ଚନ୍ଦ୍ରପୁର ଉପକଣ୍ଠର ଘଞ୍ଚ ବୁଦୁବୁଦିକିଆ ଜଙ୍ଗଲ ଭିତରେ, ୨୯୨୦ ମେଗାୱାଟ୍ ସୁପର ଥର୍ମାଲ ପାୱାର ଷ୍ଟେସନ୍, ଧାଡ଼ିକି ଧାଡ଼ି କୋଇଲା ସଫେଇ କେନ୍ଦ୍ର, ପାଉଁଶ ବନ୍ଧ ଏବଂ ପାଉଁଶ ଗଦା ମଝିରେ ରହିଥିବା ଏକ ଗାଁର ବ୍ୟସ୍ତବହୁଳ ଛକରେ ଅଟକି ଯାଏ ରୂପାନ୍ତରିତ ମହିନ୍ଦ୍ରା ଗାଡ଼ିଟିଏ- ଏମ୍ଏଚ୍୩୪ଏବି୬୮୮୦।
ଗାଡ଼ିର ଦୁଇ ପଟେ ଲାଗିଥାଏ କେତେକ ସ୍ଲୋଗାନ୍ ଓ ଫଟୋଚିତ୍ରରେ ଭରା ରଙ୍ଗିନ ଓ ଆକର୍ଷଣୀୟ ପୋଷ୍ଟରଗୁଡ଼ିଏ। ୨୦୨୩ ଅକ୍ଟୋବର ମାସର ଏକ ଅଳସ ଅପରାହ୍ନରେ ଗାଁ ଲୋକଙ୍କୁ ତୁରନ୍ତ ଆକର୍ଷିତ କରେ ଏହି ଗାଡ଼ିଟି; କିଏ ଆସିଲେ ବୋଲି ଦେଖିବା ଲାଗି ଧାଇଁ ଯାଆନ୍ତି ଗାଁର ଛୋଟପିଲା, ପୁରୁଷ ଓ ମହିଳାମାନେ।
ଗାଡ଼ିରୁ ବାହାରକୁ ବାହାରନ୍ତି ବିଠଲ ବଦଖଲ- ତାଙ୍କ ପାଖରେ ଥାଆନ୍ତି ଜଣେ ଡ୍ରାଇଭର ଏବଂ ସହାୟକ। ବୟସର ସତୁରୀ ଦଶକରେ ଉପନୀତ ବିଠଲଙ୍କ ଡାହାଣ ହାତରେ ଥାଏ ଗୋଟିଏ ମାଇକ୍ରୋଫୋନ୍ ଏବଂ ବାମ ହାତରେ ବାଦାମୀ ରଙ୍ଗର ଗୋଟିଏ ଡାଏରୀ। ଧଳା ଧୋତି, ଧଳା କୁର୍ତ୍ତା ସାଙ୍ଗକୁ ଧଳା ରଙ୍ଗର ନେହରୁ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି ଜଣକ ମାଇକରେ କହିବା ଆରମ୍ଭ କରନ୍ତି ଏବଂ ତାଙ୍କ ଗାଡ଼ି ଉପରେ ଲାଗିଥିବା ଲାଉଡସ୍ପିକର ଜରିଆରେ ସେଠାରେ ଏକତ୍ର ଲୋକଙ୍କ ପାଖରେ ପହଞ୍ଚେ ତାଙ୍କ କଥା।
ପ୍ରଥମେ ସେ ଏଠାକୁ ଆସିବାର କାରଣ ବୁଝାଇ ଦିଅନ୍ତି। ଗାଁର ଗଳିକନ୍ଦିରେ ଗୁଞ୍ଜରି ଉଠେ ତାଙ୍କ କଣ୍ଠସ୍ବର। ୫,୦୦୦ ଲୋକ ବସବାସ କରୁଥିବା ଏହି ଗାଁର ଅଧିକାଂଶ ଲୋକ ଚାଷୀ ଏବଂ କେତେକ ନିକଟବର୍ତ୍ତୀ କୋଇଲା କେନ୍ଦ୍ର ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କ ଭାଷଣ ପାଞ୍ଚ ମିନିଟ୍ ପାଇଁ ଚାଲେ ଏବଂ ଶେଷ ହେଲା ବେଳକୁ ଦୁଇ ଜଣ ପ୍ରମୁଖ ଗ୍ରାମବାସୀ ତାଙ୍କୁ ହସି ହସି ସ୍ୱାଗତ କରନ୍ତି।
“ଆରେ ମାମା, ନମସ୍କାର, ୟା ବସା (ଆରେ ମାମୁ, ନମସ୍କାର! ଆସନ୍ତୁ, ବସନ୍ତୁ),” ଗାଁର ମୁଖ୍ୟ ଛକରେ ତେଜରାତି ଦୋକାନ ଚଳାଉଥିବା ୬୫ ବର୍ଷୀୟ ଚାଷୀ ହେମରାଜ ମହାଦେବ ଦିୱସେ କହନ୍ତି।
“ନମସ୍କାର ଜୀ,” ପ୍ରତ୍ୟୁତ୍ତରରେ ହାତଯୋଡ଼ି କହନ୍ତି ବଦଖଲ ମାମା।


















