ନିଶା ଚଟାଣରେ ବସି ନିଜକୁ ବିଞ୍ଚି ହେଉଛନ୍ତି। ଜୁନ୍ ମାସର ଗରମ ଅପରାହ୍ଣରେ ତାପମାତ୍ରା ବଢ଼ି ଚାଲିଛି ଏବଂ ତମାଖୁ ଓ ଶୁଖିଲା ପତ୍ରର ଗନ୍ଧ ବାତାବରଣକୁ ଅସ୍ୱସ୍ତିକର କରି ଦେଇଛି। ‘‘ଚଳିତ ସପ୍ତାହରେ ମୁଁ ମାତ୍ର ଏତିକି ବିଡ଼ି ତିଆରି କରିଛି,’’ ସେ କୁହନ୍ତି, ୧୭ଟି ଲେଖାଏଁ ବିଡ଼ିକୁ ନେଇ ବନ୍ଧା ହୋଇଥିବା ଗୋଟିଏ ଲେଖାଏଁ କଠା ମିଶି ୭୦୦ ପାଖାପାଖି ବିଡ଼ିକୁ ଦେଖାଇ ସେ କୁହନ୍ତି। ନିଜର ଗୋଟିଏ ସପ୍ତାହର କାମ ବିଷୟରେ ସୂଚନା ଦେଇ ଏହି ୩୨ ବର୍ଷୀୟା ବିଡ଼ି ଶ୍ରମିକ ଜଣଙ୍କ କୁହନ୍ତି, ‘‘ଏହାର ମୂଲ୍ୟ ପାଖାପାଖି ୧୦୦ ଟଙ୍କା ହେବ। ଏଠାରେ ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ୧ ହଜାର ବିଡ଼ି ପାଇଁ ୧୫୦ ଟଙ୍କା ପାରିଶ୍ରମିକ ମିଳିଥାଏ।
ପ୍ରତ୍ୟେକ ବୁଧବାର ଓ ଶୁକ୍ରବାର ବିଡ଼ି ଶ୍ରମିକମାନେ ତିଆରି କରିଥିବା ବିଡ଼ିକୁ ନେଇ କାରଖାନାକୁ ଆସିଥା’ନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟ ବିଡ଼ି ତିଆରି ପାଇଁ କଞ୍ଚାମାଲ୍ ସଂଗ୍ରହ କରନ୍ତି। ଅଧିକାଂଶ କାରଖାନା ଦମୋହ ସହର ଉପକଣ୍ଠରେ ରହିଛି। ସେମାନେ ଠେକେଦାର (ଠିକାଦାର)ଙ୍କୁ ନିଯୁକ୍ତ କରିଥାନ୍ତି ଯେଉଁମାନେ ମୁଖ୍ୟତଃ ମହିଳା ଶ୍ରମିକଙ୍କୁ ଠିକାରେ ବିଡ଼ି ତିଆରି କାମ ଦିଅନ୍ତି।
ମହିଳାମାନେ ସେମାନଙ୍କ କଞ୍ଚାମାଲ ସଂଗ୍ରହ କରିବା ପରେ ସପ୍ତାହ ସାରା ତେନ୍ଦୁ (କେନ୍ଦୁ) ପତ୍ରରେ କଟା ହୋଇଥିବା ତମାଖୁକୁ ଗୁଡ଼ାଇବା ପରେ ସରୁ ସୂତାରେ ବିଡ଼ି ମୋଡ଼ିବେ ଏବଂ ସେଗୁଡ଼ିକୁ କଠା (ବିଡ଼ା)ରେ ବାନ୍ଧିବେ। ବିଡ଼ି ଶ୍ରମିକମାନଙ୍କର ହାରାହାରୀ ମାସିକ ପାରିବାରିକ ଆୟ ୧୦,୦୦୦-୨୦,୦୦୦ ମଧ୍ୟରେ ହୋଇଥିବା ବେଳେ ୮-୧୦ ସଦସ୍ୟ ବିଶିଷ୍ଟ ପରିବାର ଚଳାଇବାରେ ନିଜର ଯୋଗଦାନ ଦେବା ପାଇଁ ସେମାନେ ସବୁ ଘରକରଣା କାମ ସାରିବା ପରେ ବିଡ଼ି ବାନ୍ଧିବା କାମ କରିଥାନ୍ତି। ଅଧିକାଂଶ ମହିଳା କୃଷି ଶ୍ରମିକ କିମ୍ବା ଅଳ୍ପ ସମ୍ପତ୍ତିବାଡ଼ିର ମାଲିକ ହୋଇଥାନ୍ତି।
‘‘ଶୁଖିଲା ତେନ୍ଦୁ (କେନ୍ଦୁ) ପତ୍ରରୁ ନାଡ଼ ବାହାର କରିବା ଲାଗି ତାହାକୁ ପ୍ରଥମେ ପାଣିରେ ଭିଜାଇବାକୁ ପଡ଼ିଥାଏ। ତା’ପରେ, ଏକ ଫର୍ମା (ଲୁହା ଢାଞ୍ଚା) ବ୍ୟବହାର କରି ପତ୍ରକୁ ଆୟତାକାର କରି କଟାଯାଏ। ଜର୍ଦ୍ଦା (ବାସ୍ନାଯୁକ୍ତ ତମାଖୁ) ଭର୍ତ୍ତି କରିବା ପରେ ପତ୍ରକୁ ବିଡ଼ି ଆକାରରେ ମୋଡ଼ାଯାଏ,’’ ନିଶା କୁହନ୍ତି। ପ୍ରତ୍ୟେକ ବିଡ଼ିକୁ ରଙ୍ଗୀନ ସୂତାରେ ବନ୍ଧାଯାଏ ଯାହାକି ଗୋଟିଏ ବ୍ରାଣ୍ଡର ପରିଚୟ ଦେଇଥାଏ। ଏହା ଗୋଟିଏ କମ୍ପାନୀକୁ ଅନ୍ୟଠାରୁ ଅଲଗା କରିଥାଏ।
ତା’ପରେ ଏଗୁଡ଼ିକୁ ବିଡ଼ି ‘କାରଖାନା’କୁ ବିକ୍ରି କରିବା ଲାଗି ଅଣାଯାଏ - ଯାହାକି ବିଡ଼ି ତିଆରି ବ୍ରାଣ୍ଡର ପ୍ରକ୍ରିୟାକରଣ, ପ୍ୟାକେଜିଂ ୟୁନିଟ୍ ଓ ପଣ୍ୟାଗାର ଭାବେ କାମ କରିଥାଏ। ସେମାନେ ନିଜ କାମ ଠିକାଦାରଙ୍କୁ ହସ୍ତାନ୍ତର କରନ୍ତି ଯେଉଁମାନେ ସେମାନଙ୍କୁ କାରଖାନାକୁ ନେଇ ଆସନ୍ତି କିମ୍ବା ସେମାନଙ୍କୁ ସିଧାସଳଖ ଟଙ୍କା ପଇଠ କରିଥାନ୍ତି। କାରଖାନା ଭିତରେ, ସେଗୁଡ଼ିକୁ ଅଲଗା କରାଯାଏ, ସେକା ଯାଏ ଏବଂ ପ୍ୟାକ କରି ରଖାଯାଏ।









