ମୋ ମା’ ପ୍ରାୟତଃ ମୋତେ କହୁଥିଲେ, ‘‘କୁମାର, ଯଦି ମୁଁ ସେହି ମାଛ ପାତ୍ର ଉଠାଇ ନଥାନ୍ତି ତା’ହେଲେ ଆଜି ଆମେ ଏଠାରେ ପହଞ୍ଚି ପାରିନଥାନ୍ତେ।’’ ମୁଁ ଜନ୍ମ ନେବା ପର ବର୍ଷ ସେ ମାଛ ବିକ୍ରି କରିବା ଆରମ୍ଭ କରିଥିଲେ ଏବଂ ସେବେଠାରୁ ମୋ ଜୀବନରେ ସବୁବେଳେ ମାଛ ପୂରି ରହିଛି।
ଆମ ଘର ଭିତରୁ ସବୁବେଳେ ମାଛ ଗନ୍ଧ ବାହାରୁଥିଲା। ଗୋଟିଏ କୋଣରେ ଶୁଖୁଆ ଥଳି ସବୁବେଳ ପାଇଁ ଝୁଲି ରହୁଥିଲା। ପ୍ରଥମ ବର୍ଷା ପରେ କାର୍ପ ମାଛ ପଡ଼ୁଥିଲା ଯାହାକୁ ଅମ୍ମା (ମା’) ରାନ୍ଧୁଥିଲେ। ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ଥଣ୍ଡା ସର୍ଦ୍ଦି ମୁକାବିଲା ପାଇଁ ବିଶେଷ ସହାୟକ ହେଉଥିଲା। ଅମ୍ମା ଯେତେବେଳେ ବାଳିଆ ମାଛ, ସେଲାପ୍ପି ବା ଗଡ଼ିଶା ମାଛ ତରକାରୀ କରନ୍ତି, ଘରେ ଏକ ସ୍ୱାଦିଷ୍ଟ ବାସ୍ନା ଭରିଯାଏ।
ପିଲାଦିନେ, ମାଛ ଧରିବା ପାଇଁ ମୁଁ ଅଧିକାଂଶ ସମୟରେ ସ୍କୁଲରୁ ଲୁଚି ପଳାଇ ଆସୁଥିଲି। ସେତେବେଳେ ସବୁଆଡ଼େ ପାଣି ଥିଲା- ମଦୁରାଇର ଜବାହରଲାଲପୁରମ୍ ଅଞ୍ଚଳରେ, ଆମ ଜିଲ୍ଲା ସାରା କୂଅ, ନଦୀ, ହ୍ରଦ ଓ ପୁଷ୍କରିଣୀ ଥିଲା। ମୁଁ ମୋ ଜେଜେବାପାଙ୍କ ସହିତ ଗୋଟଏ ପୋଖରୀରୁ ଆର ପୋଖରୀ ପାଖକୁ ଯାଉଥିଲି। ଆମ ପାଖରେ ଏକ ଝୁଲା ଝୁଡ଼ି ରହୁଥିଲା, ଯାହାକୁ ଆମେ ପାଣିରେ ପକାଇ ମାଛ ଧରୁଥିଲୁ। ନଦୀରେ ଆମେ ଥୋପ ପକାଇ ମାଛ ଧରୁଥିଲୁ।
ଆମେ ଯେମିତି ପ୍ରବାହିତ ଜଳସ୍ରୋତ ପାଖକୁ ନଯାଉ ସେଥିପାଇଁ ଅମ୍ମା ଆମକୁ ଭୂତ-ପ୍ରେତଙ୍କ କାହାଣୀ କହି ଡରାଉଥିଲେ, କିନ୍ତୁ ହ୍ରଦରେ ସବୁବେଳେ ପାଣି ପ୍ରବାହିତ ହେଉଥିଲା ଏବଂ ଆମେ ସବୁବେଳେ ପାଣି ଚାରିପାଖରେ ବୁଲୁଥିଲୁ। ମୁଁ ଗାଁରେ ଅନ୍ୟ ପିଲାଙ୍କ ସହିତ ମିଶି ମାଛ ଧରୁଥିଲି। ଯେଉଁ ବର୍ଷ ମୁଁ ୧୦ମ ଶ୍ରେଣୀ ପାସ କଲି, ପାଣି ଅଭାବ ଦେଖାଦେଲା। ହ୍ରଦର ଜଳସ୍ତର କମିଗଲା ଏବଂ ଚାଷ ଉପରେ ଏହାର କୁପ୍ରଭାବ ପଡ଼ିଲା।
ଆମ ଗାଁ ଜବାହରଲାଲପୁରମରେ ତିନୋଟି ହ୍ରଦ ଥିଲା - ବଡ଼ ହ୍ରଦ, ଛୋଟ ହ୍ରଦ ଏବଂ ମାରୁତନକୁଲମ୍ ହ୍ରଦ। ମୋ ଘର ପାଖରେ ଥିବା ବଡ଼ ହ୍ରଦ ଓ ଛୋଟ ହ୍ରଦକୁ ନିଲାମ କରି ଗାଁ ଲୋକମାନଙ୍କୁ ଲିଜ୍ ଦିଆଯାଇଥିଲା। ସେମାନେ ଏଥିରେ ମାଛ ଚାଷ କରିଥିଲେ ଏବଂ ସେହି ମାଛରେ ସେମାନଙ୍କର ଘର ଚାଲୁଥିଲା। ତାଇ ମାସ (ଜାନୁଆରୀ ମଧ୍ୟ ଭାଗରୁ ଫେବୃଆରୀ ମଧ୍ୟଭାଗ) ସମୟରେ ଦୁଇଟି ହ୍ରଦରେ ମାଛ ଉତ୍ପାଦନ ହେଉଥିଲା - ଏହାକୁ ମାଛଧରା ଋତୁ ଭାବେ ଗ୍ରହଣ କରାଯାଇଥାଏ।
ଯେତେବେଳେ ମୋ ବାପା ହ୍ରଦରୁ ମାଛ ଆଣିବାକୁ ଯାଉଥିଲେ, ମୁଁ ବି ତାଙ୍କ ସହ ଯାଉଥିଲି। ତାଙ୍କ ସାଇକେଲ୍ ପଛରେ ଏକ ବାକ୍ସ ବନ୍ଧା ହୋଇ ରହୁଥିଲା ଏବଂ ଆମେ ମାଛ କିଣିବା ପାଇଁ ବେଳେବେଳେ ୨୦ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ବିଭିନ୍ନ ଗାଁକୁ ଯାତ୍ରା କରୁଥିଲୁ।


































