ଅଶୋକ ଜାଟବ ଜଣେ ମୃତ ବ୍ୟକ୍ତି, ଯେ କି ନିଜ ପାଦରେ ଚାଲୁଛନ୍ତି।
ଯେ କୌଣସି ଅନ୍ୟ ବ୍ୟକ୍ତିଙ୍କ ଭଳି ଏହି ୪୫ ବର୍ଷୀୟ ବ୍ୟକ୍ତି ଜଣକ ବି ସବୁଦିନ ସକାଳୁ ଉଠନ୍ତି। କାମ କରିବାକୁ ଯାଆନ୍ତି, ଏବଂ ଅନ୍ୟ ଯେ କୌଣସି ଶ୍ରମିକଙ୍କ ଭଳି ଅନ୍ୟମାନଙ୍କର ଚାଷଜମିରେ କାମ କରନ୍ତି। ଅନ୍ୟ ଶ୍ରମିକଙ୍କ ଭଳି ସେ ମଧ୍ୟ କାମ ସାରି ସନ୍ଧ୍ୟାରେ ଘରକୁ ଫେରନ୍ତି। ହେଲେ ସେ ଓ ତାଙ୍କ ଭଳି ଅନ୍ୟମାନଙ୍କ ମଧ୍ୟରେ କେବଳ ଗୋଟିଏ ଫରକ ରହିଛି: ସରକାରୀ ଭାବେ, ଅଶୋକ ମୃତ।
୨୦୨୩ ଜୁଲାଇରେ ଖୋରଘର ବାସିନ୍ଦା ଅଶୋକ ଜାଣିପାରିଲେ ଯେ, ଦୁଇ ବର୍ଷରୁ ଅଧିକ ସମୟ ହେଲା ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିରେ ତାଙ୍କୁ ମିଳୁଥିବା ୬,୦୦୦ ଟଙ୍କା ପାଇନାହାନ୍ତି। ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଏହି ଯୋଜନାରେ ଚାଷୀମାନେ ସେମାନଙ୍କ ସର୍ବନିମ୍ନ ଆୟ ବାବଦରେ ବର୍ଷକୁ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ।
ପ୍ରଥମ କେଇ ବର୍ଷ ପାଇଁ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯାଉଥିଲା। ତା’ପରେ ଏହା ହଠାତ ବନ୍ଦ ହୋଇଗଲା। ସେ ଭାବିଲେ, ହୁଏତ କମ୍ପ୍ୟୁଟରରେ କେଉଁଠି ତ୍ରୁଟି ରହିଯାଇଥିବ ଏବଂ ତାହା ଆପେ ଆପେ ଠିକ୍ ହୋଇଯିବ। ହଁ, ତ୍ରୁଟି ତ ରହିଥିଲା। କିନ୍ତୁ, ଯେମିତି ସେ ଭାବିଥିଲେ, ସେମିତି ନୁହେଁ।
କାହିଁକି ତାଙ୍କୁ ଟଙ୍କା ମିଳିବା ବନ୍ଦ ହୋଇଗଲା ବୋଲି ବୁଝିବା ପାଇଁ ସେ ଯେତେବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ, କମ୍ପ୍ୟୁଟର ପଛପଟେ ବସିଥିବା ବ୍ୟକ୍ତି ଜଣକ ତାଙ୍କ ସଂପର୍କିତ ତଥ୍ୟ ଉପରେ ନଜର ପକାଇଲେ ଏବଂ ୨୦୨୧ ମସିହାରେ, କୋଭିଡ୍- ୧୯ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଶାନ୍ତ ଭାବରେ ଜଣାଇଦେଲେ। ଏଥିରେ ସେ ହସିବେ କି କାନ୍ଦିବେ ବୋଲି ସ୍ଥିର କରି ପାରି ନଥିଲେ। ଅଶୋକ କହନ୍ତି, “ମୁଝେ ସମଝ ନହିଁ ଆୟା ଇସପେ କ୍ୟା ବୋଲୁ (କ’ଣ ଆଉ କହିବି ବୋଲି ମୁଁ ଜାଣିପାରିଲିନି)।”







