ଜଣେ ଜୀବବିଜ୍ଞାନୀ, ଜଣେ ସେନାର ଯବାନ, ଜଣେ ଗୃହିଣୀ ଏବଂ ଜଣେ ଭୂଗୋଳରେ ସ୍ନାତକ ।
ଗ୍ରୀଷ୍ମର ଏକ ଉଷ୍ମ ଦିବସରେ, ରାଞ୍ଚି ସହରର ବ୍ୟସ୍ତବହୁଳ ରାସ୍ତା କଡ଼ରେ ଏକାଠି ହୋଇଛନ୍ତି ଏଭଳି ଏକ ଅସମ୍ଭାବିତ ଗୋଷ୍ଠୀର ଲୋକେ । ସେମାନେ ସମସ୍ତେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସଦସ୍ୟ ଏବଂ ରାଜଧାନୀସ୍ଥିତ ଝାଡ଼ଖଣ୍ଡ ଜନଜାତି ଗବେଷଣା ସଂସ୍ଥା (ଟିଆର୍ଆଇ)ରେ ଆୟୋଜିତ ଏକ ଲିଖନ କର୍ମଶାଳାରେ ଭାଗ ନେଉଛନ୍ତି ।
“ମୁଁ ଚାହେଁ ଆମ ପିଲାମାନେ ସେମାନଙ୍କ ମାତୃଭାଷାରେ ପାଠ ପଢ଼ନ୍ତୁ,” ମାୱଣୋ ଭାଷାଭାଷୀ ମାଲ ପାହାଡ଼ିଆ ସଂପ୍ରଦାୟର ଜଗନ୍ନାଥ ଗିରହି କହନ୍ତି । ତାଙ୍କର ବିଲୁପ୍ତପ୍ରାୟ ମାତୃଭାଷା ମାୱଣୋର ବ୍ୟାକରଣ ଲେଖିବା ଲାଗି ଦୁମକା ଜିଲ୍ଲାର ତାଙ୍କ ଗାଁରୁ ୨୦୦ କିଲୋମିଟର ଦୂର ରାଞ୍ଚିର ଏହି ଜନଜାତି ଗବେଷଣା ସଂସ୍ଥା ପର୍ଯ୍ୟନ୍ତ ଆସିଛନ୍ତି ଏହି ୨୪ ବର୍ଷୀୟ ଯୁବକ ଜଣକ ।
ଭବିଷ୍ୟତ ପାଇଁ ତାଙ୍କ ପାଖରେ ରହିଛି ଆହୁରି ଅଧିକ ଯୋଜନା: “ଆମେ ମାୱଣୋ ଭାଷାରେ ବହି ପ୍ରକାଶ କରିବାକୁ ଚାହୁଁ,” ଜଗନ୍ନାଥ କହନ୍ତି । ଜୀବବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାରେ ତାଙ୍କ ଗାଁ ବଲିଆଖୋଡ଼ାର ସେ ଏକମାତ୍ର ବ୍ୟକ୍ତି ଏବଂ ହିନ୍ଦୀ ମାଧ୍ୟମରେ ସେ ଏହା କରିଛନ୍ତି । “ବିଶ୍ୱବିଦ୍ୟାଳୟରେ ଅଧିକ ସଂଖ୍ୟକ ଲୋକ ଥିବା ସଂପ୍ରଦାୟର ଭାଷାରେ ପଢ଼ା ଯାଇଥାଏ,” ସେ ସୂଚାଇ ଦିଅନ୍ତି । “ଏମିତି କି ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍ଏସ୍ସି)ର ପାଠ୍ୟକ୍ରମ ବି ଖୋର୍ଠା ଓ ସାନ୍ତାଳୀ ଭଳି (ଜନଜାତି) ଭାଷାରେ ମିଳିଥାଏ, କିନ୍ତୁ ଆମ ଭାଷା (ମାୱଣୋ)ରେ ନୁହେଁ ।”
“ଯଦି ଏହା (ଉପେକ୍ଷା) ଅବ୍ୟାହତ ରହେ, ତେବେ ଧୀରେ ଧୀରେ ମୋ ମାତୃଭାଷା ଉଭେଇ ଯିବ।” ମାଲ-ପାହାଡ଼ିଆ ଭାଷା କହୁଥିବା ପ୍ରାୟ ୧୫ ପ୍ରତିଶତ ଲୋକ ଝାଡ଼ଖଣ୍ଡରେ ଏବଂ ଅବଶିଷ୍ଟ ବିଭିନ୍ନ ପଡ଼ୋଶୀ ରାଜ୍ୟରେ ରହନ୍ତି।
ସେମାନଙ୍କ ଭାଷା ମାୱଣୋ ହେଉଛି ଏକ ଭାରତୀୟ-ଆର୍ଯ୍ୟ ଭାଷା, ଯାହା ଉପରେ ଦାକ୍ଷିଣାତ୍ୟରେ ପ୍ରଚଳିତ ଦ୍ରାବିଡ଼ ଭାଷାର ପ୍ରଭାବ ପଡ଼ିଛି । ଏହି ଭାଷାକୁ ୪,୦୦୦ରୁ କମ୍ ଲୋକ କହୁଥିବାରୁ ଏହା ଏକ ବିଲୁପ୍ତପ୍ରାୟ ଭାଷା ରୂପେ ପରିଗଣିତ ଏବଂ ଏହା ସରକାରୀ ଭାଷାର ମାନ୍ୟତା ପାଇନାହିଁ । ଝାଡ଼ଖଣ୍ଡରେ କରାଯାଇଥିବା ଭାରତର ଭାଷାଭିତ୍ତିକ ସର୍ଭେ (LSI) ଅନୁସାରେ, ମାୱଣୋ ଭାଷା ସ୍କୁଲ୍ରେ ଶିକ୍ଷାଦାନର ମାଧ୍ୟମ ରୂପେ ବ୍ୟବହୃତ ହୁଏ ନାହିଁ ଏବଂ ଏହାର ନିଜସ୍ୱ ପୃଥକ୍ ଲିପି ନାହିଁ ।









