‘‘ଦିନେ ମୁଁ ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ଜିତିବାକୁ ଆଶା ରଖିଛି,’’ ସେ କୁହନ୍ତି । ତାଙ୍କ କ୍ରୀଡ଼ା ଏକାଡେମୀ ଦେଇ ଯାଇଥିବା ପିଚୁ ସଡ଼କ ଉପରେ ଲମ୍ବା ଦୌଡ଼ ଅଭ୍ୟାସ କରିସାରିବା ପରେ ତଥାପି ଧଇଁସଇଁ ହୋଇ ସେ ଏହି କଥା କହିଥାନ୍ତି। ଚାରି ଘଣ୍ଟାର କଠିନ ତାଲିମ ପରେ ତାଙ୍କର ଦୁଇଟି ଖାଲି ପାଦ ଥକିଯାଇ ଏବଂ ଆଘାତପ୍ରାପ୍ତ ହୋଇ ଶେଷରେ ଭୂମି ଉପରେ ବିଶ୍ରାମ ନେଇଛି।
୧୩ ବର୍ଷର ଏହି ଲମ୍ବା ଦୂରଗାମୀ ଧାବିକା କୌଣସି ଆଧୁନିକ ଚଳଣି ଅନୁସାରେ ଖାଲି ପାଦରେ ଦୌଡ଼ୁନାହାନ୍ତି। ସେ କୁହନ୍ତି, ‘‘ମୋ ବାପା ଓ ମା’ ବ୍ୟୟବହୁଳ ଦୌଡ଼ ଜୋତା କିଣିବା ପାଇଁ ସକ୍ଷମ ହୋଇନଥିବାରୁ ମୁଁ ଏମିତି ଦୌଡ଼ୁଛି ।
ମରୁଡ଼ି ପ୍ରବଣ ମରାଠୱାଡ଼ାରେ ଥିବା ରାଜ୍ୟର ସବୁଠୁ ଗରିବ ଜିଲ୍ଲା ମଧ୍ୟରୁ ଅନ୍ୟତମ ପରଭଣୀର କୃଷି ଶ୍ରମିକ ବିଷ୍ଣୁ ଏବଂ ଦେବଶାଳାଙ୍କ ଝିଅ ହେଉଛନ୍ତି ବର୍ଷା କଦମ। ତାଙ୍କ ପରିବାର ମହାରାଷ୍ଟ୍ରରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ମତଙ୍ଗ ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି।
‘‘ମୁଁ ଦୌଡ଼ିବାକୁ ଭଲପାଏ,’’ ଏହା କହିବା ସମୟରେ ତାଙ୍କର ଆଖି ଚମକି ଉଠେ। ‘‘ପାଞ୍ଚ କିଲୋମିଟର ଦୂରତା ବିଶିଷ୍ଟ ବୁଲଦାନା ଅର୍ବାନ ଫରେଷ୍ଟ ମାରାଥନ ୨୦୨୧ରେ ମୋର ପ୍ରଥମ ଦୌଡ଼ ପ୍ରତିଯୋଗିତା ଥିଲା। ଦ୍ୱିତୀୟ ସ୍ଥାନ ହାସଲ କରିବା ଯୋଗୁ ମୁଁ ଖୁବ୍ ଭଲ ଅନୁଭବ କରିଥିଲି। ସେଠାରେ ମୁଁ ନିଜର ପ୍ରଥମ ପଦକ ମଧ୍ୟ ଜିତିଥିଲି। ମୁଁ ଅଧିକ ପ୍ରତିଯୋଗିତାରେ ବିଜୟୀ ହେବାକୁ ଚାହୁଁଛି,’’ ଏହି ସଂକଳ୍ପବଦ୍ଧ କିଶୋରୀ ଜଣଙ୍କ କହିଥାନ୍ତି।
ସେ ମାତ୍ର ୮ ବର୍ଷର ହୋଇଥିବା ସମୟରେ ତାଙ୍କ ମାତାପିତା ତାଙ୍କର ଏହି ରୁଚି ବିଷୟରେ ଜାଣିପାରିଥିଲେ। ‘‘ମୋ ମାମା (ମାମୁଁ) ପାରାଜୀ ଗାୟକୱାଡ଼ ଜଣେ ରାଜ୍ୟସ୍ତରୀୟ କ୍ରୀଡ଼ାବିତ୍ ଥିଲେ। ସେ ଏବେ ସେନାବାହିନୀରେ ଚାକିରି କରୁଛନ୍ତି। ତାଙ୍କୁ ଦେଖି ମୁଁ ମଧ୍ୟ ଦୌଡ଼ିବା ଆରମ୍ଭ କରିଥିଲି,’’ ସେ କୁହନ୍ତି। ୨୦୧୯ରେ ସେ ରାଜ୍ୟସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ଚାରି କିଲୋମିଟର କ୍ରସ୍ କଣ୍ଟ୍ରି ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ଏବଂ, ‘‘ତାହା ମୋତେ ଦୌଡ଼ କ୍ରୀଡ଼ାକୁ ଗ୍ରହଣ କରିବା ପାଇଁ ଅଧିକ ଆତ୍ମବିଶ୍ୱାସ ଦେଇଥିଲା।’’
















