ତାଙ୍କ ଶରୀରର କ୍ଷତ ଦେଖାଇବା ପାଇଁ ଖଟ ଉପରେ ଟିକେ ଅସହଜ ଭାବରେ ବସନ୍ତି ସୁଧୀର କୋସରେ। ଡାହାଣ ପାଦରେ ଗଭୀର କ୍ଷତ; ଡାହାଣ ଜଙ୍ଘରେ ପ୍ରାୟ ପାଞ୍ଚ ସେଣ୍ଟିମିଟର ଲମ୍ବା କଟା ଚିହ୍ନ; ଡାହାଣ ହାତର ତଳ ଭାଗରେ କୌଣସି ହିଂସକ ଜନ୍ତୁର କାମୁଡ଼ା ଜନିତ ଲମ୍ବା କ୍ଷତ ସମେତ ସାରା ଶରୀରରେ ଆମ୍ପୁଡ଼ା କାମୁଡ଼ା ଦାଗ ରହିଥିଲା ଏବଂ ବିଭିନ୍ନ କ୍ଷତ ସ୍ଥାନକୁ ଡାକ୍ତରଖାନାରେ ସିଲେଇ କରିବାକୁ ପଡ଼ିଥିଲା।
ମିଞ୍ଜିମିଞ୍ଜି ଆଲୁଅରେ, ପଲସ୍ତରା ହୋଇ ନଥିବା ତାଙ୍କର ଦୁଇ ବଖରା ଘର ମଧ୍ୟରୁ ଗୋଟିକରେ ସେ ବସିଥିଲେ। କ୍ଷତବିକ୍ଷତ ଶରୀର କେବଳ ଯେ ତାଙ୍କ ଅନ୍ତରାତ୍ମାକୁ ଦୋହଲାଇ ଦେଇଥିଲା ତା ନୁହେଁ, ବରଂ ସେ ଅତିଶୟ ଯନ୍ତ୍ରଣା ଭୋଗୁଥିଲେ ଏବଂ ଅସହଜ ସ୍ଥିତିରେ ବସିଥିଲେ। ତାଙ୍କ ପାଖରେ ଥିଲେ ତାଙ୍କ ସ୍ତ୍ରୀ, ମାଆ ଏବଂ ଭାଇ। ବାହାରେ ବର୍ଷା ଅଜାଡ଼ି ଦେଉଥିଲା। ଏକ ଲମ୍ବା ଏବଂ ବିରକ୍ତିକର ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଏ ଅଞ୍ଚଳରେ ପହଞ୍ଚିଥିଲା ବର୍ଷା।
ସେଦିନ ଥିଲା ୨୦୨୩ ମସିହା ଜୁଲାଇ ୨ ତାରିଖ। ଚାଷଜମିରେ କାମ କରୁଥିବା ସମୟରେ ଲୋହାର-ଗାଡ଼ି (ଗଦି ଲୋହାର ଭାବରେ ମଧ୍ୟ ଜଣାଶୁଣା ଏବଂ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବରେ ତାଲିକାଭୁକ୍ତ) ସଂପ୍ରଦାୟର ଭୂମିହୀନ ଶ୍ରମିକ ସୁଧୀର, ଏକ ଅତିକାୟ ଓ ଭୟଙ୍କର ବଣୁଆ ବାର୍ହା ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା ସତ, ହେଲେ ଭୀଷଣ ଭାବରେ ଆହତ ହୋଇଥିଲେ ୩୦ ବର୍ଷୀୟ ସୁଧୀର। ତାଙ୍କର ପତଳା ଅଥଚ ଟାଣୁଆ ଶରୀର କ୍ଷତବିକ୍ଷତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କ ମୁହଁ ଓ ଛାତିରେ କୌଣସି କ୍ଷତ ହୋଇ ନଥିଲା।
ଜୁଲାଇ ୮ ତାରିଖ ଦିନ ତାଙ୍କ ନିଜ ଗାଁ କାୱଠିରେ ‘ପରୀ’ ତାଙ୍କୁ ଭେଟିଥିଲା। ଚନ୍ଦ୍ରପୁର ଜିଲ୍ଲାର ସାଓଲି ତହସିଲ ଅନ୍ତର୍ଗତ ପ୍ରାକୃତିକ ଜଙ୍ଗଲ କ୍ଷେତ୍ରରେ ଅବସ୍ଥିତ ଏକ ଅଖ୍ୟାତ ଗାଁ କାୱଠି। ହାସପାତାଳରୁ ଛାଡ଼ ପାଇବା ପରେ ସେହିଦିନ ସନ୍ଧ୍ୟାରେ ସେ ଘରକୁ ଫେରିଥିଲେ।
ସେଦିନର ସେହି ଅଘଟଣ କଥା ମନେ ପକାଇଥିଲେ ସେ। କେମିତି ତାଙ୍କ ଚିତ୍କାର ଶୁଣି ଟ୍ରାକ୍ଟର ଚଳାଉଥିବା ତାଙ୍କର ଜଣେ ସାଥୀ ଶ୍ରମିକ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ କିଛି କ୍ଷଣ ପାଇଁ ନିଜ ସୁରକ୍ଷା କଥାକୁ ଭୁଲିଯାଇ ବାର୍ହା ଉପରକୁ ଟେକାପଥର ଫୋପାଡ଼ିଥିଲେ।
ବଣୁଆ ପଶୁଟି, ଯେତେଦୂର ସମ୍ଭବ ମାଈ ବାର୍ହାଟି, ତା’ର ଆଗ ଦାନ୍ତରେ ତାଙ୍କୁ ଆକ୍ରମଣ କରିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁହଁ ଉପରକୁ ହୋଇଯାଇଥିଲା, ଆଖି ଆଗରେ ଥିଲା ମେଘ ଭର୍ତ୍ତି ଆକାଶ ଏବଂ ମୃତ୍ୟୁ ଆଶଙ୍କାରେ ସେ ସଂପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ। ସୁଧୀର କହନ୍ତି, “ବାର୍ହାଟି ପଛକୁ କିଛି ପାଦ ଫେରିଯାଉଥିଲା ଏବଂ ପୁଣି ଲମ୍ଫ ମାରିବା ଭଳି ଦୌଡ଼ି ଆସି ତା’ର ଲମ୍ବା ଲମ୍ବା ଆଗଦାନ୍ତକୁ ମୋ ଶରୀରରେ ଗଳାଇ ଦେଇଥିଲା।” ବିଶ୍ୱାସ ନହେଲା ଭଳି ବିଳିବିଳେଇ ଉଠନ୍ତି ତାଙ୍କ ସ୍ତ୍ରୀ ଦର୍ଶନା। ସେ ଜାଣନ୍ତି ଯେ, ଆସନ୍ନ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ତାଙ୍କ ସ୍ୱାମୀ।
ଆକ୍ରମଣ କରିବା ପରେ ବାର୍ହାଟି ପାଖ ବୁଦୁବୁଦୁକିଆ ଜଙ୍ଗଲକୁ ପଳାଇ ଯାଇଥିଲା। ହେଲେ, ସେତେବେଳକୁ ତାଙ୍କ ଅବସ୍ଥା ସଂକଟାପନ୍ନ।


















