଏଠାକୁ ଆସିବା ଲାଗି ମୁଁ ସବୁ କିଛି ବାଜି ଲଗାଇ ସାରିଥିଲି)” ପର୍ତ୍ତୁଗାଲରେ ଅନ୍ୟ ପାଞ୍ଚ ଜଣଙ୍କ ସହିତ ସେ ରହୁଥିବା ଦୁଇଟି କୋଠରି ବିଶିଷ୍ଟ ଘରୁ ପଞ୍ଜାବୀ ଭାଷାରେ କହନ୍ତି ୨୫ ବର୍ଷୀୟ ସିଂହ।
କିଛି ବର୍ଷ ହେଲା, ଭାରତ, ନେପାଳ, ବାଂଲାଦେଶ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦକ୍ଷିଣ ଏସୀୟ ଦେଶର ଶ୍ରମିକମାନଙ୍କ ପାଇଁ ମନପସନ୍ଦ ଗନ୍ତବ୍ୟସ୍ଥଳ ରୂପରେ ଉଭା ହୋଇଛି ପର୍ତ୍ତୁଗାଲ।








